Home ଓଡ଼ିଶା ସଂଘ ଶରଣରେ ସିନ୍ଧିଆ; ବଡ଼ ଇନିଂଙ୍ଗ୍ସ୍ ଖେଳିବା ଯୋଜନାରେ ଜ୍ୟୋତିରାଦିତ୍ୟ

ସଂଘ ଶରଣରେ ସିନ୍ଧିଆ; ବଡ଼ ଇନିଂଙ୍ଗ୍ସ୍ ଖେଳିବା ଯୋଜନାରେ ଜ୍ୟୋତିରାଦିତ୍ୟ

178

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ସଙ୍ଗଠନ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସହିତ ନିଜକୁ ବାନ୍ଧି ରଖିବା ପାଇଁ ପ୍ରୟାସ କରୁଛନ୍ତି। ସିନ୍ଧିଆ ପ୍ରାୟ ୬ ମାସ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏବଂ ତାଙ୍କ ସହ ୨୨ ଜଣ ବିଧାୟକ ମଧ୍ୟ କଂଗ୍ରେସ ଛାଡ଼ିଥିଲେ। ଯାହା ଫଳରେ କମଲନାଥଙ୍କ ସରକାରର ପତନ ଘଟିଥିଲା। ଏହା ପରେ ସିନ୍ଧିଆଙ୍କୁ ବିଜେପି ରାଜ୍ୟସଭାକୁ ପଠାଇଛି ଏବଂ ଆଗାମୀ ଦିନରେ ହେବାକୁ ଥିବା କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ତାଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ଗୋଟିଏ ପଟେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚିବା ପାଇଁ ସିନ୍ଧିଆ ଦର୍ଶାଇଛନ୍ତି ଯେ କ୍ଷମତାକୁ ଆସିବା ପରେ ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ କଂଗ୍ରେସ ବିଫଳ ହୋଇଥିବାରୁ ସେ କଂଗ୍ରେସ ଛାଡ଼ିଛନ୍ତି। ଏହା ସହ ସିନ୍ଧିଆ ବିଜେପି ସଙ୍ଗଠନର ସମସ୍ତ କାର୍ଯ୍ୟକଳାପରେ ନିଜର ଅଂଶ ଗ୍ରହଣକୁ ବୃଦ୍ଧି କରିଛନ୍ତି। ନିକଟରେ ସିନ୍ଧିଆ ନାଗପୁରର ସ୍ଥିତ ସଂଘ (ଆରଏସ୍ଏସ୍) ମୁଖ୍ୟାଳୟକୁ ଯାଇ ସର- ସଂଘଚାଳକ (ଆରଏସ୍ଏସ୍ ପ୍ରମୁଖ) ମୋହନ ଭଗବତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଏହା ପରେ ଭୋପାଳ ଫେରି ସେଠାରେ ଥିବା ସଂଘ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ସଙ୍ଗଠନର ବରିଷ୍ଠ ଅଧିକାରୀ ମାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।

ସିନ୍ଧିଆ ସଂଘ କାର୍ଯ୍ୟାଳୟକୁ ଯିବା ବିଷୟରେ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଯେଉଁମାନେ ସଙ୍ଗଠନ ସହିତ ଜଡ଼ିତ ଅଛନ୍ତି ସେମାନଙ୍କୁ ସଂଘ ପ୍ରମୁଖ କୁହନ୍ତି, ପ୍ରଥମେ ସଂଘକୁ ଜାଣ, ସଂଘକୁ ବୁଝ ତେଣୁ ସିନ୍ଧିଆ ମଧ୍ୟ ତାହା କରିଛନ୍ତି। ଯେତେବେଳେ ଆପଣ ସଂଘର ରୀତିନୀତି ସହ ସହମତ ହୁଅନ୍ତି, ସେତେବେଳେ ତା’ ସହିତ ଯୋଡ଼ି ହୁଅନ୍ତୁ, କାମ ମଧ୍ୟ କରନ୍ତୁ। ଉଲ୍ଲେଖଯୋଗ୍ୟ ଯେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜେଜେ ମା’ ବିଜୟାରାଜେ ସିନ୍ଧିଆଙ୍କର ବିଜେପି ଏବଂ ସଂଘ ସହିତ ନିବିଡ଼ ସଂପର୍କ ଥିଲା। ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଏହି କଥା କେତେ ଥର ଉଲ୍ଲେଖ କରିଛନ୍ତି। ଜ୍ୟୋତିରାଦିତ୍ୟ ବୋଧେ ତାଙ୍କ ଜେଜେ ମା’ଙ୍କ ରାସ୍ତାରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ତେଣୁ ସେ ସଂଘ ସହିତ ନିଜର ସଂପର୍କ ବୃଦ୍ଧି କରୁଛନ୍ତି।

ସିନ୍ଧିଆ ବିଜେପିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି ସେ ସଂଘ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି, ତେବେ ଯାଇ ଏହା ସମ୍ଭବ। ସିନ୍ଧିଆ ତାଙ୍କ ଯୋଜନା ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଜେପିରେ ହିଁ ରହିବାକୁ ପଡ଼ିବ, କଂଗ୍ରେସକୁ ଫେରିବାର ସମ୍ଭାବନା କ୍ଷୀଣ। ତେଣୁ, ସଂଗଠନ ତଥା ସଂଘର ନିକଟତର ହେବା ଆବଶ୍ୟକ। ଅନେକ ନେତା ବିଜେପିରେ ଯୋଗ ଦିଅନ୍ତି କିନ୍ତୁ, ଫେରିବା ପାଇଁ ଏକ ଉପାୟ ମଧ୍ୟ ଖୋଜନ୍ତି। କିନ୍ତୁ, ସିନ୍ଧିଆଙ୍କ କ୍ଷେତ୍ରରେ ଏପରି ଲାଗୁନାହିଁ। ସିନ୍ଧିଆ ଲମ୍ବା ଇନିଂସ ଖେଳିବାକୁ ଚାହୁଁଛନ୍ତି। ତେଣୁ ଯଦି ସେ ବିଜେପିରେ ଏକ ବଡ଼ ଭୂମିକା ଗ୍ରହଣ କରିବାକୁ ଚାହାଁନ୍ତି, ତେବେ ସଂଘର ଭରଷା ଜିତିବାକୁ ପଡ଼ିବ। /- ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.