Home ଓଡ଼ିଶା ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ; ମଇଦାନରେ ସ୍ପର୍ଶକାତର ବଢୁଛି ଓ ରାଜନୈତିକ ଅନ୍ତଃସ୍ରୋତର ଦିଗ...

ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ; ମଇଦାନରେ ସ୍ପର୍ଶକାତର ବଢୁଛି ଓ ରାଜନୈତିକ ଅନ୍ତଃସ୍ରୋତର ଦିଗ ବଦଳୁଛି

735

ବ୍ରହ୍ମପୁର; ୨୨/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଗାମୀ ସାଧାରଣ ନିର୍ବାଚନ ନେଇ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୀତି ପରିସ୍ଥିତି ସରଗରମ ହୋଇଛି। କିଏ କେଉଁ ଦଳରୁ ସାନଖେମୁଣ୍ଡି ବିଧାନ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରିବେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ। ତେବେ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଏବଂ ଭାରତୀୟ ଜାତୀୟ କଂଗ୍ରେସ ଦଳ ପ୍ରାର୍ଥୀ ଦେବା ନିଶ୍ଚିତ। ଏହି ତିନିଟି ଦଳରୁ ବିଶେଷ କରି କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ପୁର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ନିର୍ବାଚନ ରଣାଙ୍ଗନ ରେ ରହିବା ଦଳୀୟ ନେତାମାନଙ୍କ ଠାରୁ ଜଣାପଡିଛି। ଗତ ଥର ନିର୍ବାଚନରେ ଶ୍ରୀ ଜେନା ପ୍ରତିଦ୍ୱନ୍ଦିତା କରି ବିଜୁ ଜନତା ଦଳ ପ୍ରାର୍ଥୀନୀ ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଠାରୁ ୮୨୨୨ ଟି ଭୋଟ ରେ ପରାସ୍ତ ହୋଇଥିଲେ। ସମ୍ପ୍ରତି ବି ଜେ ଡି ଏବଂ ବି ଜେ ପି ତାହାର ପ୍ରାର୍ଥୀ ଚୟନ କରିନାହାନ୍ତି। କଂଗ୍ରେସ ଦଳରୁ ଶ୍ରୀ ଜେନାଙ୍କ ବ୍ୟତୀତ ଆଉ କେହି ସେଠାରେ ପ୍ରାର୍ଥୀ ହେବାକୁ ଆଗଭର ହୋଇନାହାନ୍ତି।

ବର୍ତ୍ତମାନ ବିଧାୟିକା ଥିବା ଧରାକୋଟ ରାଣୀ ଶ୍ରୀମତୀ ନନ୍ଦିନୀ ଦେବୀ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ଗ୍ରହଣରେ ତାଙ୍କ କାର୍ଯ୍ୟକାଳର ଶେଷ ଭାଗରେ ଦଳୀୟ କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେଉଛନ୍ତି। ଦଳୀୟ ବ୍ଲକ ଓ ୱାର୍ଡ କମିଟି ଗଠନ ରେ ସେ ଜିଲ୍ଲାର ଅନ୍ୟାନ୍ୟ ବିଧାୟକମାନଙ୍କ ତୁଳନାରେ ପଛରେ ରହିଥିବା ଖବର ଦଳୀୟ ନେତାଙ୍କ ପାଖରେ ରହିଛି। ସେ ଯେଉଁ ମାନଙ୍କୁ ନିଜର ଦୃଢ଼ ସମର୍ଥକ ଭାବେ ଦେଖାଇ ଆସିଥିଲେ ସେମାନଙ୍କ ମଧ୍ୟରୁ ଅନେକ ବର୍ତ୍ତମାନ କଂଗ୍ରେସ ନେତା ଶ୍ରୀ ଜେନାଙ୍କ ଶିବିରରେ ଆସ୍ଥାନ ଜମାଇ ସାରିଛନ୍ତି। କାର୍ଯ୍ୟ ଦକ୍ଷତା ମାପ କାଠିରେ ଶ୍ରୀମତୀ ନନ୍ଦିନୀ ଦେବୀ ଦଳରେ ସଫଳ ନେତ୍ରୀ ହୋଇନଥିଲେ ମଧ୍ୟ ଏକ ରାଜପରିବାରର ରାଣୀ ଭାବେ ସମଗ୍ର ନିର୍ବାଚନ ମଣ୍ଡଳୀରେ ସେ ସମ୍ମାନୀୟା ହୋଇରହିଛନ୍ତି। ଧରାକୋଟ ରାଜା ଶ୍ରୀ କିଶୋର ଚନ୍ଦ୍ର ସିଂଦେଓଙ୍କ ବିୟୋଗ ପରେ ସେ ରାଜନୀତିକୁ ପଦାର୍ପଣ କରିଛନ୍ତି। ରାଜା ସାହେବ କିଶୋର ଚନ୍ଦ୍ର ସିଂଦେଓ ୨୦୦୪ ମସିହାରେ ବି ଜେ ପି ରୁ ପ୍ରାର୍ଥୀ ହୋଇ ବିଧାନସଭା କୁ ନିର୍ବାଚିତ ହୋଇଥିଲେ। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗଠନ ପରେ ୨୦୦୯ ମସିହା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ରମେଶ ଚନ୍ଦ୍ର ଜେନା ପ୍ରଥମ କରି ନିର୍ବାଚିତ ହୋଇଥିଲେ। ପରବର୍ତ୍ତି ନିର୍ବାଚନରେ ଧରାକୋଟ ରାଣୀ ବି ଜେ ଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ। ଆଗାମୀ ନିର୍ବାଚନ ଶ୍ରୀ ଜେନା ଙ୍କ ପାଇଁ ସମ୍ମାନ ଓ ଏକ ଆହ୍ୱାନ ର ବିଷୟ ହୋଇଥିବା ବେଳେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଗଡ଼ ରକ୍ଷା କରିବା ରାଣୀ, ତାଙ୍କ ବାହିନୀ ଓ ବି ଜେ ଡି ପାଇଁ ଏକ ଅଗ୍ନି ପରୀକ୍ଷା ସଦୃଶ ହୋଇଯାଇଛି।

କଂଗ୍ରେସ ନେତା ଶ୍ରୀ ଜେନା ସମ୍ପ୍ରତି ଏକାକୀ ନିଜସ୍ୱ ଉଦ୍ୟମରେ ସମଗ୍ର ନିର୍ବାଚନ ମଣ୍ଡଳୀରେ ସମର୍ଥକଙ୍କୁ ନେଇ ନିଜର ସ୍ଥିତି ସୁଦୃଢ଼ କରିଛନ୍ତି। ତିତଲି ବାତ୍ୟା ବେଳେ ଶ୍ରୀ ଜେନା ବନ୍ୟା ପାଣି ଘେର ଭିତରେ ଯାଇ ଲୋକଙ୍କ ଦୁର୍ଦ୍ଦଶା ବେଳେ ସହଯୋଗର ହାତ ବଢାଇଥିଲେ। ଶ୍ରୀ ଜେନାଙ୍କ ଧୂଆଁଧାର ଗସ୍ତ, ସାଙ୍ଗଠନିକ କାର୍ଯ୍ୟ, କର୍ମୀ ଓ ସମର୍ଥକମାନଙ୍କ ସମାବେଶ ଇତ୍ୟାଦି ରାଜନୈତିକ ଅନ୍ତଃସ୍ରୋତର ଦିଗ ବଦଳାଇବାରେ ଲାଗିଛି।

ବି ଜେ ଡି ରୁ ପୁଣି ଦଳୀୟ ଟିକଟ ପାଇ ନିର୍ବାଚନ ଲଢ଼ିବାକୁ ରାଣୀ ଶ୍ରୀମତୀ ନନ୍ଦିନୀ ଦେବୀ ଆଶା ବାନ୍ଧିଛନ୍ତି। ଜିଲ୍ଲାର କେତେକ ରାଜପରିବାର ଗୁଡିକ ପକ୍ଷରୁ ମଧ୍ୟ ଚିକିଟି ରାଣୀ ତଥା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀଙ୍କ ମାଧ୍ୟମରେ ଧରାକୋଟ ରାଣୀଙ୍କୁ ପୁଣି ଟିକଟ ମିଳିବା ବ୍ୟବସ୍ଥା ଘେନି ଉଦ୍ୟମ ଜାରି ରହିଛି। ତେବେ ଶ୍ରୀମତୀ ନନ୍ଦିନୀ ଦେବୀ ଦଳୀୟ ମାପକାଠିର ” ଗୂଡ଼ ପେରଫର୍ମର ” ତାଲିକା ବାହାରେ ରହିଥିବା ଜାଣି ଆଉ କେତେକ ନେତା ଟିକଟ ଲବି ଓ ଦାବୀ ପଥରେ ଆଗେଇଛନ୍ତି। ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜନୀତିରେ ରହି ଦଳୀୟ ବିଭିନ୍ନ ପଦବୀ ଓ ଦାୟିତ୍ୱ ତୁଲାଇଥିବା ଯୁବ ନେତା ତଥା ବି ଜେ ଡି ଗଞ୍ଜାମ ଜିଲ୍ଲା ଶାଖାର ଅନ୍ୟତମ ସାଧାରଣ ସମ୍ପାଦକ ଶ୍ରୀ ଯୋଗେନ୍ଦ୍ର ସ୍ବାଇଁଙ୍କ ସପକ୍ଷରେ ନିର୍ବାଚନ ମଣ୍ଡଳୀର ନେତୃଗଣ ମତାମତ ଦଳୀୟ ସୁପ୍ରିମୋଙ୍କୁ ଜଣାଇଛନ୍ତି। ଇତି ମଧ୍ୟରେ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀ ଏଥର ବାଦ ପଡୁଥିବା ଖବର ପ୍ରସାରିତ ହୋଇଥିଲା। ଏହି ସୁଯୋଗରେ ରାଜ୍ୟ ସମବାୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କର ସଭାପତି ଥିବା ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ, ପର୍ବତନ ସାଂସଦ ଶ୍ରୀ ନିତ୍ୟାନନ୍ଦ ପ୍ରଧାନଙ୍କ କନ୍ୟା ସୁଶ୍ରୀ ଲତିକା ପ୍ରଧାନ, ଠିକାଦାର ଶ୍ରୀ ମଙ୍ଗୁଳୁ ପାତ୍ର ପ୍ରମୁଖ ଦଳୀୟ ଟିକଟ ପାଇଁ ଆଶାୟୀ ରହିଛନ୍ତି। ଶ୍ରୀ ସ୍ୱାଇଁ ଦୀର୍ଘଦିନ ଧରି ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ମଧ୍ୟ କାର୍ଯ୍ୟ କରି ଲୋକପ୍ରିୟ ହୋଇଛନ୍ତି। ସେ ରାଜ୍ୟ ସରକାରଙ୍କ ଯୋଜନା ଘେନି କେତେକ ସଚେତନତା ସମାବେଶ କରି ନିଜର ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିଛନ୍ତି। ଠିକାଦାର ଶ୍ରୀ ପାତ୍ର ବି ଜେ ଡି ପ୍ରାଥମିକ ସଭ୍ୟ ହୋଇନଥିବା ଅଞ୍ଚଳବାସୀ ଓ ଦଳୀୟ ପ୍ରମୁଖ ନେତାମାନେ ସୂଚନା ଦେଇଛନ୍ତି। ତେବେ ସେ ଜଣେ ତନ୍ତ୍ର ସାଧକ ତଥା ଜ୍ୟୋତିଷକାର ଙ୍କ ମାଧ୍ୟମରେ ତୃତୀୟ ମହଲାରେ ପହଞ୍ଚି ଥିବା ଖବର ରହିଛି। ତୃତୀୟ ମହଲାରେ କେତେକ ପ୍ରମୁଖ ବ୍ୟକ୍ତି ତନ୍ତ୍ର ସାଧକଙ୍କ ଭକ୍ତ ଥିବା ବେଳେ ଦଳୀୟ ଟିକଟ ସୁବିଧା କରାଇବା ଆଶ୍ୱାସନା ଦେଇଥିବା ଖବର ପ୍ରସାରିତ କରାଯାଉଛି।

ବି ଜେ ପି ରୁ ସାନଖେମୁଣ୍ଡି ଆସନ ପାଇଁ ଶ୍ରୀ ବିଜୟ ସ୍ୱାଇଁ ବହୁ ପୂର୍ବରୁ ନିଜର କାର୍ଯ୍ୟକ୍ରମ ବଢାଇଛନ୍ତି। ଗଞ୍ଜାମ ଜିଲ୍ଲା ବି ଜେ ପି ଶାଖା ର ସଭାପତି ଭାବେ ଦାୟିତ୍ୱ ତୁଲାଇବା ବେଳେ ସେ ଦଳୀୟ ନେତା, କର୍ମୀ ଓ ସମର୍ଥକମାନଙ୍କ ପାଖରେ ବେଶ ପରିଚିତ ହୋଇଛନ୍ତି। ସେହି ନିର୍ବାଚନ ମଣ୍ଡଳୀରେ ଧରାକୋଟ ରାଜପରିବାରର ସମ୍ପର୍କ ଓ ପାତିଆରାକୁ ହଟାଇବା ଲକ୍ଷ୍ୟରେ ବି ଜେ ପି ଏକ ରାଜପରିବାରର ପ୍ରାର୍ଥୀ ଦେବା ଆଲୋଚନା ହେଉଥିଲା। ସେହି ପ୍ରସଙ୍ଗରେ ପୁଡ଼ାମାରିର ରାଜ ଶ୍ରୀ ୟୁ. ଏନ. ଦେଓଙ୍କ ପୁତ୍ର ତଥା ଯୁବରାଜଙ୍କୁ ରାଜନୀତିରେ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଦେଇଥିଲେ। ଶ୍ରୀ ଦେଓ ମଧ୍ୟ ରାଜନୀତି ପ୍ରତି ମନ ବଳାଇ ଉତ୍ସାହିତ ଥିବା କୁହାଯାଇଥିଲା । ତେବେ ସମୟ ନ ଥିବାରୁ ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟତର ସଂଗଠକ ଶ୍ରୀ ସ୍ୱାଇଁଙ୍କୁ ଦଳୀୟ ପ୍ରାର୍ଥୀଭାବେ କର୍ମୀ ଓ ସମର୍ଥକ ମାନେ ଗ୍ରହଣ କରି ନିର୍ବାଚନୀ ଅଭିଯାନ ଆରମ୍ଭ କରିଦେଇଛନ୍ତି। ଚଳିତ ଥର ନିର୍ବାଚନ ବେଳେ ସମସ୍ତଙ୍କ ଦୃଷ୍ଟି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଉପରେ ଆବଦ୍ଧ ରହିବା ପରିସ୍ଥିତି ହୋଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଉତ୍ତେଜନାପ୍ରବଣ ବୁଥ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ରେ ରହିଥିବା ପୋଲିସ ଚିହ୍ନଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.