ବନ୍ଦଇ ଦେବ ନାରାୟଣ। ଅନାଦି ପରମ କାରଣ॥
ଜଗତ ହିତେ ଦେହଧାରୀ।ଧରାରେ ଧର୍ମ ରକ୍ଷାକାରୀ॥
ସକଳ ବ୍ରତର କାରଣ।ଶ୍ରୀକୃଷ୍ଣ ସ୍ୱୟଂ ଭଗବାନ॥
କୃଷ୍ଣଙ୍କୁ ଯୁଧିଷ୍ଠିର ଦିନେ।ପଚାରି ଦେଲେ ସଖାପଣେ॥
କୁହ ହେ ଜଗତ ଗୋସାଇଁ। ଜଗତ ହିତେ ଦୟାବହୀ॥
କି ବ୍ରତ କଲେ ନାରୀମାନେ।ହୋଇବେ ସୁଖୀ ସବୁଦିନେ॥
ଶଙ୍ଖା ସିନ୍ଦୂର ବଜ୍ର ହେବ।କୋଳରେ ଶିଶୁ ଖେଳୁଥିବ॥
ସୌଭାଗ୍ୟବତୀ ଧନବତୀ।ହେବେ ସେ ପତିବ୍ରତା ସତୀ॥
ବୈଧବ୍ୟ ଦଶା ନଭୋଗିବେ।ମରଣେ ସ୍ୱର୍ଗ ପ୍ରାପ୍ତ ହେବେ॥
ଧର୍ମରାଜଙ୍କ ବାକ୍ୟ ଶୁଣି।ହସି କହନ୍ତି ଚକ୍ରପାଣି॥
ସଧବା ନାରୀମାନଙ୍କର। ସକଳ ବ୍ରତ ମଧ୍ୟେ ସାର॥
ସାବତ୍ରୀ ବ୍ରତ ଅଟେ ସେହି। ସେ କଥା ଶୁଣ ମନ ଦେଇ॥
ଜ୍ୟେଷ୍ଠମାସର କୃଷ୍ଣପକ୍ଷ।ଅମାବାସ୍ୟାକୁ କର ଲକ୍ଷ୍ୟ॥
ସାବିତ୍ରୀ ଉଆଁସଟି ସେହି। ସେ ଦିନ ବ୍ରତ ଯେ ଅଟଇ॥
ବ୍ରତର ଫଳ ସ୍ୱରୂପରେ। ଯେ ସୁଖ ମିଳଇ ମର୍ତ୍ତ୍ୟରେ॥
ତାହାର ନାହିଁ ପଟ୍ଟାନ୍ତର। ଶୁଣ ହେ ପାଣ୍ଡବ ପ୍ରବର॥
ମଦ୍ର ଦେଶର ନରପତି। ତାହାଙ୍କ ନାମ ଅଶ୍ୱପତି॥
କୌଶଲ୍ୟା ରାଣୀଙ୍କର ନାମ। ଧନଧାନ୍ୟରେ ରାଜ୍ୟ ପୂର୍ଣ୍ଣ॥
ପ୍ରଜାବତ୍ସଳ ଅଶ୍ୱପତି। ନ୍ୟାୟରେ ରାଇଜ ପାଳନ୍ତି॥
ରାଜାରାଣୀଙ୍କ ବଡ଼ ଚିନ୍ତା। ନଥାଏ ପୁତ୍ର କି ଦୁହିତା॥
କୋଳରେ ନଥିଲେ ସନ୍ତାନ। ପୂର୍ଣ୍ଣତା ନଲଭେ ଜୀବନ॥
ରାଜାରାଣୀ ଯେ ଦୁଃଖେ ଥିଲେ। ଏଥକୁ ଉପାୟ ଚିନ୍ତିଲେ॥
ସାଧୁ ପଣ୍ଡିତ ମତ ନେଲେ। ସାବିତ୍ରୀ ଯଜ୍ଞ ଆରମ୍ଭିଲେ॥
ଅଠର ବର୍ଷ ଅବିରତ। ଚାଲିଲା ହୋମାହୁତି ମନ୍ତ୍ର॥
ପୂର୍ଣ୍ଣାହୁତିର ପୂର୍ବ ନିଶି। ସପନେ ରାଣୀ ହେଲେ ଖୁସି॥
ସୁନ୍ଦର ଝିଅଟିଏ କେହି। ମାଆ ମାଆ ବୋଲି ଡାକଦେଇ॥
ରାଣୀଙ୍କ କୋଳରେ ଖେଳୁଥିଲା। ସପନ ଶେଷେ ଚାଲିଗଲା॥
ପ୍ରଭାତେ ରାଜାପାଶେ ରାଣୀ। କହିଲେ ଏସନ କାହାଣୀ॥
ଉଭୟେ ଚିନ୍ତାମଗ୍ନ ଥାଇ। ଚଳିଲେ ପୂର୍ଣ୍ଣାହୁତି ପାଇଁ॥
ଅନ୍ତିମ ଆହୁତି କାଳରେ। ଦିଶିଲେ ଯଜ୍ଞ ଅନଳରେ॥
ଅପୂର୍ବ ଜ୍ୟୋତିର୍ମୟୀ ଦେବୀ। ତେଜରେ କପିଂଲା ପୃଥିବୀ॥
କହିଲେ ଶୁଣ ରାଜାରାଣୀ। ମୁଁ ଏହି ଯଜ୍ଞ ସ୍ୱରୂପିଣୀ॥
ମୋ ନାମ ଅଟେ ଯେ ସାବିତ୍ରୀ। ହେବାକୁ ତୁମ ବରଦାତ୍ରୀ॥
ନିର୍ଦ୍ଦେଶ ଦେଲେ ମୋତେ ସ୍ରଷ୍ଟା। ଧନ୍ୟ ହେ ତୁମ ଭକ୍ତିନିଷ୍ଠା॥
ନିଜେ ମୁଁ ଅତ୍ୟନ୍ତ ପ୍ରସନ୍ନ। ସେଲାଗି କଲି ବରଦାନ॥
ଲଭିବ ତୁମେ କନ୍ୟାରତ୍ନ। ପୁତ୍ରକୁ ନରକରିବ ମନ॥
ଶତପୁତ୍ରର ସୁଖଶିରୀ। ସେ କନ୍ୟା ଏକ ଦେବ ଭରି॥
ଚକିତେ ସର୍ବେ ଚାହିଁଥିଲେ। ସାବିତ୍ରୀ ଅନ୍ତର୍ଦ୍ଧାନ ହେଲେ॥
ଯଜ୍ଞରେ ପୂର୍ଣ୍ଣାହୁତି ସାରି। ଯେ ଯାହା ଗୃହେ ଗଲେ ଫେରି॥
ସପନେ ଦେଖିଥିଲେ ରାଣୀ। ସେଥିଲା ସପନ କାହାଣୀ॥
ଘଟିଲା ଯଜ୍ଞଶାଳେ ଯାହା। ଅସତ୍ୟ କେ କହିବ ତାହା॥
ଯାଇଛି ଅଳ୍ପଦିନ ବିତି। ରାଣୀ ଯେ ହୋଇଲେ ରଜୋବତୀ॥
ରାଜାଙ୍କୁ ଚାହିଁ ଦେଲେ ହସି। ପ୍ରୀତିର ଅମୃତ ବରଷି॥
ଆସିଲା ମନେ ଆଶାକଳି। ମରୁରେ ମାରିଲା ବିଜୁଳି॥
ଉଚିତ ସମୟ ଅନ୍ତରେ। ସେ ଏକ ଅମୃତ ଲଗ୍ନରେ॥
ସ୍ୱର୍ଗ ସୁନ୍ଦରୀ କନ୍ୟାରତ୍ନ। ରାଣୀଙ୍କ କେଳେ ନେଲା ଜନ୍ମ॥
ସାବିତ୍ରୀ ଯଜ୍ଞ ପୁଣ୍ୟ ଫଳେ। ସେ କନ୍ୟ ଜନମିଲା କୋଳେ॥
ପିତାମାତା ଯେ ପାତ୍ରମନ୍ତ୍ରୀ। ତା ନାମ ରଖିଲେ ସାବିତ୍ରୀ॥
ଶୁକ୍ଲପକ୍ଷର ଶଶୀ ପରି। ବଢ଼ିଲା ସାବିତ୍ରୀ କୁମାରୀ॥
ଛୁଇଁଲା ଯେବେ ଯଉବନ। ପିତାମାତା ଯେ ଚିନ୍ତାମଗ୍ନ॥
ନଖୋଜି କନ୍ୟା ପାଇଁ ବର। ଡକାଇ ଦେଲେ ସ୍ୱୟମ୍ୱର॥
ଆସିଲେ ଯେତେ ଯୁବରାଜ। ବାହୁଡ଼ି ଗଲେ ପାଇ ଲାଜ॥
ସାବିତ୍ରୀଙ୍କର ତେଜ ଜ୍ୟୋତି। ମନରେ ତାଙ୍କ ଦେଲା ଭୀତି॥
ନିଜକୁ ଅଯୋଗ୍ୟ ବିଚାରି। ଯେ ଯାହା ବାଟେ ଗଲେ ଫେରି॥
ସ୍ୱୟମ୍ୱର ଯେ ଭାଙ୍ଗିଗଲା। ଏ ବଡ଼ ପ୍ରମାଦ ହୋଇଲା॥
ଉପାୟ ନପାରିଲେ ଜାଣି। ଚିନ୍ତାରେ ଥିଲେ ରାଜାରାଣୀ॥
ବିନେ ମାଣ୍ଡବ୍ୟ ଋଷିବର। ପ୍ରବେଶି ରାଜାଙ୍କ ନଅର॥
କୁଶଳ ବାର୍ତ୍ତା ପଚାରିଲେ। ସକଳ ବିଷୟ ଶୁଣିଲେ॥
ଉପାୟ ଏକ ଭାବିଚିନ୍ତି। କହିଲେ ଶୁଣ ଅଶ୍ୱପତି॥
ନିଜର ସ୍ୱାମୀ ନିଜେ ବାଛି। କହିବ ତୁମକୁ ସାବିତ୍ରୀ॥
ଦିଅ ବିହିତ ଅନୁମତି। ସାବିତ୍ରୀ ଖୋଜୁ ନିଜ ପତି॥
ରାଜା ଯେ ଅନୁମତି ଦେଲେ। ବିହିତତ ଆୟୋଜନ କଲେ॥
ସଖୀମାନଙ୍କୁ ସଙ୍ଗେ ଧରି। ରଥରେ ଚଳିଲେ ସାବିତ୍ରୀ॥
ଭୂମି ନଗର ଗିରିଜନ। ଦେଖିଲେ ରମ୍ୟ ତପୋବନ॥
ସେ ତପୋବନ ଆଶ୍ରମରେ। ଋଷି ତପସ୍ୱୀ ଗହଣରେ॥
ଥିଲେ ଯୁବକ ଜଣେ କେହି। ଦେବ ସୁଲଭ ରୂପ ବହି॥
ତପୋବନେ ସେ ତପୋଧନ। ତେଜରେ ସମ୍ଭ୍ରାନ୍ତ ଲକ୍ଷଣ॥
ଦେଖି ସେ ଯୁବକମଣିକ।ପ୍ରୀତି ଛୁଇଁଲା ସାବିତ୍ରୀକୁ॥
ଦେଲା ସେ ମନପ୍ରାଣ ବିକି। କହିଲା ଫେରିଚାଲ ସଖୀ॥
ସର୍ବ ଶୁଭରେ ବାହୁଡ଼ିଲେ। ପ୍ରାସାଦେ ପ୍ରବେଶ ହୋଇଲେ॥
ଏ କାଳେ କରି ବୀଣାବାଦ୍ୟ। ପ୍ରବେଶ ହୋଇଲେ ନାରଦ॥
ତାହାଙ୍କ ପାଦେ ଢାଳି ମତି। ନମିଲେ ରାଜା ଅଶ୍ୱପତି॥
ସାବିତ୍ରୀ କଲେ ପ୍ରଣିପାତ। ନାରଦ ଦିଶିଲେ ଚିନ୍ତିତ॥
କହିଲେ ଶୁଣ ଅଶ୍ୱପତି। ଉଚିତ ନୁହେଁ ତୁମ ନୀତି॥
ଏହି ଯେ ବିଧିର ବିଧାନ। ଦେବାକୁ ହେବ କନ୍ୟାଦାନ॥
ତୁରନ୍ତ ଦାନ ମହାପୁଣ୍ୟ। ହୁଅ ହେ ରାଜା ସାବଧାନ॥
କହିଲେ ରାଜ ଯୋଡ଼ି ହାତ। ମୁନିଙ୍କୁ ସକଳ ବୃତ୍ତାନ୍ତ॥
ସାବିତ୍ରୀ ଇଚ୍ଛା ଜାଣିବାକୁ। ନାରଦ ଚାହିଁଲେ ତାହାକୁ॥
ସାବିତ୍ରୀ ହୋଇ ମଥାନତ। ତତ୍କ୍ଷଣେ ଦେଲେ ନିଜମତ॥
ନିମିଷ ମାତ୍ର ହେ।ଇ ସ୍ଥିର। ବିବ୍ରତ ହେଲେ ମୁନିବର॥
କହିଲେ ପତି ନାହୁଁ ବରି। ନିଜ ଦୁର୍ଭାଗ୍ୟ ଅଛୁ ବରି॥
ଏବେ ବି ଅଛି ପ୍ରତିକାର। ସେ କଥା ମନୁ କର ଦୂର॥
ନୋହିଲେ ବରଷ ଅନ୍ତରେ। ଯିବ ସେ ସ୍ୱାମୀ ଯମପୁରେ॥
ସକଳ ଶିରୀ ହରାଇବୁ। ନିଶ୍ଚୟ ବିଧବା ହୋଇବୁ॥
ଶୁଣି ଚକିତ ଅଶ୍ୱପତି। ମୁନିଙ୍କୁ କରିଲେ ମିନତି॥
ଫିଟାଇ କୁହ ହେ ମହର୍ଷି। ତୁମେ ତ ତିନିକାଳଦର୍ଶୀ॥
କିଏ ଯେ ଅଟେ ସେ ଯୁବକ। କି ପ୍ରତିକାରେ ଯିବ ଦୁଃଖ॥
ନାରଦ କହିଲେ ବୁଝାଇ। ଶୁଣ ହେ ରାଜା ମନଦେଇ॥
ଶାଲ୍ୱ ଦେଶର ରାଜା ସେହି। ଦ୍ୟୁମତସେନ ନାମ କହି॥
ରାଣୀଙ୍କ ନାମ ମାଳବିକା। କରମ ବାମ ଭାଗ୍ୟ ବଙ୍କା॥
ସେ ରାଜା ଚକ୍ଷୁ ହରାଇଲେ। ରାଜ୍ୟରୁ ବିତାଡ଼ିତ ହେଲେ॥
ପୁତ୍ରର ନାମ ସତ୍ୟବାନ। କେ ବୋଲେ ପୁଣି ଚିତ୍ରସେନ॥
ସର୍ବ ଲକ୍ଷଣେ ସୁପୁରୁଷ। ମାତ୍ର ଯେ ସେ ଅଳ୍ପାୟୁଷ॥
ଆଜିଠୁ ମାତ୍ର ଏକ ବର୍ଷ। ରହିଛି ତାହାର ଆୟୁଷ॥
ଆୟୁଷ ଯେବେ ଯିବ ପୂରି। କି ହେବ ପ୍ରତିକାର କରି॥
ଶୁଣ ହେ ରାଜା ଅଶ୍ୱପତି। ଯାହାକୁ ବରିଛି ସାବିତ୍ରୀ॥
ରାଜାଙ୍କ ମଥା ଗଲା ଘୂରି। ଝିଅକୁ କହିଲେ ସେ ଧରି॥
ଜାଣୁ ଜାଣୁ ମୁଁ ତୋ ସିନ୍ଦୂର। ଦେଖିବି ନାହିଁ ଲିଭିବାର॥
ଏଥିକୁ କର ପ୍ରତିକାର। ସିଦ୍ଧାନ୍ତ କର ଅନ୍ୟ ବର॥
ନାରଦ ମୁନିଙ୍କୁ ସାବିତ୍ରୀ। କହିଲେ ଶୁଣ ମୋ ନିଷ୍ପତ୍ତି॥
ମନରେ ଯାହାଙ୍କୁ ବରିଛି। ତାଙ୍କୁ ମୁଁ ସ୍ୱାମୀ ବିଚାରିଛି॥
ମାତ୍ରକ ଅଛି ଲୋକାଚାର। ମୁଁ ହେବି କନ୍ୟା ସିଏ ବର॥
ଅନ୍ୟ ପୁରୁଷେ ମନ ଦେଲେ। ଦୋଚାରୁଣୀ ମୁଁ ହେବି ଭଲେ॥
ବିଧବା ପଛେ ହେବି ମୁହିଁ। ଅସତୀ କେବେ ହେବି ନାହିଁ॥
ସାବତ୍ରୀ ବାକ୍ୟ ଶୁଣି ଯତି। ହୋଇଲେ ଆନନ୍ଦିତ ଅତି॥
କହିଲେ, ହୁଅ ମହାସତୀ। ଜଗତେ ରହୁ ସତୀ ଖ୍ୟାତି॥
ଶୁଣ ହେରାଜା ଅଶ୍ୱପତି। ଅନ୍ୟରେ ନବଳାଅ ମତି॥
ସାବିତ୍ରୀ ସଙ୍ଗେ ସତ୍ୟବାନ। କର ବିବାହ ଆୟୋଜନ॥
ସର୍ବ କୁଶଳେ ଥାଅ ରହି। ନାରଦ ଗଲେ ଦୂର ହୋଇ॥
ଶୁଭ ଲଗ୍ନରେ ଆନନ୍ଦରେ। ସତ୍ୟବାନଙ୍କ ସଙ୍ଗତରେ॥
ସାବିତ୍ରୀଙ୍କର ହସ୍ତଗଣ୍ଠି। ପଡ଼ିଲା ଧର୍ମ ସାକ୍ଷୀ ରଖି॥
ବିତାଇ ତହିଁ କେତେ ଦିନ। ସାବିତ୍ରୀ ସଙ୍ଗେ ସତ୍ୟବାନ॥
ଗୁରୁଜନଙ୍କୁ ପ୍ରଣମିଲେ। ବନ ପଥରେ ଚଳିଗଲେ॥
ଶାଶୁ ଶ୍ୱଶୁର ସେବା କରି। ସ୍ୱାମୀ ସଙ୍ଗତେ ସୁକୁମାରୀ॥
ଆନନ୍ଦେ ଦିନ ବିତାଇଲେ। ସ୍ନେହ ପ୍ରେମରେ ବୁଡ଼ିଗଲେ॥
ଏମିତି କିଛିଦିନ ଗଲା। ଶେଷ ସମୟ ଆସି ହେଲା॥
ନାରଦ ଯାହା କହିଥିଲେ। ସାବିତ୍ରୀ ମନେ ରଖିଥିଲେ॥
ରହିଲା ଆଉ ଚାରି ଦିନ। ମୃତ୍ୟୁ ଲଭିବେ ସତ୍ୟବାନ॥
ସତୀ ନାରୀର ପ୍ରଭୁ ସାହା। ବିପଦେ ବନ୍ଧୁ ଚଉବାହା॥
ସୂର୍ଯ୍ୟ ଚନ୍ଦ୍ରମା ନବଗ୍ରହ। ମାଗନ୍ତି ଯାର ଅନୁଗ୍ରହ॥
ସେ ପ୍ରଭୁ ଜୀବର ରକ୍ଷକ। ଜନ୍ମ ମରଣ ନିୟନ୍ତ୍ରକ॥
ଚିତ୍ତେ ସାବିତ୍ରୀ କରି ଧ୍ୟାନ। ପୂଜିଲେ ଲକ୍ଷ୍ମୀ ନରାୟଣ॥
ବଣରୁ ଫଳମୂଳ ଆଣି। ସାବିତ୍ରୀ ଛଡ଼ାଇଲେ ପାଣି॥
ଦେଲେ ସେ ବ୍ରାହ୍ମଣ ଭୋଜନ। ଦାନ ଦକ୍ଷିଣା ବିଧିମାନ॥
ସପରିବାର ଭୁଞ୍ଜାଇଲେ। ନିଜେ ସେ ଉପବାସ କଲେ॥
ତୁେଣ୍ଡ ଉଚ୍ଚାରି ପ୍ରଭୁ ନାମ। ଦେଲେ ବିତାଇ ତିନିଦିନ॥
ହୋଇଲା ଜ୍ୟେଷ୍ଠ ଅମାବାସ୍ୟା। ସାବିତ୍ରୀ ମୁଖେ ନାହିଁ ଭାଷା॥
କୁଠାର ହସ୍ତେ ସତ୍ୟବାନ। କହିଲେ ବନେ ଯିବି ଜାଣ॥
ସଂଗ୍ରହ କଲେ କାଠଭାର। ଚଳିବା ସିନା ଏ ସଂସାର॥
କହିଲେ ସାବିତ୍ରୀ ବୁଝାଇ। ଏକାକୀ ଆଜି ଯାଅ ନାହିଁ॥
ଆଦେଶ କର ଏ ଦାସୀରେ। ଯିବାକୁ ତମ ସଙ୍ଗତରେ॥
ହସି କହିଲେ ସତ୍ୟବାନ। ବଡ଼ ଦୁର୍ଗମ ଘୋର ବନ॥
ଉପାସେ ତୁମେ ଅଛ ରହି। ଯିବାକୁ ତୁମ ଶାକ୍ତିନାହିଁ॥
କହିଲେ ସାବିତ୍ରୀ ବୁଝାଇ। ତୁମେ ଶରୀର ମୁଁ ଯେ ଛାଇ॥
ଶରୀର ମଧ୍ୟେ ଶକ୍ତି ଥାଏ। ଛାଇ ତା’ ସାଥେ ସାଥେ ଯାଏ॥
ନୀରବ ହେଲେ ସତ୍ୟବାନ। ମଉନ ସମ୍ମତି ଲକ୍ଷଣ॥
ଶାଶୁ ଶ୍ୱଶୁର ଆଜ୍ଞା ନେଇ। ସାବିତ୍ରୀ ଗଲେ ସାଥି ହୋଇ॥
ଘୋର ବନରେ ସତ୍ୟବାନ। କରିଲେ ବୃକ୍ଷ ଆରୋହଣ॥
କାଠ ହାଣିବା ସରି ନାହିଁ। ଆସିଲେ ବୃକ୍ଷରୁ ଓହ୍ଲାଇ॥
କହିଲେ ଶୁଣ ପ୍ରାଣ ସହି। ମଥା ମୋ ଦେଉଛି ଘୂରାଇ॥
ଦିଶୁଛି ସବୁ ଅନ୍ଧକାର। ଚାଲିବା ଶକ୍ତି ନାହିଁ ମୋର॥
ଶୁଣି ସାବିତ୍ରୀ ହେଲେ ବ୍ୟସ୍ତ। ଭୂମିରେ ପାରିଲେ ପଣତ॥
ସ୍ୱାମୀଙ୍କ ମଥା କୋଳେ ରଖି। ବସି ନିମିଷେ ଗଲେ ଶଙ୍କି॥
ସହଜେ ଘୋରବନ ସେହି। ସାହା ଭରସା ନାହିଁ କେହି॥
ହେବ କି ମୁନି ବାକ୍ୟ ସତ୍ୟ। ହେବ କି ଶୂନ୍ୟ ଏ ସୀମନ୍ତ॥
ଏକାଳେ ପୁଣି ସ୍ୟବାନ। ନୀରବେ ମୁଦିଲେ ନୟନ॥
ଡାକିଲେ ନଦେଲେ ଉତ୍ତର। ନାହିଁ ଲକ୍ଷଣ ଜୀବନର॥
ସାବିତ୍ରୀ କରିଲେ ରୋଦନ। କମ୍ପିଲା ବିଜନ କାନନ॥
ସ୍ୱାମୀଙ୍କ ଗୁଣ ନ ବାହୁନି। ଡାକିଲେ ରଖ ଚକ୍ରପାଣି॥
ଏକାଳେ ଦେବ ମୂର୍ତ୍ତିଟିଏ। ହୋଇଲେ ଉଭା ଛାୟା ପ୍ରାୟେ॥
ଚକିତେ ସାବିତ୍ରୀ ଚାହିଁଲେ। କିଏ ସେ ବୋଲି ପଚାରିଲେ॥
କହିଲେ ଜ୍ୟୋତିର୍ମୟ ମୂର୍ତ୍ତି। ମୁଁ ଅଟେ ନିଜେ ଜନ୍ତୁପତି॥
ଯମ ମୁଁ ମୃତ୍ୟୁର ଦେବତା। ଅସହ୍ୟ ମୋର ନିଷ୍ଠୁରତା॥
ଯାହାର ଆୟୁ ଶେଷ ହୁଏ। ପୁରକୁ ମୋର ଯାଏ ସିଏ॥
ପଠାଇ ମୋର ଦୂତଗଣ। ନିଏ ମୁଁ ତାକୁ ତତକ୍ଷଣ॥
ଯେହେତୁ ତୁମେ ମହାସତୀ। କୋଳେ ଧରିଛ ମୃତ ପତି॥
ତୁମକୁ ଡରି ଦୂତ ମୋର। ବାହୁଡ଼ି ଗଲେ ମୋର ପୁର॥
ସତ୍ୟବାନର ପ୍ରାଣ ପାଇଁ। ଆସିଛି ଏବେ ନିଜେ ମୁହିଁ॥
ଆୟୁଷ ତାର ହେଲା ଶେଷ। ନେବାରେ ମୋର ନାହିଁ ଦୋଷ॥
ସାବିତ୍ରୀ କରିଲେ ମିନତି। ଦୟା କର ହେ ଜନ୍ତୁପତି॥
ସ୍ୱାମୀଙ୍କ ପ୍ରାଣ ଗଲେ ନେଇ। ବଞ୍ଚିବି କାହା ମୁଖ ଚାହିଁ॥
ଯମ କହିଲେ ଶୁଣ ସତୀ। ଜନ୍ମିଥିଲେ ତ ମୃତ୍ୟୁ ଅଛି॥
ସହଜେ ମୃତ୍ୟୁଦେବ ମୁହିଁ। ଦୟାର ମାନେ ନଜାଣଇ॥
ସତ୍ୟବାନଙ୍କ ପ୍ରାଣ ନେଇ। ଗଲେ ଯେ ଯମ ଦୂର ହୋଇ॥
ଫେରି ଚାହିଁଲେ ଖେଣ୍ଡ ଦୂରେ। ସାବିତ୍ରା ଆସନ୍ତି ପଛରେ॥
ଯମ କହିଲେ ହେଲ ବାଇ। ବୃଥାରେ ଆସ କାହିଁପାଇଁ॥
ସାବିତ୍ରୀ କହିଲେ ଗୋସାଇଁ। ସ୍ୱାମୀଙ୍କ ପଥେ ଯାତ୍ରୀ ମୁହିଁ॥
ସତୀନାରୀ ମୁଁ ପତିବ୍ରତା। ନାହିଁ ମୋ ଆଉ ଅନ୍ୟ ରାସ୍ତା॥
ତୁମେ ତ ନିଜେ ର୍ମରାଜ। ଏତିକି କଥା ମନେ ହେଜ॥
ଯମ କହିଲେ ଶୁଣ ସତୀ। ସନ୍ତୁଷ୍ଟ ହେଲି ତୁମ ପ୍ରତି॥
ସତ୍ୟବାନର ପ୍ରାଣ ବିନା। ଯେ ବର ମାଗ ହେବ ଘେନା॥
ସାବିତ୍ରୀ ମାଗିନେଲେ ବର। ଅନ୍ଧ ଅଟନ୍ତି ମୋ ଶ୍ୱଶୁର॥
ଲଭନ୍ତୁ ଦୃଷ୍ଟି ଶକ୍ତି ସେହି। ମାଗୁଛି ଏହି ବର ମୁହିଁ॥
‘ତଥାସ୍ତୁ’ କହି ଯମ ଧୀରେ। ଚଳିଲେ ମଇଁଷି ପିଠିରେ॥
ଦେଖିଲେ କିଛି ବାଟ ଯାଇ। ସାବିତ୍ରୀ ପିଛା ଛାଡୁନାହିଁ॥
କହିଲେ ଯମ ଦେଲି ବର। ପୁଣି କିମ୍ପାଇଁ ପିଛା କର॥
ସାବିତ୍ରୀ କହିଲେ ଗୋସାଇଁ। କି ପୁଣ୍ୟ କରିଥିଲି ମୁହିଁ॥
ଦେଖିଲି ତୁମକୁ ନୟନେ। ଧନ୍ୟ ହୋଇଲି ଏ ଜୀବନେ॥
ତୁମକୁ ଛାଡ଼ି ଯିବାପାଇଁ। ମନ ତ ମୋର ବଳୁନାହିଁ॥
ସେପାଇଁ ଚାଲିଛି ମୁଁ ପଛେ। ଦୋଷ ଦେଉଛ ମୋତେ ମିଛେ॥
ଶୁଣି ଆନନ୍ଦେ ଯମଦେବ। କହିଲେ ଆନ ବର ମାଗ॥
ସତ୍ୟବାନର ପ୍ରାଣ ବିନା। ଯେ ବର ମାଗ ହେବ ଘେନା॥
ସାବିତ୍ରୀ କହିଲେ ହେ ଦେବ। ଶ୍ୱଶୁରଙ୍କ ହେଉ ରାଜ୍ୟଲାଭ॥
‘ତଥାସ୍ତୁ’ କହି ଯମ ଗଲେ। ସାବିତ୍ରୀ ପୁଣି ପିଛା କଲେ॥
ପଛକୁ ପୁଣି ଚାହିଁ ଯମ। କହିଲେ ଏ ବଡ଼ ବିଷମ॥
ଦେଲି ତୁମକୁ ବେନି ବର। କାହିଁକି ପୁଣି ପିଛା କର॥
ବିନୟେ କହିଲେ ସାବିତ୍ରୀ। ତୁମେ ଯେ ନ୍ୟାୟବନ୍ତ ଅତି॥
ନ୍ୟାୟ ତ ଦେଲନାହିଁ ମୋତେ। ତୁମକୁ ଛାଡ଼ିବି କେମନ୍ତେ॥
ଶ୍ୱଶୁର ସିନା ହେବେ ସୁଖୀ। ପିତା ଯେ ମୋର ବଡ଼ ଦୁଃଖୀ॥
ଦୁହିତା ଦୁଇ କୁଳେ ହିତା। ସେ ପାଇଁ ମୋର ବଡ଼ ଚିନ୍ତା॥
ତାଙ୍କ ଔରସୁ ଶତପୁତ୍ର। ଜନ୍ମି ରଖନ୍ତୁ ବଂଶ ଗୋତ୍ର॥
ମାଗୁଛି ଏହି ବର ମୁହିଁ। ବିଚାର ନ୍ୟାୟ ଧର୍ମ ତୁହି॥
ପିତା ଶ୍ୱଶୁର ଦୁହେଁ ଏକା। ମାଗୁଛି ତେଣୁ ଏହି ଭିକ୍ଷା॥
‘ତଥାସ୍ତୁ’ କହି ଯମ ଗଲେ। ସାବିତ୍ରୀ ନଛାଡ଼ନ୍ତି ଭଲେ॥
ପୁଣି ଚାଲିଲେ ପଛେ ପଛେ। ଛାୟା ଯେମିତି କାୟା ସାଥେ॥
ପଚକୁ ଚାହିଁ ଯମ ରାଜା। କହିଲେ ଏବେ ଯା ଫେରିଯା’॥
ସତୀତ୍ୱ ବଳେ ଏତେ ପଥ। ଆସିଲ ତୁମେ ଏହା ସତ୍ୟ॥
ଏପାରି ଶେଷ ସୀମା ଏହି। ତୁମେ ହେଲ ମରଦେହୀ॥
ସେପାରି ସୀମା ଛୁଇଁବାକୁ। କେହି ଯେ ନଦେବେ ତୁମକୁ॥
ଏଠାରୁ ହେବି ଅନ୍ତର୍ଦ୍ଧାନ। ସେ ପାରି ଅଟେ ମହାଶୂନ୍ୟ॥
ପାଇବ ନାହିଁ ଆଉ ମୋତେ। ଫେରିଯା’ ସତୀ ନିଜ ପଥେ॥
ସାବିତ୍ରୀ କହିଲେ ଠାକୁରେ। କିଲାଭ ଏହି ଜୀବନରେ॥
ବୁଝେନା ଏପାରି ସେପାରି। କାହିଁକି ଅବା ଯିବି ଫେରି॥
ସୂର୍ଯ୍ୟଙ୍କ ପୁତ୍ର ତୁମେ ନିଜେ। ଦିଅ ହେ ଜାଳି ତୁମ ତେଜେ॥
ନହେଲେ ହୋଇବ ପ୍ରଘଟ। ଆଣିଲ ତୁମେ ଏତେ ବାଟ॥
ଗୋଟିକୁ ଗୋଟି ବର ଦେଇ। ମାୟାରେ ଆଣିଲ କଢ଼ାଇ॥
ଅବଳା ପ୍ରତି ଅବିଚାର। ନୁହେଁ ତ ଉଚିତ ବେଭାର॥
ଶୁଣି ବିଚାର କଲେ ଯମ। ଏ କଥା ହେଲାଣି ବିଷମ॥
କହିଲେ ଶୁଣ ନାରୀବର। ଚତୁର୍ଥ ବର ମାଗିପାର॥
ସତ୍ୟବାନର ପ୍ରାଣ ବିନା। ଯାହା ମାଗିବ ହେବ ଘେନା॥
ଆଉ ମୁଁ କିଛି ନଶୁଣିବି। ତୁରନ୍ତ ମାଗ ଚାଲିଯିବି॥
ଯମ ଯେ ହେଲେ ତରବର। ସାବିତ୍ରୀ ମାଗି ଦେଲେ ବର॥
ସ୍ୱାମୀଙ୍କ ଔରସରୁ ମୋର। ହୁଅନ୍ତୁ ଶହେଟି କୁମର॥
‘ତଥାସ୍ତୁ’ ବୋଲି ଯମ କହି। ଚାଲିଲେ ଆଗକୁ ମୁହାଁଇ॥
ପଛରେ ଧାଇଁଲେ ସାବିତ୍ରୀ। ଚକିତ ହେଲେ ଯମ ଦେଖି॥
କ୍ତ୍ସେରାଧରେ କହିଲେ ବଚନ। ସରିଛି ମୋର ବରଦାନ॥
ବୃଥାରେ ଆସ କାହିଁପାଇଁ। ମୋଠାରେ ପ୍ରୟୋଜନ ନାହିଁ॥
କହୁଛି ଶେଷକଥା ମୋର। ତୁରନ୍ତ ଫେରିଯାଅ ଘର॥
ମୋ କଥା କରିଲେ ଅମାନ୍ୟ। ଭୋଗିବ ତାର ପରିଣାମ॥
ବିନୟେ ସାବିତ୍ରୀ କହିଲେ। ମୋ କଥା ଶୁଣଟିକେ ଭଲେ॥
ତୁମେ ଯେ ସଂଯମୀ ପୁରୁଷ। ଶୋଭେନା ତୁମଠାରେ ରୋଷ॥
ବିଜ ବଚନ ନିଜେ ଭୁଲି। କହୁଛ ଯିବାପାଇଁ ଚାଲି॥
ସତ୍ୟ ହାରିବ ତୁମେ ଯେବେ। କି ଯଶ ଅରଯିବ ତେବେ॥
ସ୍ୱାମୀଙ୍କ ଔରସରୁ ମୋର। ଜନ୍ମ ନେବେ ଶହେ କୁମର॥
ଏ ବର ତୁମେ ତ ଦେଇଛ। ସ୍ୱାମୀଙ୍କ ପ୍ରାଣ ନେଉଅଛ॥
ମୁଁ ଯେ ଅଟଇ ସତୀନାରୀ। ସମ୍ଭବ ହୋଇବ କିପରି॥
ବରିବି କିବା ଆନ ପତି। ଉତ୍ତର ଦିଅ ଜନ୍ତୁପତି॥
ଯମ ଯେ ହୋଇଲେ ଚକିତ। କେମିତି ହାରିବେ ସେ ସତ୍ୟ॥
ସେହି ସତ୍ୟର ରକ୍ଷାପାଇଁ। ଯମ ଯେ ନିରୁପାୟ ହୋଇ॥
କହିଲେ ସାବିତ୍ରୀଙ୍କୁ ଚାହିଁ। ତୁମର ଜୟ ଅଛି ହୋଇ॥
ତୁମର ସତୀତ୍ୱ ବଳରେ। ଜିତିଲ ଏ ମହୀ ତଳରେ॥
ବିଷ୍ଣୁ ଯେମିତି ମାୟା ବଳେ। ମୋହିତ କରନ୍ତି ସକଳେ॥
ସେମିତି ସତୀତ୍ୱ ମାୟାରେ। ମୋହିତ ହେଲି ତୁମଠାରେ॥
ପରୋକ୍ଷେ ସତ୍ୟବାନ ପ୍ରାଣ। ତୁମେ ତ ମାଗିନେଲ ଜାଣ॥
ମୁଁ ଯେ ନିଷ୍ଠୁର କାଳ ଯମ। ଲଙ୍ଘିଲି ବିଧିର ନିୟମ॥
ତୁମର ସତୀତ୍ୱକୁ ଧନ୍ୟ। ହେଲି ମୁଁ ଅତ୍ୟନ୍ତ ପ୍ରସନ୍ନ॥
ଖୋଲିଲି ଚର୍ମଫାଶ ମୋର। ଦୀଘାୟୁ ବୋଲି ଦେଲି ବର॥
ନିଦ୍ରାରୁ ଯେମିତି ଉଠନ୍ତି। ଉଠି ବସିବେ ତୁମ ପତି॥
ସତ୍ୟବାନଙ୍କ ମରଦେହେ। ପ୍ରାଣ ଭରିବ ପୁନରାୟେ॥
ସେ ସ୍ଥାନେ ଯାଅ ବେଗେ ଚଳି। ସ୍ୱାମୀଙ୍କୁ ନିଅ କୋଳେ ତୋଳି॥
ସତୀ ପତ୍ନୀର ପରଶରେ। ରୋପିବ ପ୍ରାଣ ସଶରୀରେ॥
ଏ ତୁମ ଅମର କାହାଣୀ। ଯୁଗ ଯୁଗକୁ ଥିବ ପୁଣି॥
ସତୀ ପତିବ୍ରତା ଶକ୍ତି। ମୃତ୍ୟୁକୁ ଗଲା ଆଜି ଜିତି॥
ଯମ ଯେ ହେଲେ ଅନ୍ତର୍ଦ୍ଧାନ। ସାବିତ୍ରୀ କରିଲେ ପ୍ରଣାମ॥
ଫେରିଲେ ମୃତ ସ୍ୱାମୀ ପାଶେ। କୋଳକୁ ଆଣିଲେ ସନ୍ତୋଷେ॥
ସତେକି କାଉଁରୀ ପରଶେ। ଜହ୍ନକି ଉଠିଲା ଉଆଁସେ॥
ସତେକି ନିଦରୁ ଉଠିଲେ। କହିଲେ ସ୍ୱପ୍ନ ଦେଖୁଥିଲେ॥
ସେମିତି ଉଠି ସତ୍ୟବାନ। ନିରେଖି ସାବିତ୍ରୀ ବଦନ॥
କହିଲେ ଏତେବେଳେ ମୁହିଁ। ଶୋଇ ରହିଲି କାହିଁ ପାଇଁ॥
ନପାଇ ଆମର ବାରତା। କି କରୁଥିବେ ପିତାମାତା॥
ଅରମା ପଥେ ସୁକୁମାରୀ। ଆସ ମୋ ବାମ କର ଧରି॥
ଏ ବନ ମୋର ପରିଚିତ। ପଥ ଯେ ହେବ ଅନୁମିତ॥
ସାବିତ୍ରୀ କହିଲେ ହେ ନାଥ। ଆଜି ମୋ ପଥ ଆଲୋକିତ॥
ତୁମେ ମୋ ସୀମନ୍ତର ଜହ୍ନ। ଚାନ୍ଦିନୀ ତୁମେ ମନ ବନ॥
ଏ ବନେ ତେଣୁ ନାହିଁ ଭୟ। ମୋ ପାଇଁ ନହୁଅ ଅଥୟ॥
ତୁମକୁ ପାଇଛି ମୁଁ ଫେରି। ଆଉ କାହାକୁ ଯିବି ଡରି॥
ସେ ବନପଥରେ ଦମ୍ପତ୍ତି। ଚଳିଲେ ଆନନ୍ଦରେ ଅତି॥
ପ୍ରବେଶ ହେଲେ ଆଶ୍ରମରେ। ଆଶ୍ରମେ ଆନନ୍ଦ କି ଝରେ॥
ରାଜ୍ୟ ପ୍ରାପ୍ତିକୁ ଚକ୍ଷୁ ପ୍ରାପ୍ତି। ଦ୍ୟୁମତସେନ ତୋଷ ଅତି॥
ପୁଅବୋହୂଙ୍କୁ ଦେଖିପାରି। ଆନନ୍ଦେ ଲୁହ ଗଲା ଝରି॥
ଆଶ୍ରମବାସୀ ଗଲେ ଘେରି। ବୁଝିଲେ ସମସ୍ତ ପଚାରି॥
ସାବିତ୍ରୀ କହିଲେ ବୁଝାଇ। ଯମଙ୍କ ବରଦାନ ଏହି॥
କହିଲେ ସକଳ ବୃତ୍ତାନ୍ତ। ସଭିଏଁ ହୋଇଲେ ଚକିତ॥
ଧନ୍ୟ ସାବିତ୍ରୀ ଧନ୍ୟ ବୋଲି। ଆଶ୍ରମ ଉଠିଲା ଉଛୁଳି॥
ତହୁଁ ରାଜ୍ୟକୁ ଫେରିଗଲେ। ଦ୍ୟୁମତସେନ ରାଜା ହେଲେ॥
ଯୁବରାଜ ଯେ ସତ୍ୟବାନ। ଜିଣିଲେ ପ୍ରଜାକୁଳ ମନ॥
ରାଜ୍ୟବାସୀଏ ହେଲେ ଗୁଣୀ। ସାବିତ୍ରୀ ସତୀଙ୍କ କାହାଣୀ॥
ଏମନ୍ତେ ଦିନ ମାସ ଗଲା। ପୁନଶ୍ଚ ଜ୍ୟେଷ୍ଠ ଅମା ହେଲା॥
ସୁମରି ଲକ୍ଷ୍ମୀ ନାରାୟଣ। ସାବିତ୍ରୀ କରିଲେ ବିଧାନ॥
ପ୍ରଭାତୁ ସ୍ନାହାନ ସାରିଲେ। ଘର ଅଗଣା ଶୌଚ କଲେ॥
ନଡ଼ିଆ କଦଳୀ ଖଜୁରୀ। ଆମ୍ୱ ପଣସ ଡାଲା ଭରି॥
ବିଭିନ୍ନ ପ୍ରକାର ଫଳରେ। ଭୋଗ ବାଢ଼ିଲେ ଭକ୍ତିଭରେ॥
ଦୂବରେ ବରକୋଳି ପତ୍ର। ରଚିଲେ ସାତକେରି ମାତ୍ର॥
ହଳଦୀ ରଙ୍ଗ ନବସୂତା। ସାତ ଖିଅରେ କଲେ ଗୁନ୍ଥା॥
ରଚିଲେ ଗଣ୍ଠି ସାତଗୋଟି। ଲକ୍ଷ୍ମୀନାରାୟଣେ ସମର୍ପି॥
ଦକ୍ଷିଣ ବାହୁରେ ବାନ୍ଧିଲେ। ଅଭୟ ବାହୁଟିର ତୁଲେ॥
ଶଙ୍ଖା ସିନ୍ଦୂର ନୂଆଶାଢ଼ୀ। ବିପ୍ରେ ଗାୟତ୍ରୀ ମନ୍ତପଢ଼ି॥
ଦେଲେ ଯେ ତାହା ମନ୍ତୁରାଇ। ସାବିତ୍ରୀ ଅଙ୍ଗେ ଶୋଭାପାଇ॥
ସ୍ୱାମୀ ସମେତ ଗୁରୁଜନେ। ପ୍ରଣାମ କରି ଶୁଦ୍ଧ ମନେ॥
ସଭିଙ୍କୁ ପ୍ରସାଦ ବାଣ୍ଟିଲେ। ସୁଚିତ୍ତେ ଫଳାହାର କଲେ॥
ଏ ବ୍ରତ ଆଚରି ସେ ସତୀ। ହୋଇଲେ ଶତ ପୁତ୍ରବତୀ॥
ଲଭିଲେ ଅଷ୍ଟ ଅଇଶ୍ୱର୍ଯ୍ୟ। ଜୀବନ କଲେ ଉପଭୋଗ॥
ବାହୁଡ଼ି ଶଙ୍ଖା ସିନ୍ଦୂରରେ। ବାସ ଲଭିଲେ ସ୍ୱର୍ଗପୁରେ॥
ସଧବା ନାରୀ କେହି କେବେ। ଏ ଓଷା ଆରମ୍ଭିବେ ଯେବେ॥
ସାବିତ୍ରୀ ପରି ଭାଗ୍ୟବତୀ। ହୋଇ ସେ ଲଭିବେ ସୁଖ୍ୟାତି॥
କୃଷ୍ଣଙ୍କ ମୁଖୁ ଏହା ଶୁଣି। ଯୁଧିଷ୍ଠିର ଯେ ଯୋଡ଼ି ପାଣି॥
ଭକ୍ତିରେ କଲେ ପ୍ରଣିପାତ। ସଂସାରେ ଖ୍ୟାତ ହେଲା ବ୍ରତ॥
ସାବିତ୍ରୀ ଓଷା କଥା ଏହି। ସର୍ବେ ଶୁଣିବେ ଶୁଣିବେ ମନଦେଇ॥
ସୁମରି ଲକ୍ଷ୍ମୀ ନରାୟଣ। ହୁଳହୁଳି ଯେ ଦେବ ଜାଣ॥
ସାବିତ୍ରୀ ଓଷା କଥା ଶେଷ। ପଠନେ ଶ୍ରବଣେ ସନ୍ତୋଷ॥
ଚିତ୍ତ ନିବେଶି ବିଷ୍ଣୁ ପାଦେ। ବୁଦ୍ଧିଆ କହେ ଗୀତ ଛନ୍ଦେ॥
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ