Odiapua.com

ଓଡ଼ିଶା ବିଜେପି ହେବ ଆରଏସଏସ ମୁକ୍ତ: “ଟୁକୁଡ଼େ ଟୁକୁଡ଼େ” ଗ୍ୟାଙ୍ଗ, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟିଥିବା ବ୍ୟକ୍ତି ଏବେ ବିଜେପିର ସାଥି!

ଭୁବନେଶ୍ୱର:ଭାରତ ତେରେ ଟୁକୁଡ଼େ ହୋଙ୍ଗେ ଇନ୍ସା ଆଲ୍ଲା ଇନ୍ସା ଆଲ୍ଲା, କାଶ୍ମୀର ମାଙ୍ଗେ ଆଜାଦି, ହମେ ଚାହିଏ ଆଜାଦି, ଆରଏସଏସ ସେ ଆଜାଦି।ଭାରତ ଆରଏସଏସ ମୁକ୍ତ ହେବା ଉଚିତ!ମୋଦୀ ସିନା କଂଗ୍ରେସ ମୁକ୍ତ ଭାରତ କଥା କହୁଛନ୍ତି।କିନ୍ତୁ ଏହି “ଟୁକୁଡ଼େ ଟୁକୁଡ଼େ” ଗ୍ୟାଙ୍ଗ ଏବଂ ତାଙ୍କ ସାଥି କଂଗ୍ରେସ, ଟିଏମସି, ମାୟାବତୀ, ବାମପନ୍ଥୀ ଆଦି ଚାହାଁନ୍ତି ଆରଏସଏସ (ସଂଘ) ମୁକ୍ତ ଭାରତ।ସେମାନଙ୍କ ଇଚ୍ଛା କେତେ ପୂରଣ ହୋଇପାରୁଛି, ତାହା ତ’ ପର କଥା।ଓଡ଼ିଶାରେ କିନ୍ତୁ ଆରଏସଏସ ମୁକ୍ତ ଅଭିଯାନରେ ସାମିଲ ହୋଇଯାଇଛି ବିଜେପି!

“ପାର୍ଟି ଉଇଥ ଡିଫରେନ୍ସ” କଥା କହୁଥିବା ବିଜେପି ଆଉ କ୍ୟାଡର ବେସ ପାର୍ଟି ହୋଇ ରହିନାହିଁ।ବିଜେପି ଏବେ ମାସ୍ ପାର୍ଟି।କିଛି ଦିନ ତଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହୁଥିଲେ, ବିଜେପି ଏବେ କ୍ୟାଡର ବେସ ସହିତ ମାସ୍ ପାର୍ଟି ବି ହୋଇ ଯାଇଛି।ରାଷ୍ଟ୍ରୀୟ ସ୍ତରରେ ହୁଏତ ତାହା ହୋଇଥାଇ ପାରେ।କିନ୍ତୁ, ଓଡ଼ିଶାରେ ନୁହେଁ।ଓଡ଼ିଶାରେ ବିଜେପି କେବଳ (ବିଚାରଧାରା ବିହୀନ) ମାସ୍ ପାର୍ଟି।ଅନ୍ତତଃ ପକ୍ଷେ ୨୦୧୯ରେ ତାହାର ପ୍ରମାଣ ମିଳିଯାଉଛି।ଓଡ଼ିଶା ବିଜେପିରୁ ଏବେ ଧୀରେ ଧୀରେ ସ୍ୱୟଂ ସେବକ ମାନେ ଦୂରେଇ ଯାଉଛନ୍ତି।ସଂଘ ବିଚାରଧାରା ସହିତ ଆଦୌ ଜଡ଼ିତ ନଥିବା ଏକ ଗୋଷ୍ଠୀ ଦ୍ୱାରା ଆଜି ଓଡ଼ିଶା ବିଜେପି ପରିଚାଳିତ।୨୧ଟି ଲୋକସଭା ଏବଂ ୧୪୭ ବିଧାନସଭା ପାର୍ଥି ମଧ୍ୟରୁ କେତେ ଜଣ ସ୍ୱୟଂ ସେବକ?କେତେ ଜଣ ସଂଘ ସମ୍ପର୍କିତ?ହାତ ଗଣତି ଯେଉଁ କେତେ ଜଣ ବା ସଂଘ ବିଚାରଧାରାର ବ୍ୟକ୍ତି ବିଜେପି ଭିତରେ ଅଛନ୍ତି, ତାଙ୍କ ସ୍ୱରକୁ ଚାପି ଦିଆଯାଇଛି।ଯିଏ ଚାପି ହେଇନି, ସେ ଦଳ ଛାଡ଼ିଦେଇଛି।

ପଦ୍ମ ଧରି ପୁରୁଷତ୍ୱ ପାଇଗଲେ ଶ୍ରୀଖଣ୍ଡୀ; ରାଜ୍ୟ ସରକାର ବଦଳିବା ଦରକାର!

“ରାଜ୍ୟ ସରକାର ବଦଳିବା ଦରକାର” ଏବଂ ନିଜେ କ୍ଷମତାସୀନ ହେବା ଦରକାର ଉଦ୍ଦେଶ୍ୟରେ ବିଚାରଧାରାକୁ ଫୋପାଡ଼ି ଦେଇଛି ଓଡ଼ିଶା ବିଜେପି।ଖଣି ମାଫିଆ, ଅପରାଧୀ, ଆରଏସଏସ ବିରୋଧୀ, ହିନ୍ଦୁତ୍ୱ ବିରୋଧୀ ଆଜି ବିଜେପିରେ ସାମିଲ ହୋଇ ଯାଇଛନ୍ତି।ସରକାର ଗଠନ କରିବା ପାଇଁ ଅନ୍ୟ ଦଳରୁ ନେତାଙ୍କୁ ଆଣି ନିଜ ଦଳରେ ସାମିଲ କରାଇବା ଭଲ କଥା।କିନ୍ତୁ, ଏହାର ଅର୍ଥ ନୁହେଁ ଯେ ଦଳୀୟ ଦୃଷ୍ଟି କୋଣରୁ ବିଜେପିକୁ ବିରୋଧ କରିବା ବାଦେ, ଯେଉଁମାନେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଆୟୋଜିତ ଆନ୍ଦୋଳନକୁ ବିରୋଧ କରୁଥିଲେ, ସ୍ୱାମୀଜୀଙ୍କ ପ୍ରତି କୁତ୍ସାରଟନା କରୁଥିଲେ, ଯିଏ ବାମପନ୍ଥୀ ବିଚାରଧାରାର, ଯିଏ ବେଆଇନ ଗୋଚାଲାଣକୁ ସମର୍ଥନ କରୁଥିଲେ, ଯେଉଁମାନେ ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗକୁ ସମର୍ଥନ କରୁଥିଲେ, ସେହିମାନେ ସବୁ ଆଜି ବିଜେପିରେ?ସେମାନଙ୍କ ହାତରେ କ୍ଷମତା।ବିଚରା, ବିଚାରଧାରାକୁ ନେଇ ଲଢ଼ି ଆସିଥିବା ବ୍ୟକ୍ତିମାନେ ଏବେ କରିବେ କ’ଣ?

କ୍ଷମତା ଲୋଭରେ ରାଜନୀତି ଦଳ ଗୁଡ଼ିକ ଏବଂ ଦଳର ନେତା/ନେତ୍ରୀଙ୍କର ନୀତି ଆଦର୍ଶ ବୋଲି କିଛି ନାହିଁ।୨୦୧୯ ନିର୍ବାଚନରେ ତାହା ଓଡ଼ିଶାରେ ଅତି ମାତ୍ରାରେ ଦେଖିବାକୁ ମିଳୁଛି।ଜନତାକୁ ଭୁଆଁ ବୁଲାଇ ଆଜି ଯିଏ ଗୋଟେ ଦଳରେ ଥାଇ ଅନ୍ୟ ଦଳକୁ ଦିନରାତି ଗାଳି କରୁଥିଲା,ତାର ନେତୃତ୍ୱକୁ ଅତ୍ୟନ୍ତ କଟୁ ଭାଷାରେ ସମାଲୋଚନା କରୁଥିଲା,ଆଜି କୁଆଡ଼େ ସେହି ନେତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସେହି ଦଳରେ ସାମିଲ ହୋଇଯାଉଛି।ଯେଉଁ ଦଳର ନୀତି ଏବଂ ନେତୃତ୍ୱ ତାଙ୍କୁ କାଲି ଭଲ ଲାଗୁଥିଲା,ଆଜି ଟିକେଟ ନ’ ମିଳିବାରୁ ସେ ନେତୃତ୍ୱ ଭ୍ରଷ୍ଟ ହୋଇ ଯାଉଛନ୍ତି।ଏହି କ୍ରମରେ ଓଡ଼ିଶାରେ ଏବେ ଜୋରଦାର ଦଳ ବଦଳ ଚାଲିଛି।ଏବଂ ବିଜେପି ବୋଧେ ଏଥିରେ ଆଗୁଆ ଅଛି।

କଂଗ୍ରେସ ପ୍ରବକ୍ତା ସୋନାଲି ସାହୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।କାଲି ତାଙ୍କ ପାଇଁ ଯାହା ଥିଲା, ଆଜି ପୂରା ଓଲଟି ଯାଇଛି।କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖରେ ତାଙ୍କୁ ଭ୍ରଷ୍ଟାଚାର ଦେଖାଯାଇଛି, ଏବଂ ମୋଦୀ, ଶାହାଙ୍କ ପାଖରେ ତାଙ୍କୁ ଆଦର୍ଶ ଦେଖାଯାଇଛି।ଏପରି ଜଣେ ଗୋଟେ ଦଳ ଛାଡ଼ି ଅନ୍ୟ ଦଳକୁ ଆସିବା ଅଲଗା।ଏଠି କିନ୍ତୁ କଥା ଟିକେ ଅଲଗା।ଏହି ନେତ୍ରୀ ଜଣଙ୍କ କଂଗ୍ରେସରେ ଥିଲା ବେଳେ କେବଳ ଯେ, ବିଜେପି ବିରୋଧରେ କହୁ ନଥିଲେ।ବ୍ୟକ୍ତିଗତ ସ୍ତରକୁ ଯାଇ ମୋଦିଙ୍କୁ ଅତି କଟୁ ଭାଷାରେ ସମାଲୋଚନା କରୁଥିଲେ।ଆରଏସଏସ ଏବଂ ହିନ୍ଦୁତ୍ୱ ବିଚାରଧାରାର ସେ ଦୃଢ଼ ବିରୋଧୀ।ଏବଂ ସବୁଠାରୁ ବଡ଼ କଥା ଏହି ନେତ୍ରୀ ଜଣଙ୍କ ମୋଦିଙ୍କ ପୋଷ୍ଟରରେ ଦିନେ ଜୋତା ମାଡ଼ କରିଥିଲେ।ବିଭିନ୍ନ ସମୟରେ ଆରଏସଏସ ବିରୋଧରେ ଅନେକ କଟୁ କଥା କହୁଥିଲେ।ବିଜେପିର ମାମୁଁ ଆରଏସଏସ, ପୁଣି ଶକୁନି ମାମୁଁ ବୋଲି କହୁଥିଲେ।ବିଜେପି ଆରଏସଏସ ମୁକ୍ତ ହେବା ଉଚିତ ବୋଲି କହିଥିଲେ।ତେଣୁ ସଂପୂର୍ଣ୍ଣ ବିପରୀତ ଚିନ୍ତାଧାରାର ଏପରି ଜଣେ ବ୍ୟକ୍ତିଙ୍କୁ ଫୁଲତୋଡ଼ା ଦେଇ ଧର୍ମେନ୍ଦ୍ର ପ୍ରଧାନ କିପରି ସ୍ୱାଗତ କଲେ ଏବଂ ସେ ନେତ୍ରୀ ଜଣଙ୍କ କିପରି ବିଜେପିକୁ ହିଁ ଆସିଲେ, ତାହା ଆଶ୍ଚର୍ଯ୍ୟ ଲାଗେ!

ସମ୍ବଦ୍ଧିତ ଖବର –

ଟିକେଟ ବଣ୍ଟନ ପ୍ରକ୍ରିୟାକୁ ନେଇ ସଂଘ ପରିବାରରେ ବିଦ୍ରୋହ:ବିଜେପିର ସାଥି ଏବେ ଅର୍ବାନ ନକ୍ସଲ!

ଏହିପରି ସବୁ ଘଟଣାକୁ ନେଇ ସଂଘ ଭିତରେ ଏବେ ବିଭେଦ।ଅନେକ୍ କାର୍ଯ୍ୟକର୍ତ୍ତା ଓଡ଼ିଶା ବିଜେପିର କାର୍ଯ୍ୟଶୈଳୀରେ କ୍ଷୁବ୍ଧ।କିଛି ସ୍ୱର ଉତ୍ତୋଳନ କରୁଛନ୍ତି, ଆଉ କିଛି ନିରବ ହୋଇ ଯାଇଛନ୍ତି।ସଂଘ ଏକ ଅତ୍ୟନ୍ତ ଶୃଙ୍ଖଳିତ ସଙ୍ଗଠନ।ଏହାର କାର୍ଯ୍ୟକର୍ତ୍ତା (ସ୍ୱୟଂ ସେବକ) ମାନେ ଖୁବ୍ ଅନୁଶାସିତ।ଭାରତରେ ବିଜେପି ସରକାର ଗଠନ କରୁ, ଏହା ସଂଘ ନିଶ୍ଚିତ ଚାହିଁବ।ଏହି ଆଳରେ ଏବେ ରାଜ୍ୟ ସରକାର ବଦଳିବା ଦରକାର ଏବଂ ଓଡ଼ିଶାରେ ଡବଲ ଇଞ୍ଜିନ କଥା ଉଠୁଛି।ଅଧିକାଂଶ ସଂଘ କାର୍ଯ୍ୟକର୍ତ୍ତା ମାନଙ୍କର ଏ’ନେଇ ଆଗ୍ରହ ନାହିଁ।ଯଦି ବା କିଏ ଏ’ ନେଇ ପ୍ରଶ୍ନ ଉଠାଉଛି, ତେବେ ଫାଇଦାରେ ରହିଥିବା କେତେଜଣ ସେମାନଙ୍କୁ ରାଷ୍ଟ୍ର ନିର୍ମାଣ, ଅନୁଶାସନ କଥା କହି ନିରବ କରାଇ ଦେଉଛନ୍ତି।ବିଜେପିର ମଙ୍ଗୁଆଳ ମାନେ ସଂଘର ଏ’ ଦୁର୍ବଳତା ଜାଣିଛନ୍ତି।ସଂଘ ବିଚାରଧାରା ଲୋକମାନଙ୍କୁ ଯେତେ ଅଣଦେଖା କିମ୍ବା ଖରାପ ବ୍ୟବହାର କଲେ ମଧ୍ୟ ସେମାନେ ବିଜେପିକୁ ଭୋଟ ଦେବେ, ଭାବି ସେମାନେ ଇମୋସନାଲ ଅତ୍ୟାଚାର କରୁଛନ୍ତି।ମୋଦିଙ୍କ “କଂଗ୍ରେସ ମୁକ୍ତ” ନ୍ୟାରାକୁ ତ’ ଓଡ଼ିଶାରେ ବିଜେପି କାର୍ଯ୍ୟକାରୀ କରିପାରିଲା ନାହିଁ, ତାହା ହୁଏତ ନବୀନ ପଟ୍ଟନାୟକ ତାହା କରୁଛନ୍ତି।କିନ୍ତୁ, ଓଡ଼ିଶା ବିଜେପି ବୋଧେ ଆରଏସଏସ ମୁକ୍ତ ବିଜେପି ଗଢ଼ି ତୋଳୁଛି!//ଦେବଦତ୍ତ