Home ଓଡ଼ିଶା ରିଲାଏନ୍ସ ରିଟେଲ୍‌ର ‘ଭୋକାଲ୍‍ ଫର ଲୋକାଲ’ ଅଭିଯାନରେ ୩୦, ୦୦୦ ହସ୍ତଶିଳ୍ପ କାରିଗର ଓ ୪୦,...

ରିଲାଏନ୍ସ ରିଟେଲ୍‌ର ‘ଭୋକାଲ୍‍ ଫର ଲୋକାଲ’ ଅଭିଯାନରେ ୩୦, ୦୦୦ ହସ୍ତଶିଳ୍ପ କାରିଗର ଓ ୪୦, ୦୦୦ରୁ ଊର୍ଦ୍ଧ୍ୱ କାରିଗରି ଉତ୍ପାଦ ସାମିଲ୍‌

55

କମ୍ପାନୀର ‘ଇଣ୍ଡି ବାଏ ଆଜିଓ’ ଏବଂ ‘ସ୍ୱଦେଶ’ ଅଭିଯାନରେ ଚଳିତ ବର୍ଷ ଦୀପାବଳିରେ ଏହାର ସମସ୍ତ ରିଟେଲ ଫର୍ମାଟରେ ୪୦, ୦୦୦ରୁ ଅଧିକ କାରିଗରି ଉତ୍ପାଦ ଉପଲବ୍ଧ କରାଯାଇଥିଲା

ଭୁବନେଶ୍ୱର/ମୁମ୍ବଇ, ୨୩ା୧୧ (ଓଡ଼ିଆ ପୁଅ) : ସ୍ଥାନୀୟ ସ୍ତରରେ ପ୍ରସ୍ତୁତ ହସ୍ତଶିଳ୍ପ ଓ କାରିଗରି ଉତ୍ପାଦଗୁଡିକୁ ଦୃଢ ଭାବରେ ଉପସ୍ଥାପନ କରିବାକୁ ଯାଇ ରିଲାଏନ୍ସ ରିଟେଲ ଚଳିତ ପାର୍ବଣ ଋତୁରେ ତାହାର ଗ୍ରାହକଙ୍କ ପାଇଁ ୫୦ରୁ ଊର୍ଦ୍ଧ୍ୱ ଜିଆଇ ପ୍ରମାଣିତ କାରିଗରି କ୍ଲଷ୍ଟରରୁ ୪୦, ୦୦୦ରୁ ଅଧିକ କାରିଗର ବା ହସ୍ତଶିଳ୍ପୀଙ୍କ ହସ୍ତ ନିର୍ମିତ ଉତ୍ପାଦ ପ୍ରଦର୍ଶିତ କରିଥିଲା। ଏହାର ତିନିବର୍ଷର ଅଗ୍ରଣୀ ପ୍ରୟାସ ‘ଇଣ୍ଡି ବାଏ ଆଜିଓ’ ଏବଂ ‘ସ୍ୱଦେଶ’ ଅଭିଯାନର ପ୍ରତ୍ୟକ୍ଷ ଫଳସ୍ୱରୂପ ସ୍ଥାନୀୟ କାରିଗରଙ୍କ ପାଇଁ ବିକ୍ରି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ଏବଂ ଏହି କାର୍ଯ୍ୟକ୍ରମ ସମ୍ପ୍ରତି ୩୦, ୦୦୦ରୁ ଅଧିକ କୁଶଳୀ କାରିଗରଙ୍କୁ ନିୟୋଜିତ କରିପାରିଛି, ଯେଉଁମାନେ ପୋଷାକ, ବୟନ ସାମଗ୍ରୀ, ହସ୍ତଶିଳ୍ପ ଏବଂ ହାତତିଆରି ପ୍ରାକୃତିକ ଉତ୍ପାଦ ଭଳି ବର୍ଗର ୬୦୦ରୁ ଅଧିକ କଳାତ୍ମକ ପରିପ୍ରକାଶର ପ୍ରତିନିଧିତ୍ୱ କରୁଛନ୍ତି।

ରିଲାଏନ୍ସ ଫ୍ୟାଶନ ଏଣ୍ଡ୍ ଲାଇଫଷ୍ଟାଇଲର ପ୍ରେସିଡେଣ୍ଟ ଅଖିଳେଶ ପ୍ରସାଦ କହିଛନ୍ତି, “ଆମେ ଆନନ୍ଦିତ ଯେ ବିଗତ କିଛିବର୍ଷ ଧରି ଆମର ବିକାଶମୂଳକ ପ୍ରୟାସ ବଳରେ ଅଧିକରୁ ଅଧିକ ସଂଖ୍ୟକ କୁଶଳୀ କାରିଗରଙ୍କ ସହିତ ନିୟୋଜିତ ରହିବାରେ ଆମର ସାମର୍ଥ୍ୟ ଏବଂ ବର୍ତ୍ତମାନ ସମୟର ଉପଭୋକ୍ତାଙ୍କ ଦ୍ୱାରା ଅଧିକରୁ ଅଧିକ ଗ୍ରହଣୀୟ ହେଉଥିବା ଉତ୍ପାଦଗୁଡିକୁ ମିଳିତ ଭାବେ ସୃଷ୍ଟି କରିବା କ୍ଷେତ୍ରରେ ଏବେ ବ୍ୟାପକ ସୁଫଳ ମିଳିବା ଆରମ୍ଭ ହୋଇଛି।”

ରିଲାଏନ୍ସ ରିଟେଲ ପକ୍ଷରୁ ତାହାର ଆଧୁନିକ ରିଟେଲ ଫର୍ମାଟଗୁଡିକରେ ଏତେ ବିପୁଳ ପରିମାଣରେ ପାରମ୍ପରିକ ଭାବେ ପ୍ରସ୍ତୁତ ଉତ୍ପାଦବର୍ଗ ଆଣିବା ମଧ୍ୟ ଏହା ପ୍ରତିପାଦନ କରୁଛି ଯେ ଏହି ଉତ୍ପାଦଗୁଡିକର ଚାହିଦା ସେପର୍ଯ୍ୟନ୍ତ ରହିବ ଯେପର୍ଯ୍ୟନ୍ତ ଉପଭୋକ୍ତାମାନଙ୍କର ଆଶା ଅନୁଯାୟୀ ଗୁଣାତ୍ମକ ମାନ, ଷ୍ଟାଇଲ ଏବଂ ଆଧୁନିକ ରିଟେଲ କ୍ରୟ କ୍ଷେତ୍ରରେ ସ୍ୱାଚ୍ଛନ୍ଦ୍ୟକୁ ନେଇ ରହିଥିବା ଆଶା ଆକାଙ୍‍କ୍ଷା ପୂରଣ କରାଯାଇପାରୁଥିବ।

ଇଣ୍ଡି ବାଏ ଆଜିଓ ସ୍ଥାନୀୟ କାରିଗର ଏବଂ ହସ୍ତନିର୍ମିତ ଉତ୍ପାଦବର୍ଗଗୁଡିକ ନିମନ୍ତେ ଏକ ଅନ୍‍ଲାଇନ ମାର୍କେଟପ୍ଲେସ ଏବଂ ଏହା ଅତି ଯତ୍ନପୂର୍ଣ୍ଣ ତତ୍ତ୍ୱାବଧାନ ଓ ସମକାଳୀନ ବ୍ୟାଖ୍ୟାନ ସହିତ ଭାରତର ଉତ୍କୃଷ୍ଟ ବୟନକଳା ଓ ହସ୍ତତନ୍ତ ପରମ୍ପରାକୁ ସମ୍ମନ ଜଣାଉଛି। ପୋଷାକ ଠାରୁ ନେଇ ଗୃହସଜା ସାମଗ୍ରୀ ଏବଂ ଗହଣା, ଜୋତା, ଚପଲ ଆଦି ଆନୁଷଙ୍ଗିକ ସାମଗ୍ରୀ ପର୍ଯ୍ୟନ୍ତ ବିବିଧ ଲାଇଫଷ୍ଟାଇଲ ଉତ୍ପାଦବର୍ଗରେ ଆଜିଓ ପ୍ଲାଟଫର୍ମ ଏହି ବିଶେଷ ଶୈଳୀକୁ ସ୍ଥାନଦେଉଛି।

କଳାତ୍ମକ ପରିପ୍ରକାଶ ମଧ୍ୟରେ ରହିଛି ସମ୍ବଲପୁରୀ ଇକ୍କତ, ଶିବୋରି, ବନାରସୀ, ବାଗ୍‍, ଅଜରଖ୍‍ ଠାରୁ ଆରମ୍ଭ କରି ଜାମ୍‌ଦାନି, ଟାଙ୍ଗାଇଲ, ଚନ୍ଦେରି ଏବଂ ଆହୁରି ଅନେକ। ଇଣ୍ଡି ବର୍ଗର ଉତ୍ପାଦଗୁଡିକୁ ଓଡ଼ିଶା, ଗୁଜରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର, ଝାଡଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗ ସମେତ ଭାରତର ୫୦ରୁ ଅଧିକ ଜିଆଇ କ୍ରାଫ୍ଟସ କ୍ଲଷ୍ଟରରୁ ସଂଗ୍ରହ କରାଯାଉଛି। ଜିଓଗ୍ରାଫିକାଲ ଇଣ୍ଡିକେସନ (ଜିଆଇ) ଟ୍ୟାଗ୍‍ ପ୍ରାକୃତିକ ଉତ୍ପାଦ, ହସ୍ତଶିଳ୍ପ ଅଥବା ନିର୍ମିତ ଉତ୍ପାଦଗୁଡିକୁ ଏକ ଅଞ୍ଚଳ, ପରିସୀମା ଅଥବା ସ୍ଥାନୀୟ ଭିତ୍ତିରେ ସେଗୁଡିକର ସ୍ୱାତନ୍ତ୍ର‌୍ୟ ଅନୁଯାୟୀ ସେଗୁଡିକର ଭୌଗୋଳିକ ଉତ୍ସ ଆଧାରରେ ଚିହ୍ନଟ କରୁଛି। ଦ୍ରୁତ ପରିବର୍ଦ୍ଧନଶୀଳ ପୋର୍ଟଫୋଲିଓକୁ ନେଇ ଇଣ୍ଡି ବାଏ ଆଜିଓ ଗ୍ରାହକମାନଙ୍କୁ ସର୍ବୋତ୍ତମ ଭାରତୀୟ ଫ୍ୟାଶନ ଓ କଳାଚାତୁରୀ ଆବିଷ୍କାର କରିବାରେ ସହାୟତା କରୁଛି ଏବଂ ଗ୍ରାହକମାନଙ୍କୁ ସେମାନଙ୍କ ଦ୍ୱାରଦେଶରେ ସାମଗ୍ରୀ ପହଞ୍ଚାଇବାରା ସ୍ୱାଚ୍ଛନ୍ଦ୍ୟ ଯୋଗାଇ ଦେଉଛି।

ରିଲାଏନ୍ସ ଫ୍ୟାଶନ ଏଣ୍ଡ୍ ଲାଇଫଷ୍ଟାଇଲର ପ୍ରେସିଡେଣ୍ଟ ଶ୍ରୀ ଅଖିଳେଶ ପ୍ରସାଦ କହିଛନ୍ତି, “ଭାରତର ବିଭିନ୍ନ ପ୍ରାନ୍ତରୁ ସାମଗ୍ରୀ ସଂଗ୍ରହ କରାଯିବା ଦ୍ୱାରା ପ୍ରତ୍ୟେକ ହସ୍ତଶିଳ୍ପପ୍ରେମୀଙ୍କ ପାଇଁ ସ୍ୱପ୍ନର ଏକ ଚମତ୍କାର ପୋର୍ଟଫୋଲିଓ ସୃଷ୍ଟି କରିବା ସହିତ ସମଗ୍ର ଦେଶରେ ୩୦, ୦୦୦ରୁ ଅଧିକ କୁଶଳୀ କାରିଗରଙ୍କ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିଛି। ସମୟ ସହିତ ଏହି ବର୍ଗରେ ଆମେ ଅଭିବୃଦ୍ଧି ହାସଲ କରିଚାଲିବୁ।”

ଉଦୟପୁରର ଆକୋଲାସ୍ଥିତ ପ୍ରାକୃତିକ ରଙ୍ଗ ହ୍ୟାଣ୍ଡ୍ ବ୍ଲକ କାରିଗର ପିଣ୍ଟୁ ଲାଲ ଛିପା ଗତ ୪ବର୍ଷ ଧରି ରିଲାଏନ୍ସ ରିଟେଲ ସହିତ ଜଡିତ ରହିଛନ୍ତି ଏବଂ ଏହି ଭାରତୀୟ ପାରମ୍ପରିକ କଳାକୁ ବଜାୟ ରଖିବାକୁ ପ୍ରତିବଦ୍ଧ ଅଟନ୍ତି। ରିଲାଏନ୍ସ ରିଟେଲରୁ ନିୟମିତ ଅର୍ଡର ପାଉଥିବାରୁ ସେ ମଧ୍ୟ ତାଙ୍କ ସହିତ ମିଶି ପ୍ରିଣ୍ଟ କରିବା, ଧୋଇବା, ରଙ୍ଗଦେବା, ଶୁଖାଇବା ଆଦି ବିଭିନ୍ନ ହ୍ୟାଣ୍ଡ ବ୍ଲକ ପ୍ରିଣ୍ଟିଂ ପ୍ରକ୍ରିୟାରେ କାର୍ଯ୍ୟ କରୁଥିବା ୩୦ଜଣିଆ କାରିଗର ଗୋଷ୍ଠୀକୁ ସହାୟତା କରିପାରୁଛନ୍ତି।

ବିକାନେରର ଏକ ଦୁର୍ଗମ ଗ୍ରାମର ବାସିନ୍ଦା ଦେବଚାନ୍ଦ ରିଲାଏନ୍ସ ଏବଂ ଉକ୍ତ ଅଞ୍ଚଳର ହାତ ଏମ୍ବ୍ରୋଡୋରୀରେ ଅତ୍ୟନ୍ତ ନିପୁଣା ମହିଳା କାରିଗରଙ୍କ ମଧ୍ୟରେ ଏକ ସଂଯୋଗ ସ୍ଥାପନକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଥର୍‍ ମରୁ ଅଞ୍ଚଳରେ ସେ ୨୫ରୁ ଅଧିକ ମହିଳାମାନଙ୍କ ପାଇଁ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରିପାରିଛନ୍ତି ଏବଂ ଏହି ମହିଳାମାନେ ରିଲାଏନ୍ସ ରିଟେଲରୁ ଅର୍ଡର ପାଇବା ନେଇ ବେଶ୍ ଉତ୍ସାହିତ ରହିଥାନ୍ତି। କାରଣ ସେମାନଙ୍କର ଏହି ଅତିରିକ୍ତ ଉପାର୍ଜନକୁ ସେମାନେ ନିଜ ପରିବାର ପାଇଁ ବିନିଯୋଗ କରିଥାନ୍ତି।

ସ୍ୱଦେଶ ହେଉଛି ରିଲାଏନ୍ସ ରିଟେଲ୍‌ର ଏକ ସ୍ୱତନ୍ତ୍ର ବ୍ରାଣ୍ଡ୍‍ ଯାହା ଭାରତର ସମୃଦ୍ଧ ହସ୍ତଶିଳ୍ପ ପରମ୍ପରାକୁ ପୁନର୍ଜୀବିତ କରିବା ସହିତ ଜିଓଗ୍ରାଫିକାଲ ଇଣ୍ଡିକେସନ୍‍ସରେ ତାଲିକାଭୁକ୍ତ ୪୦୦ରୁ ଅଧିକ ପ୍ରକାରର ହସ୍ତନିର୍ମିତ ବୟନ ସାମଗ୍ରୀ, ହସ୍ତଶିଳ୍ପ ଏବଂ କୃଷିଜାତ ପଦାର୍ଥ ଉପଲବ୍ଧ କରାଉଛି। ବୟନଶିଳ୍ପ ମନ୍ତ୍ରଣାଳୟ ସହିତ ସ୍ୱଦେଶ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ଯଦ୍ଦ୍ୱାରା ଏହା ହସ୍ତଶିଳ୍ପ କାରିଗର ସମୁଦାୟଙ୍କ ନିକଟରୁ ପ୍ରତ୍ୟକ୍ଷ ଭାବରେ ୧୦୦% ସମ୍ପୂର୍ଣ୍ଣ ସ୍ୱଦେଶୀ ସ୍ତରରେ ଉତ୍ପାଦିତ ସାମଗ୍ରୀ ସଂଗ୍ରହ କରିବାକୁ ସମର୍ଥ ହେଉଛି। ସ୍ୱଦେଶ ବ୍ରାଣ୍ଡ୍‍ ଆଜିଓ ଏବଂ ଟ୍ରେଣ୍ଡ୍‍ସ ସମେତ ବିବିଧ ଫର୍ମାଟରେ ଉପଲବ୍ଧ ହେଉଛି।

ଏଥିସହିତ ଏଆଇଏସିଏ (ଅଲ୍‍ ଇଣ୍ଡିଆ ଆର୍ଟିସାନ୍‍ସ ଏଣ୍ଡ୍ କ୍ରାଫ୍ଟୱାର୍କର୍ସ ୱେଲଫେୟାର ଆସୋସିଏସନ)ର ଜଣେ ସଦସ୍ୟ ଭାବରେ ସ୍ୱଦେଶର ସମସ୍ତ ଉତ୍ପାଦ ଯେପରିକି ଡାବୁ, ଚନ୍ଦେରୀ ବୟନ, ଏକକ ଇକ୍କତ ବୟନ, କଛ ଚମଡା କଳା, ଚିକନକାରୀ ଏମ୍ବ୍ରୋଡୋରୀ, କଶିଦାକରି, ଆଜରଖ୍‍, ଆପ୍ଲିକ୍‍ (ଚାନ୍ଦୁଆ), ବାଗ୍ରୁ ବ୍ଲକ ପ୍ରିଣ୍ଟିଂ, ହ୍ୟାଣ୍ଡ ବ୍ଲକ୍ ପ୍ରିଣ୍ଟିଂ, ବ୍ଲକ ପ୍ରିଣ୍ଟେଡ କଲମକାରୀ, ମଙ୍ଗଳଗିରି ହ୍ୟାଣ୍ଡଲୁମ୍‍ ବୟନ ଆଦି ସ୍ୱତନ୍ତ୍ର କ୍ରାଫ୍ଟମାର୍କ ପ୍ରମାଣନ ସହିତ ଆସୁଛି।

ଏସବୁ ସହିତ ଭାରତ ସରକାରଙ୍କ ଡିସି (ହସ୍ତତନ୍ତ) ଏବଂ ବୟନଶିଳ୍ପ କମିଟିର ସଦସ୍ୟତା ସ୍ୱଦେଶକୁ ତାହାର ସମସ୍ତ ହସ୍ତତନ୍ତ ଉତ୍ପାଦରେ ‘ହ୍ୟାଣ୍ଡଲୁମ୍‍ ହଲ୍‍ମାର୍କ’ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରୁଛି, ଯାହା ସମ୍ପୂର୍ଣ୍ଣ ସ୍ୱଦେଶୀ ଏବଂ ଉତ୍ପାଦ ପ୍ରତି ପ୍ରତିବଦ୍ଧତାକୁ ସୁନିଶ୍ଚିତ କରୁଛି।

ଶ୍ରୀ ପ୍ରସାଦ କହିଛନ୍ତି, “ସ୍ୱଦେଶର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ୱଳମୟ ପର୍ଯ୍ୟାୟରେ ପହଞ୍ଚିବାକୁ ଯାଉଛି। ଏହା ଉପଭୋକ୍ତାଙ୍କ ପାଇଁ ସ୍ଥାନୀୟ କାରିଗରି ଓ ହସ୍ତଶିଳ୍ପ ଉତ୍ପାଦର ପସନ୍ଦଯୋଗ୍ୟ ବ୍ରାଣ୍ଡ୍‍ ଭାବରେ ଉଭା ହେବା ସହିତ ପୋଷାକ, ଗୃହରେ ବ୍ୟବହୃତ ବୟନସାମଗ୍ରୀ, ଗୃହ ସାଜସଜା, ଆସବାବପତ୍ର, ଆନୁଷଙ୍ଗିକ ସାମଗ୍ରୀ ଏବଂ ଆହୁରି ଅନେକ ଉତ୍ପାଦ ବର୍ଗରେ କାରିଗର ଓ ବୁଣାକାରଙ୍କ ପୁନରୁଥାନ ତଥା ଅଭିବୃଦ୍ଧି ଦିଗରେ ସହାୟକ ହେଉଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.