Home ଓଡ଼ିଶା ରଥଯାତ୍ରା ହେବା ନେଇ ଅନିଶ୍ଚିତତା ତେଜୁଛି

ରଥଯାତ୍ରା ହେବା ନେଇ ଅନିଶ୍ଚିତତା ତେଜୁଛି

296

ପୁରୀ, ୩/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଚଳିତବର୍ଷ କରୋନା ଯୋଗୁଁ ସାରା ଦେଶରେ ଲକଡାଉନ ରହିଛି ଏବଂ ବିଭିନ୍ନ ଧର୍ମାନୁଷ୍ଠାନମାନଙ୍କରେ ମଧ୍ୟ କୌଣସି ଭକ୍ତ ଠାକୁରଙ୍କୁ ଯାଇ ଦର୍ଶନ କରିପାରିବେ ନାହିଁ ବୋଲି କଟକଣା ରହିଛି। ଜଗତର ନାଥ ଜଗନ୍ନାଥ ଏହି କଟକଣାରେ ରହି ଭକ୍ତମାନଙ୍କ ଠାରୁ ଦୂରେଇ ଯାଇଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତବର୍ଷ ମହାପ୍ରଭୁଙ୍କର ପ୍ରସିଦ୍ଧ ଚନ୍ଦନଯାତ୍ରା ଅକ୍ଷୟତୃତୀୟା ଦିନଠାରୁ ଶ୍ରୀମନ୍ଦିର ପରିସରରେ ଆରମ୍ଭ ହୋଇଛି। ଚନ୍ଦନଯାତ୍ରାରେ ଯେଉଁ ବିଧି ହେବା କଥା ସେହି ବିଧି ଅନୁଯାୟୀ ମହାପ୍ରଭୁ ଆସି ମୁକ୍ତମଣ୍ଡପ ନିକଟରେ ଥିବା ଦୁଇଟି ଅସ୍ଥାୟୀ କୁଣ୍ଡରେ ଜଳକ୍ରୀଡା କରୁଛନ୍ତି। ଏବଂ ମହାଲକ୍ଷ୍ମୀଙ୍କ ରୋଷଘରେ ମାଣ୍ଡୁଅ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ମଧ୍ୟ ଭୋଗ କରାଯାଉଛି। ସେହିପରି ଅକ୍ଷୟତୃତୀୟା ଦିନ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ରଥ ଖଳାରେ ପାରମ୍ପରିକ ବିଧି ଅନୁଯାୟୀ ତିନୋଟି ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇ ରଥ ନିର୍ମାଣର ଶୁଭାରମ୍ଭ କରାଯାଇଥାଏ। କରୋନା ଯୋଗୁଁ ଚଳିତବର୍ଷ ଏହି ନୀତି ମଧ୍ୟ ଶ୍ରୀମନ୍ଦିର ବେଢା ମଧ୍ୟରେ ଥିବା ଚାହାଣି ମଣ୍ଡପ ନିକଟରେ ବନଯାଗ ନୀତି ଅନୁଯାୟୀ ରଥକାଠ ଅନୁକୂଳ କରାଯାଇଛି। ରଥକାଠ ଅନୁକୂଳ ହେବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଦେଖାଯାଏ। ଏ ସଂପର୍କରେ ଦେବୀ ସୁଭଦ୍ରାଙ୍କ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣା ନିଜ ପ୍ରତିକ୍ରିୟାରେ କୁହନ୍ତି ଚଳିତବର୍ଷ ରଥ ନିର୍ମାଣରେ ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ଅଦ୍ୟାବଧି ତାଙ୍କ ନିକଟକୁ କୌଣସି ପତ୍ର ଆସିନାହିଁ। ଅଳ୍ପଦିନ ମଧ୍ୟରେ ରଥ ନିର୍ମାଣ କରିବା ସମ୍ଭବ ହେବ ନାହିଁ। ତିନୋଟି ରଥ ନିର୍ମାଣ କାର୍ଯ୍ୟରେ ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ସହିତ ୨ଶହ ବିଶ୍ୱକର୍ମା ଓ ଭୋଇ ସେବକ ରଥ ନିର୍ମାଣ କାର୍ଯ୍ୟରେ ସହଯୋଗ କରିଥାନ୍ତି। ରଥ ନିର୍ମାଣ କାର୍ଯ୍ୟରେ ଅଧିକ ବିଶ୍ୱକର୍ମା ନିୟୋଜିତ କରାଗଲେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ କିପରି ହୋଇପାରିବ ସେ ବିଷୟ ନେଇ ସେ ମଧ୍ୟ ଚିନ୍ତିତ ରହିଛନ୍ତି। ଯେଉଁ ରଥଖଳା ଆଜି ଚଳଚଂଚଳ ହୋଇ ଉଠିଥାନ୍ତା ସେହି ଖଳା ଆଜି ଶୂନଶାନ ହୋଇ ପଡିଛି। ରଥଖଳା ପ୍ରସ୍ତୁତ, ରଥକାଠ ପ୍ରସ୍ତୁତ, ବିଶ୍ୱକର୍ମା ପ୍ରସ୍ତୁତ, ଭୋଇ ସେବକ ମଧ୍ୟ ପ୍ରସ୍ତୁତ। ହେଲେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସାଧାରଣ ଭକ୍ତଙ୍କ ମଧ୍ୟରେ ଏଥିନେଇ ଚିନ୍ତା ଓ ଆଶଙ୍କା ମନରେ ସୃଷ୍ଟି ହୋଇଛି। ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ବିନା ଭକ୍ତରେ ସାମାଜିକ ଦୂରତା ରଖି ରଥଯାତ୍ରା କରାଯାଇ ପାରିବ। ଏଥିପାଇଁ ଦଇତାପତି ନିଯୋଗ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ସହ ଆଲୋଚନା କରିଛନ୍ତି। ଦାସ ମହାପାତ୍ର ଆଶା ରଖିଛନ୍ତି ଯେ ଚଳିତବର୍ଷ ପ୍ରଶାସନ ନିଶ୍ଚିତ ସହଯୋଗ କରିବ ରଥଯାତ୍ରା ହେବା ପାଇଁ। ପ୍ରତ୍ୟେକ ଭକ୍ତ ମହାପ୍ରଭୁଙ୍କର ରଥଯାତ୍ରା କିପରି ସୂଚାରୁ ରୂପେ ସଂପାଦିତ ହେବ ସେଥିନିମନ୍ତେ ପ୍ରତ୍ୟେକ ଭକ୍ତ ମହାପ୍ରଭୁଙ୍କୁ ଡାକିବା ସହ ଘରେ ଘରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ରଥଯାତ୍ରା ହେବା ପାଇଁ ପ୍ରାର୍ଥନା କରିବାକୁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.