ଭୁବନେଶ୍ୱର ୨୨-୬ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ରାଜ୍ୟସଭା ତାଲିକାରେ ଅଶ୍ୱିନୀ ବୈଷ୍ଣବଙ୍କର ନାମ ଚଢ଼ିବା ପରେ ଗତକାଲିଠାରୁ ଏହା ଉପରେ ବିଭିନ୍ନ ଗଣମାଧ୍ୟମରେ ଓ ଜନ ସମାଜରେ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଗନ୍ଧ ଧରୁନାହିଁ। ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ଗତକାଲିଠାରୁ ରାଜ୍ୟରେ ଶାସକ ବିଜେଡ଼ି ଓ ବିଜେପି ମଧ୍ୟରେ ଯେଉଁ ରାଜନୈତିକ ଖେଳ ଚାଲୁଛି ତାହାକୁ ନେଇ ଖୋଦ ବିଜେଡ଼ି ଭିତରେ ଗଭୀର ଅସନ୍ତୋଷର ମାତ୍ରା ବୃଦ୍ଧି ପାଇଛି। ପ୍ରଥମେ ଗତକାଲି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ତିନିଜଣ ରାଜ୍ୟ ସଭା ପ୍ରାର୍ଥୀଙ୍କର ନାମ ଘୋଷଣା କରିଥିଲେ। ଏଥିରେ ତୃତୀୟ ସ୍ଥାନରେ ଅଶ୍ୱିନୀ ବୈଷ୍ଣବଙ୍କର ନାମ ଖୋଦ୍ ମୁଖ୍ୟମନ୍ତ୍ରୀ ମିଡ଼ିଆ ଆଗରେ କହିଥିଲେ। ଏହାପରେ ତୁରନ୍ତ ବିଭିନ୍ନ ଗଣମାଧ୍ୟମରେ ଶୀଘ୍ର ପତିକ୍ରିୟା ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ଅଶ୍ୱିନୀଙ୍କର ପ୍ରାର୍ଥୀପତ୍ର ଘୋଷଣା ସମୟରେ ଏହା ମଧ୍ୟ କହିଥିଲେଯେ, ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ବ୍ୟକ୍ତିଗତ ସଚିବ ଥିଲେ। ତେଣୁ ପ୍ରଥମ ପ୍ରଶ୍ନ ଏଠାରେ ଉଠୁଛି ରାଜ୍ୟସଭା ପରି ଗୋଟେ ମର୍ଯ୍ୟାଦା ସମ୍ପର୍ଣ୍ଣ ଆସନ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ କ’ଣ ମାପକାଠି? ଦ୍ୱିତୀୟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟରେ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ସଚିବ ନଥିଲେ। ସେ ଥିଲେ ଡେପୁଟି ସେକ୍ରେଟାରୀ। ତେଣୁ କେଉଁ ଆଧାରରେ ଅଶ୍ୱିନୀ ବୈଷ୍ଣବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କଲେ ତାହା ଥିଲା ଗତକାଲିର ପ୍ରଶ୍ନବାଚୀ। ଗତକାଲି ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ପରେ ବିଜେପି ତରଫରୁ ଟ୍ୱିଟ କରାଯାଇଥିଲାଯେ, ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପି ପ୍ରାର୍ଥୀ। ଆଜି କିନ୍ତୁ ଏହି ବିଷୟକୁ ନେଇ ରାଜନୈତିକ ପାଣିପାଗ ଥିଲା ଓଲଟା। ସକାଳେ ବିଜେଡ଼ି ସମର୍ଥିତ କିଛି ଓଡ଼ିଆ ଖବର କାଗଜରେ ପ୍ରକାଶ ପାଇଲାଯେ, ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପି ପ୍ରାର୍ଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କର ଅନୁରୋଧକୁ ସମ୍ମାନ ଜଣେଇ ନବୀନ ବାବୁ ଅଶ୍ୱିନୀ ବୈଷ୍ଣବଙ୍କର ନାଁ ଘୋଷଣା କରିଥିଲେ। ବିଜେଡ଼ି ପକ୍ଷରୁ ଏ ସମ୍ପର୍କିତ ପ୍ରେସ ବିଜ୍ଞପ୍ତି ବିଭିନ୍ନ ଗଣ ମାଧ୍ୟମକୁ ବିଳମ୍ବିତ ରାତିରେ ପଠାଯାଇଥିଲା। ତେଣୁ ଏଠାରେ ପ୍ରଶ୍ନ ଉଠୁଛି ପ୍ରାର୍ଥୀ ଘୋଷଣା ବେଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେଯେ, ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେଡ଼ିର ତୃତୀୟ ରାଜ୍ୟସଭା ପ୍ରାର୍ଥୀ। ଏହାର କିଛିଘଣ୍ଟା ପରେ ସେହି ବିଜେଡ଼ି ଦଳ ତରଫରୁ ପ୍ରେସ ବିଜ୍ଞପ୍ତିରେ କୁହାଗଲା ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ବିଜେପି ପ୍ରାର୍ଥୀ। ତେଣୁ ଚବିଶ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏ ରାଜନୈତିକ ରହସ୍ୟ ଉପରୁ ପରଦା ଉଠିପାରୁନାହିଁ। ଏହା ବ୍ୟତୀତ ଆଜି ଅକସ୍ମାତ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଁଚିବା ଏବଂ କିଛି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥାଇ ଅଶ୍ୱିନୀ ବୈଷ୍ଣବ କେବଳ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କର ଉପସ୍ଥିତିରେ ଅଶ୍ୱିନୀ ବୈଷ୍ଣବଙ୍କ ଦଳରେ ଯୋଗଦାନ ଘଟଣାକୁ ଆହୁରି ରହସ୍ୟମୟ କରିଛି। ତେଣୁ ରାଜ୍ୟବାସୀଙ୍କର ମନରେ ପ୍ରଶ୍ନ କିଏ ଏହି ଅଶ୍ୱିନୀ ବୈଷ୍ଣବ?
ଏଠାରେ ସୂଚନାଯୋଗ୍ୟଯେ, ଗତବର୍ଷ ରାଜ୍ୟସଭା ନିର୍ବାଚନକୁ ଛାଡ଼ି ତା ପୂର୍ବ ଦୁଇ ପର୍ଯ୍ୟାୟ ଏହି ଅଶ୍ୱିନୀ ବୈଷ୍ଣବ ନାମଧାରୀ ବ୍ୟକ୍ତିତ୍ୱ ରାଜ୍ୟସଭାପାଇଁ ବିଜେଡ଼ି ଦଳ ତରଫରୁ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଏ। ମାତ୍ର କୌଣସି ଉପାୟରେ ଏହା କାର୍ଯ୍ୟକାରୀ ହୋଇପାରିନଥାଏ। ଯଦି ସେହି ଖବରକୁ ତର୍ଜମା କରାଯାଏ ତେବେ ଅଶ୍ୱିନୀ ବୈଷ୍ଣବ ବିଜେଡ଼ି ଲିଙ୍କରେ ବହୁବର୍ଷ ଧରି ଥିଲେ। ବିଜେଡ଼ି ଲିଙ୍କରେ ରହିବା ମଧ୍ୟ ସ୍ୱାଭାବିକ। ରାଜସ୍ଥାନ ମୂଳବାସିନ୍ଦା ଶ୍ରୀଯୁକ୍ତ ବୈଷ୍ଣବ ହେଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ୍। ଓଡ଼ିଶାରେ କିଛି ବର୍ଷ ସେ କାମ ବି କରିଛନ୍ତି। ଏହା ପରେ କେନ୍ଦ୍ରୀୟ ଡେପୁଟେସନରେ ଯାଇ ସେ ଦିଲ୍ଲୀରେ କାମ କରୁଥିଲେ। ଦିଲ୍ଲୀରେ କିଛି ବର୍ଷ କାମ କରିବା ପରେ ସେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଇଥିଲେ। ସେଠାରୁ ଫେରି ସେ ଭାରତୀୟ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ତା’ପରେ ସେ କିଛି ଘରୋଇ କମ୍ପାନୀରେ ନିର୍ଦ୍ଦେଶକ ଭାବରେ ଯୋଗଦାନ କରିଥିଲେ। ତନ୍ମଧ୍ୟରୁ ତ୍ରୀବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ୍ ଅନ୍ୟତମ। ଏହି କମ୍ପାନୀର ମୁଖ୍ୟ ନିର୍ଦ୍ଦେଶକ ଥିଲେ ବାଲ ସୁବ୍ରମନିଅନ୍ ପ୍ରଭାକରନ୍। ଓଡ଼ିଶା ଖଣି ବ୍ୟବସାୟରେ ପ୍ରଭାକରନ୍ ଙ୍କର ପ୍ରଭାବ ଉଭୟ ରାଜନୈତିକ ଏବଂ ପ୍ରଶାସନିକ କ୍ଷେତ୍ରରେ ଯାହା ରହିଛି ତାହା ରାଜ୍ୟବାସୀ ଅଳ୍ପେ ବହୁତେ ଅବଗତ। ବିଜେଡ଼ି ସରକାରର ବହୁ ଚର୍ଚ୍ଚିତ ତୃତୀୟ ମହଲାର ଅନେକ ପ୍ରଭାବଶାଳୀ ଅଫିସରଙ୍କ ସହିତ ପ୍ରଭାକରନ୍ ଙ୍କର ସମ୍ପର୍କ ସମୟକ୍ରମେ ଅନେକ ଗଣ ମାଧ୍ୟମର ପୃଷ୍ଠା ମଣ୍ଡନ କରିଛି। ତେଣୁ ସେହି କମ୍ପାନୀର ନିର୍ଦ୍ଦେଶକ ଶ୍ରୀଯୁକ୍ତ ବୈଷ୍ଣବ ଏବେ କେଉଁ ଦଳର? ବିଜେଡ଼ି ନାଁ ବିଜେପି ? ଦେଢ଼ ବର୍ଷ ତଳେ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ଅଶ୍ୱିନୀ ବୈଷ୍ଣବଙ୍କ ବିଜେଡ଼ି ଲିଙ୍କକୁ ନେଇ ଏକ ପ୍ରକାରର ଗୁପ୍ତ ଖୋଳତାଡ଼ କରାଯାଇଥିଲା ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏ ସମସ୍ତ ତଥ୍ୟ ସୂଚାଇ ଦେଉଛିଯେ, କିଛି ନିର୍ଦ୍ଧିଷ୍ଟ ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ି ଓ ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଝା। କୌଣସି ଗୋଟିଏ ସୂତ୍ର ମଧ୍ୟ ଇଙ୍ଗିତ କରୁନାହିଁଯେ, ଶ୍ରୀ ବୈଷ୍ଣବ ରାଜ୍ୟର ସ୍ୱାର୍ଥ ପାଇଁ ଲୋକ ପ୍ରତିନିଧି ହେବେ। ଏହି ବ୍ୟକ୍ତି ବିଶେଷଙ୍କୁ ରାଜ୍ୟସଭା ପଠାଇବା ପାଇଁ ବିଜେପି ଓ ବିଜେଡ଼ି ମଧ୍ୟରେ କାହିଁକି ଏତେ ତତ୍ପରତା ପ୍ରକାଶ ପାଇଛି ତାହା ଏକ ବିରାଟ ପ୍ରଶ୍ନବାଚୀ। ଏହି ନିଷ୍ପତ୍ତିକୁ ବିଜେଡ଼ି ଦଳ ଭିତରେ କାହିଁକି ଏତେ ତତ୍ପରତା ପ୍ରକାଶ ପାଉଛି। ଏହାକୁ ନେଇ ବିଜେଡ଼ି ଦଳ ମଧ୍ୟରେ ମଧ୍ୟ ଅସନ୍ତୋଷର ମାତ୍ରା ଚରମ ସୀମାରେ। ନିର୍ବାଚନ ପରେ ଦଳର କିଛି ବରିଷ୍ଠ ନେତାଙ୍କୁ ଉପେକ୍ଷା କରାଯିବା ଏବଂ ରାଜ୍ୟସଭା ଲୋଭ ଦେଖାଇ ଅନେକ ତୁଙ୍ଗ ନେତାଙ୍କୁ ହତାଶ୍ କରିବା ପରେ ବିଜେଡ଼ି ଦଳ ଭିତରେ ଏକ ବୃହତର ଗୋଷ୍ଠି ସକ୍ରିୟ ହେବାକୁ ଆରମ୍ଭ କଲେଣି। ଏହି ଅସନ୍ତୋଷର ମାତ୍ରା ଆସନ୍ତା ବିଧାନସଭା ଅଧିବେଶନ ସମୟରେ ବିଷ୍ପୋରକ ରୂପ ଧାରଣ କରିପାରେ ବୋଲି ଗୁଇନ୍ଦା ତଥ୍ୟ। ତେଣୁ ସ୍ୱଚ୍ଛ ସରକାର ବୋଲି ଡିମିଡିମି ପିଟୁଥିବା ବିଜେଡ଼ି ସରକାରର ଏହି ଅସ୍ୱଚ୍ଛ କାରବାରକୁ ନାପସନ୍ଦ କରିବା ଆରମ୍ଭ କରିଛନ୍ତି ଓଡ଼ିଶା ବାସୀ।