Home ଓଡ଼ିଶା “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

“ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

74

ନୂଆ ଦିଲ୍ଲୀ ୧୧-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୧୧-୦୯-୨୦୨୦) ଦିନ ୧୧ଟା ବେଳେ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ଅଧିବେଶନରେ ତାଙ୍କର ଅଭିଭାଷଣ ରଖିବେ। ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି ୨୦୨୦) ଅଧୀନରେ ହେଉଥିବା ଏହି ଅଧିବେଶନକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧିତ କରିବେ। ଶିକ୍ଷା ପର୍ବର ଅଂଶବିଶେଷ ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଏହି ଅଧିବେଶନର ଆୟୋଜନ କରିଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୭ ତାରିଖ ଦିନ ତାଙ୍କର ଉଦଘାଟନୀ ଅଭିଭାଷଣ ଦେଇସାରିଛନ୍ତି। ଏହା ବ୍ୟତୀତ ଶ୍ରୀ ମୋଦୀ ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ସେହିଦିନ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ।

ଏନଇପି ୨୦୨୦ ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷା ନୀତି ଯାହାକି ଦୀର୍ଘ ୩୪ ବର୍ଷ ପରେ ଘୋଷିତ ହୋଇଛି। ଏହାପୂର୍ବରୁ ୧୯୮୬ରେ ଜାତୀୟ ଶିକ୍ଷା ନୀତି ଘୋଷିତ ହୋଇଥିଲା। ଜାତୀୟ ଶିକ୍ଷା ନୀତି ୨୦୨୦ରେ ଉଭୟ ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ ପ୍ରମୁଖ ସଂସ୍କାର ଅଣାଯାଇଛି।

ନୂତନ ଜାତୀୟ ଶିକ୍ଷା ନୀତି ଦେଶକୁ ପ୍ରଗତିଶୀଳ ଜ୍ଞାନଯୁକ୍ତ ସମାଜରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି। ଏହି ଶିକ୍ଷା ନୀତିରେ ନିହିତ କେତେକ ବିଷୟ ଭାରତକୁ ବିଶ୍ଵରେ ଏକ ସୁପର ପାୱାରରେ ପରିଣତ କରିବା ପାଇଁ ଉଦ୍ଦିଷ୍ଟ।

ଏନଇପି ୨୦୨୦ ଦେଶର ବିଦ୍ୟାଳୟ ଶିକ୍ଷାରେ ଏକ ବିରାଟ ସଂସ୍କାର ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ୮ ବର୍ଷ ସ୍ତରର ପିଲାଙ୍କ ପର୍ଯ୍ୟନ୍ତ ଶିଶୁର ଯତ୍ନ ଓ ଶିକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ବିଦ୍ୟାଳୟରେ ଥିବା ୧୦+୨ ପଦ୍ଧତିକୁ ୫+୩+୩+୪ ଶିକ୍ଷା ପଦ୍ଧତିରେ ପରିବର୍ତ୍ତିତ କରାଯାଇଛି। ଏକବିଂଶ ଶତାବ୍ଦୀ ପାଇଁ ଗାଣିତିକ ଓ ବୈଜ୍ଞାନିକ ଚିନ୍ତନ ଓ ଏକ ନୂତନ ଚିନ୍ତାଧାରା ବିଦ୍ୟାଳୟ ଶିକ୍ଷାରେ ଅନ୍ତର୍ଭୁକ୍ତ କରାଯାଇଛି। ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନ, ବିଭିନ୍ନ ସଂସ୍କାରର ଆକଳନ, ଶିଶୁର ପ୍ରଗତିର ସମୀକ୍ଷା ଏବଂ ଷଷ୍ଠ ଶ୍ରେଣୀଠାରୁ ବୃତ୍ତିଗତ ଶିକ୍ଷାକୁ ମୂଳ ଶିକ୍ଷା ସହ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆହ୍ଵାନ ଦିଆଯାଇଥିବା ଆତ୍ମନିର୍ଭର ଭାରତର ଗଠନ ପାଇଁ ନୂତନ ଶିକ୍ଷା ନୀତିରେ ଥିବା ବ୍ୟବସ୍ଥାମାନ ବିଶେଷ ସହାୟକ ହେବ।

ସେପ୍ଟେମ୍ବର ୮ ରୁ ୨୫ ପର୍ଯ୍ୟନ୍ତ ଶିକ୍ଷକ ପର୍ବ ପାଳନ କରାଯାଇ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ଶିକ୍ଷା ନୀତି ୨୦୨୦କୁ ଆଗକୁ ବଢାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ୱେବିନାର, ଭର୍ଚୁଆଲ ସମ୍ମିଳନୀ ଓ ଅଧିବେଶନମାନ ନୂତନ ଶିକ୍ଷା ନୀତି ୨୦୨୦ର ବିଭିନ୍ନ ବିଷୟବସ୍ତୁ ଉପରେ ଦେଶବ୍ୟାପୀ ଆୟୋଜିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.