Home Coronavirus Outbreak ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କ ସହିତ କୋଭିଡ-19 ନେଇ ଆଲୋଚନା କଲେ ରାଷ୍ଟ୍ରପତି...

ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ ଏବଂ ପ୍ରଶାସକଙ୍କ ସହିତ କୋଭିଡ-19 ନେଇ ଆଲୋଚନା କଲେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି

1333

ନୂଆ ଦିଲ୍ଲୀ ୩-୪ (ଓଡ଼ିଆ ପୁଅ) ରାଷ୍ଟ୍ରପତି କରୋନା ମହାମାରୀର ମୁକାବିଲା ଦିଗରେ ଦେଶବାସୀ ଦେଖାଇଥିବା ଦୃଷ୍ଟାନ୍ତମୂଳକ ସାହସ, ଶୃଙ୍ଖଳା ଓ ଦୃଢ ମନୋବଳର ପ୍ରଶଂସା କରିଛନ୍ତି। ଆନନ୍ଦ ବିହାରଠାରେ ଦାଦନ ଶ୍ରମିକ ଏବଂ ନିଜାମୁଦ୍ଦିନରେ ତବ୍ଲିଗର ସମାବେଶ ଏହି ଉଦ୍ୟମରେ ବ୍ୟାଘାତ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ଆଜି ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ବିଭିନ୍ନ ରାଜ୍ୟର ରାଜ୍ୟପାଳ, କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ସରକାର କୋଭିଡ-19ର ମୁକାବିଲା ନେଇ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ଆଲୋଚନା କରିଥିଲେ। ଲକଡାଉନ କାଳରେ ଯେପରି କେହିହେଲେ ଭୋକିଲା ନରୁହନ୍ତି ତାହାକୁ ସୁନିଶ୍ଚିତ କରିବା ଉପରେ ରାଷ୍ଟ୍ରପତି ଗୂରୁତ୍ଵାରୋପ କରିଥିଲେ।

ଗତ ମାସ 27 ତାରିଖ ଦିନ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ସହିତ ହୋଇଥିବା ଭିଡିଓ କନଫରେନ୍ସର ବିଷୟବସ୍ତୁର ପରିଣାମକୁ ନେଇ ଏହି ସମ୍ମିଳନୀ ହୋଇଥିଲା। 15ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳମାନେ ଗତ ମାସ 27 ତାରିଖରେ ହୋଇଥିବା ନିଷ୍ପତ୍ତିଗୁଡିକର କାର୍ଯ୍ୟାନ୍ୱୟନ ନେଇ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ। କୋଭିଡ-19 ଭଳି ଅଦୃଶ୍ୟ ଶତ୍ରୁର ମୁକାବିଲା ଦିଗରେ କୌଣସି କୋହଳ ମନୋଭାବ ଗ୍ରହଣ କରାଯିବ ନାହିଁ ବୋଲି ସମସ୍ତେ ଏକମତ ହୋଇଥିଲେ। ଏହି ସମ୍ମିଳନୀରେ ରାଷ୍ଟ୍ରପତି, କେତେକ ରାଜ୍ୟରେ ଚିକିତ୍ସକ ଓ ସ୍ୱାସ୍ଥ୍ୟକର୍ମୀ ଓ ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଉଦବେଗ ପ୍ରକାଶ କରିଥିଲେ। ଆସନ୍ତା ରବିବାର ଦିନ ରାତି 9ଟା ବେଳେ ଘରର ସମସ୍ତ ବିଜୁଳି ବତିକୁ ଲିଭାଇ ଦେଇ ମୋବାଇଲ ଲାଇଟ, ମହମବତୀ ବା ଦୀପ ଜାଳି କାରୋନା ଭୂତାଣୁ ବିରୁଦ୍ଧରେ ସଂଗ୍ରାମ ଲାଗି ଏକଜୁଟ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନର ସଂପୂର୍ଣ୍ଣ ସମର୍ଥନ କରିଥିଲେ। ତେବେ ସାମାଜିକ ଦୁରତ୍ଵକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଲୋକମାନଙ୍କୁ ଚେତାଇ ଦେଇଥିଲେ।

ପ୍ରଥମେ ରାଷ୍ଟ୍ରପତି ଗତ ମାସ 27 ତାରିଖରେ ହୋଇଥିବା ସମ୍ମିଳନୀରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାରେ ବକ୍ତବ୍ୟ ରଖିଥିଲେ। ଗତ ସମ୍ମିଳନୀର ବିଭିନ୍ନ ରାଜ୍ୟ କିପରି ଅବସରପ୍ରାପ୍ତ ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ, ମନସ୍ତତ୍ଵବିତ୍ତମାନଙ୍କ ମୂଲ୍ୟବାନ ପରାମର୍ଶ ଓ ରିଲିଫ ଇତ୍ୟାଦି ବିଷୟ ରାଜ୍ୟମାନେ ହାତକୁ ନେଇଥିବା ପ୍ରକାଶ କରିଥିଲେ।

ଲକଡାଉନ କାଳରେ ନିରାଶୟ, ବେକାର ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଦିଗରେ ସମ୍ବେଦନଶୀଳ ହେବା ଉପରେ ରାଷ୍ଟ୍ରପତି ମତ ବ୍ୟକ୍ତ କରିଥିଲେ। ଏହି ସମୟରେ ଯେପରି କେହି ଭୋକିଲା ନରୁହନ୍ତି ତାକୁ ସୁନିଶ୍ଚିତ କରିବା ପାଇଁ ସେ ସମ୍ମିଳନୀରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହିଭଳି ଆହ୍ଵାନମୂଳକ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ରାଜ୍ୟପାଳମାନେ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ରାଷ୍ଟ୍ରପତି ଆଶାପୋଷଣ କରିଥିଲେ। ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯେଉଁମାନେ ଚାହୁଞ୍ଚନ୍ତି ସେମାନଙ୍କ ନିକଟରେ ପହଞ୍ଚାଇଲେ ମଧ୍ୟ ସାମାଜିକ ଦୁରତ୍ଵ ରକ୍ଷା ନେଇ କୌଣସି ସାଲିସ ନକରିବାକୁ ସେ ପରାମର୍ଶ ଦେଇଥିଲେ।

ରାଷ୍ଟ୍ରପତି ପୂର୍ବ ସମ୍ମିଳନୀରେ ରେଡକ୍ରସ ଓ ଅନ୍ୟାନ୍ୟ ସ୍ଵେଚ୍ଛାସେବୀ ସଙ୍ଗଠନଗୁଡ଼ିକର ସାହାଯ୍ୟ ସହଯୋଗ ବିଷୟରେ ଅବତାରଣ କରିବା ସହ ମାନବିକ ଆହ୍ୱାନର ସମ୍ମୁଖୀନ ହେବା ସମୟରେ ସ୍ଵେଚ୍ଛାସେବୀ ଓ ଅନ୍ୟାନ୍ୟ ଘରୋଇ ସଂସ୍ଥାର ଅଧିକରୁ ଅଧିକ ସହଯୋଗ ଉପରେ ଗୂରୁତ୍ଵାରୋପ କରିଥିଲେ।

କାଁ ଭାଁ କେତେକ ଛୋଟ ମୋଟ ଘଟଣାକୁ ଛାଡିଦେଲେ ମହାମାରୀର ମୁକାବିଲା ପାଇଁ ଦୃଢ ସଂକଳ୍ପ ନେଇ ଆମେ ଅଗ୍ରସର ହେଉଛୁ ବୋଲି ରାଷ୍ଟ୍ରପତି କହିଥିଲେ। ଦେଶବାସୀଙ୍କ ଧର୍ଯ୍ୟ ଓ ସହଯୋଗକୁ ରାଷ୍ଟ୍ରପତି ସାଧୁବାଦ ଜଣାଇଥିଲେ। ନିଜ ଜୀବନକୁ ପାଣି ଛଡାଇ ଦେଶ ଓ ମାନବ ସେବାରେ ବ୍ରତୀ କରାଇଥିବା ଡାକ୍ତର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ କାର୍ଯ୍ୟର ସେ ଭୂୟସୀ ପ୍ରଶଂସା କରିଥିଲେ। ଦେଶବାସୀ ଦୃଢ ମନୋବଳ ଓ ସଂକଳ୍ପ ନେଇ ସମସ୍ତ ସତର୍କତାର ସହ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ମହାମାରୀ ବିରୁଦ୍ଧରେ ସେମାନଙ୍କ ଅଭିଯାନ ଜାରି ରଖିବେ ବୋଲି ସେ ଆଶା ପୋଷଣ କରିଥିଲେ। ସମ୍ମିଳନୀରେ ଯୋଗଦେଇ ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁ ବିଭିନ୍ନ ସାମାଜିକ ସଂଗଠନ, ଭାରତୀୟ ରେଡକ୍ରସର କର୍ମକର୍ତ୍ତାମାନେ ଗରିବ ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ଲାଘବ କରିବା ଉପରେ ଗୂରୁତ୍ଵାରୋପ କରିଥିଲେ। ଦେଶର ସବୁଠାରୁ ଅବହେଳିତ ଓ ନିରାଶ୍ରୟ ବ୍ୟକ୍ତି ଯେଉଁମାନେ ଲକଡାଉନ ବେଳେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସହାୟତାର ହାତ ବଢାଇବା ପାଇଁ ବିଭିନ୍ନ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ସମାଜସେବୀମାନଙ୍କ ସହାୟତା ନେବାକୁ ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନଙ୍କୁ ଅନୁରୋଧ କରିଥିଲେ। ଯଦିଓ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂରକରିବାରେ ବହୁବିଧ ପଦକ୍ଷେପମାନ ନେଉଛନ୍ତି ତଥାପି ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଏଦିଗରେ ଯଥେଷ୍ଟ ସହାୟତା ଦେଇପାରିବେ ବୋଲି କହିଥିଲେ।

ଏଥିରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ, ଉପରାଜ୍ୟପାଳ ଓ ପ୍ରଶାସକମାନେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.