Home କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରସ୍ତୁତି ବୈଠକ

ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ପ୍ରସ୍ତୁତି ବୈଠକ

18

କେନ୍ଦ୍ରାପଡା, ୧୯/୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜିଲ୍ଲାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାଇ ଗତ ୧୬ତାରିଖରେ ଏକ ସମନ୍ୱିତ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନ କରାଯାଇଛି। ଏହି ଡ୍ରାଫ୍ଟ ଭୋଟର ତାଲିକା ବାବଦରେ ଥିବା ଆପତ୍ତି ଅଭିଯୋଗ ଗୁଡିକୁ ନଭେମ୍ବରମାସ ୧୬ତାରିଖ ଠାରୁ ଡିସେମ୍ବରମାସ ୧୫ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯାଇପାରିବ। ଆସନ୍ତା ନଭେମ୍ବର ୨୮ ଓ ୨୯ତାରିଖ ଏବଂ ଡିସେମ୍ବର ୫ ଓ ୬ତାରିଖରେ ସଂକ୍ଷିପ୍ତ ଭୋଟର ତାଲିକା ସମ୍ପର୍କିତ ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହେବ। ସମସ୍ତ ଅଭିଯୋଗ ଗୁଡିକୁ ଆସନ୍ତା ଜାନୁଆରୀମାସ ୫ତାରିକ ସୁଦ୍ଧା ଫଇସଲା କରାଯାଇ ଜାନୁଆରୀମାସ ୧୫ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ। ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପାଇଁ ସମସ୍ତ ରାଜନୈତିକ ଦଳ ବୁଥ ସ୍ତରରେ ଏଜେଂଟ ନିଯୁକ୍ତ କରିବେ। ବୁଥ ସ୍ତରୀୟ ଏଜେଂଟମାନେ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବା ଦିଗରେ ରାଜନୈତିକଦଳର ପ୍ରତିନିଧିମାନେ ଦୃଷ୍ଟିଦେବେ। ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ନିମିତ୍ତ ଜିଲ୍ଲାର ମୋଟ ୧୪୩୮ଟି ଭୋଟ ଗ୍ରହଣ କେନ୍ଦ୍ରରେ ୧୪୩୮ଜଣ ବୁଥ ସ୍ତରୀୟ ଅଧିକାରୀ ଓ ୧୪୪ଜଣ ସୁପରଭାଇଜରଙ୍କୁ ନିଯୁକ୍ତ କରାଯାଇଛି। ଗତ ୧୬ତାରିଖ ସୁଦ୍ଧା ଜିଲ୍ଲାରେ ୬ଲକ୍ଷ ୩୪ହଜାର ୧୪୬ଜଣ ପୁରୁଷ ଭୋଟର, ୫ଲକ୍ଷ ୭୬ହଜାର ୨୭ଜଣ ମହିଳା ଭୋଟର ଓ ୬୨ଜଣ ଅନ୍ୟାନ୍ୟ ଭୋଟରଙ୍କୁ ମିଶାଇ ମୋଟ ୧୨ଲକ୍ଷ ୧୦ହଜାର ୨୩୫ଜଣ ଭୋଟର ଅଛନ୍ତି। ଏତଦ ବ୍ୟତିତ ୨୨୧୬ଜଣ ସର୍ଭିସ ଭୋଟର ଥିବା ଜଣାପଡିଛି। ଜିଲ୍ଲାରେ ୧୫ହଜାର ୭୫୦ଜଣ ଭୋଟରଙ୍କର ଭୋଟର ତାଲିକାରେ ଫଟୋ ନଥିବା ଜଣାପଡିଛି। ଏହି ଭୋଟରମାନଙ୍କର ଫଟୋ ନିର୍ଦ୍ଧାରିତ ସମୟ ମଧ୍ୟରେ ବୁଥ ସ୍ତରୀୟ ଅଧିକାରୀଙ୍କ ନିକଟରେ ଦାଖଲକରି ଭୋଟର ତାଲିକାରେ ସେମାନଙ୍କ ଫଟୋ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଦିଗରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର ଗୁରୁତ୍ୱାରୋପ କରିଥିଲେ। ଏଦିଗରେ ରାଜନୈତିକ ଦଳର ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ରାଉତ, ଡେପୁଟୀ କଲେକ୍ଟର(ନିର୍ବାଚନ) ସମ୍ବିତ ଶତପଥୀ, ବିଜେଡି ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା, ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ, ସିପିଆଇ ଜିଲ୍ଲା ସାଧାରଣ ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବିଜେପିର ନେହେରୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.