ନିଜର ସ୍ୱାର୍ଥ ସାଧନ ପାଇଁ ଜଣେ ମଦାରୀ ଜଙ୍ଗଲରୁ ଅସହାୟ ଅବସ୍ଥା ଦେଖି କୌଣସି ଏକ ଶିଶୁ ମାଙ୍କଡ଼ଟିଏ ଅଖାରେ ପୁରାଇ ନେଇ ଆସେ।ମାଙ୍କଡ଼ଟି ଅତ୍ୟନ୍ତ ଦୁର୍ବଳ ହୋଇ ନଯିବା ପର୍ଯ୍ୟନ୍ତ ତାକୁ ଅନାହାରରେ ରଖେ।ଶିଶୁ ମାଙ୍କଡ଼ଟି ଅତ୍ୟନ୍ତ କ୍ଷୁଧାର୍ତ୍ତ ହୋଇ ଅତି ବିକଳ ଭାବେ ମଦାରୀ ଆଡ଼କୁ ଚାହିଁ ରହେ।ସେତେବେଳେ ତାକୁ କିଛି ଖାଦ୍ୟ ଖାଇବାକୁ ଦିଆଗଲେ ସେ ମଦାରୀର ଦାସ ହୋଇ ରହିବାକୁ ଇଚ୍ଛା କରେ।ମଦାରୀର କେତେକ ଅସ୍ବଭାବିକ ନିର୍ଦ୍ଦେଶକୁ ମାଙ୍କଡ଼ଟି ମାନି ଚାଲିଥିବା ପର୍ଯ୍ୟନ୍ତ ସେ ତାକୁ ଅଳ୍ପ ଅଳ୍ପ ଖାଇବାକୁ ଦେଉଥାଏ।କିଛି ଦିନ ପରେ ମଦାରୀ ତାକୁ ଚିରାଫଟା, ମଇଳା କନାରେ ତିଆରି ପୋଷାକ ପିନ୍ଧାଇଦିଏ।ମଦାରୀ ତାକୁ ନାଚ ଏବଂ ଅନ୍ୟାନ୍ୟ ଖେଳ ଶିଖାଏ।ହାତରେ ଏକ ବାଡ଼ି ଧରି ମାଙ୍କଡ଼ଟିକୁ ଭୟଭୀତ କରାଇ ମଦାରୀ ଏସବୁ କରିଥାଏ।କଥା ନ’ମାନିଲେ ତାକୁ ବାଡ଼ାଏ, ଭୋକ ଉପାସରେ ରଖେ।ତାକୁ ମଇଳା ବାସୀରୁଟି, ଦେଖଣାହାରୀଙ୍କ ଠାରୁ ମିଳୁଥିବା ପାଚିଲା କଦଳୀ, ସିଝା ଚଣା, ଢାବାରୁ ପରିତ୍ୟକ୍ତ ପଚାସଢ଼ା ଖାଦ୍ୟ ଏବଂ ଅଳିଆ ଗଦାରେ ପଡ଼ିଥିବା ପରିବା ଚୋପା ଖାଇବାକୁ ଦିଏ।ଯେତେବେଳେ କି ବାସ୍ତବରେ ଜଣେ ମଣିଷ ଅପେକ୍ଷା ମାଙ୍କଡ଼ଟିଏ ଭଲ ଫଳମୂଳ ଖାଇଥାଏ।ସେ ଜଙ୍ଗଲ, ଗଛ ଡାଳରେ ବୁଲିବୁଲି ସତେଜ ଫଳ ଖାଇଥାଏ।ବରଂ ମଣିଷ ବଜାରରୁ କିଣି ଖାଉଥିବା ଫଳ, ପନିପରିବା ଆଦି ବାସୀ ହୋଇଥାଏ।ମଦାରୀ ମାଙ୍କଡ଼କୁ ଦିନସାରା ମାଇଲ ମାଇଲ ବାଟ ଚଲାଇ ଚଳାଇ ନିଏ।ଜଙ୍ଗଲରେ ଥିଲେ ଏଇ ମାଙ୍କଡ଼ ଛୁଆଟି କେବଳ ଖେଳିବା ସମୟ ବ୍ୟତୀତ ତଳକୁ ଆସିନଥାନ୍ତା।କିନ୍ତୁ ମଦାରୀ ପାଖରେ ତାକୁ ସେଇ କୋମଳ ପାଦରେ ଯନ୍ତ୍ରଣାକୁ ନେଇ ରାସ୍ତାରେ ବୁଲିବାକୁ ପଡ଼େ।ରାତିରେ ସେ ମଦାରୀର ଖଟିଆରେ ବନ୍ଧା ହୋଇ ଧୂଳି ମଇଳା ପୂର୍ଣ୍ଣ ଭୂମି ଉପରେ ଶୁଏ।
ବାସ୍ତବରେ, ଏହି ସମୟରେ ଛୁଆ ମାଙ୍କଡ଼ଠାରେ “ଷ୍ଟକହୋମ ସିନଡ୍ରୋମ” ନାମକ ଏକ ଲକ୍ଷଣ ଦେଖାଯାଏ।କେତେକ ସ୍ଥଳରେ ଅପହୃତ ବ୍ୟକ୍ତିଙ୍କ ନିକଟରେ ଏହି ଲକ୍ଷଣ ପରିଲିକ୍ଷିତ ହୁଏ।ସେମାନେ ଏତେ ଭୟାଳୁ ଏବଂ ନିସଙ୍ଗ ଅନୁଭବ କରନ୍ତି, ଏତେ ବିଭ୍ରାନ୍ତ ହୋଇଯାଆନ୍ତି ଯେ ନିଜର ଅପହର୍ତ୍ତାକୁ ତ୍ରାଣକର୍ତ୍ତା ବୋଲି ଭାବନ୍ତି।ସେହି ଅପହର୍ତ୍ତାକୁ ଅନ୍ୟମାନଙ୍କ ଅପେକ୍ଷା ନିଜର ଆତ୍ମୀୟ ବୋଲି ମନେକରନ୍ତି।ଯଦି, କୌଣସି ବ୍ୟକ୍ତି ମଦାରୀଠାରୁ ମାଙ୍କଡ଼ଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରେ ତେବେ ମାଙ୍କଡ଼ଟି ମଦାରୀ କାନ୍ଧକୁ ଡେଇଁ ପଡ଼ି ସେହି ବ୍ୟକ୍ତିକୁ ଖିଙ୍କାରି ହୁଏ।ତା’ର ମାଲିକଙ୍କୁ ଆଉ କେହି ଆଘାତ କରୁ ବୋଲି ସେ ଚାହେଁ ନାହିଁ।ଏଭଳି ଭାବରେ ମାଙ୍କଡ଼ ଛୁଆଟିର ଜୀବନ ଧୀରେ ଧୀରେ ନଷ୍ଟ ହେବାକୁ ଲାଗେ।ମାଙ୍କଡ଼ଟି ଧୀରେ ଧୀରେ ରୁଗ୍ଣ ହୋଇଯିବା ପରେ ମଦାରୀ ତାକୁ ଫିଙ୍ଗିଦେଇ ଆଉ ଏକ ନୂଆ ଶିଶୁ ମାଙ୍କଡ଼ ସନ୍ଧାନରେ ଲାଗିଯାଏ।
ନେତା ଏବଂ କର୍ମୀଙ୍କ ଭିତରେ ସଂପର୍କ, ସେହି ମଦାରୀ ଏବଂ ମାଙ୍କଡ଼ ସଂପର୍କ ପରି ଅନୁଭବ ହୁଏ।ନିର୍ବାଚନ ସିନା ୫ ବର୍ଷରେ ଥରେ ହୁଏ, କିନ୍ତୁ ନେତା ଚାହେଁ ତା’ କର୍ମୀ ସବୁବେଳେ ତା’ ପାଖରେ ସେହିପରି ପଡ଼ି ରହୁ।ନେତା କେବେ ଚାହେଁ ନାହିଁ ତାର ଜଣେ କର୍ମୀ ତା’ ଠାରୁ ଦୂରେଇ ଯାଇ କେଉଁଠି କର୍ମ ସଂସ୍ଥାନ ପାଇ ଜୀବନରେ ଉନ୍ନତି କରୁ।ସେ ଚାହେଁ, ଜୀବନ ସାରା ତାର କର୍ମୀ ତା’ ପାଖରେ ସେମିତି ପଡ଼ିରହୁ।ତା’ ପାଇଁ ରାଲି କରୁ, ତା’ ପାଇଁ ଗଣ୍ଡଗୋଳ କରୁ, ତା’ ପାଇଁ କେସ୍ ଖାଉ ଏବଂ ତାର ଜୟଜୟ କାର କରୁ।ଏଥିପାଇଁ ସେ କର୍ମୀ ଜଣଙ୍କୁ କିଛି କଣ୍ଟ୍ରାକ୍ଟ୍ରି କାମ ଆଦି ଦେଇ ନିଜର ଅନୁଗତ କରି ରଖିଥାଏ।କର୍ମୀ ମଧ୍ୟ ସେହିପରି।ସେ ତା’ର ନେତା ପାଇଁ ନିଜର ଯୁବାବସ୍ଥା ନଷ୍ଟ କରିଦିଏ।ନିଜ ନେତା ପାଇଁ ନିଜର ସାଙ୍ଗସାଥି, ଆତ୍ମୀୟଙ୍କ ଠାରୁ ଦୂରେଇ ଯାଏ।ନେତା ପାଇଁ କର୍ମୀ ଏତେ ଅନୁଗତ ହୋଇଥାଏ ଯେ, ଅନେକ ସମୟରେ ନିଜର ବନ୍ଧୁଙ୍କ ସହ ଗଣ୍ଡଗୋଳ କରେ।ଅନେକ ସମୟରେ ନିଜ ନିଜ ନେତାଙ୍କ ପାଇଁ ଭାଇ ଭାଇ ଭିତରେ ମଧ୍ୟ ଗଣ୍ଡଗୋଳ ହୁଏ, ହତ୍ୟାକାଣ୍ଡ ବି ହୁଏ।ନେତା ଏବଂ କର୍ମୀଙ୍କ ଏପରି ସଂପର୍କର ଉଦାହରଣ ଏବେ ଦେଖିବାକୁ ମିଳିଲା ବିଜେଡିର ଏକ ସମାବେଶରେ।ନିଜ ନେତାଙ୍କ ହାତରୁ ଉତ୍ତରୀୟ ପିନ୍ଧିବାକୁ ଚାହିଁ ମଞ୍ଚ ଉପରେ ନେତାଙ୍କ ହାତରୁ ଚାପୁଡ଼ା ଖାଇଲେ କର୍ମୀ।କିନ୍ତୁ, ପରେ ଯେତେବେଳେ ଏହାକୁ ନେଇ ସର୍ବ ସାଧାରଣରେ ନେତା ଜଣଙ୍କ ସମାଲୋଚିତ ହେଲେ, ଏହା କର୍ମୀଙ୍କ ଦେହରେ ଗଲା ନାହିଁ।କର୍ମୀ କହିଲେ ନେତା ତାଙ୍କୁ ଚାପୁଡ଼ା ମାରି ହିଁ ନାହାଁନ୍ତି।ଠିକ୍ ସେହି ମାଙ୍କଡ଼ର ମଦାରୀ ପ୍ରତି ଥିବା ପ୍ରଭୁଭକ୍ତି ପରି ଏଠି କର୍ମୀ ଜଣଙ୍କର ନିଜ ନେତାଙ୍କ ପ୍ରତି ଏହା ପ୍ରଭୁଭକ୍ତି!ଏହା କ’ଣ “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?//-ଦେବଦତ୍ତ ରଥ