ନମସ୍କାର,
ଦେଶ-ବିଦେଶର ସବୁ ଅଂଶଗ୍ରହଣକାରୀମାନଙ୍କୁ ମୁଁ ସ୍ୱାଗତ କରୁଛି। ଏକ ଆହ୍ୱାନମୂଳକ ସମୟରେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିବା ଏବଂ ଏଥିରେ ଆପଣମାନେ ଭାଗ ନେବା ଏକ ନୂଆ ଆଶା ଉଦ୍ରେକ କରୁଛି ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି।
ଭାରତ କେବଳ କରୋନା ବିରୋଧରେ ଲଢୁ ନାହିଁ, ଏହି ଯୁଦ୍ଧରେ ବିଜୟଲାଭ କରିବ ଏବଂ ଆଗକୁ ବଢିବ। ଏହି ସଂକଟକୁ ନେଇ ଭାରତ ଚୁପ୍ଚାପ ବସି ବିଳାପ କରିବାର ଅବକାଶ ମଧ୍ୟ ନାହିଁ। ଏହି ସଂକଟ ଯେତେବଡ ହେଉନା କାହିଁକି ଭାରତ ଏହାକୁ ଏକ ସୁଯୋଗରେ ପରିଣତ କରିବାକୁ ବଦ୍ଧପରିକର। ଏହି କରୋନା ଭୂତାଣୁ ସଂକଟ ଭାରତକୁ ଆତ୍ମନିର୍ଭରଶୀଳ ହେବାର ଶିକ୍ଷା ପ୍ରଦାନ କରିଛି।
ଆତ୍ମନିର୍ଭର ଭାରତ ଅର୍ଥ ଆମ ଦେଶ ଏହାର ଆମଦାନୀକୁ ହ୍ରାସ କରିବ। ଆତ୍ମନିର୍ଭର ଭାରତର ଅର୍ଥ ଲକ୍ଷ ଲକ୍ଷ କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ବଞ୍ଚାଇବ। ଆତ୍ମନିର୍ଭର ଭାରତର ଅର୍ଥ ଦେଶକୁ ଆଉ ବିଦେଶରୁ ଜିନିଷପତ୍ର ଆମଦାନୀ କରିବାକୁ ପଡିବ ନାହିଁ। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଘରୋଇ ଭାବେ ନିଜର ସମ୍ବଳର ବିକାଶ ନିରନ୍ତର କରିବ। ଆତ୍ମନିର୍ଭର ଅର୍ଥ ଆମେ ଏବେ ଯେଉଁ ସାମଗ୍ରୀ ସବୁ ଆମଦାନୀ କରୁଛୁ ତାହାର ସର୍ବବୃହତ୍ ରପ୍ତାନୀକାରୀ ହେବୁ।
ବନ୍ଧୁଗଣ, ଏହି ଲକ୍ଷ୍ୟ ହାସଲ ପାଇଁ ଆମକୁ ସବୁ କ୍ଷେତ୍ର, ସବୁ ଉଦ୍ୟୋଗ, ପ୍ରତ୍ୟେକ ସାମଗ୍ରୀ ଓ ସେବାକୁ ବିଚାରକୁ ନେବାକୁ ହେବ। ସେ ସବୁ କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମକୁ ସାମଗ୍ରୀକଭାବେ କାର୍ଯ୍ୟ କରିବାକୁ ପଡିବ। ଆଜିର କାର୍ଯ୍ୟକ୍ରମ ତାହାର ଏକ ନିଦର୍ଶନ ଏବଂ ସେହି ବିଚାରରେ ଆଗକୁ ବଢିବାର ଏକ ବଡ ପଦକ୍ଷେପ।
ଭାରତକୁ ଉର୍ଜ୍ଜା କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ଆଜିର କାର୍ଯ୍ୟକ୍ରମକୁ ଏକ ବୃହତ୍ ପଦକ୍ଷେପ କହିଲେ ଭୁଲ ହେବନାହିଁ। ଏହି କାର୍ଯ୍ୟକ୍ରମ କେବଳ ସଂପୃକ୍ତ ଗୋଟିଏ କ୍ଷେତ୍ର ବା କୋଇଲା ଉଦ୍ୟୋଗରେ ସଂସ୍କାରର କାର୍ଯ୍ୟକାରିତାର ଅୟମାରମ୍ଭ ନୁହେଁ। ଏହା ୧୩୦ କୋଟି ଜନତାଙ୍କ ଆଶା ଆକାଂକ୍ଷାର ପରିପୂରଣ ପାଇଁ ଥିବା ପ୍ରତିଶ୍ରୁତିବଦ୍ଧତାର ଏକ ନିଦର୍ଶନ। ଏହା ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗର ଆରମ୍ଭ ମାତ୍ର।
ବନ୍ଧୁଗଣ, ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆମ ସଂକଳ୍ପର କାର୍ଯ୍ୟକାରିତା ନିମନ୍ତେ ଗତ ମାସରେ ଯେତେବେଳେ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଘୋଷଣା କରାଗଲା, ଅନେକ ଲୋକ ସେତେବେଳେ ଭାବିଲେ ଯେ ଏହା ଆଉ ଏକ ସାଧାରଣ ସରକାରୀ ପ୍ରକ୍ରିୟା। କିନ୍ତୁ ଘୋଷଣାର ମାସକ ମଧ୍ୟରେ କୃଷି, ଏମ୍ଏସ୍ଏମ୍ଇ ଭଳି ବିଭିନ୍ନ କ୍ଷେତ୍ର ଏବଂ ବିଶେଷକରି ବର୍ତ୍ତମାନର କୋଇଲା ଓ ଖଣି ଉଦ୍ୟୋଗରେ ତାହାର କାର୍ଯ୍ୟକାରିତା ଆରମ୍ଭ ହୋଇଯାଇଛି। ଏହା ଦର୍ଶାଉଛି ଭାରତ ତାହାର ଅଙ୍ଗୀକାରକୁ ପୂରଣ କରିବାରେ କେତେ ଆଗ୍ରହୀ ଏବଂ ଏକ ସଂକଟକୁ ସୁଯୋଗରେ ପରିଣତ କରିବାକୁ କେତେ ତତ୍ପର। ଆମେ କେବଳ ଆଜି ବ୍ୟବସାୟିକ କୋଇଲା ଉତ୍ତୋଳନର ଆରମ୍ଭ କରୁନାହୁଁ, ଏହା ସହିତ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ଲକ୍ଡାଉନ ଅବସ୍ଥାରେ ପଡି ରହିଥିବା କୋଇଲା ଉଦ୍ୟୋଗକୁ ମୁକ୍ତ କରୁଛୁ।
କୋଇଲା କ୍ଷେତ୍ରରେ ଲକ୍ଡାଉନର ପ୍ରଭାବ କ’ଣ ତାହା ଆପଣମାନେ ମୋଠାରୁ ଅଧିକ ଜାଣନ୍ତି। ଏ ଦିଗରେ ଟିକିଏ ଭାବନ୍ତୁ। କୋଇଲା ସମ୍ପଦରେ ଭାରତର ସ୍ଥାନ ବିଶ୍ୱରେ ଚତୁର୍ଥ। କୋଇଲା ଉତ୍ପାଦନରେ ବିଶ୍ୱରେ ଦ୍ୱିତୀୟ। ଏହା ସତ୍ତ୍ୱେ ଭାରତ ଏକ କୋଇଲା ରପ୍ତାନୀକାରୀ ଦେଶ ନୁହେଁ; ବରଂ ଆମେ ବିଶ୍ୱର ସର୍ବବୃହତ୍ କୋଇଲା ଆମଦାନୀକାରୀ ରାଷ୍ଟ୍ର।
ପ୍ରଶ୍ନ ହେଉଛି, ଆମେ ଯେତେବେଳେ ବିଶ୍ୱର ସର୍ବବୃହତ୍ ଉତ୍ପାଦନକାରୀ, ଆମେ କାହିଁକି ସର୍ବବୃହତ୍ ରପ୍ତାନାକାରୀ ହୋଇପାରିବାନାହିଁ ? ଏ ପ୍ରଶ୍ନ ମୋ ମନରେ, ଆପଣମାନଙ୍କ ମନରେ ଏବଂ କୋଟି କୋଟି ଭାରତୀୟଙ୍କ ମନରେ ବାରମ୍ବାର ଉଙ୍କି ମାରୁଛି।
ବନ୍ଧୁଗଣ, ଏ ହେଉଛି ଦଶନ୍ଧି ଦଶନ୍ଧି ଧରି ଆମର ଅବସ୍ଥା। ଦେଶର କୋଇଲା ଉଦ୍ୟୋଗ କ୍ୟାପ୍ଟିଭ ଓ ନନ୍ କ୍ୟାପଟିଭ ଭଳି ଝାମେଲାରେ ପଡି ବିଭ୍ରାଟ ଅବସ୍ଥାରେ ରହିଛି। ଏହା ପ୍ରତିଯୋଗିତା କରିବା ଅବସ୍ଥାରେ ନାହିଁ। ପାରଦର୍ଶିତା ମଧ୍ୟ ଏହି କ୍ଷେତ୍ରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଉଚିତ ନିଲାମ ପ୍ରକ୍ରିୟା କଥା ଭୁଲିଯାଆନ୍ତୁ; କୋଇଲା ଖଣି ଆବଣ୍ଟନରେ ଯେଉଁସବୁ ବଡ ବଡ ଦୁର୍ନୀତି ହୋଇଥିଲା ସେ ବିଷୟରେ ସମସ୍ତେ ଅବଗତ। ସେଇଥିପାଇଁ କୋଇଲା କ୍ଷେତ୍ରରେ ପୁଞ୍ଜିନିବେଶ ନୈରାଶ୍ୟଜନକ ରହିଛି ଏବଂ ଏହାର ଦକ୍ଷତା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୋଟିଏ ରାଜ୍ୟରୁ କୋଇଲା ଉତ୍ତୋଳନ କରାଯିବ ଏବଂ ତାହା ଶହ ଶହ କିଲୋମିଟର ଦୂରରେ ଥିବା ଅନ୍ୟ ରାଜ୍ୟକୁ ପଠାଯିବ। ଅଥଚ ଯେଉଁ ରାଜ୍ୟରେ କୋଇଲା ଉତ୍ପାଦନ ହେଉଥିବ ସେ ରାଜ୍ୟ କୋଇଲା ବ୍ୟବହାର ପାଇଁ ଅପେକ୍ଷାରେ ରହିବ, ଏହା କେମିତି କଥା ? ସମଗ୍ର ପ୍ରକ୍ରିୟା ଅତ୍ୟନ୍ତ ଗୋଳମାଳିଆ।
ବନ୍ଧୁଗଣ, ୨୦୧୪ ପରେ ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆମେ କୋଇଲା ଲିଙ୍କେଜ ବ୍ୟବସ୍ଥା ଆରମ୍ଭ କଲୁ, ଯାହା କେହି କେବେ ଚିନ୍ତା କରିନଥିଲେ। ଏହି ପଦକ୍ଷେପ କୋଇଲ କ୍ଷେତ୍ରକୁ ପ୍ରୋତ୍ସାହିତ କଲା। ନିକଟରେ ଆମେ ଅନେକ ସଂସ୍କାର ଏ କ୍ଷେତ୍ରରେ ଆଣିଛୁ, ଯାହା ଦଶନ୍ଧି ଦଶନ୍ଧି ଧରି ଚିନ୍ତା କରାଯାଉଥିଲା। କୋଇଲା ଓ ଖଣି ଉଦ୍ୟୋଗକୁ ପ୍ରତିଯୋଗିତା, ପୁଞ୍ଜିନିବେଶ, ଅଂଶଗ୍ରହଣକାରୀ ଏବଂ ଟେକ୍ନୋଲଜି ଅନୁକୂଳ କରିବା ପାଇଁ ଭାରତ ଏବେ ଏକ ବଡ ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ ଏହାକୁ ସଂପୂର୍ଣ୍ଣ ମୁକ୍ତ କରିଛି। ଘରୋଇ ଖଣି କ୍ଷେତ୍ରର ନୂଆ ଅଂଶୀଦାର ଯେପରି ଅର୍ଥଗତ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ଆବଶ୍ୟକ ବ୍ୟବସ୍ଥା ନିଶ୍ଚିତ କରିଛୁ।
ବନ୍ଧୁଗଣ, ଏକ ମଜଭୁତ ଖଣି ଓ ଖଣିଜ ଉଦ୍ୟୋଗ ବିନା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ; କାରଣ ଖଣିଜ ଓ ଖଣି ଆମ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଏହି ସଂସ୍କାର ପରେ ଏବେ କୋଇଲା ଉତ୍ପାଦନ ଓ ସମଗ୍ର କୋଇଲା ଉଦ୍ୟୋଗ ଆତ୍ମନିର୍ଭରଶୀଳ ହେବ। ଏବେ କୋଇଲା ପାଇଁ ବଜାର ମୁକ୍ତ ହୋଇଛି ଏବଂ ଯେକୌଣସି ଉଦ୍ୟୋଗ ନିଜର ଆବଶ୍ୟକତା ଅନୁସାରେ କୋଇଲା କିଣିପାରିବ।
ବନ୍ଧୁଗଣ, ଏହି ସଂସ୍କାର ଦ୍ୱାରା କେବଳ କୋଇଲା ଉଦ୍ୟୋଗ ଲାଭବାନ ହେବନାହିଁ, ଅନ୍ୟ ଉଦ୍ୟୋଗଗୁଡିକ ମଧ୍ୟ ଲାଭ ପାଇବେ। ଆମେ କୋଇଲା ଉତ୍ପାଦନ ବଢାଇଲେ ଏହାର ସକାରାତ୍ମକ ପ୍ରଭାବ ଇସ୍ପାତ, ଆଲୁମିନିୟମ, ଶକ୍ତି, ସାର ଏବଂ ସିମେଣ୍ଟ ଉଦ୍ୟୋଗ ଉପରେ ମଧ୍ୟ ପଡିବ। ବିଜୁଳି ଉତ୍ପାଦନ ମଧ୍ୟ ବଢିବ। ସୌଭାଗ୍ୟବଶତଃ ଭାରତରେ କୋଇଲା, ଲୌହ, ବକ୍ସାଇଟ ଓ ଅନ୍ୟାନ୍ୟ ଖଣି ସବୁ ପାଖାପାଖି ରହିଛି। ତେଣୁ ଖଣିଜ ଉଦ୍ୟୋଗରେ ଅଣାଯାଇଥିବା ସଂସ୍କାର କୋଇଲା ଖଣି କ୍ଷେତ୍ରରେ ଆସିଥିବା ସୁଧାରବାଦୀ ପ୍ରକ୍ରିୟା ଦ୍ୱାରା ତ୍ୱରାନ୍ୱିତ ହେବ।
ବନ୍ଧୁଗଣ, ଆଜିର ବ୍ୟାବସାୟିକ କୋଇଲା ଖନନ ନିଲାମ ପ୍ରକ୍ରିୟାର ଆରମ୍ଭ ସଂପୃକ୍ତ ସମସ୍ତ ପକ୍ଷଙ୍କ ପାଇଁ ଏକ ଉତ୍ତମ ପରିବେଶ ସୃଷ୍ଟି କରିଛି। ଏଥିରେ ସମସ୍ତେ ଲାଭବାନ ହେବେ। ଶିଳ୍ପସଂସ୍ଥା, ଆପଣମାନେ ସଭିଏଁ, ଆପଣମାନଙ୍କ ବ୍ୟାପାର ଓ ପୁଞ୍ଜିନିବେଶ ନୂତନ ସମ୍ବଳ ଏବଂ ବଜାର ପାଇବ। ରାଜ୍ୟ ସରକାରମାନେ ଅଧିକ ରାଜସ୍ୱ ପାଇବେ ଏବଂ ଦେଶର ଏକ ବିରାଟ ଜନସଂଖ୍ୟାକୁ ନିଯୁକ୍ତି ସୁଯୋଗ ମିଳିବ। ଅତଏବ ପ୍ରତ୍ୟେକ କ୍ଷେତ୍ରରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ।
ବନ୍ଧୁଗଣ, କୋଇଲା ସଂସ୍କାର କାର୍ଯ୍ୟକାରୀ କରିବାବେଳେ ଭାରତ ପରିବେଶ ସୁରକ୍ଷା ପ୍ରତି ଥିବା ତାର ଅଙ୍ଗୀକାରକୁ ମଧ୍ୟ ନିଶ୍ଚିତ କରିଛି। ଏହି ପ୍ରକ୍ରିୟାରେ ପରିବେଶ ଯେପରି ନ ବିଗିଡେ ସେଥିପାଇଁ ଭାରତ ସଚେତନ ଅଛି। କୋଇଲାରୁ ଗ୍ୟାସ୍ ତିଆରି କରିବା ପାଇଁ ସର୍ବାଧୁନିକ ଟେକନୋଲଜି ପ୍ରୟୋଗ କରାଯାଇପାରିବ। ପରିବହନ ଓ ରୋଷେଇରେ କୋଲ ଗ୍ୟାସ୍ ବ୍ୟବହୃତ ହେବ। ୟୁରିଆ ଏବଂ ଇସ୍ପାତ ଏହି ପ୍ରକ୍ରିୟାରେ ମ୍ୟାନୁଫାକ୍ଚରିଂ ଶିଳ୍ପକୁ ପ୍ରୋତ୍ସାହନ ଯୋଗାଇବ। ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ କୋଇଲାକୁ ଗ୍ୟାସ୍ରେ ପରିଣତ କରିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏଥିପାଇଁ ୪ଟି ପ୍ରକଳ୍ପ ଚିହ୍ନଟ ହୋଇଛି। ଏଥିରେ ୨୦ ହଜାର କୋଟି ଟଙ୍କା ନିବେଶ କରାଯିବ।
ବନ୍ଧୁଗଣ, ଏହି କୋଇଲା ସଂସ୍କାର ପୂର୍ବଭାରତ, କେନ୍ଦ୍ରୀୟ ଭାରତ ଏବଂ ଆମର ଆଦିବସୀ ଇଲାକାଗୁଡିକର ବିକାଶ କ୍ଷେତ୍ରରେ ମାଧ୍ୟମ ହେବ। କୋଇଲା ଏବଂ ଖଣିଜ ସମ୍ପଦ ଥିବା ଆମ ଦେଶର ଅଞ୍ଚଳଗୁଡିକର ପ୍ରଗତି ଓ ସମୃଦ୍ଧି ଯାହା ହେବା କଥା ତାହା ହୋଇପାରିନାହିଁ। ଏହିସବୁ ଅଞ୍ଚଳରେ ଦେଶର ଅନେକ ଆକାଂକ୍ଷୀ ଜିଲା ରହିଛି। ଏସବୁ ଜିଲାର ଲୋକମାନେ ବିକାଶ ଚାହୁଁଛନ୍ତି; କିନ୍ତୁ ସେମାନେ ତାଙ୍କ ଇଛାମତେ ଆଗକୁ ବଢ଼ିପାରୁନାହାନ୍ତି।
ଆପଣ କଳ୍ପନା କରିପାରିବେ କି, ଦେଶର ୧୬ଟି ଆକାଂକ୍ଷୀ ଜିଲାରେ ବିପୁଳ କୋଇଲା ମହଜୁଦ ଅଛି; ମାତ୍ର ଏହିସବୁ ଜିଲାର ଲୋକମାନଙ୍କ କାମରେ ତାହା ବିଶେଷ ଆସୁନାହିଁ। ସେମାନେ ରୋଜଗାର ପାଇଁ ନିଜର ଭିଟାମାଟି ଛାଡ଼ି ଦେଶର ଦୂରଦୂରାନ୍ତ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି।
ବ୍ୟାବସାୟିକ ଖଣି ଉତ୍ତୋଳନ ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରାଯାଇଛି ତଦ୍ଦ୍ୱାରା ପୂର୍ବ ଓ କେନ୍ଦ୍ର ଭାରତର ଏକ ବୃହତ ଜନସଂଖ୍ୟା ବିଶେଷ ଉପକୃତ ହେବ। ସେମାନେ ନିଜ ଘର ପାଖରେ ନିଯୁକ୍ତିର ସୁଯୋଗ ପାଇବା ସହ ବିଭିନ୍ନ ଜଞ୍ଜାଳରୁ ମୁକ୍ତି ପାଇବେ। ଆଜି ଯେଉଁସବୁ କୋଇଲା ଖଣିର ନିଲାମ ହେଉଛି ସେଥିରେ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। କେବଳ ସେତିକି ନୁହେଁ, କୋଇଲା ଉତ୍ତୋଳନ ଓ ପରିବହନ କ୍ଷେତ୍ରରେ ମଧ୍ୟ ଯେଉଁ ଭିତ୍ତିଭୂମି ସୃଷ୍ଟି ହେବ ସେଥିରେ ନିଯୁକ୍ତି ସୁବିଧା ମିଳିବ। ଏହି ଭିତ୍ତିଭୂମି ନିର୍ମାଣ ପାଇଁ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିକଟରେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।
ବନ୍ଧୁଗଣ, କୋଇଲା କ୍ଷେତ୍ରରେ ସଂସ୍କାର ଓ ନିବେଶ ଜନସାଧାରଣ, ବିଶେଷକରି ଆଦିବାସୀ ଅଞ୍ଚଳର ଲୋକଙ୍କ ଜୀବନକୁ ସହଜ କରିବାରେ ଅଧିକ ସହାୟକ ହେବ। କୋଇଲା ଉତ୍ପାଦନରୁ ଯେଉଁ ଅଧିକ ରାଜସ୍ୱ ମିଳିବ ତାହା ସେ ଅଞ୍ଚଳର ଜନକଲ୍ୟାଣ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ। ଜିଲା ଖଣିଜ ପାଣ୍ଠିରୁ ମଧ୍ୟ ରାଜ୍ୟ ସରକାରମାନେ ସହାୟତା ପାଇବେ। ଏହି ପାଣ୍ଠିର ଏକ ବଡ଼ଭାଗ କୋଇଲା ଖଣି ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅତ୍ୟାବଶ୍ୟକ ସେବା ଯୋଗାଣକାରୀ ବ୍ୟବସ୍ଥାରେ ବିନିଯୋଗ ହେଉଛି। ଖଣିଜ ସମୃଦ୍ଧ ଅଞ୍ଚଳର ଲୋକଙ୍କୁ ସମୃଦ୍ଧ କରିବା ପାଇଁ ଆମେ ନିର୍ଦ୍ଦିଷ୍ଟ ଲକ୍ଷ୍ୟରଖି କାର୍ଯ୍ୟ କରୁଛୁ। ଆଜିର ଏହି ପଦକ୍ଷେପ ସେହି ଲକ୍ଷ୍ୟ ପୂରଣ କରିବ ବୋଲି ମୋର ଆଶା ଓ ବିଶ୍ୱାସ।
ବନ୍ଧୁଗଣ, ଦେଶର ଅର୍ଥନୀତି ଦ୍ରୁତଗତିରେ ସ୍ୱାଭାବିକ ହେଉଥିବାବେଳେ ଆଜିର ଏହି ନିଲାମ କାର୍ଯ୍ୟ କରାଯାଉଛି। ଦେଶରେ ଉପଭୋକ୍ତାବାଦ ଏବଂ ଚାହିଦା ଦ୍ରୁତଗତିରେ ବଢି ଏବେ କରୋନା ପୂର୍ବବର୍ତ୍ତୀ ସ୍ତରରେ ପହଞ୍ଚିଛି। ତେଣୁ ଏଭଳି ଏକ ନୂଆ ଆରମ୍ଭ ପାଇଁ ଏହାଠାରୁ ଆଉ ଭଲ ସମୟ ନାହିଁ।
ଉର୍ଜ୍ଜା ବ୍ୟବହାର ହେଉ ଅଥବା ପେଟ୍ରୋଲିୟମ ସାମଗ୍ରୀ, ଏସବୁଥିରେ ଗତ ମେ ଶେଷ ଓ ଜୁନ୍ ପ୍ରଥମ ସପ୍ତାହରେ ଚାହିଦା ଦ୍ରୁତଗତିରେ ବଢ଼ିଥିଲା। ଇ-ୱେ ବିଲ୍ କ୍ଷେତ୍ରରେ ଏପ୍ରିଲ ତୁଳନାରେ ଦୁଇଶହ ଶତାଂଶ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ପଥକର ସଂଗ୍ରହ ଜୁନ ମାସରେ ୭୦ ଶତାଂଶରେ ପହଞ୍ଚି ଫେବୃଆରୀ ସ୍ତରକୁ ଛୁଇଁଛି। ଏପ୍ରିଲ ତୁଳନାରେ ମେ ମାସରେ ରେଳ ମାଲପରିବହନ ୨୬ ଶତାଂଶ ବଢ଼ିଛି। ଏହି ସମୟ ମଧ୍ୟରେ ମୋଟ ଡିଜିଟାଲ ଖୁଚୁରା କାରବାର ଉଭୟ ସଂଖ୍ୟା ଓ ପରିମାଣ ଆକାରରେ ବୃଦ୍ଧି ପାଇଛି।
ବନ୍ଧୁଗଣ, ଗ୍ରାମାଞ୍ଚଳ ଅର୍ଥନୀତିରେ ମଧ୍ୟ ସୁଧାର ପରିଲକ୍ଷିତ ହେଉଛି। ଚଳିତବର୍ଷ ଖରିଫ ଚାଷ ଗତବର୍ଷ ତୁଳନାରେ ୧୩ ଭାଗ ଅଧିକ ଜମିରେ ହୋଇଛି। ଏବର୍ଷ ମଧ୍ୟ ଗହମର ଉତ୍ପାଦନ ଓ ସଂଗ୍ରହ ବଢିଛି। ଗତବର୍ଷ ତୁଳନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ୧୧ ଶତାଂଶ ଅଧିକ ଗହମ ସଂଗୃହୀତ ହୋଇଛି। ଏହାର ଅର୍ଥ ଚାଷୀଙ୍କ ହାତକୁ ଅଧିକ ଟଙ୍କା ଯାଇଛି। ଏସବୁ ସୂଚନାରୁ ପ୍ରତୀୟମାନ ହେଉଛି ଯେ ଭାରତୀୟ ଅର୍ଥନୀତି ପ୍ରତ୍ୟାବର୍ତ୍ତନ କରିବା ସହ ଆଗକୁ ବଢ଼ିବାକୁ ପ୍ରସ୍ତୁତ।
ବନ୍ଧୁଗଣ, ଭାରତ ଏହା ପୂର୍ବରୁ ଏହାଠାରୁ ଆହୁରି ବଡ ସମସ୍ୟାରୁ ମୁକୁଳିଛି। ଚଳିତ ସଂକଟରୁ ମଧ୍ୟ ଭାରତ ମୁକ୍ତି ପାଇବ। ଆମେ ନିୟୁତ ନିୟୁତ ଭାରତୀୟ ଗୋଟିଏ ପଟେ ଖାଉଟି ହୋଇଥିବାବେଳେ ସମାନଭାବେ ଜଣେ ଜଣେ ଉତ୍ପାଦନକାରୀ ମଧ୍ୟ। ଭାରତର ସଫଳତା ଏବଂ ଅଭିବୃଦ୍ଧି ନିଶ୍ଚିତ। ମୋର ଦୃଢ ବିଶ୍ୱାସ ଆମେ ଆତ୍ମନିର୍ଭର ହୋଇପାରିବା।
ସ୍ମରଣ କରାଇ ଦେଉଛି ଯେ କେଇ ସପ୍ତାହ ପୂର୍ବରୁ ଆମେ ଆମ ଆବଶ୍ୟକତା ମେଣ୍ଟାଇବା ପାଇଁ ଅଧିକାଂଶ ଏନ୍-୯୫ ମାସ୍କ, କରୋନା ଟେଷ୍ଟିଂ କିଟ୍ସ, ପିପିଇ ଓ ଭେଣ୍ଟିଲେଟର୍ସର ଆମଦାନୀ କରୁଥିଲୁ। ଏବେ ଭାରତ ମେକ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଏହି ଚାହିଦାକୁ ପୂରଣ କରିପାରିଛି। ଖୁବ୍ ଶୀଘ୍ର ଭାରତ ଡାକ୍ତରୀ ସାମଗ୍ରୀ ରପ୍ତାନୀରେ ଏକ ପ୍ରମୁଖ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିବାକୁ ଯାଉଛି। ଆପଣମାନେ ଆପଣମାନଙ୍କ ବିଶ୍ୱାସ ଓ ନୈତିକତା ବଜାୟ ରଖନ୍ତୁ। ଆମେ ଏହା ପାରିବା। ଆମେ ନିଶ୍ଚିତ ଆତ୍ମନିର୍ଭର ହୋଇ ଆତ୍ମନିର୍ଭର ଭାରତ ତିଆରି କରିପାରିବା।
ଆତ୍ମନିର୍ଭର ଭାରତର ଯାତ୍ରାରେ ଆପଣମାନେ ବୃହତ୍ ଅଂଶୀଦାର। ଏହି ଯାତ୍ରା ୧୩୦ କୋଟି ଭାରତୀୟଙ୍କ ଦ୍ୱାରା ଆରମ୍ଭ ହୋଇଛି। ଆସନ୍ତୁ, ମେକ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଦେଶକୁ ଆତ୍ମନିର୍ଭର କରିବା। କୋଇଲା କ୍ଷେତ୍ରର ଏକ ନୂଅ ଅଧ୍ୟାୟ ଆରମ୍ଭରେ ଆଉ ଥରେ ଆପଣମାନଙ୍କୁ ଅଭିନନ୍ଦନ ଜଣାଉଛି।
ଜୀବନରେ କ୍ୱଚିତ୍ ଏମିତି କିଛି କ୍ଷଣ ଆସେ ଯେଉଁଠି କିଛି କରି ଇତିହାସର ଗତି ବଦଳାଇବାର ସୁଯୋଗ ସୃଷ୍ଟି ହୁଏ। ଆଜି ଉଦ୍ୟୋଗ ଜଗତ ଏବଂ ଭାରତର ସେବା କ୍ଷେତ୍ର ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ସହ ଇତିହାସର ମୋଡ ବଦଳାଇବାକୁ ଏକ ସୁଯୋଗ ପାଇଛି। ଆସନ୍ତୁ ଏ ସୁଯୋଗ ହାତଛଡା କରିବା ନାହିଁ। ଆସନ୍ତୁ ଭାରତକୁ ଆଗକୁ କଢେଇ ନେବା ଏବଂ ଏହାକୁ ଏକ ଆତ୍ମନିର୍ଭରଶୀଳ ଦେଶରେ ପରିଣତ କରିବା।
ବନ୍ଧୁଗଣ, ମୁଁ ଆଜି ଆପଣମାନଙ୍କ ସହ ମିଶିବାର ସୁଯୋଗ ପାଇଲି। ଅବଶ୍ୟ ଏହି ଆୟୋଜନ କୋଇଲା ପାଇଁ ତଥାପି ଆମକୁ ହୀରାର ସ୍ୱପ୍ନ ଦେଖିବାକୁ ପଡ଼ିବ। ପୁଣି ଥରେ କୋଇଲା ଉଦ୍ୟୋଗର ଏହି ଗରୁତ୍ୱପୂର୍ଣ୍ଣ ନୂତନ ଅଧ୍ୟାୟରେ ଆପଣଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି। ଏଭଳି ମୁହୂର୍ତ୍ତରେ ମୁଁ ମୋର ମନ୍ତ୍ରିମଣ୍ଡଳର ସହଯୋଗୀ ପ୍ରହଲ୍ଲାଦ ଯୋଶୀ ଏବଂ ତାଙ୍କର ସମଗ୍ର ଟିମ୍କୁ ଅଭିନନ୍ଦତ ଜଣାଉଛି। ସେମାନେ ଲକ୍ଡାଉନ ସମୟକୁ ଉପଯୋଗ କରି ସମଗ୍ର ମନ୍ତ୍ରଣାଳୟର ଟିକିନିଖି ଅନୁଧ୍ୟାନ କରିଛନ୍ତି। ତାଙ୍କର ସଚିବ ଏବଂ ଅନ୍ୟାନ୍ୟ ସହଯୋଗୀ ଏହି କ୍ଷେତ୍ରର ସଂସ୍କାର ଓ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଯେଉଁ ନେତୃତ୍ୱ ଦେଖାଇଛନ୍ତି ତାହାକୁ ମୁଁ ପ୍ରଶଂସା କରୁଛି।
ଆପଣମାନେ ଭାବି ପାରନ୍ତି ଏହା ଏକ ଛୋଟିଆ କାର୍ଯ୍ୟକ୍ରମ; କିନ୍ତୁ ମୋ ବିଚାରରେ ତାହା ନୁହେଁ। ପ୍ରହଲ୍ଲାଦ ଜୀ, ମୁଁ ଦେଖୁଛି ଆପଣ ଏକ ଆତ୍ମନିର୍ଭର ଭାରତର ଏକ ଶକ୍ତିଶାଳୀ ଆଧାରଶୀଳା ପକାଉଛନ୍ତି। ସେଥିପାଇଁ ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ଟିମ୍କୁ ମୋର ଅଭିନନ୍ଦନ।
ଏହି ଉଦ୍ୟୋଗର ଯେଉଁସବୁ ବନ୍ଧୁମାନେ ଏଠାରେ ଉପସ୍ଥିତ ଅଛନ୍ତି, ସେମାନଙ୍କୁ ପୁଣି ଥରେ ପ୍ରତିଶ୍ରୁତି ଦେଉଛି ଯେ ମୁଁ ଆପଣମାନଙ୍କ ସହ ରହିଛି। ଦେଶର କଲ୍ୟାଣ ପାଇଁ ଆପଣମାନେ ଯଦି ଦୁଇପାଦ ଚାଲିବେ, ଆପଣମାନଙ୍କ ସହ ମୁଁ ଚାରିପାଦ ଚାଲିବାକୁ ପ୍ରସ୍ତୁତ। ଆସନ୍ତୁ ଏ ସୁଯୋଗ ହାତଛଡ଼ା କରିବା ନାହିଁ। ପୁଣି ଥରେ ଆପଣମାନଙ୍କୁ ଶୁଭେଚ୍ଛା।
ଧନ୍ୟବାଦ
Home ଓଡ଼ିଶା ବ୍ୟବସାୟିକ କୋଇଲା ଖଣି ଖନନ ପାଇଁ ନିଲାମ ବ୍ୟବସ୍ଥାର ଭର୍ଚୁଆଲ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ