Home Coronavirus Outbreak କୋଭିଡ-୧୯ ମୁକାବିଲାର ଭବିଷ୍ୟତ ଯୋଜନା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

କୋଭିଡ-୧୯ ମୁକାବିଲାର ଭବିଷ୍ୟତ ଯୋଜନା ନେଇ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

274

– ଲକଡାଉନର ସୁଫଳ ମିଳିଛି, ଗତ ଦେଢ଼ ମାସ ମଧ୍ୟରେ ହଜାର ହଜାର ଦେଶବାସୀଙ୍କ ଜୀବନ ରକ୍ଷା ହୋଇପାରିଛି: ପ୍ରଧାନମନ୍ତ୍ରୀ
– ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ଆମର ଲକ୍ଷ୍ୟ ହେବା ଜରୁରି
– “ଦୁଇ ଗଜ ଦୂରତା” ରକ୍ଷା କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
– ରେଡ ଜୋନକୁ ଅରେଞ୍ଜ ଜୋନରେ ଓ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ପରିବର୍ତ୍ତନ କରିବା ଲାଗି ରାଜ୍ୟମାନେ ଚେଷ୍ଟା କରିବା ଉଚିତ
– ଆମକୁ ନିର୍ଭୀକ ହୋଇ ସାଧାରଣ ନାଗରିକଙ୍କ ପାଇଁ ସଂସ୍କାର ଆଣିବାକୁ ପଡିବ
– ଏକ ସଂଗେ କୋଭିଡ-୧୯ ବିରୋଧରେ ସଂଗ୍ରାମ ଓ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ ଦେବାକୁ ପଡିବ
– ଆଗାମୀ କିଛି ମାସ କରୋନା ଭୂତାଣୁର ପ୍ରଭାବ ରହିବ, ତେଣୁ ମାସ୍କ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ହେବ
– ଆର୍ଥିକ ଆହ୍ୱାନର ମୁକାବିଲା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରସ୍ତାବ

ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କୋଭିଡ-୧୯ ମହାମାରୀର ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରିଛନ୍ତି। ଏହା ହେଉଛି ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଚତୁର୍ଥ ମତବିନିମୟ। ପୂର୍ବରୁ ମାର୍ଚ୍ଚ ୨୦, ଏପ୍ରିଲ ୨ ଓ ଏପ୍ରିଲ ୧୧ ତାରିଖ ଦିନ ସେ ଏହିପରି ମତବିନିମୟ କରିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଲକଡାଉନର ସୁଫଳ ଆମକୁ ମିଳିଛି ଓ ଏଥିଯୋଗୁ ଗତ ଦେଢ଼ ମାସ ମଧ୍ୟରେ ଆମେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇପାରିଛେ। ସେ କହିଛନ୍ତି ଯେ, ଭାରତର ଜନସଂଖ୍ୟା ଅନ୍ୟ କେତେକ ଦେଶର ମିଳିତ ଜନସଂଖ୍ୟା ସହ ସମାନ। ମାର୍ଚ୍ଚ ମାସ ଆରମ୍ଭରେ ଭାରତ ଅବସ୍ଥା ଅନ୍ୟାନ୍ୟ ଦେଶଗୁଡିକର ପରିସ୍ଥିତି ସହ ସମାନ ଥିଲା। ମାତ୍ର ସମୟୋଚିତ ପଦକ୍ଷେପ ଯୋଗୁ ଆମେ ଅନେକ ଲୋକଙ୍କୁ ନିରାପଦରେ ରଖି ପାରିଲୁ। ସେ ଆହୁରି କହିଛନ୍ତି ଯେ, ମହାମାରୀର ବିପଦ ଏବେ ବି ଟଳିନାହିଁ ଓ ନିରବଚ୍ଛିନ୍ନ ସତର୍କତା ରକ୍ଷା କରିବା ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ମଧ୍ୟରେ ଦୁଇଟି ଲକଡାଉନ ଦେଖି ସାରିଛି ଦେଶ ଓ ବିଭିନ୍ନ ଦୃଷ୍ଟିରୁ ଉଭୟ ଭିନ୍ନ ଧରଣର। ସେ କହିଛନ୍ତି ଯେ, ବିଶେଷଜ୍ଞମାନଙ୍କ ମତରେ କରୋନା ଭୂତାଣୁ ଆହୁରି କିଛି ମାସ ପର୍ଯ୍ୟନ୍ତ ରହିବ, ସେ ଦୃଷ୍ଟିରୁ “ଦୁଇ ଗଜ ଦୂରତା” ମନ୍ତ୍ର ସହ ମାସ୍କର ବ୍ୟବହାର ଆଗକୁ ଆମ ଜୀବନର ଏକ ଅଙ୍ଗ ଭାବେ ପରିଗଣିତ ହେବ। ସେ ଦୃଷ୍ଟିରୁ ସମସ୍ତଙ୍କ ଲକ୍ଷ୍ୟ ହେଉଛି ତ୍ୱରିତ କାର୍ଯ୍ୟାନୁଷ୍ଠାନ। ଅନେକ ଲୋକ କଫ ବା ଥଣ୍ଡା ଲକ୍ଷଣ ଥିଲେ ନିଜ ଆଡୁ ସେ ବିଷୟରେ ଜଣାଉଛନ୍ତି ତାହା ସ୍ୱାଗତଯୋଗ୍ୟ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମକୁ କୋଭିଡ-୧୯ର ମୁକାବିଲା କରିବା ସହ ଅର୍ଥନୀତି ଉପରେ ମଧ୍ୟ ଗୁରୁତ୍ୱାରୋପ କରିବାକୁ ପଡିବ। ସେ ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ୱ ଦେବା ସହ ସଂସ୍କାରଧର୍ମୀ ପଦକ୍ଷେପ ଉପରେ ମଧ୍ୟ ଜୋର ଦେଇଛନ୍ତି। କୋଭିଡ-୧୯ର ମୁକାବିଲା ପାଇଁ ଦେଶରେ ଅଧିକରୁ ଅଧିକ ଲୋକ ଆରୋଗ୍ୟ ସେତୁ ଆପକୁ ଡାଉନଲୋଡ କରିବାକୁ ପରାମର୍ଶ ଦେଇଛନ୍ତି। ଆମକୁ ସାହସୀ ହେବା ସହ ସାଧାରଣ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ସଂସ୍କାର ଆଣିବାକୁ ପଡିବ ବୋଲି ସେ କହିଛନ୍ତି। ବିଶ୍ୱବିଦ୍ୟାଳୟ ସହ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନେ ସେମାନଙ୍କର ଗବେଷଣା ଓ ଉଦ୍ଭାବନ କାର୍ଯ୍ୟକୁ ଅଧିକ ମଜବୁତ କରି ଏହି ମହାମାରୀର ମୁକାବିଲା ପାଇଁ ଉପାୟ ବାହାର କରିବାକୁ ପ୍ରସ୍ତାବ ଦେଇଛନ୍ତି।

ରାଜ୍ୟଗୁଡିକରେ ଥିବା ହଟସ୍ପଟ ବା ରେଡ ଜୋନ ଅଞ୍ଚଳଗୁଡିକୁ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରେଡ ଜୋନକୁ ଅରେଞ୍ଜ ଜୋନ ଓ ଅରେଞ୍ଜ ଜୋନକୁ ଗ୍ରୀନ ଜୋନରେ ପରିଣତ କରିବା ଉପରେ ରାଜ୍ୟମାନେ ଅଧିକ ଧ୍ୟାନକେନ୍ଦ୍ରୀତ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ବିଦେଶରେ ଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପ୍ରସଂଗରେ ସେ କହିଛନ୍ତି ଯେ, ସେମାନେ ଓ ସେମାନଙ୍କ ପରିବାରର ଭଲମନ୍ଦ ବିଚାରକୁ ନିଆଯାଇ ଏହି ପଦକ୍ଷେପ ନିଆଯିବ। ନିକଟରେ ମୌସୁମୀ ବର୍ଷାର ଆଗମନକୁ ଦୃଷ୍ଟିରେ ରଖି ଯେପରି ଲୋକମାନେ ଅନ୍ୟାନ୍ୟ ରୋଗରେ ସଂକ୍ରମିତ ନ ହୁଅନ୍ତି ତାହା ଉପରେ ନଜର ରଖିବାକୁ ସେ ମୁଖ୍ୟମନ୍ତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ଲକଡାଉନ ଯୋଗୁ ବହୁତ ଲୋକଙ୍କର ଜୀବନ ରକ୍ଷା ହୋଇପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ଏଭଳି ଜଟିଳ ପରିସ୍ଥିତିରେ ସଂକ୍ରମଣକୁ ରୋକିବା ଦିଗରେ ନିଆଯାଇଥିବା ପଦକ୍ଷେପ ଯୋଗୁ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ସେମାନେ ଆନ୍ତର୍ଜାତିକ ସୀମା ଉପରେ କଡା ନଜର ରଖିବା ସହ ଆର୍ଥିକ ଆହ୍ୱାନର ମୁକାବିଲା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଉପରେ ମତବ୍ୟକ୍ତ କରିଥିଲେ। କୋଭିଡ-୧୯ର ମୁକାବିଲା ଦିଗରେ ପୁଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଦୃଷ୍ଟାନ୍ତମୂଳକ କାର୍ଯ୍ୟ ପ୍ରତି ସେମାନେ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.