Odiapua.com

ଗ୍ରାଉଣ୍ଡ ଜିରୋରୁ ପାଟକୁରା – ୨

ସରିଲା ନିର୍ବାଚନ – ଘାତକ ହୋଇପାରନ୍ତି ବିଜେଡ଼ିର ତଳିଆ କର୍ମୀ
ପାଟକୁରା/ଭୁବନେଶ୍ୱର ୨୦-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ସରିଲା ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ। ଆସନ୍ତା ୨୪ ତାରିଖ ଦିନ ଘୋଷଣା ହେବ ଫଳାଫଳ। କାଲିଠାରୁ ଆରମ୍ଭ ହୋଇଯିବ ନିର୍ବାଚନୀ ଅଙ୍କକଷା। ଭୋଟ ଗଣତି ଶେଷ ପର୍ଯ୍ୟନ୍ତ ଫଳାଫଳ ଆକଳନ କରୁଥିଲା ବିଜେଡ଼ି, ଏକ ତରଫା ଭାବରେ ନିର୍ବାଚନ ବୈତରଣୀ ପାର ହେବ। ମାତ୍ର ପୂର୍ଣ୍ଣାଙ୍ଗ ମତଦାନ ପରେ ଯାହା ଚିତ୍ର ଦୃଷ୍ଟି ଗୋଚର ହୋଇଛି ସେଥିରୁ ସ୍ପଷ୍ଟ ଅନୁମେୟ ଦଳମତ ନିର୍ବିଶେଷରେ ଅନୁକମ୍ପା ମୂଳକ ଭୋଟ ହାତେଇବାରେ ବିଜେପି ପ୍ରତିନିଧି ବିଜୟ ମହାପାତ୍ର ସଫଳ ହୋଇପାରନ୍ତି। ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ମଧ୍ୟରୁ ଗରଦପୁର ବ୍ଲକ ଓ ମାର୍ଶାଘାଇ ବ୍ଲକରେ ଗତ ନିର୍ବାଚନରେ ବିଜେପି ଆଗୁଆ ଥିଲା। ଚଳିତ ନିର୍ବାଚନରେ ସେ ବ୍ୟବଧାନକୁ ହ୍ରାସ କରିବା ପାଇଁ ଶାସକ ବିଜେଡ଼ି କରିଥିଲା ଅପ୍ରାଣ ଉଦ୍ୟମ। ସାଧାରଣ ଭୋଟରଙ୍କ ମାନସିକତାକୁ ପାରୁପର୍ଯ୍ୟନ୍ତ ତର୍ଜମା କରାଯାଇଥିଲେ ମଧ୍ୟ ଏ ଦୁଇ ବ୍ଲକରୁ ବିଜେପି (ବିଜୟ ମହାପାତ୍ର) ନିଶ୍ଚିନ୍ତ ଅଗ୍ରଣୀ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଏହି ଦୁଇ ବ୍ଲକରୁ ବିଜେପି ଯଦି ସଂଖ୍ୟାଧିକ ଭୋଟରେ ଅଗ୍ରଣୀ ଲାଭ କରେ ତେବେ ବିଜେଡ଼ି ପାଇଁ କର ବା ମର ପରିସ୍ଥିତି ଆଶଙ୍କା ହେବାର ପରିସ୍ଥିତି ସୃଷ୍ଟି ହୋଇଛି। ବାକୀ ରହିଲା ଡେରାବିଶ୍ ବ୍ଲକ। ଏହି ବ୍ଲକ ଅନ୍ତର୍ଗତ ୨୬ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ଏହି ପ୍ରତିନିଧି ଜଣକ ୧୦ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଭୋଟରଙ୍କର ମତାମତକୁ ସଂଗ୍ରହ କରିଥିଲେ। ଯାହା ହୃଦୟଙ୍ଗମ କଲେ ସେଥିରୁ ସ୍ପଷ୍ଟ ଚିତ୍ର ହୃଦୟଙ୍ଗମ କଲେଯେ, ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେପି ଓ ବିଜେଡ଼ି ମଧ୍ୟରେ ଲଢେଇ ହେଉନାହିଁ। ଏଠି ଲଢ଼େଇ ହେଉଛି ଅନୁକମ୍ପାମୂଳକ ଲଢ଼େଇ। ବିଜେଡ଼ିର ଅନୁକମ୍ପା ହେଉଛନ୍ତି ସାବିତ୍ରୀ ଅଗ୍ରୱାଲ୍, ସ୍ୱର୍ଗତଃ ବେଦ୍ ପ୍ରକାଶ ଅଗ୍ରୱାଲଙ୍କର ଧର୍ମପତ୍ନୀ। ବିଜେପିର ଅନୁକମ୍ପା ହେଉଛନ୍ତି ବିଜୟ ମହାପାତ୍ର, ଯାହାକି ତାଙ୍କ ପାଇଁ ଶେଷ ଲଢ଼େଇ। ନିର୍ବାଚନର ଫଳାଫଳ ପାଟକୁରା ବାସୀଙ୍କ ହାତରେ। ଶାସକ ବିଜେଡ଼ି ଏହି ନିର୍ବାଚନକୁ ଜିତିବାର ସବୁପ୍ରକାର ଗାଣିତିକ ସଙ୍କେତ ସ୍ପଷ୍ଟ କରୁଛି। ମାତ୍ର ଆଜିର ମତଦାନପରେ ଯାହା ଖବର ହସ୍ତଗତ ହୋଇଛି ସେଥିରୁ ସ୍ପଷ୍ଟ ଅନୁମେୟ ୨୪ ତାରିଖର ଫଳାଫଳ କିଛି ବି ଘଟିପାରେ।

ଗ୍ରାଉଣ୍ଡ ଜିରୋରୁ ପାଟକୁରା

ରାଜନୀତିରେ ଲଭ୍, ସେକ୍ସ ଏଣ୍ଡ ଧୋକା