ad
ଜିଲ୍ଲା ପରିକ୍ରମା

ଏନଏଚ୍ କଡ଼ରେ ଅଟକୁଛି ବସ୍, ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

ରାଉରକେଲା ୨୨-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସହରରୁ ପ୍ରତିଦିନ ୫୦ରୁ ଉର୍ଦ୍ଧ ଦ୍ରୁତଗାମୀ ବସ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ବାଲେଶ୍ୱର, ପାରାଦୀପ, କେନ୍ଦ୍ରାପଡ଼ା ସମେତ ଅନ୍ୟ ଉପକୂଳବର୍ତି ଅଂଚଳକୁ ଚଳାଚଳ କରୁଛି। ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବସବାସ କରୁଛନ୍ତି ଉପକୂଳବର୍ତ୍ତୀ ଅଂଚଳର ବହୁ ବାସିନ୍ଦା। ସାଧାରଣତଃ ରଜପର୍ବ, ଦୁର୍ଗାପୂଜାରେ ରାଉରକେଲାରେ ବସବାସ କରୁଥିବା ଉପକୂଳବର୍ତ୍ତୀ ଅଂଚଳର ମୂଳବାସିନ୍ଦା ମାନେ ନିଜ ଗ୍ରାମକୁ ବୁଲିବାକୁ ବାହାରିଥାନ୍ତି। ସେହିପରି ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ସାରନଗରୀ ତଥା ଆଖପାଖ ଅଂଚଳର ଯାତ୍ରୀ ମାନେ ବସ ଦ୍ୱାରା କଟକ, ଭୁବନେଶ୍ୱର ଯାତ୍ରା କରିବା ଦେଖିବାକୁ ମିଳିଥାଏ। ରାଉରକେଲାରୁ ପ୍ରତିଦିନ ଛାଡୁଥିବା ଦ୍ରୁତଗାମୀ ବସ ଗୁଡ଼ିକ ରାଉରକେଲା ବସଷ୍ଟାଣ୍ଡରୁ ବାହାରି ପ୍ରଥମେ ଯାତ୍ରୀ ନେଇ ସେକ୍ଟର-୨ ବସଷ୍ଟାଣ୍ଡ ପହଂଚିବା ପରେ ସେଠାରେ ୧୦ରୁ ୧୫ ମିନିଟ ରହଣି ପରେ ବିଭିନ୍ନ ସେକ୍ଟରର ପ୍ରମୁଖ ଛକ, ଛେଣ୍ଡ, ଉଦିତନଗର, ଏସଟିଆଇ, ପାନପୋଷ ଦେଇ ଜାତୀୟ ରାଜପଥ-୧୪୩ ଅତିକ୍ରମ କରି ସର୍ବଶେଷରେ ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକ ନିକଟରେ ପହଂଚିଥାଏ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଯାତ୍ରୀ ମାନେ ଅତି ତରବରିଆ ଭାବେ ବସରେ ଚଢିବା ଦେଖିବାକୁ ମିଳେ, ଯାହାକି ବିପଦଜ୍ଜନକ। ଯାତ୍ରୀବାହୀ ବସ ଗୁଡ଼ିକ ଗୋଟିକ ପରେ ଗୋଟିଏ ପଛକୁ ପଛ ଛିଡ଼ା ହୋଇ ରହିବା ଦେଖିବାକୁ ମିଳେ। ସେହି ସମୟରେ ଜାତୀୟ ରାଜପଥ-୧୪୩ର ବୀପରିତ ପାଶ୍ୱର୍ରୁ ଦ୍ରୁତ ବେଗରେ ଭାରୀଯାନ ଗୁଡ଼ିକ ଚଳାଚଳ କରୁଥିବା ବେଳେ ଏହା ଯାତ୍ରୀଙ୍କ ଜୀବନ ପ୍ରତି ବିପଦକୁ ଆମନ୍ତ୍ରଣ କରିଥାଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାତ୍ରୀବାହୀ ବସ ଗୁଡ଼ିକ ଛିଡ଼ା ହେବା ଲାଗି ଆବଶ୍ୟକୀୟ ପାର୍କିଙ୍ଗ ନଥିବା କାରଣରୁ ଜାତୀୟ ରାଜପଥ କଡ଼ରେ ବସ ରଖି ଯାତ୍ରୀ ଉଠାଇବା ଦେଖିବାକୁ ମିଳେ। ଅପରପକ୍ଷରେ ସାରନଗରୀରେ ବସଷ୍ଟାଣ୍ଡ ଥିଲେ ସୁଦ୍ଧା କିଛି ହାତଗଣତି ଯାତ୍ରୀବାହୀ ବସ ବସଷ୍ଟାଣ୍ଡକୁ ଆସି ଯାତ୍ରୀ ଉଠାଇଥାନ୍ତି। ଅନ୍ୟବସ ଗୁଡ଼ିକ ସାରନଗରୀ ଅଂଚଳକୁ ଆସୁନଥିବାରୁ ଏଠାକାର ଯାତ୍ରୀ ମାନେ ବାଧ୍ୟହୋଇ ଜାତୀୟ ରାଜପଥ କଡ଼ରେ ବସକୁ ଅପେକ୍ଷା କରି ଶେଷରେ ବସରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଥାନ୍ତି। ବାରମ୍ବାର ଯାତ୍ରୀ ମହଲରୁ ସାରନଗରୀ ଅଂଚଳକୁ ସମସ୍ତ ବସ ରହଣି ପାଇଁ ଦାବି କରାଯାଉଥିଲେ ସୁଦ୍ଧା, ଆଜି ଯାଏ ତାହା ସମ୍ଭବପର ହୋଇପାରି ନାହିଁ ବୋଲି ସାରନଗରୀ ଅଂଚଳର ବାସିନ୍ଦାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ସାରନଗରୀ ଅଂଚଳର ବସଯାତ୍ରୀ ଏହି ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ, ଏହାର ପ୍ରତିକାର ବ୍ୟବସ୍ଥା ନିର୍ଦ୍ଧାରଣ କରିବାକୁ ବୁଦ୍ଧିଜିବୀ ମହଲରେ ମତପ୍ରକାଶ ପାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top