Home Top News ପୁଲିସର ନିଷ୍କ୍ରିୟତା ଯୋଗୁଁ ପରିହତ୍ୟା ରାଜନୀତି ବଢୁଛି

ପୁଲିସର ନିଷ୍କ୍ରିୟତା ଯୋଗୁଁ ପରିହତ୍ୟା ରାଜନୀତି ବଢୁଛି

29

ନୟାଗଡ଼, ୧୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ପୁଲିସର ନିଷ୍କ୍ରିୟତା ଯୋଗୁଁ ନୟାଗଡରେ଼ ପରିହତ୍ୟାର ରାଜନୀତି ବଢୁଥିବା ଅଭିଯୋଗ ହେଉଛି। ପରିହତ୍ୟାର ୪ମାସ ପରେ ଯଦି ପୁଲିସର ହାତ ଖାଲି ତେବେ ବିଭିନ୍ନ ବାଟ ଦେଇ ଅଙ୍ଗୁଳି ନିର୍ଦ୍ଦେଶ ତ ହେବ ହିଁ ହେବ। ପରିହତ୍ୟା ରାଜନୀତି ଆଉ ନୟାଗଡ଼ରେ ସୀମିତ ହୋଇ ରହିନଥିବାବେଳେ ଏହା ରାଜ୍ୟ ରାଜନୀତି ଓ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ପରିହତ୍ୟାକାରୀକୁ ଧରିବାରେ ଯେତେ ବିଳମ୍ବ ହେଉଛି ପରିହତ୍ୟା ରାଜନୀତି ସେତେ ବଢୁଥିବାବେଳେ ପରି ପରିବାରର ଦୁର୍ଦ୍ଦିନ ଅବସ୍ଥା ତା’ଠୁ ବି ଅଧିକ ଅସହ୍ୟ ହୋଇପଡ଼ିଛି। ପରି ପରିବାରରେ ୪ମାସ ହେଲାଣି ଠିକ୍‌ରେ ଚୁଳି ଜଳୁନି। ଉଚ୍ଚଶିକ୍ଷିତ ପରି ବାପା ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବାବେଳେ ପରିହତ୍ୟା ପରେ ସେମାନେ ଏବେ ଏମିତି ଛନ୍ଦି ହୋଇପଡ଼ିଛନ୍ତି ଯେ ରୋଜଗାର ନଥିବାରୁ ଭୋକ ଉପାସରେ ଦିନ କାଟୁଥିବା ଦେଖିବାକୁ ମିଳିଛି। ପରିବାପା’ମା କେମିତି ଅଛନ୍ତି, କେତେ ମାନସିକ ବିଷାଦରେ କାଳ କାଟୁଛନ୍ତି ସେଥିପ୍ରତି କାହାର ଟିକେବି ନିଘା ନଥିବାବେଳେ ପରିହତ୍ୟା ଏବେ ସାରା ରାଜ୍ୟରେ କିନ୍ତୁ ମୁଖ୍ୟ ରାଜନୀତିର କାରଣ ହୋଇଛି। ପରିବାପା’ମା ଏବେ ଦୁର୍ଦ୍ଦିନନରେ ରହି ନ୍ୟାୟ ମାଗୁଛନ୍ତି। ପୁଲିସର ନିଷ୍କ୍ରିୟତା ଯୋଗୁଁ ମୋତେ ନ୍ୟାୟ ମିଳୁନି ବୋଲି ସେମାନଙ୍କ ଅଭିଯୋଗ। ପରିହତ୍ୟା ଘଟଣାରେ ନୟାଗଡ଼ରେ ଏସଆଇଟି ଡେରା ପକାଇ ଖୋଳତାଡ଼ ଚଳାଇଛି। ଟିମ୍‌ର ମୁଖ୍ୟ ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଂଚ ଏସପି ଆର-କେ ଦୋରା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆର ସି ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଓ ମମତା ରାଣୀ ପ୍ରମୁଖ ପୁଲିସ ଅଧିକାରୀମାନେ ତଦନ୍ତ ପ୍ରକ୍ରିୟାକୁ ଜୋରସୋର ଚଳାଇଛନ୍ତି। ଏଥିସହିତ କ୍ରାଇମବ୍ରାଂଚର ୫ଜଣ ଅଧିକାରୀ ନୟାଗଡ଼ରେ ରହି ପରିହତ୍ୟାର ପ୍ରମାଣ ଖୋଜିବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ରାଜନୈତିକ ଦଳ କଂଗ୍ରେସ, ବିଜେପି ପରିଗାଁ ଯଦୁପୁରକୁ ଆସି ପରିହତ୍ୟା ଘଟଣାର ବିଭିନ୍ନ ଦିଗ ଉପରେ ପଚାରି ବୁଝିବାରେ ଲାଗିଛନ୍ତି। ବିଜେପି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଧାରଣା ସ୍ଥଳରେ ରାଜ୍ୟ ସ୍ତରର ବିଭିନ୍ନ ନେତୃବୃନ୍ଦ ଯୋଗଦାନ କରି ପରିବାରକୁ ନ୍ୟାୟ ମିଳିବା ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି। ପୁଲିସର ୪ମାସ ହେଲା ହାତବାନ୍ଧି ବସିଥିଲାବେଳେ ମାର ମାର ଭଣ୍ଡାରିଆକୁ ମାର ନୀତିରେ ପୁଲିସ ମହାନିର୍ଦ୍ଦେଶକ ନୟାଗଡ଼ ଏସ୍‌ଡିପିଓ ନୀରଞ୍ଜନ ପାଢୀଙ୍କୁ କନ୍ଧମାଳ ବଦଳି କରିଥିବାବେଳେ ଥାନାଧିକାରୀ ରିନାରାଣୀ ସାହୁଙ୍କୁ ବହିଷ୍କାର କରିଛନ୍ତି। ଯାହାକି ସାଧାରଣାରେ ଅସନ୍ତୋଷ ଆହୁରି ବଢିଛି। ତଳତଳିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲାବେଳେ ୪ମାସ ହେଲା ଏସ୍ ପି କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠିଛି। ପରିହତ୍ୟାର ଅପରାଧିକୁ ଧରିବାରେ ବିଳମ୍ବ ଯୋଗୁଁ ଏସ୍ ପି ମଧ୍ୟ ସମପରିମାଣରେ ଦାୟୀ ଯୋଗୁଁ ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି ସାଧାରଣରେ ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.