ଭୁବନେଶ୍ୱର, ୧୯।୫ (ଓଡ଼ିଆ ପୁଅ): ରାଜ୍ୟରେ ଆଜି ଆସିଛି ପୁଣି ଏକ ଦୁଃଖଦ ଖବର। ଆଜି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛିଛି। ମୃତକ ଜଣଙ୍କ ହେଲେ କଟକ ଜିଲାର ୭୫ ବର୍ଷୀୟ ବୃଦ୍ଧ। ସେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ଗତ ୧୭ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟଯେ, ଆଜି ସକାଳେ ରାଜ୍ୟରେ ପୁଣି ନୂଆ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୨୭୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୬୯୬ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମୋଟ ୫ ଜଣଙ୍କ ମୃତ୍ୟୁ ଘଟିଛି।
ତେବେ କରୋନାରେ ମୃତ୍ୟୁ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୨ ଜଣ ଖୋର୍ଦ୍ଧା ଏବଂ ଆଉ ୨ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବାର ବେଳେ କଟକ ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ହୋଇଛି।