Home Top News ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ: ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ: ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଲୋଚନା

17

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସରକାରଙ୍କ ଅପାରଗତା ଓ ନିଷ୍କ୍ରିୟତା ସଂପର୍କରେ ଆଲୋଚନା ହେବା ସହ ଆଗାମୀ ଦିନରେ ବିଜେପିର ରୋଡ୍ ମ୍ୟାପକୁ ନେଇ ବ୍ୟାପକ ଆଲୋଚନା ହୋଇଥିଲା। ରାଜ୍ୟ ପଦାଧିକାରୀ ବୈଠକରେ ଆଗତ ହୋଇଥିବା ସମସ୍ତ ପ୍ରସଙ୍ଗରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ପାରିତ କରାଯାଇଅଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂହ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକାରିଣୀ ଉଦଘାଟନ ଅବସରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ବନ୍ଦେ ମାତରଂ ଗାନ କରାଯାଇଥିଲା। ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ରାଜ୍ୟ ଉପସଭାପତି ତଥା ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଶୋକ ପ୍ରସ୍ତାବ ଆଗତ କରିଥିଲେ ଏବଂ ପ୍ରାଣ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ଗ୍ରହଣ କରାଯାଇଥିବା ନିଷ୍ପତି ଏବଂ ପଦକ୍ଷେପ ପ୍ରସଙ୍ଗ ସମେତ ବର୍ତ୍ତମାନ ସୁଦ୍ଧା ଜାରୀ ରହିଥିବା ଦଳୀୟ କାର୍ଯ୍ୟକ୍ରମ ପ୍ରସଙ୍ଗରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କାର୍ଯ୍ୟକାରିଣୀ ବୈଠକରେ ଉପସ୍ଥାପନା କରିଥିଲେ।
ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିପର୍ଯ୍ୟସ୍ତ, କିନ୍ତୁ ହେଲ୍‌ଥ ସ୍ମାର୍ଟ ବଣ୍ଟନ କରାଯାଉଛି। କୋଟି କୋଟି ଟଙ୍କାର ରାଜସ୍ୱ ଖର୍ଚ୍ଚ କରି ହେଲ୍‌ଥ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି। ମଞ୍ଚରେ ବସି ରହି ନିଜ ଭାଷଣର ଭିଡିଓକୁ ନିଜେ ଦେଖି ତାଳି ମଧ୍ୟ ମାରୁଛନ୍ତି। ଅନ୍ୟ ପଟେ ଭୋଟ ଦେଇ ତାଙ୍କୁ ଶାସନ କ୍ଷମତାର ଡୋରୀ ଦେଇଥିବା ରାଜ୍ୟବାସୀଙ୍କ ପ୍ରଶ୍ନର ଉତ୍ତର ଜବାବ୍ ଦେଉନାହାନ୍ତି। ବିଭିନ୍ନ ସ୍ଥାନ ବୁଲୁଛନ୍ତି, କିନ୍ତୁ କିଛି କହୁନାହାନ୍ତି। ଏପରିକି ବିଧାନସଭା ଓ ଲୋକସେବା ଭବନକୁ ମଧ୍ୟ ଯାଉନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ରହିଛନ୍ତି? ମୁଖ୍ୟମନ୍ତ୍ରୀଙ୍କ ପାଟିରେ କିଏ ତାଲା ପକାଇଛି ବୋଲି କାର୍ଯ୍ୟକାରିଣୀକୁ ସମ୍ବୋଧନ ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି। କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ସୂଚନା ଦେଇ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, “ବିଜେଡି ଶାସନରେ ମହିଳା ଶିଶୁ ବିପଦରେ” ଏ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପରୀ ହତ୍ୟାକାଣ୍ଡରେ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ଏସିଏଫ ସୈାମ୍ୟରଂଜନ ମୃତ୍ୟୁ ପ୍ରସଙ୍ଗରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ସଂପୃକ୍ତି ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ନୀରବ। ସବୁ ଦଙ୍ଗାରେ ସମ୍ପୃକ୍ତି ଥିବା ସସ୍ମିତ ପାତ୍ରଙ୍କୁ ଦଳ ଆପଣେଇ ନେଇଛି। ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ନ କରିଛନ୍ତି ଓ ସିବିଆଇକୁ ତଦନ୍ତ ହସ୍ତାନ୍ତର ନ କରିଛନ୍ତି, ସେ ପର୍ଯ୍ୟନ୍ତ ବିଜେପି ଆନ୍ଦୋଳନ କରିବା ନେଇ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ କେବଳ ମହିଳା ନୁହଁନ୍ତି ଶିଶୁମାନେ ମଧ୍ୟ ବିପଦରେ। ଗତ ୫ ବର୍ଷରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏନସିଆରବି ରିପୋର୍ଟ ତଥ୍ୟ ଅନୁସାରେ ରାଜ୍ୟରେ ମହିଳା ହିଂସା ଓ ନିର୍ଯ୍ୟାତନା ସର୍ବ ଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଦଣ୍ଡବିଧାନ ହାର ଅତ୍ୟନ୍ତ ନଗଣ୍ୟ। ଅପରାଧୀଙ୍କ ଚରା ଭୂଇଁ ପାଲଟିଛି ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ପୋଲିସ ଉପରୁ ଲୋକଙ୍କର ବିଶ୍ୱାସ ଉଠିଗଲାଣି। ତଥାପି ମୁଖ୍ୟମନ୍ତ୍ରୀ ନିରବ। ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ କାର୍ଯ୍ୟକାରିଣୀ କ୍ଷୋଭ ପ୍ରକାଶ କରିଛି। ସରକାରୀ ଅର୍ଥରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ମୁଖ୍ୟମନ୍ତ୍ରୀ କେବେ ବିଧାନସଭା ଆସିବେ ତାହା ଘୋଷଣା କରିବାକୁ କାର୍ଯ୍ୟକାରିଣୀ ଦାବି କରିଛି। ଚାଷୀଙ୍କୁ ଏମ୍‌ଏସପିର ମୂଲ୍ୟ ମିଳୁନାହିଁ। ଆଗକୁ ଧାନମଣ୍ଡି କାର୍ଯ୍ୟକ୍ରମକୁ ନେଇ ଲୋକଙ୍କ ପାଖକୁ ଯିବ। ସେହିପରି ରାଜ୍ୟରେ ଚାଲିଥିବା ବ୍ୟାପକ ପିସି କାରବାର ଓ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ରାଜ୍ୟ ସରକାରଙ୍କୁ ଦୃଢ଼ ନିନ୍ଦା କରିବା ସହ ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶା ପ୍ରତି ଥିବା ସହାୟତା ସ୍ୱରୂପ ପ୍ରଧାନମନ୍ତ୍ରୀ ଅନ୍ନଦାତା ଯୋଜନାରେ ଲୋକଙ୍କୁ ଅନ୍ନ ଯୋଗାଇଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ପ୍ରତି ଅବଦାନ ଓ ଗରିବ କଲ୍ୟାଣ ଯୋଜନାରେ ଓଡିଶାକୁ ସହାୟତା ନେଇ ଧନ୍ୟବାଦ ଅର୍ପଣ କରାଯାଇଥିଲା ବୋଲି ଗୋଲକ ସୂଚନା ଦେଇ କହିଛନ୍ତି।
ରାଜ୍ୟ କାର୍ଯ୍ୟକାରିଣୀରେ ଆଗତ ହୋଇଥିବା ରାଜନୈତିକ ଚିଠା ପ୍ରସ୍ତାବ ପ୍ରସଙ୍ଗକୁ ନେଇ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ସରକାର ମାଗିବା ଠାରୁ ଅଧିକ ଅର୍ଥ ଦେଉଛନ୍ତି ମୋଦି ସରକାର। ରାଜ୍ୟରେ କେନ୍ଦ୍ରୀୟ ଅବହେଳାର ନାରା ବନ୍ଦ ହୋଇଯାଇଛି। ରାଜ୍ୟର ବିକାଶ କେନ୍ଦ୍ର ସରକାରଙ୍କ ଟଙ୍କାରେ ଚାଲିଛି। ମୁଷ୍ଟିମେୟ ଅଫିସରଙ୍କ ନିର୍ଦ୍ଦେଶରେ ଅପରାଧୀଙ୍କୁ ଖସାଉଛି ଓଡିଶା ପୋଲିସ। ଆଇନ ମନ୍ତ୍ରୀ କ୍ରାଇମ କରୁଛନ୍ତି, ଯାହା ଲୋକଙ୍କୁ ଚିନ୍ତିତ କରୁଛି। ଏହାକୁ କାର୍ଯ୍ୟକାରିଣୀ ଗମ୍ଭୀରତାର ସହ ନେଇ ଆଇନକୁ ତା ବାଟରେ ଚାଲିବାକୁ ଦିଆଯାଉ ବୋଲି ପ୍ରସ୍ତାବ ପାରିତ ହୋଇଛି। ଚିଟ୍ ଫଣ୍ଡ ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଟଙ୍କା ଫେରାଇବା ପାଇଁ କ’ଣ ପଦକ୍ଷେପ ସରକାର ନେଇଛନ୍ତି ତାହା ଜଣାନ୍ତୁ। ଦମ୍ ଅଛି ଯଦି ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରି ସିବିଆଇକୁ ତଦନ୍ତ ଭାର ଦିଆଯାଉ। ବିଜୁଳି ବୃଦ୍ଧିକୁ ନେଇ ଆଗକୁ ଲୋକଙ୍କ ପାଖକୁ ଯିବୁ। ରାଜ୍ୟରେ ପଛୁଆ ବର୍ଗକୁ ଅବହେଳା କରୁଛନ୍ତି ରାଜ୍ୟ ସରକାର। ମୁଖ୍ୟ ବିରୋଧି ଦଳ ଭାବେ ଭାରତୀୟ ଜନତାପାର୍ଟି ଦାୟିତ୍ୱ ନିର୍ବାହ କରିବ ବୋଲି ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ କହିଛନ୍ତି।
ପଞ୍ଚାୟତିରାଜ ଯୋଜନାରେ ବ୍ୟାପକ ଅର୍ଥ ହରିଲୁଟ ହେଉଛି। ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ବହୁ ପରିମାଣର ଅର୍ଥ ଓଡ଼ିଶା ରାଜ୍ୟକୁ ଦେଉଛନ୍ତି। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ପ୍ରସଙ୍ଗକୁ ମାଧ୍ୟମ କରିବ ବିଜେପି। ଡିଏମଏଫ, ଓଏମବିଏଡିସି ଫଣ୍ଡ ହେରଫେର, ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଅର୍ଥକୁ ଅପବ୍ୟବହାର, ଧାନ କିଣାରେ ଅବ୍ୟବସ୍ଥିତ ଟୋକନ ବ୍ୟବସ୍ଥା, ମ୍ୟୁନିସିପାଲଟିରେ ହେଉଥିବା ଦୁର୍ନୀତି ନେଇ ମଧ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି। ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ବିଜେପି। କାର୍ଯ୍ୟକାରିଣୀରେ ଏ ପ୍ରସଙ୍ଗକୁ ଉପସ୍ଥାପନା କରାଯାଇଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇ କହିଛନ୍ତି। ‘ସେବା ହି ସଂଗଠନ’କୁ ମୁଳମନ୍ତ୍ର କରି ବିଜେପି କାର୍ଯ୍ୟକର୍ତ୍ତା ମାନେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତ ଗଠନର ସ୍ୱପ୍ନକୁ ପୁରଣ କରିବା ପାଇଁ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିଷ୍ଠାର ସହ କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କାର୍ଯ୍ୟକାରିଣୀକୁ ଆହ୍ୱାନ ଜଣାଇଛନ୍ତି। ରାଜ୍ୟରେ ସମସ୍ତ ଘରକୁ ଘର ଯାଇ ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଓ ଗରୀବକଲ୍ୟାଣ ଯୋଜନାକୁ ତୃଣମୁଳ ସ୍ତରରେ ଘରେ ଘରେ ପହଞ୍ଚାଇବାକୁ ପୁରନ୍ଦେଶ୍ୱରୀ ପରାମର୍ଶ ଦେଇଛନ୍ତି। ଆମ ସମସ୍ତଙ୍କୁ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟବାସୀଙ୍କ ଆହୁରି ଅଧିକ ଆସ୍ଥା ଭାଜନ ହେବା। ସର୍ବବ୍ୟାପୀ ହୋଇଥିବା ଭାରତୀୟ ଜନତା ପାର୍ଟୀକୁ ସର୍ବସ୍ପର୍ଶୀ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଆହ୍ୱାନ ଦେଇଛନ୍ତି।

କରୋନା ମହାମାରୀର ସଫଳ ପରିଚାଳନା କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାରତବାସୀଙ୍କୁ ସୁରକ୍ଷିତ କରିଛନ୍ତି। ବିଜେପି ରାଷ୍ଟ୍ର ସେବାକୁ ସର୍ବଦା ପ୍ରାଥମିକତା ଦେଇଥାଏ। ମହାତ୍ମା ଗାନ୍ଧୀଙ୍କ ଗ୍ରାମ୍ୟ ଅର୍ଥନୀତିକୁ ଅଗ୍ରାଧିକାର ଦେଇ ଭାରତୀୟ ଅର୍ଥନୀତିକୁ ଆଗେଇ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଭାରତୀୟ ଜନତା ପାର୍ଟୀ ଅନ୍ୟ ରାଜନୈତିକ ଦଳଠାରୁ ସଂପୂର୍ଣ୍ଣ ଭିନ୍ନ।ମୋଦି ସରକାରଙ୍କ ଗରୀବ କଲ୍ୟାଣ ଯୋଜନା, କୃଷି କଲ୍ୟାଣ ଯୋଜନାକୁ ରାଜ୍ୟର ପ୍ରତିଟି ବ୍ୟକ୍ତି ପାଖକୁ ପହଞ୍ଚାଇଇବା ହେଉଛି ଆମର ପ୍ରମୁଖ ଦାୟିତ୍ୱ। ଆଗାମୀ ପଞ୍ଚାୟତ ନିର୍ବାଚନ ଓଡ଼ିଶାରେ ରାଜ୍ୟ ସରକାରର ପରିବର୍ତ୍ତନର ମୁଳଦୁଆ ପକାଇବ ବୋଲି ରାଜ୍ୟ ସହପ୍ରଭାରୀ ବିଜୟ ପାଲ୍ ସିଂହ ତୋମାର କହିଛନ୍ତି। କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ରାଜନୈତିକ ଚିଠା ଆଗତ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସମର୍ଥନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରସ୍ତାବ ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି ଆଗତ କରିଥିବାବେଳେ ସାଂସଦ ଜୁଏଲ ଓରାମ ସମର୍ଥନ ଜଣାଇଥିଲେ। ଆସନ୍ତା ୨୦୨୨ ମସିହାରେ ରାଜ୍ୟରେ ପଞ୍ଚାୟତ ଓ ପୈାର ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରସଙ୍ଗରେ ରାଜ୍ୟ ସାଧାରଣ ସମ୍ପାଦକ ରବି ନାଏକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ସୁଦର୍ଶନ ନାୟକ ପ୍ରମୁଖ ବିସ୍ତୃତ ଆଲୋଚନା କରିଥିଲେ। ସାଙ୍ଗଠନିକ ବିଷୟ ଓ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ କୁମାର ମହାନ୍ତି କାର୍ଯ୍ୟକାରିଣୀକୁ ଅବଗତ କରାଇଥିଲେ। ଶେଷରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।
/-DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.