Home ଓଡ଼ିଶା ନୂଆ ଓଡ଼ିଶାର ଧର୍ମପଦ: ବଳି ପଡ଼ିବେ କି ଧର୍ମେନ୍ଦ୍ର ?

ନୂଆ ଓଡ଼ିଶାର ଧର୍ମପଦ: ବଳି ପଡ଼ିବେ କି ଧର୍ମେନ୍ଦ୍ର ?

207

ଭୁବନେଶ୍ୱର: ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନ ରେଜଲ୍ଟ୍ ପରେ ବିଜେପିର ପରାଜୟକୁ ନେଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରବଳ ଟ୍ରୋଲର ଶିକାର ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି କେହି କେହି ବିଜେଡିର ବିଜୟର ସମସ୍ତ ଶ୍ରେୟ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଯାଉଛି କହି ତାଙ୍କୁ ଧନ୍ୟବାଦ ଜଣାଇ କଟାକ୍ଷ କରି ଲେଖୁଛନ୍ତି। ତେବେ, ଏପରି କାହିଁକି, ରାଜନୀତିରେ ଲଢ଼େଇ ଏକ ସାମୂହିକ ଲଢ଼େଇ। ବିଜୟର ଶ୍ରେୟ ଯେପରି ସାମୂହିକ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ଯିବ, ପରାଜୟର ଦୋଷ ମଧ୍ୟ ସେହିପରି ସାମୂହିକ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତାଙ୍କ ଉପରେ ଯିବ। କିନ୍ତୁ, କେବଳ ଜଣଙ୍କ ମୁଣ୍ଡରେ ଦୋଷ ଲଦି ଦେବାର କାରଣ କ’ଣ। ବିହାର ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିଛି। ଏନଡିଏର ସଫଳତା ପଛରେ ଜେଡିୟୁ ଅପେକ୍ଷା ବିଜେପିର ବଡ଼ ଭୂମିକା ରହିଛି। ସାରା ଭାରତରେ ବିଭିନ୍ନ ରାଜ୍ୟ ଗୁଡ଼ିକରେ ହୋଇଥିବା ଉପ ନିର୍ବାଚନରେ ବିଜେପି ଭଲ ସଫଳତା ପାଇଛି। କିନ୍ତୁ, ଓଡ଼ିଶାରେ ବିଜେପି ଚିତପଟାଙ୍ଗ ମାରିଛି। ତିର୍ତ୍ତୋଲରେ ବିଜେପିର ଶୋଚନୀୟ ପରାଜୟ ହୋଇଛି। ବାଲେଶ୍ଵର ସଦର ଉପ- ନିର୍ବାଚନରେ ବିଜେପି ହାତରୁ ଆସନଟି ବିଜେଡି ଛଡ଼ାଇ ନେଇଛି। ନବୀନ ପଟ୍ଟନାୟକଙ୍କ ଅତୁଟ ଲୋକପ୍ରିୟତା କିମ୍ବା ବିଜେଡିର ଦୃଢ଼ ସଙ୍ଗଠନ ଏବଂ ସଫଳ ରଣନୀତି ଯୋଗୁଁ ବିଜେଡି ଏହି ସଫଳତା ପାଇଛି, ନାଁ ବିଜେପିର ଦୁର୍ବଳ ସଙ୍ଗଠନ, ବିଫଳ ରଣନୀତି ଯୋଗୁଁ ତାର ପରାଜୟ ହୋଇଛି ତାର ତର୍ଜମା କରିବା ଆବଶ୍ୟକ। କିନ୍ତୁ, କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ଦାୟୀ କରିବାର କାରଣ ଅବା କ’ଣ। ଏମିତିରେ ବାଲେଶ୍ଵରର ସାଂସଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଅଛନ୍ତି, ରାଜ୍ୟ ସଭାପତି ସମୀର ମହାନ୍ତି ଅଛନ୍ତି। ସେମାନଙ୍କୁ ମଧ୍ୟ ସବୁ ଯେତିକି ଦୋଷାରୋପ କରାଯିବା କଥା ସେପରି କରାନଯାଇ କେବଳ ଧର୍ମେନ୍ଦ୍ର ପ୍ରଧାନଙ୍କ ପଛରେ ସମସ୍ତେ ପଡ଼ି ଯାଇଛନ୍ତି କାହିଁକି।

ଓଡ଼ିଶା ବିଜେପିରେ ଗୋଲକ ଧନ୍ଦା –
ରାଜ୍ୟ ବିଜେପିର ମୁଖିଆ ହେଲେ ସମୀର ମହାନ୍ତି। ସଫଳତାର ଅଧିକ ଶ୍ରେୟ ତାଙ୍କ ଉପରେ ଏବଂ ବିଫଳତାର ଅଧିକ ଦୋଷ ମଧ୍ୟ ତାଙ୍କ ଉପରେ ଯିବା କଥା। କିନ୍ତୁ, ସେପରି ହେଉ ନାହିଁ। କାରଣ ସେ ସିନା ସଭାପତି, କିନ୍ତୁ ତାଙ୍କୁ ରବର ଷ୍ଟାମ୍ପ ସଭାପତି ବୋଲି କୁହାଯାଉଛି। ସେ କେବଳ ଆଦେଶ ପାଳନ କରୁଛନ୍ତି। ଦଳ ଭିତରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଭାଉ ସମୀର ମହାନ୍ତିଙ୍କ ଠାରୁ କାହିଁ କେତେ ଅଧିକ। ଗୋଲକଙ୍କୁ ରାଜ୍ୟ ବିଜେପିର ଅଘୋଷିତ କାର୍ଯ୍ୟକାରୀ ସଭାପତି ବୋଲି କୁହାଯାଉଛି। ଓଡ଼ିଶା ବିଜେପିରେ ଯାହା କିଛି ହୁଏ ସବୁ ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ହିଁ ହୁଏ। ଧର୍ମେନ୍ଦ୍ରଙ୍କ ବିନା ଇସାରାରେ ଦଳରେ ପତ୍ରଟିଏ ବି ହଲେନି। ଟିକେଟ ବଣ୍ଟନ ଠାରୁ ଦଳରେ କିଏ କେଉଁ ପଦବୀରେ ରହିବେ ସବୁ ଧର୍ମେନ୍ଦ୍ରଙ୍କ ଅନୁଯାୟୀ ହୁଏ। ଓଡ଼ିଶା ବିଜେପି ମାନେ ଧର୍ମେନ୍ଦ୍ର ପ୍ରଧାନ ବୋଲି କୁହାଯାଏ। ଏବେ ଦୁଇ ଉପ ନିର୍ବାଚନରେ ବିଫଳତା ପରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଦଳ ଭିତରେ ଏକ ଆକ୍ରୋଶ ବଢ଼ିଛି। ଏହିପରି ଥରେ ଆକ୍ରୋଶ ଦେଖା ଦେଇଥିଲା ବିଜେପୁର ଉପ ନିର୍ବାଚନ ପରେ। ତେବେ ସେବେଠାରୁ ଏବର ଆକ୍ରୋଶ କାହିଁ କେତେ ଗୁଣାରେ ବଢ଼ିଯାଇଛି। କିଏ ଓଡ଼ିଶାରେ ବିଜେପିର ବିଫଳତା ପାଇଁ ଧର୍ମେନ୍ଦ୍ରଙ୍କୁ ଦାୟୀ କରୁଛି ତ’ କିଏ ଧର୍ମେନ୍ଦ୍ର ହଟାଅ ବିଜେପି ବଞ୍ଚାଅ ବୋଲି କହୁଛି। କିଏ କିଏ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୃହଶତୃ ବିଭୀଷଣ ଏବଂ ଗଦ୍ଦାର ଜୟଚନ୍ଦ୍ର ସହିତ ତୁଳନା କରୁଛି। ଧର୍ମେନ୍ଦ୍ର ଥିଲା ଯାଏଁ ଓଡ଼ିଶାରେ ବିଜେପିର ସଫଳତା ଅସମ୍ଭବ ବୋଲି କୁହାଯାଉଛି। ଯେପରି ମୋଦିଙ୍କ ସଫଳତା ପାଇଁ ରାହୁଲ ଗାନ୍ଧୀଙ୍କ ବଡ଼ ଭୂମିକା ରହିଛି ବୋଲି କୁହାଯାଉଛି, ସେହିପରି ନବୀନଙ୍କ ସଫଳତା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଭୂମିକା ରହିଛି ବୋଲି କୁହାଯାଉଛି। ବିଜେପି ପଛେ ରସା ତଳକୁ ଯାଉ ନବୀନ ପଟ୍ଟନାୟକଙ୍କ ପରେ ସଲାସୂତରା କରି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହେବା ଚକ୍କରରେ ଅଛନ୍ତି ବୋଲି କୁହାଯାଉଛି।

ସମାଲୋଚକଙ୍କ ଅପେକ୍ଷା ଅଧିକ ଘାତକ ସାଜିଛନ୍ତି ଚାଟୁକାର –
ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏହିପରି ସବୁ ଅନେକ ଗୁଡ଼ିଏ ଆକ୍ଷେପ ଷଡ଼ଯନ୍ତ୍ର ରୂପେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଟିମ୍ ପକ୍ଷରୁ କରାଯାଉଛି ବୋଲି କୁହାଯାଉଛି। ଧର୍ମେନ୍ଦ୍ରଙ୍କୁ ନୀଚା ଦେଖାଇ ଅପରାଜିତାଙ୍କୁ ଉପରକୁ ଉଠାଇବାକୁ, ଓଡ଼ିଶା ବିଜେପିର ଚେହେରା ରୂପେ ଦେଖାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଉଛି ବୋଲି କୁହାଯାଉଛି। ହୁଏତ ଏପରି ଅଭିଯୋଗର ସତ୍ୟତା ଥାଇପାରେ। କିନ୍ତୁ ଏହା ବ୍ୟତୀତ ଅପରାଜିତାଙ୍କୁ ସମର୍ଥନ କରିବା ଉଦ୍ଦେଶ୍ୟରେ ନୁହେଁ, ବାସ୍ତବରେ ବିଜେପିକୁ ଭଲ ପାଉଥିବା ତୃଣମୂଳ ସ୍ତରର ଅନେକ କାର୍ଯ୍ୟକର୍ତ୍ତା ଧର୍ମେନ୍ଦ୍ର ଏବଂ ତାଙ୍କର ଗୋଷ୍ଠୀଙ୍କ ଆଚରଣରେ ଅତିଷ୍ଠ ହୋଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଏପରି ଅଭିଯୋଗ ଆଣୁଛନ୍ତି। ଧର୍ମେନ୍ଦ୍ରଙ୍କ ଚାଟୁକାରଙ୍କ ଯୋଗୁଁ ହିଁ ଧର୍ମେନ୍ଦ୍ରଙ୍କ ଅଧିକ କ୍ଷତି ହେଉଛି। ବାସ୍ତବ ସ୍ଥିତି ଉପରେ ଅନୁଧ୍ୟାନ କଲେ ଦେଖାଯାଉଛି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରୁଥିବା ଲୋକଙ୍କ ଠାରୁ ତାଙ୍କ ପାଇଁ ଅଧିକ ଘାତକ ସାଜିଛନ୍ତି ତାଙ୍କ ଚାଟୁକାର। ଦଳ ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ଗୁଡ଼ିଏ ଚାଟୁକାର ଅଛନ୍ତି, ବାସ୍ତବରେ ସେମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଲ ଯେତିକି ଚାହାଁନ୍ତି ନାହିଁ, ବରଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ଭଲେଇ ହେବା ପାଇଁ ଅଧିକ ଚାହାଁନ୍ତି। ଏହିପରି ଏକ ଗୋଷ୍ଠୀ ଅଛନ୍ତି, କିଏ କେତେ ମନ୍ତ୍ରୀଙ୍କ ଚାଟୁକାରୀ କରି, ମୁଁ ମନ୍ତ୍ରୀ (ଡିପି)ଙ୍କ ପାଖ ଲୋକ ବୋଲି ପ୍ରତିପାଦନ କରିବାକୁ ସେମାନଙ୍କ ଭିତରେ ଚାଲିଛି ଏକ ରୀତିମତ ଲଢ଼େଇ। ସେହିମାନେ ହିଁ ଧର୍ମେନ୍ଦ୍ରଙ୍କୁ ଏତେ ଉପରକୁ ଟେକନ୍ତି ଯେ ତାଙ୍କୁ ପୂରା ତଳେ ପକେଇ ଦିଅନ୍ତି। ଏହାର ଅନେକ ଉଦାହରଣ ରହିଛି। ଯେପରିକି ତିର୍ତ୍ତୋଲ ଉପ ନିର୍ବାଚନରେ ଏହିପରି କିଛି ଦେଖିବାକୁ ମିଳିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ ଲୋକ ସାରଦା ଓରଫ ବୁଲୁ ପ୍ରଧାନଙ୍କୁ ଧର୍ମେନ୍ଦ୍ର ତିର୍ତ୍ତୋଲ ଉପ ନିର୍ବାଚନର ପ୍ରମୂଖ ସ୍ତମ୍ଭ କରି ସଜାଇ ଦେଲେ। ବାସ୍ ଏହାପରେ ବୁଲୁ ପ୍ରଧାନ କେବଳ ଜଣେ ନାରୀ ନେତ୍ରୀ ଯାଜ୍ଞସେନୀ ଜେନାଙ୍କୁ ଗୁରୁତ୍ୱ ଦେଇ ବାକି ପ୍ରାୟ ସମସ୍ତଙ୍କୁ କଲେ ଅଣଦେଖା। ଏହି ଦୁଇ ନେତାନେତ୍ରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଅନେକ ନିର୍ବାଚନ ପ୍ରଚାର କାର୍ଯ୍ୟରୁ ଦୂରେଇ ରହିଲେ ବା କହିବାକୁ ଗଲେ ଏମାନଙ୍କୁ ଦୂରେଇ ରହିବାକୁ ବାଧ୍ୟ କରାଗଲା। ସେମାନଙ୍କ ମଧ୍ୟରେ ଅନେକ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥକ ମଧ୍ୟ ଅଛନ୍ତି। କେବଳ ଏହି ଦୁଇ ଜଣଙ୍କ ଆଚରଣ ଯୋଗୁଁ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରୁଥିବା ଅନେକ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଧର୍ମେନ୍ଦ୍ରଙ୍କ ପ୍ରତି ହେଲେ ଅସନ୍ତୁଷ୍ଟ। ସୂଚନାଯୋଗ୍ୟ ଯେ ଦଳ ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସର୍ଟକର୍ଟରେ ‘ଡିପି’ ବୋଲି କୁହାଯାଏ। ଆଉ, ଡିପିଙ୍କ ଲୋକର ଖୋଳ ପିନ୍ଧି, ମନ୍ତ୍ରୀ ଚାହୁଁଛନ୍ତି କହି ଅନେକ ଚାଟୁକାର ଅନ୍ୟ ମାନଙ୍କୁ ଏପରି ବ୍ୟବହାର କରନ୍ତି ବା କିଛି କୁହନ୍ତି, ଯାହାକୁ ନେଇ ବାସ୍ତବରେ ବିଜେପିକୁ ଏବଂ ଧର୍ମେନ୍ଦ୍ରଙ୍କୁ ଭଲ ପାଉଥିବା ଲୋକ ଧର୍ମେନ୍ଦ୍ରଙ୍କୁ ହିଁ ଖରାପ ଭାବନ୍ତି। ଧର୍ମେନ୍ଦ୍ରଙ୍କ ଅଜାଣତରେ ତାଙ୍କର ବହୁତ କ୍ଷତି ହୋଇଯାଏ।

ଧର୍ମେନ୍ଦ୍ର ମାନେ ବିଜେପି, ବିଜେପି ମାନେ ଧର୍ମେନ୍ଦ୍ର –
ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାରୀ କରିବା ଉଦ୍ଦେଶ୍ୟରେ ଦଳ ଭିତରେ ଏକ ଚାଟୁକାର ମୋର୍ଚ୍ଚା ଅଛନ୍ତି। ଯେଉଁମାନେ ବିଜେପି ଆଜି ବିରୋଧୀ ଦଳ ଭୂମିକାକୁ ଆସିବା ଠାରୁ ଆରମ୍ଭ କରି ଯେତେସବୁ ସାଂସଦ ଏବଂ ବିଧାୟକ ଜିତିବା ଆଦିର ସବୁ ଶ୍ରେୟ ଧର୍ମେନ୍ଦ୍ରଙ୍କୁ ଦିଅନ୍ତି। ଯେତେବେଳେ କି ଧର୍ମେନ୍ଦ୍ର ନିଜେ ଲଢୁନାହାଁନ୍ତି କି, ଜିତୁ ନାହାଁନ୍ତି। ଏକଦା ନିଜର କ୍ଷେତ୍ର ଥିବା ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ବି ଆସନ ଜିତାଇ ପାରି ନାହାଁନ୍ତି। ଏମାନେ କିନ୍ତୁ ଓଡ଼ିଶାରୁ କିଏ ରାଜ୍ୟପାଳ ହେଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦିଅନ୍ତି। ଏମାନେ ଏପରି ଚାଟୁକାରୀ କରନ୍ତି ଯେ ହୁଏତ କେବେ ଚନ୍ଦ୍ରାୟନର ସଫଳ ଯାତ୍ରା ହେଲେ ତା’ର ଶ୍ରେୟ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇ ପାରନ୍ତି। ମାତ୍ରାଧିକ ଚାଟୁକାରୀ କରି ବାସ୍ତବରେ ଏମାନେ ନିଜେ ତ’ ଲୋକହସା ହୁଅନ୍ତି, ସାଙ୍ଗରେ ଧର୍ମେନ୍ଦ୍ରଙ୍କୁ ମଧ୍ୟ ଲୋକହସାର ପାତ୍ର କରାଇ ଦିଅନ୍ତି। ମୋଦି ଓଡ଼ିଶାକୁ କେତେ ଟଙ୍କାର ଅନୁଦାନ ଦେଲେ ତାହା ଏମାନଙ୍କ ପାଇଁ ଏକ ସାଧାରଣ ଖବର। କିନ୍ତୁ, ସେହି କଥାକୁ ନେଇ ଧର୍ମେନ୍ଦ୍ରଙ୍କ ଟ୍ୱିଟ୍ ହୋଇଯାଏ ବ୍ରେକିଂ ନ୍ୟୁଜ୍। ସବୁ କଥାରେ ସବୁ ବିଭାଗର ଓଡ଼ିଶା ପ୍ରତି ଅନୁଦାନରେ ଏମାନେ ଭିଡ଼ିଟାଣି ଧର୍ମେନ୍ଦ୍ରଙ୍କୁ ଶ୍ରେୟ ଦେଇ ପୂର୍ବ ଭାରତର ବିକାଶ ଦିଗରେ ମୋଦିଙ୍କ ପ୍ରୟାସର ଗୁରୁତ୍ୱ କମାଇ ଦିଅନ୍ତି। ନୂଆ ଓଡ଼ିଶାର ଧର୍ମପଦ ଧର୍ମେନ୍ଦ୍ର, ନୂଆ ଓଡ଼ିଶାର ସୂତ୍ରଧର ଧର୍ମେନ୍ଦ୍ର, ଓଡ଼ିଶାର ଗର୍ବ ଆଉ ଗୌରବ ଧର୍ମେନ୍ଦ୍ର, ବିକାଶ ପୁରୁଷ ଧର୍ମେନ୍ଦ୍ର, ବଦଳୁଥିବା ଓଡ଼ିଶାର ନାୟକ ଧର୍ମେନ୍ଦ୍ର, କେନ୍ଦ୍ରରେ ନରେନ୍ଦ୍ର ଓଡ଼ିଶାରେ ଧର୍ମେନ୍ଦ୍ର ଏହିପରି କେତେ କ’ଣ ଉପମା ଲଗାଇ ଆଉ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୀଳକଣ୍ଠ ଅବତାର ରୂପେ ମଧ୍ୟ ବର୍ଣ୍ଣନା କଲେଣି ତାଙ୍କ ଚାଟୁକାର। ଧର୍ମେନ୍ଦ୍ର ନଥିଲେ ଓଡ଼ିଶାରେ କୁଆଡ଼େ ବିଜେପିର କୌଣସି ଅସ୍ତିତ୍ୱ ନଥାନ୍ତା ବୋଲି ଏମାନେ କହୁଛନ୍ତି। ଏବେ ଓଡ଼ିଶା ବିଜେପିର ଅନ୍ୟ ନାମ କୁଆଡ଼େ ଧର୍ମେନ୍ଦ୍ର ବୋଲି ମଧ୍ୟ ଏମାନେ କହିଲେଣି। ଓଡ଼ିଶା ବିଜେପି କହିଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଝାଏ। ତାଙ୍କୁ ବିରୋଧ କରୁଥିବା ପ୍ରତିଟି ବ୍ୟକ୍ତିଙ୍କୁ ବିନା ସଙ୍କୋଚରେ ବିଜେପି ବିରୋଧି ବୋଲି କୁହାଯାଇ ପାରିବ। ଏଇଠି ହିଁ ନିର୍ବାଚନରେ ବିଜେପିର ବିଫଳତା ପାଇଁ ଧର୍ମେନ୍ଦ୍ରଙ୍କୁ କରାଯାଉ ଥିବା ଆକ୍ଷେପକୁ ଠିକ୍ ବୋଲି ପ୍ରମାଣ କରୁଛନ୍ତି ତାଙ୍କ ସମର୍ଥକ ଚାଟୁକାର ଗୋଷ୍ଠୀ। ଯଦି, ଓଡ଼ିଶା ବିଜେପିର ଅନ୍ୟ ନାମ ଧର୍ମେନ୍ଦ୍ର ପ୍ରଧାନ ବୋଲି ଏମାନେ କହୁଛନ୍ତି, ତେବେ ତ’ ସତକଥା ସେମାନଙ୍କ ଅନୁଯାୟୀ ଧର୍ମେନ୍ଦ୍ରଙ୍କ ପାଇଁ ଆଜି ଓଡ଼ିଶା ବିଜେପି ବିରୋଧୀ ଦଳ ଭୂମିକାରେ ଅଛି, ଶାସନ କ୍ଷମତାକୁ ଆସିପାରିନି। ଆଉ ଏଇ ଯେଉଁମାନେ ନୂଆ ଓଡ଼ିଶାର ଧର୍ମପଦ ଧର୍ମେନ୍ଦ୍ର ବୋଲି କହୁଛନ୍ତି, ସେମାନେ ବୋଧେ ଧର୍ମପଦ ପରି ଧର୍ମେନ୍ଦ୍ରଙ୍କୁ ବଳି ପକାଇ ଦେବା ଯୋଜନାରେ ଅଛନ୍ତି। କାରଣ ଏବେ ତ’ କୁହାଗଲାଣି ବାର ଶହ ବଢ଼େଇରେ ଦାୟ ନାଁ ଧରମାରେ ଦାୟ। ତେବେ ସେହି ଚାଟୁକାର ମାନେ ମାନିବାକୁ ନାରାଜ। କହୁଛନ୍ତି, ଏଇ ମାଟି ପାଇଁ ଲଢ଼ିବି ଧର୍ମେନ୍ଦ୍ର ପ୍ରଧାନ ବନିବି। ନିନ୍ଦୁକ କେତେ କ’ଣ କହିଲେ ତାଙ୍କୁ ପଚାରେ କିଏ ବଦଳୁଥିବା ଓଡ଼ିଶାର ନାୟକ ଧର୍ମେନ୍ଦ୍ର। କିନ୍ତୁ, ନିଜେ ଧର୍ମେନ୍ଦ୍ର ପ୍ରଧାନ ଚିନ୍ତା କରିବା ଉଚିତ୍ ଯେ ତାଙ୍କ ପାଇଁ କିଏ ବେଶୀ କ୍ଷତିକାରକ। ତାଙ୍କ ସମାଲୋଚକ, ନିନ୍ଦୁକ ନାଁ ତାଙ୍କ ଚାଟୁକାର, ତୋଷାମଦକାର। ନିନ୍ଦୁକ ହେଲେ ପଛପଟୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ବିକଳ ହୋଇପଡ଼େ। କିନ୍ତୁ, ତୋଷାମଦକାରୀ ସମ୍ମୁଖରୁ କାମୁଡ଼େ। ଯାହାର କାମୁଡ଼ାରେ ଆତ୍ମା ନିଜର ଚେତନା ହରାଇ ବସେ।
“ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି ସହଜେ ଚିହ୍ନା ନ’ ଯାଏ,
ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”

କୁଜି ଅସରପା ଉପରେ କାଣି ବିରାଡ଼ିର ଦାଉ –
ଉପନିର୍ବାଚନ ପରାଜୟ ପରେ ନିଜେ ସଭାପତି ସମୀର ମହାନ୍ତି ପ୍ରେସ୍ ମିଟ୍ କରି ଦଳ ଦୂତୀୟ ସ୍ଥାନରେ ରହିବାକୁ ନେଇ ସନ୍ତୁଷ୍ଟ ହୋଇଛନ୍ତି। କଂଗ୍ରେସ ପ୍ରାୟ ବିଲୁପ୍ତ ତେଣୁ ଆଗାମୀ ଦିନରେ ଦ୍ୱିପାକ୍ଷିକ ଲଢ଼େଇ ହେବ କହି ଆତ୍ମସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାପରେ ଚାଟୁକାର ଆଉ ଛାଡ଼ିବେ କୁଆଡ଼ୁ। ତେଣୁ, ଧର୍ମେନ୍ଦ୍ରଙ୍କ ପାଇଁ ଆଜି ଓଡ଼ିଶା ବିଜେପି ବିରୋଧୀ ଦଳ ଭୂମିକାରେ ଅଛି। ଧର୍ମେନ୍ଦ୍ର ନଥିଲେ ଓଡ଼ିଶାରେ କୁଆଡ଼େ ବିଜେପିର କୌଣସି ଅସ୍ତିତ୍ୱ ନଥାନ୍ତା ବୋଲି ସେମାନେ କହୁଛନ୍ତି। କୁଜି ଅସରପା ଉପରେ କାଣି ବିରାଡ଼ି ଦାଉ ସାଝିବା ପରି ସାରା ଦେଶରେ ନିଜର ଅସ୍ତିତ୍ୱ ହରାଇ ସାରିଥିବା କଂଗ୍ରେସକୁ ପଛରେ ପକାଇବା ନେଇ ଏମାନେ ଖୁସି ପ୍ରକଟ କରୁଛନ୍ତି। ଏମାନେ ବୋଧେ ଜାଣି ପାରୁନାହାଁନ୍ତି ଯେ, ଦେଖିବାକୁ ଗଲେ ନରେନ୍ଦ୍ର ମୋଦିଙ୍କ ‘କଂଗ୍ରେସ ମୁକ୍ତ’ ଆହ୍ୱାନକୁ ଓଡ଼ିଶାରେ ନବୀନ ପଟ୍ଟନାୟକ ହିଁ କାର୍ଯ୍ୟକାରୀ କରୁଛନ୍ତି।

ଆରଏସ୍ଏସ୍ ମୁକ୍ତ ବିଜେପି ଦିଗରେ ଓଡ଼ିଶା ବିଜେପି –
ଅନୁଧ୍ୟାନ କଲେ ଦେଖିପାରିବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏପରି ଚାଟୁକାରୀ କରୁଥିବା ବ୍ୟକ୍ତିମାନେ ଦଳ ଭିତରେ କୌଣସି ନାଁ କୌଣସି ଦିଗରୁ ଲଭାକୃତ ହୋଇଛନ୍ତି। ଯୋଗ୍ୟତା ନଥିବା ସତ୍ତ୍ୱେ ଟିକେଟ ପାଇଛନ୍ତି କିମ୍ବା ପଦପଦବୀ ପାଇଛନ୍ତି। ଅଥବା ଅନ୍ୟାନ୍ୟ ଅଦୃଶ୍ୟ ଲାଭ ପାଇଛନ୍ତି। ଆଉ ଯେଉଁମାନେ ବା ନ’ପାଇଛନ୍ତି ସେମାନେ ପାଇବା ଆଶାରେ ଲଢ଼େଇ ଜାରୀ ରଖିଛନ୍ତି। ବାସ୍ତବରେ ଓଡ଼ିଶା ବିଜେପି ଏପରି ଢଙ୍ଗରେ ଚାଲିଛି ଯେପରି ବିଜେପି ମାନେ ଧର୍ମେନ୍ଦ୍ର ଆଉ ଧର୍ମେନ୍ଦ୍ର ମାନେ ବିଜେପି। ଓଡ଼ିଶା ବିଜେପିରେ ସବୁ କିଛି ଧର୍ମେନ୍ଦ୍ରଙ୍କ ଚଷମାରେ ଦେଖାଯାଉଛି। ଅନ୍ୟ କୌଣସି ନେତୃତ୍ୱଙ୍କ କୌଣସି କ୍ଷେତ୍ରରେ ଗୁରୁତ୍ୱ ବଢ଼ିଲେ ଏମାନଙ୍କର ଯା’ଆସ କିଛି ନାହିଁ। କେବଳ ଧର୍ମେନ୍ଦ୍ର। ଏଠି ବିଜେପି, ସଂଘ କିମ୍ବା ମୋଦିଙ୍କ ବିରୋଧରେ କେହି ଯେତେ ଯାହା କହିଲେ ଚଳିବ କିନ୍ତୁ, ଧର୍ମେନ୍ଦ୍ରଙ୍କ ବିରୋଧରେ କିଏ ପଦଟିଏ କହିଲେ ସେ ବିଜେପି ବିରୋଧି। ଏଠି ମୋଦି, ଯୋଗୀ, ସଂଘ ବାବଦରେ ଅପଶବ୍ଦ କହିଥିବା, ସଂଘକୁ ଶକୁନି ମାମୁଁ କହିଥିବା, ସଂଘ (ଆରଏସ୍ଏସ୍) ମୁକ୍ତ ବିଜେପି କଥା କହିଥିବା ଏବଂ ମୋଦିଙ୍କ ପୋଷ୍ଟରରେ ଜୋତା ମାଡ଼ କରିଥିବା ଲୋକକୁ ଫୁଲତୋଡ଼ା ଦେଇ ଦଳରେ ସ୍ୱାଗତ କରାଯାଏ। ପଦ ପଦବୀରେ ଅଳଙ୍କୃତ କରାଯାଏ। କିନ୍ତୁ, ଧର୍ମେନ୍ଦ୍ରଙ୍କ ଚାଟୁକାରୀ ନକଲେ ସୁବାସ ଚୌହାନଙ୍କ ପରି କ୍ୟାଡର ମାନଙ୍କୁ ଦଳରୁ ବିତାଡ଼ିତ କରି ଦିଆଯାଏ, ଅବା ସ୍ଥିତି ଏପରି କରାଯାଏ ଯେପରି ଜଣେ ଦଳ ଛାଡ଼ିବାକୁ ବାଧ୍ୟ ହୁଏ। ଦିନ ଥିଲା ଯେତେବେଳେ ଏଇ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ରାଜ୍ୟ ସଭାପତି ପାଇଁ କଥା ଉଠୁଥିଲା, ପ୍ରାୟୋଜିତ ଢଙ୍ଗରେ ତାଙ୍କୁ ସେତେବେଳେ ବେଖାତିର କରାଯାଉଥିଲା। ଏବେ ସେ କେନ୍ଦ୍ରମନ୍ତ୍ରୀ ହେବା ବ୍ୟତୀତ ଅନ୍ୟ ଏକ ନିର୍ଦ୍ଦିଷ୍ଟ କାରଣରୁ ଏମାନଙ୍କ ପକ୍ଷରୁ ଏବେ ତାଙ୍କୁ କିଛି କିଛି ସମ୍ମାନ ମିଳି ଯାଉଛି। ଯେତେବେଳେ ଏକ ମାତ୍ର ନିର୍ବାଚିତ ସାଂସଦ ଜୁଏଲ ଓରାମ କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ ଥିଲେ ଏବଂ ଭାୟା ରାଜ୍ୟସଭା ହୋଇ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟପାହ୍ୟା ମନ୍ତ୍ରୀ ହୋଇଥିଲେ, ସେତେବେଳେ ଜୁଏଲ ବରିଷ୍ଠ ହୋଇ ମଧ୍ୟ ବିଜେପି ବ୍ୟାନର ଏବଂ ପୋଷ୍ଟର ଗୁଡ଼ିକରେ ତାଙ୍କର ଛୋଟ ମୁଣ୍ଡ ଆଉ ଧର୍ମେନ୍ଦ୍ରଙ୍କ ବଡ଼ ମୁଣ୍ଡ ଦେଖିବାକୁ ମିଳୁଥିଲା। ଏଠି ବିଜେପିର କୌଣସି ସଫଳତା ନେଇ ଆୟୋଜିତ କାର୍ଯ୍ୟକ୍ରମ ଭିତରେ ଧର୍ମେନ୍ଦ୍ରଙ୍କ ନାମ ତାଙ୍କ ଫଟୋ ଖୋଜାଯାଏ। କିନ୍ତୁ, ରାଷ୍ଟ୍ରୀୟ ସ୍ତରରେ ଆଉ ଯିଏ ଯେତେ ସଫଳତା ବା ଗୁରୁତ୍ୱ ପାଇଥିଲେ ମଧ୍ୟ ତାଙ୍କୁ ଏଠି ସେପରି ଗୁରୁତ୍ୱ କିମ୍ବା ସମ୍ମାନ ଦିଆଯାଏ ନାହିଁ। ତେଣିକି ଡାଃ ସମ୍ବିତ ପାତ୍ର ରାଷ୍ଟ୍ରୀୟ ସ୍ତରରେ ଜଣେ ପ୍ରଭାବୀ ବକ୍ତା ଭାବରେ ନିଜର ପରିଚୟ ସୃଷ୍ଟି କରନ୍ତୁ ବା ଅପରାଜିତା ଷଡ଼ଙ୍ଗୀ ରାଷ୍ଟ୍ରୀୟ ପ୍ରବକ୍ତା ହୁଅନ୍ତୁ କି କୋଭିଡ୍ ନିୟମ ଉଲଘଂନକୁ ନେଇ ଅଫିସ୍ ସିଲ୍ ଘଟଣାରେ ରାଜ୍ୟ ସରକାରଙ୍କୁ ବ୍ୟାକଫୁଟକୁ ଆଣନ୍ତୁ କିମ୍ବା ବୈଜୟନ୍ତ ପଣ୍ଡା ଆସାମ ଉପ ନିର୍ବାଚନ ଜିତାଇବାରେ ପ୍ରମୂଖ ଭୂମିକାରେ ରୁହନ୍ତୁ କିମ୍ବା ଏବେ ଆସାମ ଏବଂ ଦିଲ୍ଲୀ ଦୁଇ ଦୁଇଟି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଭାରୀ ନିଯୁକ୍ତ ହୁଅନ୍ତୁ। ଏଠି ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ସନ୍ଦେହ ଚକ୍ଷୁରେ ଦେଖାଯାଏ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକଲେ ଔପଚାରିକ ବୋଲି କୁହାଯାଏ। ଏଠି ଧର୍ମେନ୍ଦ୍ରଙ୍କ ବିରୋଧରେ କେହି ପଦଟିଏ କହିଲେ ତାଙ୍କୁ ଏହି ଚାଟୁକାର ମାନେ ଖିଙ୍କାରୀ ହେଲା ପରି ଝାମ୍ପି ପଡ଼ନ୍ତି। କିନ୍ତୁ ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ ପୋତି ପକାଉଥିବା ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟ ମୋଦି ଏବଂ ଶାହାଙ୍କ ବିରୋଧରେ ତୁ’ ତା’ କରି ଏଣୁ ତେଣୁ କହି “ହା ଥୁ” କହି ଛେପ ପକାଇଲେ ମଧ୍ୟ ଏମାନେ କେହି ସେପରି ପ୍ରତିବାଦ ଜଣାନ୍ତି ନାହିଁ। ଏହା ହେଲା ଓଡ଼ିଶା ବିଜେପି।

(ବିଦ୍ର – ଲେଖାଟି ଚାଟୁକାର ମାନଙ୍କୁ ତ’ ବାଧିବ ନିଶ୍ଚିତ। ସେଥିରେ ଆମର କିଛି କହିବାର ନାହିଁ। କିନ୍ତୁ, ବ୍ୟକ୍ତି ପ୍ରେମୀ ନୁହେଁ ବାସ୍ତବରେ ଦଳ ପ୍ରେମୀମାନେ ଏହି ଲେଖାଟିକୁ ପଢ଼ିଲେ ଏବଂ ଏଥିରେ କିଛି ତୃଟି ଥିଲେ, ଲେଖାଟି ଉପରେ କିଛି ମନ୍ତବ୍ୟ ଦେଲେ ଆମେ ଖୁସି ହେବୁ ନିଶ୍ଚିତ)
/-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.