Home Top News ଧନ୍ୟ ବିଜେପି ମହିଳା ମୋର୍ଚ୍ଚା: ବିଜେପିକୁ ବୁଡ଼େଇ ଦେବ ଏ’ ଅଯୋଗ୍ୟ ଟିମ୍ !

ଧନ୍ୟ ବିଜେପି ମହିଳା ମୋର୍ଚ୍ଚା: ବିଜେପିକୁ ବୁଡ଼େଇ ଦେବ ଏ’ ଅଯୋଗ୍ୟ ଟିମ୍ !

110

ଭୁବନେଶ୍ୱର: ମୋଦୀ ହୁଅନ୍ତୁ କି ନବୀନ ହୁଅନ୍ତୁ, ପ୍ରାୟ ରାଜନୈତିକ ଦଳ ବା ଦଳର ମୁଖିଆ ଏବେ ମହିଳା ଭୋଟ୍ ଉପରେ ଅଧିକ ନଜର ଦେଉଛନ୍ତି। ହେବା ବି ସ୍ୱଭାବିକ। କାରଣ ମହିଳା ଭୋଟ୍ ଯେ ପ୍ରାୟତଃ ୫୦ ପ୍ରତିଶତ। ତେଣୁ ଅଧିକାଂଶ ଦଳ ଏବେ ମହିଳା ସଶକ୍ତିକରଣ ଉପରେ ଜୋର ଦେବା ସହ ସାଙ୍ଗଠନିକ ସ୍ତରରେ ମହିଳା ଚେହେରାକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମିତିରେ ଏବେ ପୂର୍ବାପେକ୍ଷା ଅଧିକ ଶିକ୍ଷିତ ମହିଳା ରାଜନୀତିରେ ପ୍ରବେଶ କରୁଥିବା ଦେଖାଯାଉଛି। ଓଡ଼ିଶାରେ ନବୀନ ପଟ୍ଟନାୟକ ମା’ କୁ ସମ୍ମାନ କଥା କହି ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଥିବା ବେଳେ, ତେଣେ କେନ୍ଦ୍ରରେ ମୋଦି ମଧ୍ୟ ସମାନ କଥା କହୁଛନ୍ତି। ଆଉ ଓଡ଼ିଶା ବିଜେପି ମଧ୍ୟ ମହିଳା ସଙ୍ଗଠନକୁ ଅଧିକ ଗୁରୁତ୍ୱ ଦେଉଛି। ବିଗତ ଦିନରେ ଦେଖିବାକୁ ଗଲେ ନବୀନ ସରକାରକୁ ଘେରିବାରେ ବିଜେପି ମହିଳା ମୋର୍ଚ୍ଚା ହିଁ ଆଗରେ ରହିଛି। ମୂଳ ବିଜେପି ସଙ୍ଗଠନ ସମେତ ବିଭିନ୍ନ ମୋର୍ଚ୍ଚା ଗୁଡ଼ିକ ଭିତରେ ବିଜେପି ମହିଳା ମୋର୍ଚ୍ଚା ହିଁ ଅଧିକ ସକ୍ରିୟ ରହି ଆସିଛି। ୨୦୧୯ ନିର୍ବାଚନ ପରେ ନବଗଠିତ ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ମଧ୍ୟ ସେଥିରେ ଆଗରେ ରହୁଛି। କହିବାକୁ ଗଲେ ନବୀନ ସରକାରଙ୍କ ବିରୋଧରେ ଲଢ଼ିବାକୁ ବିଜେପି ରାଜ୍ୟ ନେତୃତ୍ୱ ମହିଳା ମୋର୍ଚ୍ଚା ସଙ୍ଗଠନ ଉପରେ ଅଧିକ ଭରଷା କରୁଛି। ୨୦୧୯ ନିର୍ବାଚନ ପରେ ନବ ଗଠିତ ଓଡ଼ିଶା ବିଜେପି ସଙ୍ଗଠନରେ ମହିଳା ମୋର୍ଚ୍ଚା ଦାୟିତ୍ୱ ପାଇଛନ୍ତି ସ୍ମୃତି ପଟ୍ଟନାୟକ। ସ୍ମୃତି ପଟ୍ଟନାୟକ ଦାୟିତ୍ୱ ପାଇବା ପରେ ତାଙ୍କ ନୂଆ ଟିମ୍ ଗଠନ କରିଛନ୍ତି। କିନ୍ତୁ, ଏହାକୁ ଏକ ଅତି ଦୁର୍ବଳ, ଅଯୋଗ୍ୟ ଏବଂ ଅପାରଗ ଟିମ୍ ବୋଲି କୁହାଯାଉଛି। ଅବଶ୍ୟ ଟିମ୍ ଭିତରେ କିଛିଟା ଦକ୍ଷ ନେତ୍ରୀ ରହିଛନ୍ତି। ରାଜ୍ୟ ଉପସଭାନେତ୍ରୀ ଥିବା ସମୟରୁ ନିଜେ ସ୍ମୃତି ପଟ୍ଟନାୟକଙ୍କୁ ମଧ୍ୟ ଜଣେ ଦକ୍ଷ ସଙ୍ଗଠନ ପରିଚାଳିକା ବୋଲି କୁହାଯାଏ। କିନ୍ତୁ, ଆଜିର ଓଡ଼ିଶା ମହିଳା ମୋର୍ଚ୍ଚାର ଆଚରଣ ଏକ ନକରାତ୍ମକ, ଘୃଣା ସୃଷ୍ଟିକାରୀ, ଦୁର୍ବଳ, ଅଯୋଗ୍ୟ ଏବଂ ଅପାରଗ ଟିମର ପରିଚୟ ପ୍ରଦାନ କରୁଛି। ଯାହାର କେତୋଟି ପ୍ରମାଣ ମିଳୁଛି।

ମାର୍ଚ୍ଚ ୮ ତାରିଖ ହେଲା ବିଶ୍ୱ ମହିଳା ଦିବସ। ସାରା ବିଶ୍ୱରେ ମହିଳା ମାନେ ମହିଳା ଦିବସକୁ ଉତ୍ସବ ଆକାରରେ ପାଳନ କରିବେ। କୌଣସି ବିଶେଷ ଦିବସକୁ ଉତ୍ସବ ଆକାରରେ ହିଁ ପାଳନ କରାଯାଇଥାଏ। କିନ୍ତୁ, ଏଥିରୁ ବିଚ୍ୟୁତ ରହିବ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା। ନକରାତ୍ମକ ଚିନ୍ତାଧାରା ରଖି ମହିଳା ଦିବସ ଅବସରରେ ନବୀନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବ ମହିଳା ମୋର୍ଚ୍ଚା। ମହିଳା ଦିବସ ପୂର୍ବରୁ ସାମ୍ୱାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଆକ୍ଷେପ କରିଛି ବିଜେପି ମହିଳା ମୋର୍ଚ୍ଚା। ଆସନ୍ତା ୮ ତାରିଖ ଦିନ ସମଗ୍ର ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେବାକୁ ଯାଉଛି। ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ ଶାସକ ବିଜେଡି ଦଳ ଦଳୀୟ ଆଧାରରେ ଏହି ଦିବସକୁ ପାଳନ କରିବାର ଘୋଷଣା କରିଛି। ମହିଳା ସଶକ୍ତିକରଣର ମିଛ ବାହାସ୍ପୋଟ ମାରୁଥିବା ଏବଂ ଭ୍ରମିତ କରୁଥିବା ଦଳର ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବା ସହ କୋଭିଡ୍ ମହାମାରୀ ଭଳି ଦୁର୍ଦ୍ଦିନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା’ ଓ ଭଉଣୀଙ୍କ ଦୁଃଖ ଓ କଷ୍ଟକୁ ବୁଝି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ମାଗଣା ଗ୍ୟାସ ବଣ୍ଟନ କରିଛନ୍ତି କହି ନିଜ ଦଳ ନେତାଙ୍କ ଆତ୍ମ ପ୍ରଶଂସା କରି ଏହି ଦୁର୍ଦ୍ଦିନ ସମୟରେ ରାଜ୍ୟର ଅଗଣିତ ମା’ ଓ ଭଉଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ କ’ଣ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାର ଏକ ମହିଳା ବିରୋଧୀ ସରକାର ବୋଲି କହି ମହିଳା ଦିବସରେ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା। ତେବେ, ବାସ୍ତବରେ ଏହା କେତେ ଗ୍ରହଣୀୟ ହେବ? ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ ମହିଳା ଦିବସ ପାଳନ କରିବାକୁ ଘୋଷଣା କରିଛି ବିଜେଡି। ବିଜେଡି ଏହି ଦିବସ ପାଳନ କରି ସାରିବା ପରେ ତାଙ୍କର ତୃଟି ବିଚ୍ୟୁତି ଦେଖି ହୁଏତ ପରେ ସମାଲୋଚନା କରିପାରି ଥାଆନ୍ତା ବିଜେପି ମହିଳା ମୋର୍ଚ୍ଚା। ପରେ ହୁଏତ ବିକ୍ଷୋଭ ପ୍ରଦର୍ଶନ କରିଥାଆନ୍ତା କିମ୍ବା ରାଜରାସ୍ତାକୁ ଓହ୍ଲାଇପାରି ଥାଆନ୍ତା। କିନ୍ତୁ, ନିଜେ ଏକ ଉତ୍ସବ ଆକାରରେ ମହିଳା ଦିବସକୁ ପାଳନ କରିବା ପରିବର୍ତ୍ତେ ବିଜେଡି କିଛି କାର୍ଯ୍ୟକ୍ରମ କରିବା ପୂର୍ବରୁ କେବଳ ତାଙ୍କ ଘୋଷଣା ଶୁଣି ଆଗୁଆ ସାମ୍ବାଦିକ ସମ୍ମିଳନୀ କରି ଏପରି ଆକ୍ଷେପ କରିବା ଏବଂ ସେହି ଦିନ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନକରାତ୍ମକ ପ୍ରଦର୍ଶନ କରିବା କେତେ ଦୂର ଠିକ୍ ନିଷ୍ପତ୍ତି ତାହା ଚିନ୍ତା କରିବାର ଅଛି। ଏପରି ନିଷ୍ପତ୍ତି କିଏ ନେଉଛି, କିଏ ଏପରି ପରାମର୍ଶ ଦେଉଛି, କାହାର ଯେ ଏ’ ବୁଦ୍ଧି ନେଇ ଆଶ୍ଚର୍ଯ୍ୟ ଅନୁଭବ ହେଉଛି। ସେହିପରି, ମହିଳା ମୋର୍ଚ୍ଚାରେ ଥିବା କିଛି ଅଯୋଗ୍ୟଙ୍କ କାରଣରୁ ଦଳ କିପରି ଲୋକହସା ହେଉଛି ତାହାର ଆଉ ଏକ ନମୂନା ଦେଖିବାକୁ ମିଳିଛି।

ପ୍ରତ୍ୟେକ କଥାରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସତେ ଯେପରି ଏମାନଙ୍କର ଏକ ଅଭ୍ୟାସ ହୋଇଗଲାଣି। ଯାହାକୁ ତ’ ଏମିତିରେ ଓଡ଼ିଶାବାସୀ ଗ୍ରହଣ କରୁନଥିଲେ, ଏଥିରେ ପୁଣି ନକରାତ୍ମକ ଚିନ୍ତାଧାରାର ମହିଳା ମୋର୍ଚ୍ଚାର ଘୃଣା ସୃଷ୍ଟିକାରୀ, ଦୁର୍ବଳ, ଅଯୋଗ୍ୟ ଏବଂ ଅପାରଗ ଟିମର ଆଚରଣ ଦଳକୁ ଆହୁରୀ ନିମ୍ନଗାମୀ କରାଇଦେବା ପରି ଅନୁଭୂତ ହେଉଛି। ଯୋଗ୍ୟତା ନଥାଇ କେବଳ ଚାଟୁକାରରୀ କରି ପ୍ରିୟା ପ୍ରୀତି ତୋଷଣରେ ଦାୟିତ୍ୱ ପାଇଥିବା କେତେ ଜଣଙ୍କ ପାଇଁ ଦଳ କେତେ ଯେ ନିମ୍ନଗାମୀ ହେଉଛି, ତା’ର ଆଉ ଏକ ନମୂନା ଦେଖିବାକୁ ମିଳିଛି। ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ଦାୟିତ୍ୱରେ ଥିବା ଜଣେ ନେତ୍ରୀ ସୋସିଆଲ୍ ମିଡିଆରେ କରିଥିବା ଏକ ପୋଷ୍ଟରୁ ଏପରି ଅଯୋଗ୍ୟ ଗୁଡ଼ିକ ଦଳ ପାଇଁ ଯେ କେତେ କ୍ଷତିକାରକ ତାହା ଜଣାପଡ଼ୁଛି। ନିଜକୁ ଯେ କୌଣସି ପ୍ରକାରେ ଚର୍ଚ୍ଚାରେ ରଖିବାକୁ ଚାହୁଁଥିବା ସଂପୃକ୍ତ ନେତ୍ରୀ ଜଣଙ୍କ ଭାଇରାଲ୍ ହେଉଥିବା ଏକ ପାଇଖାନାର ଫଟୋ ପୋଷ୍ଟ୍ କରିଛନ୍ତି। ଯେଉଁଥିରେ ଗୋଟିଏ ଶୌଚାଳୟ ଭିତରେ ରହିଛି ଦୁଇଟି ଟଏଲେଟ୍ ସିଟ୍। ଆଶ୍ଚର୍ଯ୍ୟ ତ’ ଲାଗିବ, ହସ ବି’ ଲାଗିବ ନିଶ୍ଚୟ। ନେତ୍ରୀ ଜଣଙ୍କ କ୍ୟାପ୍ସନରେ ଲେଖିଛନ୍ତି, “ଧନ୍ୟ ଏ ରାଜ୍ୟ ସରକାର, ଧନ୍ୟ ତାଙ୍କ ସରକାରୀ ବାବୁ। ଜଣେ ବସିଲେ କୁଆଡ଼େ ଡର ଲାଗିବ। ସେଥିପାଇଁ ଦୁଇଟି ପାଇଖାନା କରାଯାଇଛି ବୋଲି କହିଲେ ବିଡିଓ।” ଏପରି କାର୍ଯ୍ୟକୁ ସମାଲୋଚନା କରିବା ଏବଂ ତାତ୍ସଲ୍ୟ କରି ଲେଖିବା ମଧ୍ୟ ଠିକ୍। ମହିଳା ମୋର୍ଚ୍ଚାର ସୋସିଆଲ୍ ମିଡିଆ ଦାୟିତ୍ୱରେ ଥିବା ସଂପୃକ୍ତ ନେତ୍ରୀ ଜଣଙ୍କ କିନ୍ତୁ କେବଳ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହିବା ପାଇଁ ନିଜ ଦଳକୁ ହିଁ ଲୋକହସା କରାଇ ଦେଇଛନ୍ତି। କାରଣ ଏପରି ବିଚିତ୍ର ପାଇଖାନା ଓଡ଼ିଶାରେ ନୁହେଁ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ହୋଇଛି। ଭାଇରାଲ୍ ଖବର ଅନୁଯାୟୀ ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲା ଅନ୍ତର୍ଗତ ସଲଟୋଭା ବ୍ଲକରେ ଦେଖିବାକୁ ମିଳିଛି ଏପରି ଅଦ୍ଭୁତ ଦୃଶ୍ୟ। ଗୋଟିଏ ଶୌଚାଳୟ ଭିତରେ ରହିଛି ଦୁଇଟି ଟଏଲେଟ୍ ସିଟ୍। ମାମଲା ସାମନାକୁ ଆସିବା ପରେ ବସ୍ତି ଜିଲ୍ଲା ବିଡିଓ ଦେଇଛନ୍ତି ଆଶ୍ଚର୍ଯ୍ୟକର ମନ୍ତବ୍ୟ। ବିଡିଓ କୁଆଡ଼େ କହିଛନ୍ତି, ଭିତରେ ପିଲାଙ୍କୁ ଏକା ବସିଲେ ଡର ଲାଗିବ। ତାଙ୍କର ଡରକୁ ଦୂର କରିବାକୁ ଶୌଚାଳୟରେ ଦୁଇଟି ଟଏଲେଟ୍ ସିଟ୍ ଲଗାଯାଇଛି। ଗୋଟିଏ ଟଏଲେଟ୍ ରୁମ୍ ଭିତରେ ଦୁଇଟି ଟଏଲେଟ୍ ସିଟ୍ ଲଗାଇବା ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ମାମଲାକୁ ନେଇ ସେଠାରେ କଂଗ୍ରେସ ପ୍ରଶ୍ନ ଉଠାଇଛି। ବ୍ଲକ ଅଧିକାରୀ ଏହାକୁ ଦେଖିବା ପରେ ​‌ଘଟଣା ହାସ୍ୟାସ୍ପଦ ବୋଲି କହିଛନ୍ତି। ଏଭଳି ଅବହେଳାର ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ତେବେ ଏଠି ଓଡ଼ିଶାରେ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ କିଛି ନବୁଝି ନଶୁଝି ନିଜ ଦଳର ସରକାରଙ୍କୁ ହିଁ ବଦନାମ କରିଛନ୍ତି। ଯୋଗ୍ୟତା ନ’ଦେଖି ଚାଟୁକାରଙ୍କୁ ଦାୟିତ୍ୱ ଦେବାରେ ଏପରି ପରିଣାମ ହିଁ ଘଟିଥାଏ। ସେଥିପାଇଁ ତ’ ଚାଟୁକାର ବା ତୋଷାମଦକାରୀ ଯେ କେତେ କ୍ଷତିକାରକ ତାହା ଶାସ୍ତ୍ରରେ ବର୍ଣ୍ଣିତ ରହିଛି। “ତୋଷାମଦକାରୀ କ୍ଷିପ୍ତ ଶ୍ୱାନ ପରି ସହଜେ ଚିହ୍ନା ନ’ ଯାଏ, ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.