Home Top News ଘାତକ ଚାଟୁକାରୀ: ନଡ଼ିଆ ଗଛକୁ ଚଡ଼କ ମାରିଲା, ଗୁଆ ଗଛ ପୋଡ଼ିଗଲା ..

ଘାତକ ଚାଟୁକାରୀ: ନଡ଼ିଆ ଗଛକୁ ଚଡ଼କ ମାରିଲା, ଗୁଆ ଗଛ ପୋଡ଼ିଗଲା ..

90

ନୂଆଦିଲ୍ଲୀ/ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକୁ ନେଇ ବିବାଦ ଲାଗିରହିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଏପରି କାମକୁ ବେଆଇନ୍ ଦର୍ଶାଇ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ବିରୋଧ କରି ଆସୁଛନ୍ତ। ରାଜ୍ୟ ସରକାର/ ପୋଲିସ୍ ପ୍ରଶାସନ ପକ୍ଷରୁ ବାରଣ ତଥା ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଗତ ୨୭ ତାରିଖରେ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଫେରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ରାଜ୍ୟ ସରକାର ବା ଶାସକ ବିଜେଡି ପକ୍ଷରୁ ଅପରାଜିତାଙ୍କୁ ବିରୋଧ କରାଯିବା ଯେତିକି ବଡ଼ କଥା ନୁହେଁ, ବଡ଼ କଥା ହେଲା ନିଜ ଦଳ ବିଜେପି ପକ୍ଷରୁ ଅପରାଜିତାଙ୍କୁ ଅସହଯୋଗ, ଏପରିକି ଏକ ପ୍ରକାର ବିରୋଧ କରାଗଲା। ଏଥିରେ ଦଳର କିଛି ଯା’ ଆସ ନାହିଁ, ଏହା ଅପରାଜିତାଙ୍କ ବ୍ୟକ୍ତିଗତ କାମ ବୋଲି କୁହାଗଲା। ଅପରାଜିତାଙ୍କ ଗସ୍ତ ସମୟରେ ପୁରୀ ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଘରେ ଲୁଚି ରହିଲେ। ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ ତଥା ବିଜେପି ଭିତରେ ଚାଲିଥିବା ଗୋଷ୍ଠୀ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା।ତେବେ, ଏ’ ଭିତରେ କିଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗତ ଧର୍ମେନ୍ଦ୍ରଙ୍କ ପ୍ରତି ନିଜର ଆନୁଗତ୍ୟ ଦେଖାଇବାକୁ ଯାଇ ଏପରି ଚାଟୁକାରୀ କରୁଛନ୍ତି, ଯାହା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଘାତକ ସାବ୍ୟସ୍ତ ହେବାରେ ଲାଗିଛି। ପ୍ରଥମେ ଜଣେ ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍ କରି ଅନେକ ଗୁଡ଼ିଏ କଥା ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ୍ କଲେ। ସଂପୃକ୍ତ ଆଇଟି ସେଲ୍ ସଂଯୋଜିକା ଜଣଙ୍କ କେବଳ ଯେ ଅପରାଜିତାଙ୍କୁ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ ତାହା ନୁହେଁ, ସେ କୁଆଡ଼େ ସାଂସଦ ଅପରାଜିତାଙ୍କ ଉଦ୍ଦେଶ୍ୟରେ ଅନେକ ଅପଶବ୍ଦ କହିବା ସହ ତାଙ୍କ ଚରିତ୍ର ସଂହାର କଲା ପରି ଅନେକ ଗୁଡ଼ିଏ ଅରୁଚିକର ମନ୍ତବ୍ୟ ମଧ୍ୟ ବିଭିନ୍ନ ମାଧ୍ୟମରେ ଦେଇଛନ୍ତି। ଏହି ଘଟଣା ଏବେ ଦଳ ଭିତରେ ଖୁବ୍ ଚର୍ଚ୍ଚା ଓ ଆଲୋଚନାର ବିଷୟ ପାଲଟିଛି। ଦଳ ପକ୍ଷରୁ ତାଙ୍କୁ ବାରଣ କରାନଯିବା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏହା ଉପରେ ନୀରବ ରହିବା ଏବଂ ଏପରି ପୋଷ୍ଟ୍ କରିବା ପରେ ନିଜ ଜନ୍ମଦିନ ପାଳନରେ ସଂପୃକ୍ତ ସୋସିଆଲ୍ ମିଡିଆ ସଂଯୋଜିକାଙ୍କୁ ଡକାଇ ଖୁସିରେ କେକ୍ ଖୁଆଇ ଦେବା ଆଦି ଘଟଣାକୁ ଦେଖିଲା ପରେ, ଏପରି ପୋଷ୍ଟ୍ କରିବାକୁ ହୁଏତ ସୋସିଆଲ୍ ମିଡିଆ ସଂଯୋଜିକା ଜଣଙ୍କୁ ସେପଟୁ ଲିଖିତ ନିର୍ଦ୍ଦେଶ ଆସିଥିଲା ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଛି। ନଚେତ୍ ନିଜ ପ୍ରତି ହୁଏତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ଯାଇ ସେ ଏପରି କରିଥାଇ ପାରନ୍ତି ବୋଲି କୁହାଯାଉଛି। ଯାହା କି ଉଭୟ ଦଳ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ଏକ ଖରାପ ଧାରଣା ସୃଷ୍ଟି କରାଇଛି।ସେ ବିବାଦ ଆଲୋଚନା ନ’ଯାଉଣୁ, ପୁଣି ଦଳର ଜଣେ ରାଜ୍ୟ ପ୍ରବକ୍ତା ଦଳର ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ଟାର୍ଗେଟ୍ କରିଛନ୍ତି। ଅପରାଜିତାଙ୍କ ଉଦ୍ଦେଶ୍ୟରେ ସେ ଅଣ- ଓଡ଼ିଆ ଶବ୍ଦ ବ୍ୟବହାର କରିଛନ୍ତି। ଧର୍ମେନ୍ଦ୍ରଙ୍କୁ ଟେକିଛନ୍ତି, ଅପରାଜିତାଙ୍କୁ ତଳେ ପକାଇବାକୁ ଚେଷ୍ଟା କରିଛନ୍ତି। ଏଠି ରାଜ୍ୟ ସଭାପତି ମଧ୍ୟ ନୀରବ ରହିଲେ। କିନ୍ତୁ, ଏହି ଚାଟୁକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଅତ୍ୟନ୍ତ ଘାତକ ସାବ୍ୟସ୍ତ ହେଲା ପରି ଅନୁଭବ ହେଉଛି। କାରଣ ଅପରାଜିତାଙ୍କୁ ଟାର୍ଗେଟ୍ କରିଥିବା ସେହି ପ୍ରବକ୍ତା ଜଣଙ୍କ ଗତ ୨୦୧୯ ନିର୍ବାଚନ ପୂର୍ବରୁ ମୋଦୀଙ୍କ ପୋଷ୍ଟର ଉପରେ ଜୋତା ମାଡ଼ କରୁଥିଲେ। ସଂଘ (ଆରଏସ୍ଏସ୍)କୁ ଶକୁନି ମାମା କହି ବିଜେପି କେବେ ଆରଏସ୍ଏସ୍ ମୁକ୍ତ ହେବ ବୋଲି ପ୍ରଶ୍ନ କରୁଥିଲେ। ଆଉ ତାଙ୍କୁ ଧର୍ମେନ୍ଦ୍ର ଫୁଲତୋଡ଼ା ଦେଇ ଦଳକୁ କୋଳେଇ ନେଇଥିଲେ। ରାଜ୍ୟ ପ୍ରବକ୍ତା କରି ସଜେଇ ଦେଲେ! ଏବେ ଅପରାଜିତାଙ୍କ ଉଦ୍ଦେଶ୍ୟରେ ସେ ଅଣ- ଓଡ଼ିଆ ଶବ୍ଦ ବ୍ୟବହାର କରିଛନ୍ତି। ଯାହାକି ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୂରଙ୍କୁ ସିଧା ବାଜୁଛି। ବିହାରୀ ଝିଅ ଅପରାଜିତା ଷଡ଼ଙ୍ଗୀ ଯେ ଜଣେ ଓଡ଼ିଆଙ୍କୁ ବିବାହ କରିଛନ୍ତି, ସେ ଓଡ଼ିଆ ଘରର ବୋହୁ, କଥା ଏତିକି ନୁହେଁ। ସେ ଜଣେ ଓଡ଼ିଶା କ୍ୟାଡର ଆଇଏଏସ୍। ତାଙ୍କର କର୍ମକ୍ଷେତ୍ର ଥିଲା ଓଡ଼ିଶା। କିନ୍ତୁ, ହିମାଚଳି ଝିଅ ମୃଦଳା ଓଡ଼ିଶାରେ ଜଣେ ଓଡ଼ିଆ ପୁଅକୁ ବିବାହ କରିଛନ୍ତି। ବାସ୍ ସେତିକି। ସେ ନିଜ ପିଲାଛୁଆଙ୍କୁ ଧରି ଦିଲ୍ଲୀରେ ରହୁଛନ୍ତି। କେତେବେଳେ କେମିତି ଓଡ଼ିଶା ଆସୁଛନ୍ତି। ରାଜ୍ୟ ବିଜେପିର ଅନେକ ନେତାନେତ୍ରୀ ମୃଦଳା ଠାକୂରଙ୍କୁ ବଡ଼ ଗୁରୁତ୍ୱ ଦିଅନ୍ତି। ତାଙ୍କ ପରାମର୍ଶ ନିଅନ୍ତି। ଏମାନେ ଦିଲ୍ଲୀ ଗଲେ କିମ୍ବା ସେ ଓଡ଼ିଶା ଆସିଲେ ଏମାନେ ଯାଇ ହାଜିରା ପକାନ୍ତି। ମୃଦଳାଙ୍କ ଓଡ଼ିଆ ପ୍ରୀତି ବଖାଣନ୍ତି। ଏବେ କିନ୍ତୁ ରାଜ୍ୟ ପ୍ରବକ୍ତା ଅପରାଜିତାଙ୍କ ଉଦ୍ଦେଶ୍ୟରେ କହିଥିବା ଅଣ- ଓଡ଼ିଆ ଶବ୍ଦ ମୃଦଳା ଠାକୂରଙ୍କୁ ସିଧା ବାଜିଛି। ଏହାକୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚା ଆଲୋଚନା ହେଉଛି। କୁହାଯାଉଛି, “ନଡ଼ିଆ ଗଛକୁ ଚଡ଼କ ମାରିଲା, ଗୁଆ ଗଛ ପୋଡ଼ିଗଲା”!
@DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.