Home Top News ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ଓଡ଼ିଆ ନବବର୍ଷ କାଳ ଗଣନା ପଦ୍ଧତି ..

ଆଜି ଓଡ଼ିଆ ନବବର୍ଷ: ଜାଣନ୍ତୁ, ଓଡ଼ିଆ ନବବର୍ଷ କାଳ ଗଣନା ପଦ୍ଧତି ..

244

ଭୁବନେଶ୍ୱର: ଆଜି ମହା ବିଷୁବ ସଂକ୍ରାନ୍ତି। ଓଡ଼ିଆ ନବ ବର୍ଷ। ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ। ବୈଶାଖ ସଂକ୍ରାନ୍ତି (ସୂର୍ଯ୍ୟଙ୍କର ମେଷ ରାଶିକୁ ସଂକ୍ରମଣ ଦିନ) ବା ପଣା ସଂକ୍ରାନ୍ତି ଠାରୁ ସୌରମାନ ବର୍ଷର ପ୍ରଥମ ଗଣନା ଆରମ୍ଭ ହୁଏ। ଏହା ସୌର ବୈଶାଖର ପ୍ରଥମ ଦିବସ। ଏହି ଦିନଠାରୁ ନୂତନ ଶକାବ୍ଦ ଗଣନାର ଆରମ୍ଭ ହୁଏ। ଓଡ଼ିଆ ନବବର୍ଷର ଆରମ୍ଭ ପ୍ରଣାଳୀ ବିଜ୍ଞାନ ସମ୍ମତ ଓ ଯୁକ୍ତିଯୁକ୍ତ। ଏହାର ଗଣନା ନିରୟଣ ସୂର୍ଯ୍ୟ ମେଷରାଶିରେ ପ୍ରବେଶ କରିବାଠାରୁ ହୋଇଥାଏ। ଏହି ପଦ୍ଧତି ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ ଶତାନନ୍ଦାଚାର୍ଯ୍ୟଙ୍କ ଠାରୁ ଚଳି ଆସୁଥିବାର ଅନୁମାନ କରାଯାଏ। ମହାବିଷୁବ ସଂକ୍ରାନ୍ତିରେ ଓଡ଼ିଶାରେ ହନୁମାନ ଜୟନ୍ତୀ ମଧ୍ୟ ପାଳନ ହୋଇଥାଏ।ପୃଥିବୀର ପାଞ୍ଚ ପ୍ରକାର ଗତି ଅଛି। ସେଥିମଧ୍ୟରୁ ୩ଟି ପ୍ରତ୍ୟକ୍ଷ ଓ ୨ଟି ପରୋକ୍ଷ। ୩ଟି ପ୍ରତ୍ୟକ୍ଷ ଗତି ମଧ୍ୟରୁ ଦୋଳନ ଗତି ଅନ୍ୟତମ। ଏହି ଦୋଳନ ଗତି ଥରେ ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨୬ହଜାର ବର୍ଷ ଲାଗିଥାଏ। ଏହି ଗତି ବର୍ତ୍ତମାନ ପଶ୍ଚାତ କ୍ରମରେ ମୀନ ଆଡ଼କୁ ୨୪ଡିଗ୍ରୀ ଘୁଞ୍ଚି ଆସିଲାଣି। ଏହି କ୍ରମରେ ଏହା ୩୬୦ଡିଗ୍ରୀ ପର୍ଯ୍ୟନ୍ତ ଗତି କରିବ। ଏହା ସମସ୍ତ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସିଦ୍ଧାନ୍ତିମାନଙ୍କ ମତ। କିନ୍ତୁ, ଓଡ଼ିଶାର ମହାନ ବିତତ୍ତ୍ୱବିତ୍ ପଠାଣି ସାମନ୍ତଙ୍କ ମତ ଅନୁଯାୟୀ ଏହି ଗତି ଆଗକୁ ୨୭ଡିଗ୍ରୀ ଓ ପଛକୁ ୨୭ଡିଗ୍ରୀ ଗତି କରିବ। ଏହିପରି ଏହା କେବଳ ୫୪ ଡିଗ୍ରୀ ଭିତରେ ହିଁ ଗତି କରିପାରିବ। ଏହି ଗତି ଫଳରେ ଗ୍ରହ ନକ୍ଷତ୍ରଙ୍କ ଦ୍ରାଘିମାରେ ପରିବର୍ତ୍ତନ ଆସେ। ଏହାକୁ ନିରୟଣ ପଦ୍ଧତି କୁହାଯାଏ। ଭାରତୀୟ ଜ୍ୟୋତିର୍ବିଦମାନେ ନିରୟଣ ମତବାଦର ସପକ୍ଷରେ। ଏହି ମତ ଅନୁଯାୟୀ ସ୍ପଷ୍ଟ ସୂର୍ଯ୍ୟ ମେଷ ବିନ୍ଦୁରେ ପ୍ରତ୍ୟେକ ବର୍ଷ ପ୍ରାୟ ଅପ୍ରେଲ ୧୪/୧୫ ତାରିଖରେ ପ୍ରବେଶ କରନ୍ତି। ଏହିଠାରୁ ଓଡ଼ିଆ ନବବର୍ଷର ଆରମ୍ଭ ହୋଇଥାଏ। ଓଡ଼ିଆ ପଞ୍ଜିକାରେ ଏହି ଦିବସକୁ ମହାବିଷୁବ ସଂକ୍ରାନ୍ତି ଭାବେ ଉଲ୍ଲେଖ କରାଯାଇଥାଏ।
/-Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.