Home Top News ଆଜି ନିଳାଦ୍ରୀବିଜେ; ରସଗୋଲା ଦିବସ: ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ ମହାପ୍ରଭୁ ..

ଆଜି ନିଳାଦ୍ରୀବିଜେ; ରସଗୋଲା ଦିବସ: ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ ମହାପ୍ରଭୁ ..

155

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ ଚତୁର୍ଦ୍ଧାମୂର୍ତ୍ତି। ନିଳାଦ୍ରୀ ବିଜେ ରଥଯାତ୍ରାର ଶେଷ ପର୍ବ ଭାବେ ଗଣାଯାଏ। ଆଷାଢ଼ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବିଜେ କରିଥାଆନ୍ତି। ପରମ୍ପରା ଅନୁଯାୟୀ ଠାକୁର ମାନଙ୍କ ସୁନାବେଶ ଓ ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାଆନ୍ତି। ଶାସ୍ତ୍ରରେ ଯଦିଓ ଉଲ୍ଲେଖ ରହିଛି ଦ୍ୱାଦଶୀ ଦିନମହାପ୍ରଭୁ ନୀଳାଦ୍ରି ବିଜେ କରନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୋୟଦଶୀ ତିଥିରେ ନୀଳାଦ୍ରି ବିଜେ ହୋଇଥାଏ। ଏହି ପରମ୍ପରା ଦୀର୍ଘ ଅନେକ ବର୍ଷ ଧରି ଅନୁସୃତ ହୋଇ ଆସୁଅଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ନିଯୋଗ ଆଲୋଚନା କରାଯାଇ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇ ଚଳିତ ବର୍ଷ ରାତି ୧୦ଟା ସୁଦ୍ଧା ସମସ୍ତ ନୀତିକାନ୍ତି ଶେଷ କରିବାକୁ ସ୍ଥିର ହୋଇଛି। ଭୋରରୁ ଆଜିର ନୀତିକାନ୍ତି ସବୁ ଆରମ୍ଭ ହୋଇଯାଇଛି। ତିନି ରଥରେ ମଙ୍ଗଳ ଆଳତି ପରେ ଅପରାହ୍ନରେ ତିନି ରଥର ଚାରବନ୍ଧା କାମ ସରିବା ପରେ ସିଂହାସନ ମାଜଣା ହେବ। ଏହାପରେ ପହଣ୍ଡି ଆରମ୍ଭ ହେବ। ଆଜିର ନିଳାଦ୍ରୀବିଜେ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁର ମାନଙ୍କର ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧା ଯାଇଥାଏ। ଏହାପରେ ଦର୍ଶନ ନିମିତ୍ତ କିଛି ସମୟ ଭକ୍ତମାନଙ୍କୁ ରଥ ଉପରୁ ଛଡ଼ା ଯାଇଥାଏ। ପ୍ରଥମେ ବିଜେ କାହାଳି ବାଜିବା ପରେ ବନ୍ଦାପନା ଓ ଡୋରି ଲାଗି ନୀତି ହୋଇଥାଏ। ପୁଷ୍ପାଳକ ମହାଜନ ମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ହସ୍ତରେ ଧରି ଦକ୍ଷିଣି ଘରକୁ ବିଜେ କରାଇଥାନ୍ତି। ତତ୍ପରେ ଗୋଟି ପହଣ୍ଡି କ୍ରମରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପହଣ୍ଡି ହୋଇ ଗମ୍ଭୀରାକୁ ବିଜେ କରାଯାଏ।ପହଣ୍ଡି ବିଜେ ପୂର୍ବରୁ ରତ୍ନସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧାଯାଏ ଓ ଅଖଣ୍ଡ ବଇଠା ବସେ। ଠାକୁର ମାନେ ପହଣ୍ଡିରେ ଆସିବା ବେଳେ ମନ୍ଦିର ପରିସରସ୍ଥ ଶୁଆଶାରୀ ଦେଉଳ ଠାରେ ପ୍ରସାଦ ଲାଗି, ଘସା, ବିଡ଼ିଆ ମଣୋହି ଓ ବନ୍ଦାପନା ନୀତି ହୋଇଥାଏ। ଜଗମୋହନ ଠାରେ ମଧ୍ୟ ଏହି ନୀତି ପାଳିତ ହୋଇଥାଏ। ଗୁଣ୍ଡିଚା ମନ୍ଦିର ଠାରେ ରଥ ଉପରୁ ଠାକୁରମାନେ ଗୁଣ୍ଡିଚା ଘର ରତ୍ନସିଂହାସନକୁ ପହଣ୍ଡି ବିଜେ କରିବା ସମୟରେ ରଥ ଉପରେ ଯେଉଁ ପ୍ରକାର ନୀତି ଅନୁସୃତ ହୋଇଥାଏ, ଠିକ୍ ସେହିପରି ସିଂହଦ୍ୱାରଠାରେ ନୀଳାଦ୍ରି ବିଜେ ପହଣ୍ଡିରେ ସମନୀତି ପାଳିତ ହୁଏ।ଜଗନ୍ନାଥ ମହାପ୍ରଭୁ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ଉଭୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟ ହୋଇଥାନ୍ତି। ଏହାପରେ ଲକ୍ଷ୍ମୀଙ୍କ ତରଫରୁ ଭିତରଚ୍ଛ ବନ୍ଦାପନା ନୀତି ବଢ଼ାଇଥାଆନ୍ତି। ଏହି ସମୟରେ ପରମ୍ପର ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲିଯାଏ। ପୁନଶ୍ଚ ଜଗନ୍ନାଥ ମହାପ୍ରଭୁ ଜୟ ବିଜୟ ଦ୍ୱାର ନିକତରେ ବିଜେ କରିବା ସମୟରେ କବାଟ ଭିତର ପଟୁ ବନ୍ଦ କରାଯାଇଥାଏ। ଲକ୍ଷ୍ମୀ ଠାକୁରାଣୀଙ୍କ ତରଫରୁ ଜୟ ବିଜୟ ଦ୍ୱାରର ଭିତର ପଟେ ଜନୈକ ଦେବଦାସୀ ଏବଂ ମହାପ୍ରଭୁଙ୍କ ତରଫରୁ ଜଣେ ଦଇତାପତି ଦ୍ୱାରର ଅପର ପାର୍ଶ୍ୱରେ ରହିବା ସଙ୍ଗେ ସଙ୍ଗେ ଉଭୟଙ୍କ ମଧ୍ୟରେ ଲୋକ ପରମ୍ପରାଗତ ବଚନିକା ପରେ ଜୟ ବିଜୟ ଦ୍ୱାର ଫିଟିଥାଏ। ମହାପ୍ରଭୁ ପହଣ୍ଡି ବିଜେ ବିଜେରେ ଭିତର କାଠ ସମ୍ମୁଖସ୍ଥ ଭଣ୍ଡାର ଘରଠାରେ ପହଞ୍ଚିବା ପରେ ଗଇଁଠାଳ, ରସଗୋଲା ଭୋଗ ଇତ୍ୟାଦି ସହିତ ବନ୍ଦାପନା ସମାହିତ ହୋଇଥାଏ। ଏହା ପରେ ଘସା, ବିଡ଼ିଆ ମଣୋହି ସରିଲେ ମହାପ୍ରଭୁ ରତ୍ନସିଂହାସନକୁ ବିଜେ କରିଥାଆନ୍ତି। ନିଳାଦ୍ରୀବିଜେ ଏହି ଗୋଟିଏ ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ ମହାପ୍ରଭୁଙ୍କ ରସଗୋଲା ଭୋଗ ହୋଇଥାଏ। କଥିତ ଅଛି ଯେ, ମହାପ୍ରଭୁ ଲକ୍ଷ୍ମୀଦେବୀଙ୍କୁ ରସଗୋଲା ଖୁଆଇ ତାଙ୍କର ମନୋରଞ୍ଜନ କରିଥିଲେ। ଏହି ଦିନଟିକୁ ଏବେ ରସଗୋଲା ଦିବସ ଭାବରେ ପାଳନ କରାଯାଉଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.