୧ : କରୋନା ମହାମାରୀ ବିରୋଧରେ ଭାରତ ସାତ ମାସ ଧରି ସଂଗ୍ରାମ ଜାରି ରଖିଆସିଛି। ଗତ ମାର୍ଚ୍ଚ ମାସରେ ପ୍ରଥମେ ଲକଡାଉନ୍ ଘୋଷଣା କରାଯାଇଥିଲା। ଆପଣଙ୍କ ଆକଳନ ଅନୁସାରେ ଆମେ ଏଥିରେ କେତେ ମାତ୍ରାରେ ସଫଳତା ହାସଲ କରିପାରିଛେ।
ପ୍ରଧାନମନ୍ତ୍ରୀ : ମୁଁ ଦୃଢ଼ ନିଶ୍ଚିତ ଏକଥାରେ ଆମେ ସଭିଏଁ ସହମତ ହେବା ଯେ ଏହି ଭୂତାଣୁ ସଂପର୍କରେ ପୂର୍ବରୁ ସମସ୍ତେ ଅନଭିଜ୍ଞ ଥିଲେ। ଅତୀତରେ ଏଭଳି ଭୂତାଣୁ ବିଷୟରେ କାହାକୁ କିଛି ହେଲେ ଜଣାନଥିଲା। ତେଣୁ, ଏଭଳି ନୂତନ ଓ ଅଜଣା ଶତ୍ରୁ ବିରୁଦ୍ଧରେ ଆମ କାର୍ଯ୍ୟାନୁଷ୍ଠାନର ଉପାୟକୁ ଆମକୁ ହିଁ ବିକଶିତ କରିବାକୁ ପଡ଼ିଥିଲା।
ମୁଁ କୌଣସି ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୁହେଁ। କିନ୍ତୁ ମୋର ଆକଳନ କେବଳ ସଂଖ୍ୟାରେ ହିଁ ସୀମିତ।
ମୁଁ ଭାବୁଛି ଆମେ ଆମର କରୋନା ଭୂତାଣୁ ବିରୋଧୀ ସଂଗ୍ରାମର ମେରିଟକୁ ଆମେ କେତେ ସଂଖ୍ୟାରେ ଜୀବନ ବଞ୍ଚାଇପାରିଛୁ ସେହି ଅନୁସାରେ ବିଚାର କରିବା ଉଚିତ ହେବ।
ଏହି ଭୂତାଣୁର ସଂକ୍ରମଣ ବେଶ୍ ବିଚିତ୍ର ପରି ମନେହୁଏ। ଏକ ସମୟରେ, ଗୁଜରାଟ ଭଳି କେତେକ ସ୍ଥାନକୁ ହଟ୍ ସ୍ପଟ୍ ବୋଲି ବିବେଚନା କରାଯାଉଥିଲା ଯଦ୍ୟପି କେରଳ, କର୍ଣ୍ଣାଟକ ଆଦି ସ୍ଥାନରେ ଏହା ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ କିଛି ମାସ ପରେ ଗୁଜରାଟରେ ଅବସ୍ଥା ସୁଧୁରିବାକୁ ଆରମ୍ଭ କରିବା ବେଳେ କେରଳରେ ପରସ୍ଥିତି ଜଟିଳ ହେବା ଲକ୍ଷ୍ୟ କରାଯାଇଥିଲା।
ସେଥିପାଇଁ ମୁଁ ଭାବୁଛି କରୋନା ବିରୁଦ୍ଧରେ ଆମର ସଂଗ୍ରାମରେ ଆମେ କୌଣସି ପ୍ରକାର ହେୟ ମନୋଭାବ ପୋଷଣ କରିବା ଅନୁଚିତ। ଅକ୍ଟୋବର ୨୦ ତାରିଖ ଦିନ ମୁଁ ଦେଶବାସୀଙ୍କୁ ଦେଇଥିବା ବାର୍ତ୍ତାରେ ମଧ୍ୟ ସେଇ କଥା ଉପରେ ଜୋର ଦେଇଥିଲି ଯେ ଆଗକୁ ଆମର କର୍ତ୍ତବ୍ୟ ହେବ କେବଳ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା। “ଜବ୍ ତକ୍ ଦବାଇ ନେହିଁ, ତବ୍ ତକ୍ ଢିଲାଇ ନେହିଁ।”
୨ : କିନ୍ତୁ ଆପଣ ଯେମିତି ଚାହୁଁଥିଲେ ମୋଟାମୋଟି ଭାବେ ସେହିଭଳି ଭାବେ କରୋନା ବିରୁଦ୍ଧରେ ଲଢ଼େଇର ଯୋଜନା ପ୍ରସ୍ତୁତ କରାଯାଇଛି ନା ନିରବଚ୍ଛିନ୍ନ ଭାବେ ଯୋଜନାକୁ ବଦଳା ଯାଉଛି ବା ଏଥିରେ ଉନ୍ନତି କରାଯାଉଛି।
ପ୍ରଧାନମନ୍ତ୍ରୀ : ଆମେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରିଥିଲୁ ଏବଂ ଯଥା ସମୟରେ ଦେଶବ୍ୟାପୀ ଲକଡାଉନ୍ ଘୋଷଣା କରିଥିଲୁ। ଆମେ ଯେତେବେଳେ ଲକଡାଉନ୍ ଘୋଷଣା କରିଥିଲୁ, ସେତେବେଳେ ଦେଶରେ ମାତ୍ର କରୋନା ସଂକ୍ରମଣ ସଂଖ୍ୟା ମାତ୍ର କେଇ ଶହ ଭିତରେ ସୀମିତ ଥିଲା। ଅନ୍ୟ କେତେକ ରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ହଜାର ଟପି ସାରିଥିବା ବେଳେ ସେମାନେ ଲକଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିଲେ। ବୈଶ୍ୱିକ ମହାମାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣର ବେଶ୍ ଏକ ଜଟିଳ ପଏଣ୍ଟରେ ହିଁ ଆମେ ଲକଡାଉନ୍ ଜାରି କରିଥିଲୁ।
ଆମେ କେବଳ ଲକଡାଉନର ବିଭିନ୍ନ ପର୍ଯ୍ୟାୟ ଘୋଷଣା କରିବାରେ କେବଳ ଉଚିତ ନିଷ୍ପତ୍ତି ଗ୍ରହଣ କରିନଥିଲୁ, ଅପରନ୍ତୁ ଆମେ ଅନଲକ୍ ପ୍ରକ୍ରିୟାକୁ ମଧ୍ୟ ଠିକ୍ ଭାବେ ଏବଂ ଆମର ଅର୍ଥବ୍ୟବସ୍ଥାର ସୁପରିଚାଳନାରେ ମଧ୍ୟ ସମୁଚିତ ସିଦ୍ଧାନ୍ତ ଗ୍ରହଣ କରିଥିଲୁ। ସେଇଥିପାଇଁ ଏବେ ଅର୍ଥବ୍ୟବସ୍ଥା ପୁଣି ସ୍ୱାଭାବିକତା ଦିଗକୁ ଫେରିପାରିଛି। ଅଗଷ୍ଟ ଓ ସେପ୍ଟେମ୍ବର ମାସର ପ୍ରାପ୍ତ ସୂଚନା ଏହାହିଁ ସୂଚୀତ କରୁଛି।
ଭାରତ ଏହି ଦିଗରେ ସାରା ଦେଶରେ ଅତି ବୈଜ୍ଞାନିକ ଚିନ୍ତାଧାରା ଆଧାରିତ କୋଭିଡ଼- ୧୯ ମହାମାରୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବଂ ସେହି କାର୍ଯ୍ୟାନୁଷ୍ଠାନ ଆମପାଇଁ ବେଶ୍ ଉପକାରସିଦ୍ଧ ସାବ୍ୟସ୍ତ ହୋଇଛି।
ବର୍ତ୍ତମାନ କରାଯାଇଥିବା ଅଧ୍ୟୟନ ସୂଚୀତ କରେ ଯେ ଏଭଳି କାର୍ଯ୍ୟାନୁଷ୍ଠାନ ଆମକୁ କରୋନା ମହାମାରୀ ବ୍ୟାପକ ଆକାରରେ ସଂପ୍ରସାରିତ ହେବା ଆଶଙ୍କାରୁ ରକ୍ଷା କରିପାରିଛି। ତାହା ହୋଇଥିଲେ ଦେଶରେ ଆହୁରି ଅନେକ ଲୋକଙ୍କ ପ୍ରାଣହାନି ଘଟିଥାନ୍ତା। ଏହାବ୍ୟତୀତ ସମୟୋଚିତ ଲକଡାଉନ୍ ଘୋଷଣା କରାଯିବା ଦ୍ୱାରା ବିଶ୍ୱର ପ୍ରଥମ କେତୋଟି ରାଷ୍ଟ୍ରମାନଙ୍କ ମଧ୍ୟରୁ ଗୋଟିଏ ହୋଇପାରିଲା ଯେଉଁଠାରେ ଲୋକମାନେ ମାସ୍କ ପିନ୍ଧିବା, କଣ୍ଟାକ୍ଟ ଟ୍ରେସିଂ ଆପର ବିକାଶ ଏବଂ ରାପିଡ଼ ଆଣ୍ଟିଜେନ୍ ଟେଷ୍ଟ୍ ଭଳି ପଦ୍ଧତି ଆପଣା ଯାଇପାରିଥିଲା।
ଏଭଳି ବ୍ୟାପକ ମାତ୍ରାରେ ସଂକ୍ରମିତ ହେଉଥିବା ଏକ ମହାମାରୀ ପାଇଁ ଯଦି ସମଗ୍ର ଦେଶ ଏକଜୁଟ ହୋଇନଥାନ୍ତା, ତେବେ ଏହାକୁ ନିୟନ୍ତ୍ରଣ କରିବା କଦାପି ସମ୍ଭବପର ହୋଇନଥାନ୍ତା। କରୋନା ଭୂତାଣୁ ବିରୋଧରେ ସଂଗ୍ରାମ ସକାଶେ ସମଗ୍ର ଦେଶ ଏକଜୁଟ ହୋଇ ଠିଆ ହୋଇଥିଲା। ଛାମୁଆ ସ୍ୱାସ୍ଥ୍ୟସେବା କର୍ମୀଙ୍କ ଭଳି କୋଭିଡ଼ ଯୋଦ୍ଧାମାନେ ନିଜ ଜୀବନ ପ୍ରତି ବିପଦ ଅଛି ବୋଲି ଜାଣି ସୁଦ୍ଧା ସେମାନେ ଦେଶ ପାଇଁ ଏହି ସଂଗ୍ରାମରେ ସାମିଲ ହୋଇଥିଲେ।
୩: ଏଥିରୁ ଆପଣ ସବୁଠାରୁ କି ମହାଶିକ୍ଷା ଲାଭ କରିଛନ୍ତି।
ପ୍ରଧାନମନ୍ତ୍ରୀ : ଗତ କେଇ ମାସ ମଧ୍ୟରେ ଏଥିରୁ ଯେଉଁ ସକାରାତ୍ମକ ଶିକ୍ଷାଲାଭ ମିଳିଛି ତାହାହେଲା ଡେଲିଭରି ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଯାହାଦ୍ୱାରା ଦେଶର ଶେଷତମ ଭାବରେ ଆବଶ୍ୟକ ସାମଗ୍ରୀକୁ ପହଞ୍ଚାଯାଇପାରିବ। ଏଭଳି ଡେଲିଭରୀ ମେକାନିଜମର ଅଧିକତର ଭାଗ ଆମ ସରକାରଙ୍କ ପ୍ରଥମ ପର୍ଯ୍ୟାୟ ବେଳେ ହିଁ ଗଢ଼ାଯାଇଥିଲା ଏବଂ ଏହା ଦେଶ ଯେତେବେଳେ ମହାମାରୀ ଭଳି ସ୍ଥିତିର ସମ୍ମୁଖୀନ ହେଲା ତାହାର ମୁକାବିଲା ସକାଶେ ଆମକୁ ଏହା ଢ଼େର୍ ମାତ୍ରାରେ ସହାୟକ ହୋଇପାରିଲା। ମୁଁ ଏହାର ଦୁଇଟି ମାତ୍ର ଉଦାହରଣ ଦେବି। ପ୍ରଥମତଃ, ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ବ୍ୟବସ୍ଥା ମାଧ୍ୟମରେ ଆମେ ତୁରନ୍ତ କୋଟି କୋଟି ଦୁର୍ଗତ ଲୋକମାନଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପଠାଇ ପାରିଥିଲୁ। ଏହି ସମଗ୍ର ସଂସାଧନ ବ୍ୟବସ୍ଥା ବିଗତ ଛଅ ବର୍ଷ ଭିତରେ ହିଁ ବିକଶିତ ହୋଇଥିଲା। ପୂର୍ବରୁ, ଯେକୌଣସି ଗୋଟିଏ ଛୋଟ ମୋଟ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସୁଦ୍ଧା, ଗରିବ ଲୋକମାନଙ୍କ ନିକଟରେ ରିଲିଫ ପହଞ୍ଚାଯାଇ ପାରୁନଥିଲା। ସେଥିରେ ବ୍ୟାପକ ଦୁର୍ନୀତି ହେଉଥିଲା। କିନ୍ତୁ ଆମେ ଖୁବ୍ କମ୍ ସମୟ ମଧ୍ୟରେ ବ୍ୟାପକ ଲୋକଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହୋଇପାରିଛୁ। ପୁଣି ସେଥିରେ କାହାରି ଜଣଙ୍କର ହେଲେ ଦୁର୍ନୀତିର ଅଭିଯୋଗ ନଥିଲା। ଏହା ହେଉଛି ଶାସନ ବ୍ୟବସ୍ଥାରେ ପ୍ରଯୁକ୍ତିର ଉପଯୋଗର କମାଲ। ଏହାର ଏକ ବିପରୀତ ଉଦାହରଣ ଦେଇ ଆପଣ ପାଠକମାନଙ୍କୁ ସୂଚୀତ କରିପାରିବେ ଯେ ୧୯୭୦ ଦଶକରେ ଯେତେବେଳେ ବସନ୍ତ ମହାମାରୀ ଦେଖାଦେଇଥିଲା ସେତେବେଳେ ଭାରତ ଏହାର କିଭଳି ମୁକାବିଲା କରିଥିଲା।
ଦ୍ୱିତୀୟରେ, ଦେଶର ଶହେ କୋଟିରୁ ଅଧିକ ଲୋକଙ୍କ ଅଭ୍ୟାସ, ଚାଲିଚଳଣରେ ଘଟିଥିବା ପରିବର୍ତ୍ତନ ଯେଉଁମାନେକି ଅତି କମ୍ ସମୟ ଭିତରେ ପରିବର୍ତ୍ତିତ ପରିସ୍ଥିତି ସହ କିଭଳି ମୁକାବିଲା କରିବାକୁ ପଡ଼ିବ ଏବଂ ନିଜକୁ ପରିସ୍ଥିତି ସହ ଖାପ୍ ଖୁଆଇବାକୁ ହେବ ତାହା ଗ୍ରହଣ କରିନେଇଥିଲେ। ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା- ଏହା ହେଉଛି ଏକ ବୈଶ୍ୱିକ ଜନ ସହଭାଗୀତାର ମଡ଼େଲ ଯେଉଁଥିପାଇଁ ଲୋକଙ୍କ ଉପରେ କୌଣସି ପ୍ରକାର ଜୋର କିମ୍ବା ବଳ ପ୍ରୟୋଗ କରିବାକୁ ପଡ଼ିନଥିଲା।
କେନ୍ଦ୍ର ଓ ରାଜ୍ୟ ସରକାରମାନେ ପରସ୍ପର ମଧ୍ୟରେ ଏଭଳି ସମନ୍ୱୟ ରକ୍ଷା କରି ନିରବଚ୍ଛିନ୍ନ ଭାବେ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କଲେ, ସରକାରୀ ଓ ଘରୋଇ କ୍ଷେତ୍ର ଏଭଳି ଭାବେ ପରସ୍ପରର ନିକଟତର ହୋଇ କାର୍ଯ୍ୟ କଲେ, ସମସ୍ତ ମନ୍ତ୍ରଣାଳୟ ପରସ୍ପର ମଧ୍ୟରେ ସମନ୍ୱୟ ଓ ଯୋଗସୂତ୍ର ରକ୍ଷା କଲେ ଓ କାନ୍ଧକୁ କାନ୍ଧ ମିଳାଇ ଦାୟିତ୍ୱ ବହନ କଲେ ଏବଂ ଜନସାଧାରଣଙ୍କ ସହଯୋଗ ଓ ଅଂଶଗ୍ରହଣ ମିଳିତ ତଥା ସକ୍ରିୟ ଭାବେ ଏହି ସଂଗ୍ରାମକୁ ବଳିଷ୍ଠ ଓ ଫଳପ୍ରସୂ କରିପାରିଥିଲା।
୪ : ଭାରତରେ କୋଭିଡ଼-୧୯ର ବ୍ୟାପ୍ତର ସ୍ଥିତି ସମ୍ପର୍କରେ ଆପଣଙ୍କ ବ୍ୟକ୍ତିଗତ ଆକଳନ କ’ଣ।
ପ୍ରଧାନମନ୍ତ୍ରୀ : କରୋନା ଭୂତାଣୁ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟୟରେ ଗ୍ରହଣ କରାଯାଇଥିବା ସକାରାତ୍ମକ ପଦକ୍ଷେପମାନ ଆମକୁ ଏହି ମହାମାରୀ ବିରୋଧରେ ପ୍ରତିରକ୍ଷା ବ୍ୟବସ୍ଥା ପ୍ରସ୍ତୁତିରେ ଆମକୁ ବେଶ୍ ସହାୟକ ହୋଇପାରିଥିଲା। ଯଦିଚ, ଅସମୟରେ କୌଣସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ବେଶ ଯନ୍ତ୍ରଣାଦାୟକ ଥିଲା, ତଥାପ ଭାରତ ଭଳି ଆକାରର ଏକ ରାଷ୍ଟ୍ର ସକାଶେ, ଆମର ବ୍ୟବସ୍ଥା ଯେତିକି ଖୋଲାମେଲା, ଆମର ବ୍ୟବସ୍ଥା ଯେତିକି ପରସ୍ପର ସହ ସଂଯୁକ୍ତ, ସେହି ଦୃଷ୍ଟିରୁ ଦେଖିଲେ ସମଗ୍ର ବିଶ୍ୱରେ କରୋନା ଜନିତ ମୃତ୍ୟୁହାର ଦୃଷ୍ଟିରୁ ଆମେ ସର୍ବ ନିମ୍ନରେ ରହିଛୁ। ଆମର ଆରୋଗ୍ୟ ହାର ମାତ୍ରା ନିରବଚ୍ଛିନ୍ନ ଭାବେ ଉପରକୁ ଉପରକୁ ବୃଦ୍ଧି ପାଇଚାଲିଛି ଏବଂ ଆମର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍ ଉଲ୍ଲେଖନୀୟ ମାତ୍ରାରେ କମି କମି ଚାଲିଛି। ସେପ୍ଟେମ୍ବର ମଧ୍ୟଭାଗରେ ଯେତେବେଳେ କି ଏହି ମହାମାରୀ ତା’ର ଶିଖର ପର୍ଯ୍ୟାୟରେ ଥିଲା, ସେତେବେଳେ ଦିନକୁ ୯୭, ୮୯୪ ଜଣ ଦୈନିକ ଆକ୍ରାନ୍ତ ହେଉଥିବା ବେଳେ ଅକ୍ଟେବର ଶେଷ ଭାଗକୁ ଏହା ୫୦, ୦୦୦ ପାଖାପାଖି ହୋଇଥିବା ଜଣାପଡ଼ିଛି। ଏହା ସେଇଥିପାଇଁ ସମ୍ଭବପର ହୋଇପାରିଛି କାରଣ ସମଗ୍ର ଭାରତ ଏକଜୁଟ ହୋଇପାରିଛନ୍ତି ଏବଂ ସେମାନେ ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରୁଛନ୍ତି।
୫ : ବର୍ତ୍ତମାନର ଧାରା ସୂଚୀତ କରେ ଯେ କରୋନା ମହାମାରୀ ସଂକ୍ରମଣରେ ସକ୍ରିୟ ମାମଲା ଓ ମୃତ୍ୟୁହାର ରେଖା ବକ୍ର ହୋଇସାରିଛି, ଯାହା ଆଶା ସଞ୍ଚାର କରେ ଯେ ବିପଦ ଆମ ମୁଣ୍ଡ ଉପରୁ ଟଳି ସାରିଛି। ଆପଣ କ’ଣ ଏଭଳି ଚିନ୍ତାଧାରା ସହ ସହମତ ଯାହାକି ସରକାରଙ୍କ ପାଖରେ ଉପଲବ୍ଧ ତଥ୍ୟ ସୂଚନା ଆଧାରରେ କୁହାଯାଇପାରିବ।
ପ୍ରଧାନମନ୍ତ୍ରୀ : ଏହା ଏକ ସଂପୂର୍ଣ୍ଣ ନୂଆ ପ୍ରକାରର ଭୂତାଣୁ। ଯେଉଁସବୁ ରାଷ୍ଟ୍ରମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ନିୟନ୍ତ୍ରଣ କରିପାରିଥିଲେ ସେଠାରେ ଏବେ ପୁଣି ଥରେ ଏହି ମହାମାରୀ ମୁଣ୍ଡ ଟେକିଛି ବୋଲି ଖବର ମିଳିଛି।
ଭାରତର ଭୌଗୋଳିକ ବ୍ୟାପ୍ତି, ଜନସଂଖ୍ୟାର ସାନ୍ଦ୍ରତା, ନିୟମିତ ଭାବେ ହେଉଥିବା ସାମାଜିକ ଜନ ସମାଗମ ପ୍ରତି ମଧ୍ୟ ଆମକୁ ଧ୍ୟାନ ଦେବାକୁ ପଡ଼ିବ। ଯେତେବେଳେ ଆମେ ଏହିସବୁ ସଂଖ୍ୟା କଥା ଚିନ୍ତାକରୁ ଏବଂ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରୁ ସେତେବେଳେ ଆମେ ଏହି କଥାକୁ କଦାପି ଏଡ଼ାଇ ଦେଇପାରିବାନାହିଁ। ଆମର ଅନେକ ରାଜ୍ୟ ଏପରି ଅଛନ୍ତି ଯେଉଁଠି ବିଶ୍ୱର କେତେକ ରାଷ୍ଟ୍ର ଠାରୁ ସୁଦ୍ଧା ବଡ଼।
ପୁଣି ଦେଶ ଭିତରେ କରୋନାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ- କେତେକ ଅଞ୍ଚଳ ଏପରି ଅଛି ଯେଉଁଠାରେ ଏହାର ମାତ୍ରା ଅତି କମ ଓ ଆଉ କେତେକ ରାଜ୍ୟ ଯେଉଁଠାରେ ଏହା ଉପରେ ଅଧିକ ଧ୍ୟାନ ଦିଆଯାଉଛି ଏବଂ ସେଠାରେ ଏହାର ସଂକ୍ରମଣ ମଧ୍ୟ ଅବ୍ୟାହତ ରହିଛି। ତଥାପି ଏକଥାକୁ ସ୍ମରଣ ରଖିବାକୁ ହେବ ଯେ ୭୦୦ରୁ ଅଧିକ ଜିଲ୍ଲାବିଶିଷ୍ଟ ଏକ ରାଷ୍ଟ୍ରରେ, ମାତ୍ର କେତେକ ଜିଲ୍ଲା ଓ ରାଜ୍ୟରେ ହିଁ ଏହାର ପ୍ରଭାବ ଅଧିକ ମାତ୍ରାରେ ଅନୁଭୂତ ହୋଇଛି।
କେତେକ କ୍ଷେତ୍ରରେ ଆମର ସର୍ବଶେଷ ପରିସଂଖ୍ୟାନ ସୂଚାଏ ଯେ ମୃତ୍ୟୁହାର ଏବଂ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାତ୍ମକ ଭାବେ ଦେଖିଲେ କିଛି ସମୟ ପୂର୍ବରୁ ଯାହା ଥିଲା ସେଥିରେ ହ୍ରାସ ଘଟିଛି। ତଥାପି ଆମେ କୌଣସି କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବୁନାହିଁ। କରୋନା ଭୂତାଣୁ ଏବେ ସୁଦ୍ଧା ଆମ ଦେଶରେ ରହିଛି। ଆମର ଅବହେଳା ଯୋଗୁ ଏହା ପୁଣି ବୃଦ୍ଧି ପାଇପାରେ। ମୁଁ ଭାବୁଛି ଆମର କାର୍ଯ୍ୟାନୁଷ୍ଠାନ ଓ ଧ୍ୟାନ ପରିସ୍ଥିତିର ମୁକାବିଲା ସକାଶେ ଆମର କ୍ଷମତା ବୃଦ୍ଧି ଉପରେ କେନ୍ଦ୍ରିତ ହେବା ଆବଶ୍ୟକ। ଲୋକମାନଙ୍କୁ ଅଧିକ ସଚେତନ କରାଇବା, ସେମାନଙ୍କ ପାଇଁ ଅଧିକ ସୁବିଧାସୁଯୋଗ ସୃଷ୍ଟି କରିବା ଯାହାକି ଆପ୍ତବାକ୍ୟ “ସବୁଠାରୁ ଭଲ କଥା ଆଶା କର, କିନ୍ତୁ ସବୁଠାରୁ ବଡ଼ ବିପର୍ଯ୍ୟୟ ପାଇଁ ନିଜକୁ ପ୍ରସ୍ତୁତ ରଖ” ଆଧାରରେ କରାଯିବା ଉଚିତ।
୬: କୋଭିଡ଼ ୧୯ ମହାମାରୀର ପ୍ରଭାବ ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ଆପଣ ଜୀବନ ଓ ଜୀବନଜୀବିକା ମଧ୍ୟରେ ଉଚିତ ସନ୍ତୁଳନ ରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରୟାସରେ ସରକାର କେତେଦୂର ସଫଳ ହୋଇଛନ୍ତି ବୋଲି ଆପଣ ବିବେଚନା କରନ୍ତି।
ପ୍ରଧାନମନ୍ତ୍ରୀ : ଦେଶ ସ୍ୱାଧୀନତା ଲାଭ କରିବାର ସାତ ଦଶନ୍ଧିରୁ ଅଧିକ ସମୟ ବିତି ସାରିଛି। କିନ୍ତୁ ତଥାପି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ମନରୁ ଉପନିବେଶବାଦୀ ମନୋଭାବ ଦୂର ହୋଇପାରିନାହିଁ। ସେମାନେ ଭାବନ୍ତି ଯେ ଜନଗଣ ଏବଂ ସରକାର ହେଲେ ଦୁଇଟି ଭିନ୍ନ ପ୍ରସଙ୍ଗ। ଲୋକମାନଙ୍କ ମନରେ ଏହି ଧାରଣା ସୃଷ୍ଟି ହୋଇଛି ଯେ ସରକାରଙ୍କ ଉପରେ ଏହି ବିପଦ ପଡ଼ିଛି। କିନ୍ତୁ ବାସ୍ତବତା ହେଲା ଏହାରେ ଏହି ମହାମାରୀ ୧୩୦ କୋଟି ଲୋକ ଓ ସରକାରଙ୍କୁ ଆକ୍ରାନ୍ତ କରିଛି ଏବଂ ସରକାର ଓ ଜନତା ଏହାର ମୁକାବିଲା ପାଇଁ ହାତ ମିଳାଇଛନ୍ତି।
କୋଭିଡ଼ ୧୯ ମହାମାରୀ ଆରମ୍ଭ ହେବା ଦିନଠାରୁ ସାରା ପୃଥିବୀରେ ବିଭିନ୍ନ ଦେଶରେ ଅସଂଖ୍ୟ ଲୋକଙ୍କ ପ୍ରାଣହାନି ଘଟି ଚାଲିଛି। ସେମାନଙ୍କର ସ୍ୱାସ୍ଥ୍ୟ ବ୍ୟବସ୍ଥା ହଠାତ୍ ଭୁଶୁଡ଼ି ପଡ଼ିଛି କାରଣ ରୋଗୀମାନଙ୍କ ବୋଝ ସମ୍ଭାଳିବାକୁ ତାହା ସକ୍ଷମ ହୋଇପାରିନାହିଁ। ଏଭଳି ମୃତକଙ୍କ ମଧ୍ୟରେ ଉଭୟ ଯୁବ ଓ ବୟୋବୃଦ୍ଧ ରୋଗୀ ଅଛନ୍ତି। ଏହି ସମୟରେ ଆମର ପ୍ରଥମ କର୍ତ୍ତବ୍ୟ ହେଲା ଭାରତରେ ଏଭଳି ପରିସ୍ଥିତିକୁ କିଭଳି ଏଡାଇ ଦିଆଯାଇପାରିବ ଏବଂ ଲୋକମାନଙ୍କ ଜୀବନ ରକ୍ଷା କରାଯାଇପାରିବ। ଏହି ଭୂତାଣୁ ହେଲା ଏକ ଅଜଣା ଶତ୍ରୁ ସଦୃଶ। ଏହା ଅପ୍ରତ୍ୟାଶିତ ଭାବେ ମାନବ ସମାଜ ଉପରେ ସବାର ହୋଇପଡ଼ିଛି।
ଯେତେବେଳେ ଜଣେ ବ୍ୟକ୍ତି କୌଣସି ଏକ ଅଦୃଶ୍ୟ ଶତ୍ରୁ ସହିତ ମୁକାବିଲା କରୁଛି, ଶତ୍ରୁକୁ ବୁଝିବାକୁ ତାକୁ କିଛି ସମୟ ଆବଶ୍ୟକ ପଡ଼ିଥାଏ ଏବଂ ତାହାର ମୁକାବିଲା ସକାଶେ ଏକ ଉଚିତ ରଣନୀତି ନିମନ୍ତେ ଉପାୟ ପାଞ୍ଚିଥାଏ। ସେମିତି ଆମେ ପ୍ରଥମେ ୧୩୦ କୋଟି ଦେଶବାସୀଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରିଥିଲୁ ଏବଂ ଏହି ଭୂତାଣୁ ଠାରୁ ଆମେ ଯେଉଁ ପ୍ରକାର ବିପଦର ସାମ୍ନା କରିବାକୁ ଯାଉଛୁ ସେ ସଂପର୍କରେ ସେମାନଙ୍କୁ ସଚେତନ କରାଇଥିଲୁ। ପୁଣି କେଉଁଭଳି ଭାବେ ସେମାନେ ନିଜେ ଓ ନିଜର ପରିବାରର ଅନ୍ୟ ସଦସ୍ୟଙ୍କୁ ଏହାଠାରୁ ସୁରକ୍ଷିତ ରଖିପାରିବେ ତାହା ସେମାନଙ୍କୁ ଅବଗତ କରାଇଥିଲୁ।
ଏହା ଆମପାଇଁ ଏକ ଚାଲେଞ୍ଜିଂ କାର୍ଯ୍ୟ ଥିଲା। ଜନ ଚେତନା ଉଦ୍ରେକ କରିବା ଆମ ପାଇଁ ସବୁଠାରୁ ବଡ଼ କର୍ତ୍ତବ୍ୟ ଥିଲା। ଜନ ଚେତନା ଉଦ୍ରେକ କରିବା ସେତିକିବେଳେ ସମ୍ଭବ ହୋଇଥାଏ ଯେତେବେଳେ ଜନ ଭାଗୀଦାରୀ ଘଟିଥାଏ। ଜନତା କର୍ଫ୍ୟୁ ମାଧ୍ୟମରେ, ଯାହା କି ସାମୂହିକ ଜାତୀୟ ସଂକଳ୍ପକୁ ସୂଚୀତ କରୁଥିଲା, ସେତେବେଳେ ଥାଳି ବଜାଇ କି୍ମ୍ବା ଦୀପ ଜଳାଇ, ଜନ ଭାଗୀଦାରୀ ମାଧ୍ୟମରେ ଆମେ ସମସ୍ତ ଭାରତୀୟଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ କରିପାରିଥିଲୁ। ଏତେ କମ୍ ସମୟ ଭିତରେ ବ୍ୟାପକ ଜନ ସଚେତନତା ଉଦ୍ରେକର ଏହା ଏକ ଅବିଶ୍ୱସନୀୟ ଉଦାହରଣ।
୭ : ଏବଂ ଏ ଦିଗରେ ଅର୍ଥନୈତିକ ରଣନୀତିଟି କ’ଣ ଥିଲା।
ପ୍ରଧାନମନ୍ତ୍ରୀ : ଲୋକମାନଙ୍କ ଜୀବନ ରକ୍ଷା କରିବା କେବଳ କୋଭିଡ଼ ୧୯ ମହାମାରୀ କବଳରୁ ଦେଶବାସୀଙ୍କ ଜୀବନ ରକ୍ଷା ମଧ୍ୟରେ ସୀମିତ ନଥିଲା। ଏହା ମଧ୍ୟ ଗରିବ ଲୋକମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଅଭିପ୍ରେତ ଥିଲା। ଏପରିକି ଯେତେବେଳେ ଅଧିକାଂଶ ବିଶେଷଜ୍ଞ ଓ ସମ୍ବାଦପତ୍ର ସରକାରଙ୍କୁ କର୍ପୋରେଟ ସେକ୍ଟରମାନଙ୍କ ନିମନ୍ତେ ଏକ ଆର୍ଥିକ ପ୍ୟାକେଜ୍ ଘୋଷଣା ପାଇଁ କହୁଥିଲେ, ଆମର ଧ୍ୟାନ ଥିଲା ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଜୀବନ ରକ୍ଷା। ଆମେ ପ୍ରଥମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଘୋଷଣା କରିଥିଲୁ ଯଦ୍ୱାରା ଗରିବ ଲୋକ, ପ୍ରବାସୀ ଶ୍ରମିକ ଓ କୃଷକମାନେ ଯେଉଁମାନେ କି ସବୁଠାରୁ ଅଧିକତର ଭାବେ ଆକ୍ରାନ୍ତ ସେମାନଙ୍କ ନିକଟରେ କିଭଳି ଭାବେ ଖାଦ୍ୟାନ୍ନ ଓ ସହାୟତା ପହଞ୍ଚାଯାଇପାରିବ।
ଏକ ବିଶେଷ ଦୃଷ୍ଟି ଏବଂ ଉପଲବ୍ଧô ଆମମାନଙ୍କ ମନକୁ ଛୁଇଁଲା ଯେ କୃଷି କ୍ଷେତ୍ର ଏଭଳି ଏକ କ୍ଷେତ୍ର ଯେଉଁଠାରେ ସାମାଜିକ ଦୂରତା ରକ୍ଷା ସ୍ୱାଭାବିକ ଭାବେ ରକ୍ଷା କରାଯାଇପାରିବ ଏବଂ ସେଥିରେ ଉତ୍ପାଦିକାରେ କୌଣସି ପ୍ରକାର ସାଲିସ କରିବାକୁ ପଡ଼ିବନାହିଁ। ତେଣୁ, ଆମେ କୃଷି କାର୍ଯ୍ୟକୁ ପ୍ରଥମାବସ୍ଥାରୁ ହିଁ ସକ୍ରିୟ ରହିବାକୁ ଅନୁମତି ପ୍ରଦାନ କରିଥିଲୁ। ଆମେ ଆଜି ସଭିଏଁ ଦେଖିପାରୁଛୁ ଯେ ଆମର ଏହି ନିଷ୍ପତ୍ତି କେତେ ଉପକାରସିଦ୍ଧ ହୋଇପାରିଛି ଏବଂ ଏହି କ୍ଷେତ୍ର ଅତି ଉତ୍ତମ ରୂପେ କାର୍ଯ୍ୟକରୁଛି ଏବଂ ଅନେକ ମାସର ସ୍ୱାଭାବିକ କାର୍ଯ୍ୟ ଠପ୍ ହେବା ସତ୍ତ୍ୱେ କୃଷି କ୍ଷେତ୍ରର ଉତ୍ପାଦିକା ଅବ୍ୟାହତ ରହିଛି।
ଏହି ସମୟ ମଧ୍ୟରେ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ବଣ୍ଟନ, ଶ୍ରମିକ ସ୍ପେଶାଲ ଟ୍ରେନ ଜରିଆରେ ସେସବୁ ପ୍ରେରଣ ଓ ସକାରାତ୍ମକ ସଂଗ୍ରହ ବ୍ୟବସ୍ଥା ଜରିଆରେ ଉଭୟ ମଧ୍ୟବର୍ତ୍ତୀ ଓ ମିଡିଅମ୍ ଅବଧି ଆବଶ୍ୟକତାକୁ ପୂରଣ କରାଯାଇପାରିଛି।
ଜନସାଧାରଣଙ୍କ ଦୁଃଖ ଓ ସେମାନେ ସମ୍ମୁଖୀନ ହେଉଥିବା କଠିନାବସ୍ଥାର ଦୂରୀକରଣ ନିମନ୍ତେ ସରକାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍ ସମାଜର ସମସ୍ତ ବର୍ଗ ସମ୍ମୁଖୀନ ହେଉଥିବା ସମସ୍ୟା ତଥା ଅର୍ଥବ୍ୟବସ୍ଥାର ସମସ୍ତ ସେକ୍ଟରରେ ଥିବା ସମସ୍ୟାକୁ ଦୂର କରିବା ନିମନ୍ତେ ଉଦ୍ଦିଷ୍ଟ। ଏହା ମଧ୍ୟ ଆମକୁ ସଂସ୍କାର କାର୍ଯ୍ୟକ୍ରମ ଘଟାଇବାକୁ ସୁଯୋଗ ପ୍ରଦାନ କରିଥିଲା ଯାହାକି ଦଶନ୍ଧି ଦଶନ୍ଧି ଧରି ଅଟକି ରହିଥିଲା। କିନ୍ତୁ ଆମ ପୂର୍ବରୁ କେହି ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିଲେ। ତେଣୁ କୋଇଲା, କୃଷି, ଶ୍ରମ, ପ୍ରତିରକ୍ଷା, ବେସାମରିକ ବିମାନ ଚଳାଚଳ ଏବଂ ଆହୁରି ଅନେକ କ୍ଷେତ୍ରରେ ଅନେକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି ଯାହାକି ଆମକୁ ଏହି ସଂକଟ ଆରମ୍ଭ ହେବା ପୂର୍ବରୁ ଆମେ ଯେଉଁ ଉଚ୍ଚ ବିକାଶ ହାର ହାସଲ ପଥରେ ଅଗ୍ରସର ହେଉଥିଲୁ ସେହି ପଥରେ ଆଗକୁ ଆଗେଇବାରେ ସହାୟକ ହୋଇପାରିବ।
ଆମର ଏଭଳି ପ୍ରୟାସ ଏବେ ଫଳପ୍ରସୂ ହେବା ଆରମ୍ଭ କରିଛି ଓ ଭାରତର ଅର୍ଥନୀତି ଅପ୍ରତ୍ୟାସିତ ଭାବେ ପୁଣି ଥରେ ସ୍ୱାଭାବିକତା ଦିଗକୁ ଫେରିବାରେ ଲାଗିଛି।
୮- ଆପଣଙ୍କ ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦ୍ୱିତୀୟ ପିଢ଼ିର ସଂସ୍କାର କାର୍ଯ୍ୟକ୍ରମର ସୂତ୍ରପାତ ଘଟାଇଛନ୍ତି। ସେଗୁଡ଼ିକ ହେଲା, କୃଷି ଓ ଶ୍ରମ ସଂସ୍କାର। ସେଥିରୁ ଆଶାନୁରୂପ ସୁଫଳ ମିଳିବ ବୋଲି ଆପଣ କେତେ ମାତ୍ରାରେ ଆଶାବାଦୀ, ବିଶେଷ କରି ଏଭଳି ଆର୍ଥିକ ମାନ୍ଦାବସ୍ତା ଏବଂ ରାଜନୈତିକ ବିରୋଧାଭାଷ ପୃଷ୍ଠଭୂମିରେ।
ପ୍ରଧାନମନ୍ତ୍ରୀ : ଏଭଳି ସଂସ୍କାର ନିମନ୍ତେ ବିଶେଷଜ୍ଞମାନେ ଢ଼େର୍ ଦିନରୁ ମତ ପୋଷଣ କରିଆସୁଥିଲେ। ଏପରିକି ରାଜନୈତିକ ଦଳମାନେ ମଧ୍ୟ ଏଭଳି ସଂସ୍କାରଗୁଡ଼ିକ ନାଁରେ ଜନସାଧାରଣଙ୍କ ଠାରୁ ଭୋଟ ମାଗୁଥିଲେ। ସମସ୍ତେ ଚାହୁଁଥିଲେ ଯେ ଏଭଳି ସଂସ୍କାର ଆସୁ ଓ କାର୍ଯ୍ୟକାରୀ ହେଉ। ପ୍ରସଙ୍ଗଟି ହେଉଛି ଯେ ବିରୋଧୀ ଦଳମାନେ ଚାହାନ୍ତି ଯେ ଆମେ ସେଥିରୁ ଯେମିତି କୌଣସି ସାବାସୀ ଓ ପ୍ରଶଂସା ନପାଉ।
ଆମେ ମଧ୍ୟ ଏଥିପାଇଁ କୌଣସି ପ୍ରଶଂସା ଚାହୁଁନାହୁଁ। ଆମେ ସଂସ୍କାର ଆଣିଛୁ କୃଷକ ଓ ଶ୍ରମିକମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି। ସେମାନେ ଆମକୁ ଉତ୍ତମ ରୂପେ ବୁଝିଛନ୍ତି ଏବଂ ଆମର ଅଭିପ୍ରାୟ ଉପରେ ସେମାନଙ୍କର ଆସ୍ଥା ଅଛି। ଏହାର କାରଣ ହେଲା ପୂର୍ବରୁ ଆମେ ଯେଉଁଭଳି ଭାବେ ସେମାନଙ୍କ ହିତ ସକାଶେ କାର୍ଯ୍ୟ କରିଛୁ।
ଆମେ କୃଷି କ୍ଷେତ୍ରରେ ଏଭଳି ସଂସ୍କାର ଆଣିବା ନିମନ୍ତେ ବିଗତ ଛଅ ବର୍ଷ ମଧ୍ୟରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରିଆସିଛୁ। ତେଣୁ ଆଜି ଆମେ ଯାହା କରିଛୁ ତାହା କେବଳ ହେଉଛି ଗୋଟିଏ ଚେନର ଗୋଟିଏ କଡ଼ି ଭଳି କାର୍ଯ୍ୟ ଯାହାକି ଆମେ ୨୦୧୪ ମସିହାରେ ଆରମ୍ଭ କରିଥିଲୁ। ଆମେ ପୂର୍ବରୁ ଅନେକ ଥର ସର୍ବନିମ୍ନ ସହାୟମ ମୂଲ୍ୟ (ଏମଏସପି)ରେ ବୃଦ୍ଧି ଘଟାଇଥିଲୁ ଏବଂ ବସ୍ତୁତଃ ଏମଏସପି ହାରରେ ଆମେ କୃଷକମାନଙ୍କ ଠାରୁ ଅନେକ ଥର ଉତ୍ପାଦିତ ଶସ୍ୟ ସଂଗ୍ରହ କରିଛୁ ଯାହାକି ପୂର୍ବ ସରକାର ଯାହା କରିଥିଲେ ତା’ ଠାରୁ ଢ଼େର୍ ଅଧିକ ଥର। ଉଭୟ ଜଳସେଚନ ଏବଂ ବୀମା ବ୍ୟବସ୍ଥା ଯୋଗୁ କୃଷକମାନଙ୍କ ଉପାର୍ଜନରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହୋଇଛି। ପ୍ରତ୍ୟକ୍ଷ ଉପାର୍ଜନ ସହାୟତା କୃଷକମାନଙ୍କ ସକାଶେ ସୁନିଶ୍ଚିତ କରାଯାଇଛି।
ଭାରତୀୟ କୃଷି ବ୍ୟବସ୍ଥାଯେ ଯେଉଁ କଥାର ଅଭାବ ଥିଲା ଏବଂ ଆମର କୃଷକମାନେ ସେମାନଙ୍କର ଲହୁ ଓ ସ୍ୱେଦକୁ ଏକାକାର କରି ଯାହା ଅମଳ କରୁଥିଲେ ତାହା ମାଧ୍ୟମରେ ଆମେ ସେମାନଙ୍କୁ ପରିପୂରଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲୁ। ଏହି ନୂତନ ଢାଞ୍ଚା ଏଭଳି ସଂସ୍କାର ଦ୍ୱାରା ହିଁ କୃଷକମାନଙ୍କ ଲାଭ ପରିମାଣକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ଅନ୍ୟାନ୍ୟ ଶିଳ୍ପ ଭଳି ଥରେ ଯେତେବେଳେ ଲାଭ ମିଳିବା ଆରମ୍ଭ କରିବ, ତାହାକୁ ସେହି କ୍ଷେତ୍ରରେ ପୁନଃନିବେଶ କରାଯାଇପାରିବ ଏବଂ ଏହା ଦ୍ୱାରା କୃଷକମାନଙ୍କ ଉତ୍ପାଦନ ବୃଦ୍ଧି ପାଇବ। ସେଥିରୁ ଲାଭ ଏବଂ ପୁନଃନିବେଶର ଏକ ଚିରନ୍ତର ଚକ୍ରଣ ପ୍ରକ୍ରିୟା ସୃଷ୍ଟି ହୋଇପାରିବ। କୃଷି କ୍ଷେତ୍ରରେ ମଧ୍ୟ ଏହି ଚକ୍ର ଅଧିକ ନିବେଶ ସକାଶେ ଦ୍ୱାର ଉନ୍ମୁକ୍ତ କରିବ, ଅଭିନବତ୍ୱ ଆସିବ ଏବଂ ନୂତନ ପ୍ରଯୁକ୍ତି ବ୍ୟବହାର ପାଇଁ ପଥ ପରିଷ୍କାର ହେବ। ତେଣୁ, ଏହିସବୁ ସଂସ୍କାର ଯଥେଷ୍ଟ ସାମର୍ଥ୍ୟ ବହନ କରେ ଯାହାକି କେବଳ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବ ନାହିଁ ଅପରନ୍ତୁ ସମଗ୍ର ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ମଧ୍ୟ ବଦଳାଇଦେବ।
ସର୍ବନିମ୍ନ ସହାୟକ ମୂଲ୍ୟ ପରିପ୍ରେକ୍ଷୀରେ, ସଦ୍ୟ ସମାପ୍ତ ରବି ବିପଣନ ଋତୁରେ, କେନ୍ଦ୍ର ସରକାର ୩୮୯-୯ ଲକ୍ଷ ମେଟ୍ରିକ ଟନ ଗହମ ସଂଗ୍ରହ କରିଛନ୍ତି ଯାହାକି ଏକ ସର୍ବକାଳୀନ ରେକର୍ଡ଼। ଏହା ଦ୍ୱାରା ଏମଏସପି ଭାବେ କୃଷକମାନଙ୍କ ପକେଟକୁ ୭୫, ୦୫୫ କୋଟି ଟଙ୍କା ସିଧା ସଳଖ ଭାବେ ଯାଉଛି। ଚଳିତ ଖରିଫ ମାର୍କେଟିଂ ଋତୁରେ, ୧୫୯-୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି ଯାହାକି ପୂର୍ବବର୍ଷ ଏହି ସମୟରେ ୧୩୪-୫ ଲକ୍ଷ ମେଟି୍ରକ୍ ଟନ୍ ଥିଲା। ତେଣୁ ଗତ ବର୍ଷ ତୁଳନାରେ ଏହା ୧୮-୬୨ ପ୍ରତିଶତ ଅଧିକ। ଏହି ସବୁ କାର୍ଯ୍ୟ ହାସଲ କରାଯାଇପାରିଛି କାରଣ ଆମେ ତିନୋଟି ଅଧ୍ୟାଦେଶ ଆଣିଥିଲୁ ଯାହାକି ଏବେ ସଂସଦରେ ଗୃହୀତ ହୋଇଛି।
ଗତ ପାଞ୍ଚ ବର୍ଷ ମଧ୍ୟରେ କୃଷକମାନଙ୍କୁ ସେମାନଙ୍କର ଧାନ ପାଇଁ ଏମଏସପି ପେମେଣ୍ଟରେ ୧-୫ ଗୁଣ ବୃଦ୍ଧି ଘଟିଛି, ଗହମ ସଂଗ୍ରହରେ ୧-୩ ପ୍ରତିଶତ ମୂଲ୍ୟ ବଢ଼ିଛି ଏବଂ ଡାଲିଜାତୀୟ ଶସ୍ୟ ସଂଗ୍ରହରେ ମୂଲ୍ୟ ୭୫ ପ୍ରତିଶତ ବଢ଼ିଛି। ତୈଳବୀତ କ୍ଷେତ୍ରରେ ଏହ ୧୦ ପ୍ରତିଶତ ବଢ଼ିଛି। ଏବଂ ୟୁପିଏ-୨ (୨୦୦୯-୧୦ ଠାରୁ ୨୦୧୩-୧୪) ତୁଳନାରେ ଏହା ଘଟିଛି। ଯେଉଁମାନେ ଏମଏସପିକୁ ନେଇ ଏଭଳି ମିଛ ଏବଂ ଅସାଧୁ ଗୁଜବ ପ୍ରଚାର କରୁଥିଲେ ଏବେ ତାହା ପ୍ରମାଣିତ ହୋଇଯାଇଛି।
୯- ଏବଂ ଶ୍ରମ ସଂସ୍କାର ସଂପର୍କରେ ଆପଣ କ’ଣ କହିବେ।
ପ୍ରଧାନମନ୍ତ୍ରୀ : ଏସବୁ ସଂସ୍କାର ଅତି ମାତ୍ରାରେ ଶ୍ରମିକଙ୍କ ପାଇଁ ହିତକର। ସେମାନେ ଏବେ ସବୁ ପ୍ରକାର ସରକାରୀ ସୁବିଧା ସୁଯୋଗ ଓ ସାମାଜିକ ନିରାପତ୍ତା ପାଇବାକୁ ହକଦାର ହୋଇପାରିଛନ୍ତି, ଏପରିକି ମାତ୍ର ଏକ ନିର୍ଦ୍ଧାରିତ ସମୟ ପାଇଁ ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ସୁଦ୍ଧା। ଶ୍ରମ ସଂସ୍କାର ନିଯୁକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିବାରେ ସହାୟକ ହେବ ଏବଂ ଅସଂଗଠିତ କ୍ଷେତ୍ରରେ ସୁଦ୍ଧା ସେମାନଙ୍କୁ ସର୍ବନିମ୍ନ ମଜୁରି, ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଦିଗରେ ଏହି ସଂସ୍କାର ସାହାଯ୍ୟ କରିବ। ଏଥିରେ ସରକାରଙ୍କ ହସ୍ତକ୍ଷେପକୁ ସୁଦ୍ଧା ସର୍ବନିମ୍ନ କରାଯିବାର ବ୍ୟବସ୍ଥା ରହିଛି। ଏଭଳି ସଂସ୍କାର ଦ୍ୱାରା ସେମାନେ ନିର୍ଦ୍ଧାରିତ ସମୟରେ ସେମାନଙ୍କର ମଜୁରି ପାଇପାରିବେ ଏବଂ କର୍ମସ୍ଥଳୀରେ ଶ୍ରମିକମାନଙ୍କ ନିରାପତ୍ତା ପ୍ରତି ମଧ୍ୟ ପ୍ରାଧାନ୍ୟ ଦିଆଯିବ। ତେଣୁ ଦେଶରେ ଏକ ଉତ୍ତମ କର୍ମ ସଂସ୍କୃତି ଓ ବାତାବରଣ ସୃଷ୍ଟି ହୋଇପାରିବ।
ଗତ ପାଞ୍ଚ ବର୍ଷ ମଧ୍ୟରେ, ଆମେ ଯାହା କରିବାକୁ ଚାହୁଁଥିଲୁ ଓ ସେ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲୁ ତାହା ହାସଲ କରିପାରିଛୁ। ୪୪ଟି କେନ୍ଦ୍ରୀୟ ଶ୍ରମ ଆଇନ ସମେତ ପ୍ରାୟ ୧୨୦୦ରୁ ଅଧିକ ସେକ୍ସନକୁ ଏକତ୍ରିକ କରି ମାତ୍ର ଚାରିଟି କୋଡ଼କୁ ଅଣାଯାଇଛି। ଏବେ କେବଳ ଗୋଟିଏ ମାତ୍ର ପଞ୍ଜୀକରଣ କରିବାକୁ ପଡ଼ୁଛି, ଗୋଟିଏ ଆସେସମେଣ୍ଟ ଏବ ଗୋଟିଏ ରିଟର୍ଣ୍ଣ ଫାଇଲ କରିବାକୁ ପଡ଼ୁଛି। ନିୟମର ଏଭଳି ସରଳୀକରଣ ଫଳରେ, ବ୍ୟବସାୟିକ ସଂସ୍ଥା ଠାରୁ ନେଇ ନିବେଶ ପର୍ଯ୍ୟନ୍ତ ଏକ ସ୍ଥିର ବ୍ୟବସ୍ଥା ସୃଷ୍ଟି ହୋଇପାରିଛି। ଏହା ଉଭୟ ନିଯୁକ୍ତିଦାତା ଏବଂ ନିଯୁକ୍ତଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହୋଇପାରିଛି। ସେହିଭଳି ଉତ୍ପାଦନ ସେକ୍ଟର ପାଇଁ ବିଗତ ଛଅ ବର୍ଷ ମଧ୍ୟରେ ଆମେ ଅନେକ ସଂସ୍କାର ଜନିତ ପଦକ୍ଷେପ ଗ୍ରହଣ କରିଛି। ସେଥି ମଧ୍ୟରେ ନୂତନ ଉତ୍ପାଦନ ୟୁନିଟମାନଙ୍କ ପାଇଁ କର୍ପୋରେଟ ଟିକସ ହାରକୁ ୧୫%କୁ କମାଇବା ଠାରୁ ଆରମ୍ଭ କରି ଏଫଡ଼ିଆଇ ସୀମୀ ବୃଦ୍ଧି କରିବା ଏବଂ ଘରୋଇ ନିବେଶକାରୀଙ୍କୁ ମହାକାଶ, ପ୍ରତିରକ୍ଷା ଆଦି କ୍ଷେତ୍ରରେ ପ୍ରବେଶ ନିମନ୍ତେ ସୁଯୋଗ ପ୍ରଦାନ କରିଛୁ। ବିଶେଷ କରି ଉତ୍ପାଦନ ସେକ୍ଟରରେ ଘଟାଯାଇଥିବା ସଂସ୍କାରକୁ ସୁବ୍ୟବସ୍ଥିତ କରାଯାଇଛି ଏବଂ ସେଥିରେ ଯେଉଁ ଗୋଟିଏ ଶେଷ କାର୍ଯ୍ୟ କରିବାର ଥିଲା ତାହା ହେଲା- ଶ୍ରମ ସଂସ୍କାର। ସେକଥା ମଧ୍ୟ ଆମେ ଇତ୍ୟବସରେ ସଂପନ୍ନ କରିଛୁ। ପରିହାସ ଛଳରେ ଏକଥା କୁହାଯାଉଥିଲା ଯେ ଭାରତର ସଂଗଠିତ କ୍ଷେତ୍ରରେ ଯେତିକି ଶ୍ରମିକ ନାହାନ୍ତି ତା’ ଠାରୁ ଅଧିକ ଶ୍ରମ ଆଇନ ଥିଲା। ମୁଖ୍ୟତଃ ଉତ୍ପାଦନ କ୍ଷେତ୍ରରେ ଘଟାଯାଇଥିବା ସଂସ୍କାରକୁ ଗୋଟିଏ ଶ୍ରମ ଆଇନ ପରିସରଭୁକ୍ତ କରାଯାଇଥିଲା ଯାହାକି କେବଳ ଶ୍ରମିକମାନଙ୍କ ଛଡ଼ା ଅନ୍ୟ ସମସ୍ତଙ୍କୁ ସହାୟକ ହେଉଥିଲା। କିନ୍ତୁ ଆମେ ସେଥିରେ ପରିବର୍ତ୍ତନ ଘଟାଇଛୁ। ସାମଗ୍ରିକ ବିକାଶ ବିନା ଭାରତର ଶ୍ରମଶକ୍ତିଙ୍କୁ ଆନୁଷ୍ଠାନିକରଣ ବ୍ୟବସ୍ଥା ମଧ୍ୟରେ କଦାପି ସୁବିଧାସୁଯୋଗ ପ୍ରଦାନ କରାଯାଇପାରିବାନାହିଁ।
ମୋର ଦୃଢ଼ ବିଶ୍ୱାସ ଯେ ବିଗତ କିଛି ମାସ ମଧ୍ୟରେ ଗ୍ରହଣ କରାଯାଇଥିବା ଏକଳି ସଂସ୍କାର ପ୍ରକ୍ରିୟା ବିକାଶ ହାରକୁ ବଢ଼ାଇବାରେ ସହାୟକ ହେବ ଏବଂ ଏହା ଦ୍ୱାରା ଉଭୟ ଉତ୍ପାଦନ ଏବଂ କୃଷି କ୍ଷେତ୍ର ଉପକୃତ ହୋଇପାରିବ। ଅଧିକନ୍ତୁ, ଏହା ମଧ୍ୟ ବିଶ୍ୱକୁ ସଂକେତ ପ୍ରଦାନ କରିବ ଯେ ଏହା ହେଉଛି ନୂତନ ଭାରତ ଯାହା ବଜାର ଏବଂ ବଜାର ଶକ୍ତି ଉପରେ ବିଶ୍ୱାସୀ।
୧୦- ଗୋଟିଏ ସମାଲୋଚନା ଉଠେ ଯେ ୩୦୦ ପର୍ଯ୍ୟନ୍ତ କର୍ମଚାରୀ ଥିବା କାରଖାନାମାନଙ୍କୁ କର୍ମଚାରୀମାନଙ୍କୁ ଛଟେଇ କରିବା ନିମନ୍ତେ ଅଧିକ ସୁବିଧା ପ୍ରଦାନ କରାଯାଇଛି। କିନ୍ତୁ ଇଲେକ୍ଟ୍ରୋନିକ୍ସ, ପୋଷାକ ପ୍ରସ୍ତୁତି ଓ ଅନ୍ୟାନ୍ୟ ସେକ୍ଟରରେ ଥିବା ବଡ଼ ବଡ଼ ଫ୍ୟାକ୍ଟ୍ରିରେ ଆହୁରି ଅଧିକ କର୍ମଚାରୀ କାର୍ଯ୍ୟ କରନ୍ତି। କିନ୍ତୁ ଏହିସବୁ ଛଟେଇ କର୍ମଚାରୀମାନଙ୍କ କମ୍ପେନସେସନ୍ ବୃଦ୍ଧି ନିମନ୍ତେ ଏଭଳି ସୁବିଧା ସବୁ ଫ୍ୟାକ୍ଟ୍ରିମାନଙ୍କୁ କାହିଁକି ପ୍ରଦାନ କରାଯାଇନାହିଁ। ଏବଂ ଷ୍ଟ୍ରାଇକ୍ କରିବାର ଅଧିକାର କାଟ ପ୍ରସଙ୍ଗକୁ ନେଇ ଯେଉଁ ସମାଲୋଚନା କରାଯାଉଛି ସେ ସଂପର୍କରେ ଆପଣଙ୍କ ମତ କ’ଣ।
ପ୍ରଧାନମନ୍ତ୍ରୀ : ପୂର୍ବରୁ ଭାରତରେ ଦୁଇଟି ସମସ୍ୟା ଥିଲା। ଆମର ଶ୍ରମ ଆଇନ ଏଭଳି ଭାବେ ଥିଲାଯେ ଅଧିକାଂଶ ଶ୍ରମିକ କୌଣସି ପ୍ରକାର ସାମାଜିକ ସୁରକ୍ଷା ସୁବିଧା ପାଇପାରୁନଥିଲେ। ଏବଂ କମ୍ପାନୀମାନେ ଅଧିକ ଶ୍ରମିକ ଆହରଣ ସକାଶେ ଆଗ୍ରହ ପ୍ରକାଶ କରୁନଥିଲେ। ସେମାନଙ୍କର ଶ୍ରମ ଆଇନକୁ ଭୟ ଥିଲା ଏବଂ ତାହା ଶ୍ରମଭିତ୍ତିକ ଉତ୍ପାଦନକୁ ମଧ୍ୟ ପ୍ରୋତ୍ସାହିତ କରୁନଥିଲା। ଇନ୍ସପେକ୍ଟର ରାଜ ବ୍ୟବସ୍ଥା ଓ ଅତି ଜଟିଳ ଶ୍ରମ ଆଇନ କର୍ମଚାରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା।
ଆମେ ସେଭଳି ମାନସିକତାରୁ ପ୍ରଥମେ ମୁକ୍ତ ହେବା ଦରକାର ଯେ ଶିଳ୍ପ ଓ ଶ୍ରମ ସଦାବେଳେ ପାରସ୍ପରିକ ବିବାଦ ଅବସ୍ଥାରେ ରହିଛନ୍ତି। କାହିଁକି ଆମେ ଏଭଳି ଏକ ବ୍ୟବସ୍ଥାର ବିକାଶ ଘଟାଇବାନାହିଁ ଯଦ୍ୱାରା ଉଭୟ ସମାନ ଭାବେ ସୁଯୋଗ ପାଇପାରିବେ। ଯେହେତୁ ଶ୍ରମ ଏକ ମିଳିତ ବିଷୟ, ଆଇନ ରାଜ୍ୟ ସରକାରମାନଙ୍କୁ ଅଧିକ ସୁଯୋଗ ପ୍ରଦାନ କରେ ଯଦ୍ୱାରା ସେମାନେ ସେମାନଙ୍କ ବିଶେଷ ପରିସ୍ଥିତି ଓ ଆବଶ୍ୟକତା ଅନୁସାରେ ଆଇନକୁ ବଦଳାଇ ପାରୁଛନ୍ତି।
ଧର୍ମଘଟ କରିବାର ଅଧିକାରକୁ କଦାପି ସଂକୁଚିତ କରାଯାଇନାହିଁ। ବସ୍ତୁତଃ, ଶ୍ରମିକ ସଂଗଠନମାନଙ୍କୁ ନୂତନ ଅଧିକାର ପ୍ରଦାନ କରାଯାଇଛି, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି।
ଆମେ କର୍ମନିଯୋକ୍ତା- ନିଯୁକ୍ତଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ବ୍ୟବସ୍ଥିତ ଓ ସୁସଂଗତ କରିପାରିଛୁ। ନୋଟିସ ଅବଧିର ବ୍ୟବସ୍ଥା ଯେକୌଣସି ସମସ୍ୟା ଓ ଅଭିଯୋଗ ଲାଗି କର୍ମନିଯୋକ୍ତା ଓ କର୍ମଚାରୀମାନଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଅଧିକ ସୁଯୋଗ ପ୍ରଦାନ କରେ।
୧୧- ଜିଏସଟି ବ୍ୟବସ୍ଥା କୋଭିଡ଼ ୧୯ ପରିସ୍ଥିତି ଯୋଗୁ ପ୍ରବଳ ଚାପଗ୍ରସ୍ତ ହୋଇଛି। କେନ୍ଦ୍ର ସରକାର ଏବେ ଅର୍ଥ ଋଣ ଉଠାଣ ପାଇଁ ରାଜି ହୋଇଛନ୍ତି ଏବଂ ସେହି ଅର୍ଥକୁ ରାଜ୍ୟମାନଙ୍କୁ ପ୍ରଦାନ କରାଯିବ। କିନ୍ତୁ ଆଗକୁ ଦେଖିଲେ, ଆପଣ ରାଜ୍ୟ ସରକାରମାନଙ୍କ ସଂପର୍କରେ କ’ଣ ପୂର୍ବାନୁମାନ କରନ୍ତି ।
ପ୍ରଧାନମନ୍ତ୍ରୀ : ଗତ ଛଅ ବର୍ଷ ଭିତରେ ଲକ୍ଷ୍ୟ କରାଯାଇଛି ଯେ ପ୍ରତିଯୋଗିତାମୂଳକ ଏବଂ ସହଭାଗୀତା ମୂଳକ ସଂଘୀୟ ବ୍ୟବସ୍ଥା ଆମର ସମସ୍ତ କାର୍ଯ୍ୟରେ ପ୍ରତିଫଳିତ ହୋଇଛି। ଆମ ଭଳି ଏକ ବିଶାଳ ରାଷ୍ଟ୍ରରେ କେବଳ କେନ୍ଦର ଗୋଟିଏ ଖୁଣ୍ଟ ଦ୍ୱାରା ବିକାଶ ଧାରାକୁ ଜାରି ରଖାଯାଇ ପାରିବନାହିଁ। ସେଥିପାଇଁ ରାଜ୍ୟମାନଙ୍କ ପକ୍ଷରୁ ଦ୍ୱିତୀୟ ଖୁଣ୍ଟର ମଧ୍ୟ ଆବଶ୍ୟକତା ରହିଛି। ଏଭଳି ଆଭିମୁଖ୍ୟ ଯୋଗୁ ହିଁ କୋଭିଡ଼- ୧୯ ବିରୋଧରେ ଆମର ସଂଗ୍ରାମ ସୁଦୃଢ଼ ହୋଇପାରିଛି। ସାମୂହିକ ଭାବେ ନିଷ୍ପତ୍ତି ଗ୍ରହଣ କରାଯାଉଛି। ମୁଁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏ ବିଷୟରେ ଅନେକ ଥର ଆଲୋଚନା କରିଛି, ସେମାନଙ୍କ ପରାମର୍ଶ ଓ ଇନପୁଟ୍ ନେଇଛି, ଯାହାକି ପୂର୍ବରୁ କେବେ ଘଟିନଥିଲା।
ଜିଏସଟି ପ୍ରସଙ୍ଗରେ ସବୁ ଦୃଷ୍ଟିରୁ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ। ଅଧିକାଂଶ ଆକଳନ ଓ ଅନୁମାନ ଶତାବ୍ଦୀ ଭିତରେ ଥରେ ମାତ୍ର ସଂଘଟିତ ଏଭଳି ଅଭୂତପୂର୍ବ ମହାମାରୀ ଯୋଗୁ ସାକାର ହୋଇପାରିନାହିଁ। ତଥାପି, ଆମେ ଏଭଳି ପ୍ରସ୍ତାବର ସୁଯୋଗ ରଖିଛୁ ଯେ ଆମକୁ ଆଗକୁ ବଢ଼ିବାକୁ ହେବ ଏବଂ ଅଧିକାଂଶ ରାଜ୍ୟ ସେମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ। ସେଥିରୁ ଏକ ସହମତ ମୁଣ୍ଡ ଟେକୁଛି।
୧୨- ଆପଣ ନିଜେ ଅନେକ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି। ବର୍ତ୍ତମାନ ପରିପ୍ରେକ୍ଷୀରେ ଆର୍ଥିକ ଦୃଷ୍ଟିରୁ ରାଜ୍ୟମାନଙ୍କ ସହ ଆପଣ କି ପ୍ରକାର ସହଭାଗିତାର ପ୍ରସ୍ତାବ ରଖିବେ।
ପ୍ରଧାନମନ୍ତ୍ରୀ : ଏକଥା ସ୍ମରଣ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ କେନ୍ଦ୍ର- ରାଜ୍ୟ ସମ୍ପର୍କ କେବଳ ଜିଏସଟି ମଧ୍ୟରେ ସୀମିତ ନୁହେଁ। କରୋନା ମହାମାରୀ ଓ ସାମଗ୍ରିକ ଟିକସ ରାଜସ୍ୱରେ ହୋଇଥିବା ହ୍ରାସ ସତ୍ତ୍ୱେ, ଆମେ ରାଜ୍ୟମାନଙ୍କୁ ବର୍ଦ୍ଧିତ ସମ୍ବଳ ହସ୍ତାନ୍ତର କରିଛୁ। ଏପ୍ରିଲ ଓ ଜୁଲାଇ ମଧ୍ୟରେ ଟିକସ ବଣ୍ଟନର ମୋଟ ପରିମାଣ ଓ ଗ୍ରାଣ୍ଟ୍ ଇନ୍ ଏଡ଼ ଭାବେ ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଇଥିବା ଅର୍ଥ, ଯେଉଁଥିରେ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ସାମିଲ, ସେଥିରେ ୧୯% ବୃଦ୍ଧି ଘଟିଛି ଏବଂ ତାହା ଗତ ବର୍ଷ ଏହି ସମୟରେ ୩-୪୨ ଲକ୍ଷ କୋଟି ଥିବା ବେଳେ ଚଳିତ ବର୍ଷ ୪-୦୬ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସଂକ୍ଷେପରେ, ଆମର ରାଜସ୍ୱ କମିଥିଲେ ସୁଦ୍ଧା, ଆମେ ରାଜ୍ୟମାନଙ୍କୁ ପାଣ୍ଠି ଯୋଗାଣ ଅବ୍ୟାହତ ରଖିଛୁ।
କୋଭିଡ଼ ୧୯ ମହାମାରୀ ପରିସ୍ଥିତି ଦୃଷ୍ଟିରୁ କେନ୍ଦ୍ର ସରକାର ମଧ୍ୟ ରାଜ୍ୟମାନଙ୍କୁ ସେମାନଙ୍କର ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (ଜିଏସଡିପି) ସୀମାରେ ୨୦୨୦- ୨୧ ଆର୍ଥିକ ବର୍ଷ ପାଇଁ ୨% ବୃଦ୍ଧି ଘଟାଇଛନ୍ତି। ଏହା ଫଳରେ ରାଜ୍ୟମାନଙ୍କୁ ମୋଟ ୪-୨୭ ଲକ୍ଷ କୋଟି ଟଙ୍କା ଉପଲବ୍ଧ କରାଯାଇଛି। କେନ୍ଦ୍ର ସରକାର ଏବେ ସୁଦ୍ଧା ରାଜ୍ୟମାନଙ୍କୁ ଜୁନ ୨୦୨୦ରେ ସେମାନଙ୍କର ପ୍ରଥମ ୦-୫% ବୃଦ୍ଧି ନିମନ୍ତେ ଅନୁମତି ପ୍ରଦାନ କରିସାରିଛନ୍ତି। ଏହା ଦ୍ୱାରା ରାଜ୍ୟମାନଙ୍କୁ ମୋଟ ୧, ୦୬, ୮୩୦ କୋଟିର ଅତିରିକ୍ତ ସମ୍ବଳ ଉପଲବ୍ଧ କରାଇଛନ୍ତି। ରାଜ୍ୟମାନଙ୍କ ଅନୁରୋଧ କ୍ରମେ, ରାଜ୍ୟ ବିପର୍ଯ୍ୟୟ ରେସପନ୍ସ ପାଣ୍ଠି (ଏସଡିଆରଏଫ)ର ଉପଯୋଗର ସୀମାକୁ ୩୫%ରୁ ୫୦% କୁ ବୃଦ୍ଧି କରିଛନ୍ତି। କରୋନା ମହାମାରୀ ବିରୋଧରେ ସଂଗ୍ରାମ ଜାରି ରଖିବା ନିମନ୍ତେ ରାଜ୍ୟମାନଙ୍କୁ ଅଧିକ ଅର୍ଥ ଯୋଗାଣ ସୁନିଶ୍ଚିତ ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
୧୩ – ଅନେକ ଯୁକ୍ତି କରନ୍ତି ଯେ କେନ୍ଦ୍ର ନିଜର ଅସୁବିଧାକୁ ରାଜ୍ୟ ଉପରକୁ ଠେଲି ଦେଉଛି। ଏ ସମ୍ପର୍କରେ ଆପଣଙ୍କ ବିଚାର କ’ଣ ।
ପ୍ରଧାନମନ୍ତ୍ରୀ : ପୂର୍ବରୁ କ’ଣ ହେଉଥିଲା ସେ ସମ୍ପର୍କରେ ଆପଣଙ୍କୁ ଏକ ଉଦାହରଣ ଦେଉଛି। ୟୁପିଏ ସରକାର ସମୟରେ ଯେତେବେଳେ ସିଏସ୍ଟି ବଦଳରେ ଭାଟ୍ ଆସିଲା ସେତେବେଳେ ତତ୍କାଳୀନ ସରକାର ରାଜ୍ୟମାନଙ୍କର ରାଜସ୍ୱ ଆଦାୟ କମ୍ ହେଲେ ଉପଯୁକ୍ତ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ତେବେ ୟୁପିଏ ସରକାର ଏ କ୍ଷେତ୍ରରେ କ’ଣ କରିଛନ୍ତି ଆପଣ ଜାଣିଛନ୍ତି କି । ନିଜର ପ୍ରତିଶ୍ରୁତି ସତ୍ତ୍ୱେ ୟୁପିଏ ସରକାର ରାଜ୍ୟମାନଙ୍କର ରାଜସ୍ୱ କ୍ଷତିପୂରଣ ଭରଣା କରିବାକୁ ମନା କଲେ। ଏହି ଘଟଣା କେବଳ ଗୋଟିଏ ବର୍ଷ ପାଇଁ ଘଟିନଥିଲା; କ୍ରମାଗତ ଭାବେ ୫ ବର୍ଷ ଧରି ଏହି କାର୍ଯ୍ୟ ଚାଲିଥିଲା। ଜିଏସ୍ଟି ବ୍ୟବସ୍ଥା ପ୍ରବର୍ତ୍ତନ ପାଇଁ ୟୁପିଏ ସରକାର ସମୟରେ ରାଜ୍ୟମାନେ କାହିଁକି ରାଜି ହେଉନଥିଲେ ଏହା ତାହାର ଅନ୍ୟତମ କାରଣ। ଏନ୍ଡିଏ ସରକାର ଏହାସତ୍ତ୍ୱେ ଏହି ପ୍ରତିଶ୍ରୁତି ପୂରଣ କରିଥିଲା ଏବଂ ଆମେ ୨୦୧୪ରେ କ୍ଷମତାକୁ ଆସିବା ପରେ ସେହି ପୁରୁଣା ବକେୟା ରାଜ୍ୟମାନଙ୍କୁ ପରିଶୋଧ କରିବାର ପ୍ରତିଶ୍ରୁତି ଦେଇ ତାହାକୁ କାର୍ଯ୍ୟକାରୀ କରିଥିଲୁ। ଏଥିରୁ ସଂଘୀୟ ବ୍ୟବସ୍ଥା ପ୍ରତି ଆମ ଆଭିମୁଖ୍ୟ ପ୍ରମାଣିତ ହୁଏ।
୧୪- ସରକାରଙ୍କ ସମାଲୋଚକମାନେ କୁହନ୍ତି ଯେ କରୋନା ମହାମାରୀର ଦୁଇଟି ଦିଗ- ସଂକ୍ରମିତଙ୍କ ସଂଖ୍ୟା ଓ ଅର୍ଥନୈତିକ ସଂକୋଚନ- ଉଭୟରେ ଭାରତ ସର୍ବାଗ୍ରେ ରହିଛି। ଏ ବିଷୟରେ ଆପଣଙ୍କ ମତାମତ କ’ଣ ।
ପ୍ରଧାନମନ୍ତ୍ରୀ : ଏମିତି କେତେକ ଅତି ଚତୁର ଲୋକ ଅଛନ୍ତି ଯେଉଁମାନେ ମୋଟ ସଂକ୍ରମିତଙ୍କ ସଂଖ୍ୟାକୁ ଅନ୍ୟ ଦେଶ ସହିତ ତୁଳନା କରି ଏଭଳି କହିଥାନ୍ତି; କିନ୍ତୁ ସେମାନେ ଯେଉଁସବୁ ଦେଶ ସହିତ ଭାରତକୁ ତୁଳନା କରନ୍ତି ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ସେସବୁ ଦେଶ ଆମର ଗୋଟିଏ ଗୋଟିଏ ରାଜ୍ୟର ଲୋକ ସଂଖ୍ୟା ସହିତ ପ୍ରାୟ ସମାନ।
ତଥାପି, ମୁଁ ଆଶା କରୁଛି ଇକ୍ନୋମିକ୍ସ ଟାଇମ୍ସ ଏ ସମ୍ପର୍କରେ ଆହୁରି ଭଲଭାବେ ଗବେଷଣା କରି ଏଭଳି ବାହାନା ଓ ଯୁକ୍ତିକୁ ଖଣ୍ଡନ କରିବ। ମାର୍ଚ୍ଚ ମାସରେ ଭାରତରେ ମହାମାରୀ ଆରମ୍ଭ ହେବାବେଳକୁ ଦେଶରେ କେତେ ଅଧିକ ସଂଖ୍ୟକ ଲୋକ ଏଥିରେ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଥିଲେ ସେ ସଂଖ୍ୟା ସହିତ ବର୍ତ୍ତମାନର ଆକ୍ରାନ୍ତ ଲୋକଙ୍କ ସଂଖ୍ୟାକୁ ଦେଖିଲେ ଏଥିରୁ ବାସ୍ତବତା ଜାଣିହେବ।
୧୫- ଅର୍ଥନୀତିର ପୁନରୁଦ୍ଧାର ପାଇଁ ଆପଣଙ୍କ ବିଚାରରେ ୫ଟି ଅର୍ଥନୈତିକ ମାନଦଣ୍ଡ କ’ଣ ସେ ସମ୍ପର୍କରେ କହିବେ କି । ବିଶେଷକରି ଆସନ୍ତାବର୍ଷ ଆପଣ କି ପ୍ରକାର ଆର୍ଥିକ ସୁଧାର ଆଶା କରୁଛନ୍ତି ।
ପ୍ରଧାନମନ୍ତ୍ରୀ : ଆମେ ଆମର ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟରେ ଆଗେଇ ଚାଲିଛୁ। ଯେଉଁସବୁ ସୂଚକ ଦେଖାଯାଉଛି ତାହା ମଧ୍ୟ ଉତ୍ସାହଜନକ। ପ୍ରଥମତଃ କୃଷିକ୍ଷେତ୍ର କଥା ବିଚାର କରିବା, ପୂର୍ବରୁ ମୁଁ କହିଛି ଆମର ଚାଷୀମାନେ ପୂର୍ବର ସମସ୍ତ ରେକର୍ଡ ଭଙ୍ଗ କରିଛନ୍ତି ଏବଂ ସର୍ବାଧିକ ସ୍ତରର ଏମ୍ଏସ୍ପି ଦେଇ ଆମେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ସଂଗ୍ରହ କରିଛୁ। ଏହି ଦୁଇଟି କାରଣକୁ ଦେଖନ୍ତୁ- ରେକର୍ଡ ପରିମାଣର ଉତ୍ପାଦନ ଓ କ୍ରୟ। ଏହାଦ୍ୱାରା ଗ୍ରାମ୍ୟ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଆୟ ପ୍ରକ୍ରିୟା ସଂଚରିତ ହେବ ଏବଂ ଏହାର ଉତ୍ତମ ପ୍ରଭାବ ଚାହିଦା ସୃଷ୍ଟିରେ ସହାୟକ ହେବ। ଦ୍ୱିତୀୟତଃ ରେକର୍ଡ ପରିମାଣର ଉଚ୍ଚହାରରେ ଏଫ୍ଡିଆଇ ପ୍ରବାହ ସୂଚାଉଛି ଯେ ଭାରତର କ୍ରମବର୍ଦ୍ଧିଷ୍ଣୁ ଛବି ନିବେଶକ ଅନୁକୂଳ ଦେଶ ଭାବେ ଏହାର ଭାବମୂର୍ତ୍ତିକୁ ଅମ୍ଳାନ ରଖିଛି। ଏ ବର୍ଷ ମହାମାରୀ ସତ୍ତ୍ୱେ ଗତ ଏପ୍ରିଲ-ଅଗଷ୍ଟ ମଧ୍ୟରେ ଭାରତକୁ ସର୍ବାଧିକ ୩୫-୭୩ ବିଲିୟନ ଆମେରିକୀୟ ଡଲାର ଏଫଡିଆଇ ଆସିଛି। ଗତବର୍ଷ ଏହି ସମୟ ମଧ୍ୟରେ ଯେତେ ଏଫ୍ଡିଆଇ ଆସିଥିଲା ତାହାଠାରୁ ଏହା ୧୩ ଶତାଂଶ ଅଧିକ ଏବଂ ଏହା ମଧ୍ୟ ଏକ ରେକର୍ଡର ବର୍ଷ। ତୃତୀୟତଃ ଗତବର୍ଷ ତୁଳନାରେ ଚଳିତବର୍ଷ ଟ୍ରାକ୍ଟର ସହିତ ଅନ୍ୟାନ୍ୟ ମୋଟରଯାନ ବିକ୍ରି ସମାନସ୍ତରରେ ପହଞ୍ଚିଛି କିମ୍ବା ସେହି ସ୍ତର ଅତିକ୍ରମ କରିବା ଅବସ୍ଥାରେ ରହିଛି। ଚାହିଦା ବୃଦ୍ଧିର ଏହା ଏକ ଉତ୍ତମ ସଂକେତ। ଚତୁର୍ଥରେ, ମ୍ୟାନୁଫାକ୍ଚରିଂ ଉଦ୍ୟୋଗରେ ନିରନ୍ତର ପ୍ରଗତି ଫଳରେ ଭାରତ ଦୁଇଟି ପାହାଚ ଉପରକୁ ଉଠି ଚୀନ ଏବଂ ବ୍ରାଜିଲ ପରେ ଗତ ସେପ୍ଟେମ୍ବର ମାସରେ ବିଶ୍ୱର ତୃତୀୟ ଉଦୀୟମାନ ବଜାର ମାନ୍ୟତା ପାଇଛି। ମ୍ୟାନୁଫାକ୍ଚରିଂ ଅଭିବୃଦ୍ଧି ପ୍ରଥମ ଥର ପାଇଁ ବାର୍ଷିକ ଭିତ୍ତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ଫଳରେ କ୍ରମାଗତ ସାତ ମାସ ଧରି ଏସବୁ ସାମଗ୍ରୀର ରପ୍ତାନୀ ବାଣିଜ୍ୟ ବୃଦ୍ଧି ପାଉଛି। ଇ-ୱେ ବିଲ୍ସ ଏବଂ ଜିଏସ୍ଟି ସଂଗ୍ରହ ଅଭିବୃଦ୍ଧି ମଧ୍ୟ ବେଶ୍ ଭଲ ଅଛି। ଶେଷରେ ନୂଆ ଇପିଏଫ୍ଓ ସଦସ୍ୟଙ୍କ ଯୋଗଦାନକୁ ଦେଖିଲେ ମଧ୍ୟ ଉତ୍ସାହର ସୂଚନା ମିଳେ। ୨୦୨୦ ଅଗଷ୍ଟରେ ତା ପୂର୍ବମାସ ଜୁଲାଇମାସ ଠାରୁ ୩୪ ଶତାଂଶ କର୍ମଚାରୀ ଇପିଏଫଓର ସଦସ୍ୟ ହୋଇଛନ୍ତି। ଫଳରେ ଦେଶରେ ନୂଆ ଇପିଏଫ୍ଓ ସଦସ୍ୟଙ୍କସଂଖ୍ୟା ୧୦ ଲକ୍ଷରୁ ଅଧିକ ହୋଇଛି। ଏହା ପ୍ରମାଣିତ କରୁଛି ଭାରତର ନିଯୁକ୍ତି ବଜାରରେ ଉନ୍ନତି ଘଟୁଛି।
ଏସବୁ ବ୍ୟତୀତ ଭାରତର ବୈଦେଶିକ ବିନିମୟ ମୂଦ୍ରା ମହଜୁଦ ପରିମାଣ ଯଥେଷ୍ଟ ବୃଦ୍ଧି ପାଇ ନୂଆ ରେକର୍ଡ କରିଛି। ରେଳବାଇର ମାଲ ଓ ଯାତ୍ରୀ ପରିବହନ ୧୫ ଶତାଂଶ ବୃଦ୍ଧି ପାଇଥିବା ବେଳେ ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତ ସେପ୍ଟେମ୍ବର ମାସରେ ଇନ୍ଧନ ଚାହିଦା ୪ ଶତାଂଶ ବଢିଛି। ଏସବୁ ଆର୍ଥିକ ପୁନରୁଦ୍ଧାର ସଂକେତରୁ ସୂଚନା ମିଳୁଛି ଯେ ବିଭିନ୍ନ କ୍ଷେତ୍ରରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଆରମ୍ଭ ହୋଇଯାଇଛି। ଆହୁରି ମଧ୍ୟ ଆତ୍ମନିର୍ଭର ଭାରତ ଘୋଷଣା ଆମ ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ପ୍ରୋତ୍ସାହନ। ଏହାଦ୍ୱାରା ନିର୍ଦ୍ଦିଷ୍ଟ ଭାବେ କ୍ଷୁଦ୍ର ବ୍ୟବସାୟ ଓ ଅଣଆନୁଷ୍ଠାନିକ ଉଦ୍ୟୋଗ ବିଶେଷ ଲାଭବାନ ହେବେ।
୧୬- ଅଧିକ ଆର୍ଥିକ ପ୍ରୋତ୍ସାହନ ଓ ପ୍ୟାକେଜ ଘୋଷଣା ନେଇ ଆପଣଙ୍କର ଆଉ କିଛି ଯୋଜନା ଅଛି କି।
ପ୍ରଧାନମନ୍ତ୍ରୀ : ଅର୍ଥନୀତିକୁ ପୁନଃ କ୍ରିୟାଶୀଳ କରିବା ନିମନ୍ତେ ଆମେ ନିରନ୍ତର ଆବଶ୍ୟକ ସ୍ଥଳେ ଆର୍ଥିକ ପ୍ରୋତ୍ସାହନ, ପ୍ୟାକେଜ ଘୋଷଣା କରିବୁ। ଏଥିପ୍ରତି ଉପଯୁକ୍ତ ନଜର ରଖାଯାଇଛି। ଏହାସହିତ ମଧ୍ୟ ସାମଗ୍ରିକ ମାକ୍ରୋ-ଇକ୍ନୋମିକ ସ୍ଥିରତାକୁ ସୁନିଶ୍ଚିତ କରିବାକୁ ଆମେ ସମୟବଦ୍ଧ ଭାବେ କାର୍ଯ୍ୟ କରୁଛୁ। ମନେ ରଖନ୍ତୁ ଯେ ଏ ପର୍ଯ୍ୟନ୍ତ ଆମେ ମହାମାରୀ ସଂକଟରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନାହୁଁ। ତଥାପି ଆମ ଅର୍ଥବ୍ୟବସ୍ଥା ପୁନରୁଦ୍ଧାର କରିବାର ଏକ ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କଲାଣି। ଏହା କେବଳ ଆମ ଲୋକଙ୍କ ସ୍ଥିତିସ୍ଥାପକତା ଯୋଗୁଁ ସମ୍ଭବ ହୋଇଛି। ଲୋକଙ୍କ ସ୍ଥିତିସ୍ଥାପକତା ଏପରି ଏକ ଜିନିଷ ଯାହାକୁ ସଂଖ୍ୟାରେ ପ୍ରକାଶ କରିହେବ ନାହିଁ; କିନ୍ତୁ ଯେଉଁସବୁ ପ୍ରଗତିସବୁ ଘଟୁଛି ତା’ପଛରେ ଏହାର ପ୍ରଭାବ ରହିଛି। ଦୋକାନୀ, ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଚଳାଉଥିବା ବ୍ୟକ୍ତି, କାରଖାନା କର୍ମଚାରୀ, ଉଦ୍ୟୋଗୀ ଏ ସମସ୍ତେ ଭାରତର ଦୃଢ ବଜାର ବିଚାର ବା ମାର୍କେଟ ସେଣ୍ଟିମେଣ୍ଟ ଏବଂ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ପ୍ରକ୍ରିୟାର ନାୟକ।
୧୭- ଭାରତକୁ ବିଶ୍ୱର ଏକ ବୃହତ୍ ମ୍ୟାନୁଫାକ୍ଚରିଂ ହବ୍ରେ ପରିଣତ କରିବା ଲାଗି ଆପଣ ଏବେ ଦୃଢ ଆଶାବାଦୀ। ବିଶେଷ କରି ଚୀନରୁ ଅନେକ କମ୍ପାନୀ ଅପସରି ଆସୁଥିବା ସମୟରେ ଆପଣ ଭାରତକୁ ଏକ ଆନ୍ତର୍ଜାତିକ ସପ୍ଲାଇ ଚେନରେ ପରିଣତ କରିବାକୁ ଆଗ୍ରହୀ। ଏ ଦିଗରେ କେତେ ଅଗ୍ରଗତି ଘଟିଛି । ଗ୍ଲୋବାଲ ସପ୍ଲାଇ ଚେନରେ ଚୀନର ବିକଳ୍ପ ଭାରତ ହୋଇପାରିବ କି ।
ପ୍ରଧାନମନ୍ତ୍ରୀ : ମହାମାରୀ ପରେ ଭାରତ ମ୍ୟାନୁଫାକ୍ଚରିଂ ଉଦ୍ୟୋଗର ବିକାଶ ବିଷୟରେ ଚିନ୍ତା କରିବା କଥା ଆରମ୍ଭ କରିନାହିଁ। ଅନେକ ଦିନ ପୂର୍ବରୁ ଆମେ ଏ ଦିଗରେ କାର୍ଯ୍ୟ କରୁଥିଲୁ ଏବଂ ମ୍ୟାନୁଫାକଚରିଂ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ପାଇଁ ଗୁରୁତ୍ୱ ଦେଇଆସୁଥିଲୁ। ବିଶେଷକରି ଭାରତ ଏକ ଯୁବରାଷ୍ଟ୍ର ଏବଂ ଏଠାରେ ଦକ୍ଷ ଲୋକଶକ୍ତି ରହିଛି। ତେବେ ଭାରତ ଅନ୍ୟର କ୍ଷତିକରି ଲାଭବାନ ହେବା ନୀତିରେ ବିଶ୍ୱାସ କରେନାହିଁ। ନିଜ ସାମର୍ଥ୍ୟ ଓ ଶକ୍ତି ବଳରେ ଭାରତ ଏକ ବିଶ୍ୱ ମ୍ୟାନୁଫାକ୍ଚରିଂ ହବ୍ରେ ପରିଣତ ହେବ। ଆମେ ଏ କ୍ଷେତ୍ରରେ ଯେଉଁ ଉଦ୍ୟମ କରୁଛୁ ତାହା ଅନ୍ୟ କୌଣସି ଦେଶର ବିକଳ୍ପ ଭାବେ ଉଭା ହେବାକୁ ଉଦ୍ଦିଷ୍ଟ ନୁହେଁ। ଆମର ଲକ୍ଷ୍ୟ ଏକ ଦେଶ ହିସାବରେ ସମସ୍ତଙ୍କୁ ଅଦ୍ୱିତୀୟ ସୁବିଧାସୁଯୋଗ ଯୋଗାଇ ଦେବା। ଆମେ ସମସ୍ତଙ୍କର ପ୍ରଗତି ଚାହୁଁ। ଭାରତର ବିକାଶ ଘଟିଲେ ବିଶ୍ୱର ଏକ ଷଷ୍ଠାଂଶ ଜନତାଙ୍କର ପ୍ରଗତି ସାଧିତ ହେବ।
ଆମେ ଦେଖିଛୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କିପରି ଏକ ନୂଆ ବିଶ୍ୱ ବ୍ୟବସ୍ଥା ଗଠିତ ହୋଇଥିଲା। କରୋନା ମହାମାରୀ ପରେ ସେହିଭଳି ସମାନ ଧରଣର କିଛି ଘଟିବ। ଏଥର ଭାରତ ମ୍ୟାନୁଫାକଚରିଂ ଯାନରେ ଚଢିବ ଏବଂ ଗ୍ଲୋବାଲ ସପ୍ଲାଇଚେନରେ ସଂଯୁକ୍ତ ହେବ। ଏଥିପାଇଁ ଗଣତନ୍ତ୍ର, ଜନସଂଖ୍ୟା ଓ ଚାହିଦା ଆଦି ବିଭିନ୍ନ ଦିଗରୁ ଭାରତ ନିର୍ଦ୍ଦିଷ୍ଟ ଭାବେ ସୁବିଧାଜନକ ସ୍ଥିତିରେ ରହିଛି।
୧୮- ଭାରତକୁ ଏହି ଲମ୍ବା ଲମ୍ଫ ପ୍ରଦାନ କରିବା ପାଇଁ ସମର୍ଥ କରିବାରେ କିପ୍ରକାର ନୀତିଗତ ପଦକ୍ଷେପ ଆପଣ ଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ : ଭାରତର ଫାର୍ମା ସେକ୍ଟର ଅଳ୍ପ କେଇମାସ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି କରି ତାହାର ସାମର୍ଥ୍ୟ ଦେଖାଇ ପାରିଛି। ଗ୍ଲୋବାଲ ଫାର୍ମା ସପ୍ଲାଇ ଚେନ୍ରେ ଭାରତ ଏକ ପ୍ରମୁଖ ଖେଳାଳି ଭାବେ ଆତ୍ମପ୍ରକାଶ କରିପାରିଛି। ଏବେ ଆମେ ଖୁବ୍ କମ୍ ସମୟ ମଧ୍ୟରେ ପିପିଇ କିଟ୍ସ ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛୁ। ଭେଣ୍ଟିଲେଟର ନିର୍ମାଣ କ୍ଷେତ୍ରରେ ଭାରତ ଇତିମଧ୍ୟରେ ବୈଷୟିକ ସ୍ତରରେ ବେଶ୍ ବିକାଶ ଲାଭକରିଛି। ପୂର୍ବରୁ ଏ କ୍ଷମତା ପ୍ରାୟ ଆମର ନ ଥିଲା। ଖୁବ୍ କମ୍ ସମୟ ମଧ୍ୟରେ ଆମେ ହଜାର ହଜାର ଭେଣ୍ଟିଲେଟର ଉତ୍ପାଦନ କରିପାରୁଛୁ।
ସ୍ୱାଧୀନତା ପରଠାରୁ କରୋନା ମହାମାରୀ ଆରମ୍ଭ ପର୍ଯ୍ୟନ୍ତ ଦେଶର ସରକାରୀ ହସ୍ପିଟାଲରେ ମାତ୍ର ୧୫ରୁ ୧୬ ହଜାର ଭେଣ୍ଟିଲେଟର କାର୍ଯ୍ୟକ୍ଷମ ଅବସ୍ଥାରେ ଥିଲା। ଇତିମଧ୍ୟରେ ଆମେ ୫୦ ହଜାର ଭେଣ୍ଟିଲେଟର ବିଭିନ୍ନ ହସ୍ପିଟାଲକୁ ଯୋଗାଇ ଏ କ୍ଷେତ୍ରରେ ଦ୍ରୁତ ପ୍ରଗତି ହାସଲ କରିଛୁ।
ଏବେ ଆମେ ଏହି ମଡେଲକୁ ସଫଳତାର ସହ ସ୍ଥାପନ କରିଛୁ। ଏହି ସଫଳତାର ସୂତ୍ର ଆମେ ଅନ୍ୟ କ୍ଷେତ୍ରରେ ମଧ୍ୟ ପ୍ରୟୋଗ କରି ଅଗ୍ରଣୀ ହୋଇପାରିବୁ। ମୋବାଇଲ ଉତ୍ପାଦନ, ଫାର୍ମସ୍ୟୁଟିକାଲ୍ସ ଏବଂ ମେଡିକାଲ ଉପକରଣ ଆଦି କ୍ଷେତ୍ରରେ ନିକଟରେ ଆମେ ଯେଉଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲଆଇ ସ୍କିମ୍ ଆରମ୍ଭ କରିଛୁ ତାହା ଆନ୍ତର୍ଜାତିକ ସ୍ତରର ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଏକ କେନ୍ଦ୍ରୀକୃତ ଓ ଲକ୍ଷ୍ୟଭିତ୍ତିକ ପଦକ୍ଷେପ। ଆଗ୍ରହୀ ବିଦେଶୀ ନିବେଶକମାନେ ଏହାର ସୁଯୋଗ ନେଇ ଭାରତରେ ନିଜର ଅର୍ଥଲଗାଣ ଓ ଉଦ୍ୟୋଗ ସ୍ଥାପନ ସହିତ ବ୍ୟବସାୟ ବାଣିଜ୍ୟ ବୃଦ୍ଧିରେ ସହାୟକ ହେବେ। ବିଶ୍ୱସ୍ତରୀୟ ଓ ଉତ୍ତମ ମାନର ସାମଗ୍ରୀ ଉତ୍ପାଦନ କରି ସେମାନେ ଭାରତକୁ ନିଜର ରପ୍ତାନି କେନ୍ଦ୍ର କରିପାରିବେ। କେବଳ ମୋବାଇଲ ଫୋନ କ୍ଷେତ୍ରରେ ଆଗାମୀ ୫ ବର୍ଷ ମଧ୍ୟରେଉତ୍ପାଦନ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ସେଥିମଧ୍ୟରୁ ୬୦ ଶତାଂଶ ମୋବାଇଲ ରପ୍ତାନି କରାଯିବ।
ମୁଡିସ୍ ରିପୋର୍ଟ ଅନୁସାରେ ଚଳିତବର୍ଷ ଆମେରିକାରୁ ୧୫୪ଟି ନୂଆ ପ୍ରକଳ୍ପ (ଗ୍ରୀନ୍ଫିଲ୍ଡ) ଭାରତକୁ ଆସିଛି। ଏହି ସମୟ ମଧ୍ୟରେ ଚୀନକୁ ୮୬, ଭିଏତ୍ନାମକୁ ୧୨ ଏବଂ ମାଲେସିଆକୁ ୧୫ଟି ପ୍ରକଳ୍ପ ଯାଇଛି। ଏଥିରୁ ସ୍ପଷ୍ଟ ସୂଚନା ମିଳୁଛି ଯେ ଭାରତର ଅଭିବୃଦ୍ଧି କାହାଣୀ ଓ ବିକାଶ ଯାତ୍ରାରେ ବିଶ୍ୱ ସମୁଦାୟ ବିଶ୍ୱାସ ପ୍ରକଟ କରିଛି। ଭାରତକୁ ବିଶ୍ୱର ପ୍ରମୁଖ ଅଗ୍ରଣୀ ମ୍ୟାନୁଫାକ୍ଚରିଂ ଲକ୍ଷ୍ୟସ୍ଥଳରେ ପରିଣତ କରିବାକୁ ଆମେ ଦୃଢ ଭିତ୍ତିଭୂମି ସ୍ଥାପନ କରିଛୁ।
କର୍ପୋରେଟ ଟିକସ ହ୍ରାସ, କୋଇଲା ଉଦ୍ୟୋଗରେ ବ୍ୟବସାୟିକ ଉତ୍ତୋଳନ ବ୍ୟବସ୍ଥାର ପ୍ରବର୍ତ୍ତନ, ଘରୋଇ ପୁଞ୍ଜିନିବେଶ ପାଇଁ ମହାକାଶ ଉଦ୍ୟୋଗକୁ ଉନ୍ମୁକ୍ତ କରିବା, ସବୁ ଆକାଶପଥକୁ ବେସାମରିକ ଉଡାଣ ପାଇଁ ବ୍ୟବହାର କରିବା ଉପରେ ଯେଉଁ ସାମରିକ କଟକଣା ଥିଲା ତାହାର ଉଚ୍ଛେଦ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆମେ ଗ୍ରହଣ କରିଛୁ। ଏସବୁ ପଦକ୍ଷେପ ଭାରତର ଅଭିବୃଦ୍ଧି ବଢାଇବାରେ ବିଶେଷ ସହାୟକ ହେବ।
କିନ୍ତୁ, ଭାରତର ବିକାଶ ଯାତ୍ରା ଆମର ରାଜ୍ୟମାନଙ୍କ ପ୍ରଗତି ଉପରେ ନିର୍ଭର କରେ। ସବୁରାଜ୍ୟ ସମତାଳରେ ବିକଶିତ ନହେଲେ ଭାରତର ପ୍ରଗତି ସମ୍ଭବ ନୁହେଁ ଏ କଥା ଆମକୁ ବୁଝିବାକୁ ପଡିବ। ପୁଞ୍ଜିନିବେଶକୁ ଆକର୍ଷିତ କରିବା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ହେବା ଉଚିତ। ବ୍ୟବସାୟିକ ସୁଗମତା ତାଲିକାରେ ଉଚ୍ଚ ମାନ୍ୟତା ପାଇବା ପାଇଁ ରାଜ୍ୟମାନେ ଏବେ ପ୍ରତିଯୋଗିତା କରୁଛନ୍ତି। ନିବେଶ ହାତେଇବା ପାଇଁ କେବଳ ପ୍ରୋତ୍ସାହନ ଦେଇଦେଲେ ଯଥେଷ୍ଟ ହେବ ନାହିଁ, ସେଥିପାଇଁ ରାଜ୍ୟମାନଙ୍କୁ ଭିତ୍ତିଭୂମି ନିର୍ମାଣ ଏବଂ ଉତ୍ତମ ବିକାଶମୂଳକ ନୀତି ପ୍ରସ୍ତୁତ କରିବାକୁ ପଡିବ।
୧୯- କେତେକ କ୍ଷେତ୍ରରେ ଆଶଙ୍କା ପ୍ରକାଶ ପାଉଛି ଯେ ଆତ୍ମନିର୍ଭର ପ୍ରୟାସ ଦ୍ୱାରା ଆତ୍ମରାଜ ଦିନ ଫେରିବ। କେତେକ କୁହନ୍ତି ଯେ ଭାରତ ଗ୍ଲୋବାଲ ସପ୍ଲାଇ ଚେନ୍ରେ ଏକ ଅଂଶ ହେବାକୁ ଚାହୁଁଥିବା ବେଳେ ନିଜର ଆମଦାନୀକୁ ସଂକୁଚିତ କରୁଛି ଏବଂ ଏହା ଏକ ବିରୋଧାଭାସ। ଏ ସଂପର୍କରେ ଆପଣଙ୍କ ମତ କ’ଣ ।
ପ୍ରଧାନମନ୍ତ୍ରୀ : ଆତ୍ମକୈନ୍ଦ୍ରିକ ବା ସ୍ୱାର୍ଥସର୍ବସ୍ୱ ହେବା ଭାରତ କିମ୍ବା ଭାରତୀୟଙ୍କ ପ୍ରକୃତି ନୁହେଁ। ଆମେ ଏକ ଦୂରଦୃଷ୍ଟି ସଂପନ୍ନ ସଭ୍ୟତା ଓ ଏକ ଉଚ୍ଛଳ ଗଣତନ୍ତ୍ରର ସଦସ୍ୟ। ଭାରତ ଏକ ଉତ୍ତମ ବିଶ୍ୱ ଗଠନ ନିମନ୍ତେ ଅନ୍ୟାନ୍ୟ ଦେଶ ସହିତ କାମ କରିବାକୁ ସଦା ପ୍ରୟାସୀ। ଆତ୍ମନିର୍ଭର ଭାରତକେବଳ ପ୍ରତିଯୋଗିତାରେ ସୀମିତ ନୁହେଁ। ଏହା ମଧ୍ୟ ଦକ୍ଷତାର କଥା କହେ। ଏହା ପ୍ରଭୁତ୍ୱରେ ବିଶ୍ୱାସ କରେନି, ବରଂ ନିର୍ଭରଶୀଳତାରେ ବିଶ୍ୱାସୀ। ଆତ୍ମନିର୍ଭର ଭାରତ ଆତ୍ମସର୍ବସ୍ୱ ନୁହେଁ, ବରଂ ଏହା ସମଗ୍ର ବିଶ୍ୱର ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ।
ତେଣୁ ଆମେ ଯେତେବେଳେ ଆତ୍ମନିର୍ଭର ଭାରତ କଥା କହୁ ସେତେବେଳେ ସର୍ବପ୍ରଥମେ ସବୁକ୍ଷେତ୍ରରେ ଭାରତର ଆତ୍ମନିର୍ଭରତାକୁ ଅର୍ଥ କରୁ। ଏକ ଆତ୍ମନିର୍ଭର ଭାରତ ମଧ୍ୟ ବିଶ୍ୱର ଜଣେ ବିଶ୍ୱସ୍ତ ବନ୍ଧୁ। ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ, ଭାରତ ଆତ୍ମକୈନ୍ଦ୍ରିକ। ପିଲାଟିଏ ଯେତେବେଳେ ୧୮ ବର୍ଷରେ ପଦାର୍ପଣ କରେ ତାହାର ପିତାମାତା ତା’କୁ ଆତ୍ମନିର୍ଭର ହେବାକୁ କୁହନ୍ତି, ଏହା ସ୍ୱାଭାବିକ।
ଏବେ ଆମେ ଆମର ଆତ୍ମନିର୍ଭରତାକୁ ବିଶ୍ୱର ଚିକିତ୍ସା କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ବ୍ୟବହାର କରୁଛୁ। ଉଦାହରଣ ସ୍ୱରୂପ ମୂଲ୍ୟ ନ ବଢାଇ କିମ୍ବା କୌଣସି କଟକଣା ନ ରଖି ଆମେ ଟିକା ଏବଂ ଔଷଧ ଉତ୍ପାଦନ କରୁଛୁ। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକଙ୍କ ଚିକିତ୍ସା ସେବାରେ ନିୟୋଜିତ ହୋଇଥିବା ଭାରତୀୟ ଡାକ୍ତରମାନଙ୍କ ଶିକ୍ଷାଦାନ ପାଇଁ ଆମ ଭଳି ଏକ ଦରିଦ୍ର ଦେଶକୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡିଥିଲା। ସେମାନେ ଦେଶ ଛାଡି ଯେତେବେଳେ ବିଦେଶକୁ ଗଲେ ଆମେ ସେତେବେଳେ ସେମାନଙ୍କୁବାଧା ଦେଇ ନ ଥିଲୁ।
କେତେକ କ୍ଷେତ୍ରରେ ଭାରତ ଯେତେବେଳେ ଆତ୍ମନିର୍ଭର ହେବ ତଦ୍ଦ୍ୱାରା ବିଶ୍ୱ ନିଶ୍ଚିତ ଉପକୃତ ହେବ। ଭାରତର ଏହି ବିଚାର ଓ ଭାବନାକୁ ଯଦି କେହି ନ ବୁଝିଲା ସେ ଆତ୍ମନିର୍ଭର ତତ୍ତ୍ୱକୁ ବୁଝିପାରିବ ନାହିଁ।
୨୦- ସୁତରାଂ ଏ କ୍ଷେତ୍ରରେ କୌଣସି ବିରୋଧାଭାସ ନାହିଁ ।
ପ୍ରଧାନମନ୍ତ୍ରୀ : ବିଶେଷଜ୍ଞମାନଙ୍କ ମଧ୍ୟରେ ଥିବା ଭ୍ରମବା ଦ୍ୱନ୍ଦ୍ୱର ଅର୍ଥ ନୁହେଁ, ଆମ ଆଭିମୁଖ୍ୟରେ ବିରୋଧାଭାସ ରହିଛି। ଆମେ ନିକଟରେ ଏଫ୍ଡିଆଇ ପ୍ରବେଶକୁ ସୁଗମ କରିବା ପାଇଁ କେତେକ କ୍ଷେତ୍ରରେ ଥିବା କଟକଣାକୁ କୋହଳ କରିଛୁ। ସେଥିପାଇଁ କୃଷି, ଶ୍ରମ ଓ କୋଇଲା ଉଦ୍ୟୋଗ ଭଳି ବିଭିନ୍ନ କ୍ଷେତ୍ରରେ ସଂସ୍କାରବାଦୀ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ସେହି ଦେଶ ଯିଏକି ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟର ଶକ୍ତିରେ ବିଶ୍ୱାସ କରେ ସେହି ଦେଶ ହିଁ ବିଶ୍ୱ ସହିତ ମିଶି କାମ କରିବାକୁ ଅଧିକରୁ ଅଧିକ ପଥ ଉନ୍ମୁକ୍ତ କରେ। ଏ କଥା ଅବଶ୍ୟ ସତ୍ୟ ଯେ ଯେଉଁସବୁ କ୍ଷେତ୍ରରେ ଭାରତର ଅନ୍ତର୍ନିହିତ ଶକ୍ତି ଓ ସୁବିଧା ସୁଯୋଗ ଥିଲା ତାହାକୁ ବୁଝିବାରେ ଭାରତ ସକ୍ଷମ ହୋଇପାରି ନାହିଁ। ଉଦାହାରଣ ସ୍ୱରୂପ କୋଇଲା କ୍ଷେତ୍ର ସେଥିରୁ ଗୋଟିଏ। ୨୦୧୯-୨୦ରେ ଭାରତ ପ୍ରାୟ ୧-୫ ଲକ୍ଷ କୋଟି ଟଙ୍କାର କୋଇଲା ଆମଦାନୀ କରିଥିଲା। ଅପରପକ୍ଷରେ ଦେଖିବାକୁ ଗଲେ ଭାରତରେ ପ୍ରଚୁର କୋଇଲା ମହଜୁଦ ଅଛି ଏବଂ ସର୍ବାଧିକ କୋଇଲା ସଂପଦ ଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ। ସେହିଭଳି ରପ୍ତାନି ଉପରେ ଅଧିକ ନିର୍ଭରଶୀଳ ଥିବା ଆଉ ଏକ କ୍ଷେତ୍ର ହେଲା ଭାରତର ପ୍ରତିରକ୍ଷା ଉଦ୍ୟୋଗ। ଏସବୁକୁ ଦୃଷ୍ଟିରେ ରଖି ଆମେ ବିଭିନ୍ନ ସଂସ୍କାର କାର୍ଯ୍ୟକାରୀ କରିଛୁ। ପ୍ରତିରକ୍ଷା କ୍ଷେତ୍ରରେ ଏଫ୍ଡିଆଇ ସୀମାକୁ ୪୯ ଶତାଂଶରୁ ୭୪ ଶତାଂଶକୁ ବୃଦ୍ଧି କରାଯାଇଛି। ସେହିଭଳି ଆସନ୍ତା ୫ ବର୍ଷ ପାଇଁ ୩-୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ଘରୋଇ ଉଦ୍ୟୋଗରେ ଭାରତ ଉତ୍ପାଦନ କରିବ। ଏଥିରେ ୧୦୦ଟି ଅସ୍ତ୍ରଶସ୍ତ୍ର ଓ ଉପକରଣ ଅନ୍ତର୍ଭୁକ୍ତ। ସରକାର ଇତିମଧ୍ୟରେ ଏ ସଂକ୍ରାନ୍ତ ଘୋଷଣାନାମା ଜାରି କରିଛନ୍ତି।
ଯେଉଁମାନେ ଭାରତରେ ପୁଞ୍ଜି ନିବେଶ କରିଛନ୍ତି ସେମାନଙ୍କୁ ଆମେ ନ୍ୟାୟୋଚିତ ସୁବିଧା ସୁଯୋଗ ଯୋଗାଇଛୁ। ସେମାନେ ଭାରତ ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି ଏବଂ ନିଜର ଦକ୍ଷତା ବୃଦ୍ଧି କରି ବିଶ୍ୱସ୍ତରରେ ପ୍ରତିଯୋଗିତା କରୁଛନ୍ତି। ଆତ୍ମନିର୍ଭର ଭାରତ ପ୍ରୟାସଟି ହେଲା ଭାରତର ଅବ୍ୟକ୍ତ ଦକ୍ଷତାର ଚାବି ଖୋଲିବା; ଯାହାଫଳରେ ଆମର ଫାର୍ମ ବା କଳକାରଖାନା କେବଳ ଦେଶୀ ବଜାରର ଆବଶ୍ୟକତା ପୂରଣରେ ସୀମିତ ନ ରହି ବିଶ୍ୱ ବଜାରରେ ସାମିଲ ହେବେ।
୨୧- ସରକାରୀ ଆକଳନରୁ ଏହା ଜଣାପଡେ ଯେ ଏଫ୍ଟିଏ ଭାରତ ପ୍ରତି ଅନୁକୂଳ ନୁହେଁ। ଆମେ ମଧ୍ୟ ଆର୍ସିଇପିରୁ ଓହରି ଆସିଥିଲୁ। ଏ ପ୍ରସଙ୍ଗରେ ଆପଣଙ୍କ ମତାମତ କ’ଣ । ଆପଣ ଭାବୁଛନ୍ତି କି ଆମେ ଏଫ୍ଟିଏର ଅନୁସରଣ କରିବାଉଚିତ ହେବ ।
ପ୍ରଧାନମନ୍ତ୍ରୀ : ଆନ୍ତର୍ଜାତିକ ବାଣିଜ୍ୟ ପଛରେ ଥିବା ମାର୍ଗଦର୍ଶନକାରୀ ନୀତି ଓ ସିଦ୍ଧାନ୍ତର ଲକ୍ଷ୍ୟ ହେଲା ଏଥିରେ ସଂପୃକ୍ତ ସବୁରାଷ୍ଟ୍ରଙ୍କୁ ସମାନ ସୁବିଧା ସୁଯୋଗ ଦେବା ଏବଂ ଏହାଦ୍ୱାରା କେହି ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି ତାହା ନିଶ୍ଚିତ କରିବା। ବିଶେଷଜ୍ଞମାନେ ମୋତେ ଯାହା ଜଣାଇଛନ୍ତି, ତଦନୁସାରେ ଏକ ଆଦର୍ଶ ବାଣିଜ୍ୟ ରାଜିନାମା ବିଶ୍ୱ ବାଣିଜ୍ୟ ସଂଗଠନ ମାଧ୍ୟମରେ କାର୍ଯ୍ୟକାରୀ ହୋଇ ବୈଶ୍ୱିକ ଏବଂ ବହୁପାକ୍ଷିକ ସ୍ୱାର୍ଥ ସାଧନ କରିବା ଉଚିତ। ଭାରତ ସର୍ବଦା ଆନ୍ତର୍ଜାତିକ ବାଣିଜ୍ୟ ନୀତିନିୟମକୁ ପାଳନ କରିଆସିଛି। ଆନ୍ତର୍ଜାତିକ ବାଣିଜ୍ୟ ନିୟମମୁକ୍ତ, ଅବାଧ, ନ୍ୟାୟୋଚିତ, ସ୍ୱଚ୍ଛ ଏବଂ ସମସ୍ତଙ୍କ ପାଇଁ ସମାନ ହେବା ଆବଶ୍ୟକ। ଏହା ଆନ୍ତର୍ଜାତିକ ବ୍ୟବସାୟ ବ୍ୟବସ୍ଥାର ନୀତିନିୟମ ଦ୍ୱାରା ପରିଚାଳିତ ହେବା ଉଚିତ। ଏହା ହୋଇପାରିଲେ ବିକାଶଶୀଳ ଦେଶଗୁଡିକର ଆଶାଆକାଂକ୍ଷା ଓ ବିକାଶମୂଳକ ଲକ୍ଷ୍ୟ ପୂରଣ ହୋଇପାରିବ। ବିଶ୍ୱ ବାଣିଜ୍ୟ ସଂଗଠନ ବାଡବ୍ଲୁଟିଓ ମଧ୍ୟ ଏହି ବିଚାର ଅନୁସାରେ ଗଠିତ।
ଅତୀତରେ ଆମେ ଯେତେବେଳେ ଆମର ବଜାର ମୁକ୍ତକଲୁ ସେତେବେଳେ ଆମେ ୧୦ଟି ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍ଟିଏ) ଏବଂ ୬ଟି ଅଗ୍ରାଧିକାର ଭିତ୍ତିକ ବାଣିଜ୍ୟ ଚୁକ୍ତିନାମା (ପିଟିଏ)ରେ ସ୍ୱାକ୍ଷର କରିଥିଲୁ। ବର୍ତ୍ତମାନ ଯେଉଁ ଏଫ୍ଟିଏ ରହିଛି ତାହାର ଆକଳନ ଆଦର୍ଶଗତ ଦୃଷ୍ଟିକୋଣରୁ ନ ହୋଇ, ଏହାଦ୍ୱାରା ଭାରତ କେତେ ଉପକୃତ ହୋଇଛି ସେହି ଆଧାରରେ ହେବା ଉଚିତ। ଆନ୍ତର୍ଜାତିକ ଭ୍ୟାଲୁଚେନ୍ରେ ସାମିଲ ହେବାକୁ ଭାରତ ଆଗ୍ରହୀ ଏବଂ ତଦନୁସାରେ ବାଣିଜ୍ୟ ଚୁକ୍ତି କରିବାକୁ ଚାହେଁ। ତେବେ ଏ ନେଇ ଯେଉଁସବୁ ରାଜିନାମା ହେବ ତାହା ନ୍ୟାୟୋଚିତ ଏବଂ ବାଛବିଚାର ରହିତ ହେବା ଆବଶ୍ୟକ। ଅଧିକନ୍ତୁ ଭାରତ ଯେତେବେଳେ ବୃହତ୍ତର ବଜାର ପାଇଁ ପ୍ରବେଶ ସୁଯୋଗ ସୃଷ୍ଟି କରିବ ସେତେବେଳେ ରାଜିନାମା ଭାରସାମ୍ୟ ରକ୍ଷାକାରୀ ଏବଂ ପାରସ୍ପରିକ ହେବା ଉଚିତ।
ଆମେ ଏଫ୍ଟିଏ ଅନୁସାରେ ଆମର ବୃହତ୍ତର ବଜାରକୁ ପ୍ରବେଶ ପାଇଁ ଅଗ୍ରାଧିକାର ବା ପ୍ରିଫେରେନ୍ସିଆଲ ଭିତ୍ତିରେ ଅନ୍ୟାନ୍ୟ ରାଷ୍ଟ୍ରଙ୍କୁ ସୁଯୋଗ ଦେଇଥିଲୁ। ଯେଉଁମାନେ ଏହାର ସୁଯୋଗ ନେଇ ଆମ ସହିତ ବାଣିଜ୍ୟ ବ୍ୟବସାୟ କରୁଛନ୍ତି ସେମାନେ ଆମକୁ ସମାନ ସୁବିଧା ସୁଯୋଗ ତାଙ୍କ ବଜାରରେ ଦେଉନାହାନ୍ତି। ସେସବୁ ବଜାରରେ ଆମ ରପ୍ତାନିକାରୀମାନେ ପ୍ରତିକୂଳ ପରିସ୍ଥିତି ସମ୍ମୁଖୀନ ହେଉଛନ୍ତି। ଭାରତୀୟ ସାମଗ୍ରୀ ଉପରେ ଅଧିକ ଆମଦାନୀ କର ଲାଗୁ କରାଯାଉଛି। ଉଦାହରଣ ସ୍ୱରୂପ ଆମ ବାଣିଜ୍ୟ ଅଂଶୀଦାରମାନେ ଭାରତକୁ ଇସ୍ପାତ ରପ୍ତାନି କରିପାରିବେ; କିନ୍ତୁ ଦେଖାଯାଉଛି ସେମାନଙ୍କ ମଧ୍ୟରୁ କେତେକ ଦେଶ ଭାରତୀୟ ଇସ୍ପାତ ଆମଦାନୀକୁ ଅନୁମତି ଦେଉନାହାନ୍ତି। ସେହିଭଳି ଭାରତୀୟ ଟାୟାର ଉତ୍ପାଦନକାରୀ କେତେକ ବୈଷୟିକ ପ୍ରତିବନ୍ଧକ ଯୋଗୁଁ ସେମାନଙ୍କ ସାମଗ୍ରୀ ରପ୍ତାନି କରିବାରୁ ବଞ୍ଚିତ ହେଉଛନ୍ତି। ଭାରତ ବାଣିଜ୍ୟ କ୍ଷେତ୍ରରେ ମୁକ୍ତ ଓ ସ୍ୱଚ୍ଛ ନୀତିନିୟମ ପାଳନ କରିବାକୁ ଅଙ୍ଗୀକୃତ ହୋଇଥିବାବେଳେ ନିଜର ରପ୍ତାନି ବାଣିଜ୍ୟ ବଜାର ଯେପରି ମୁକ୍ତ ଏବଂ ଅବାଧ ରହେ ସେଥିପାଇଁ ତା’ନିକଟରେ ଥିବା ସବୁସାଧନ ଓ ନୀତିନିୟମ ବ୍ୟବହାର କରିବାକୁ ପଛଘୁଞ୍ଚା ଦେବ ନାହିଁ।
ଆରସିଇପି କ୍ଷେତ୍ରରେ ଭାରତ ବାଣିଜ୍ୟ କାରବାର ଅସମତା ଅବସାନ ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲା। ସ୍ୱଚ୍ଛତା ଓ ନ୍ୟାୟୋଚିତ ବାଣିଜ୍ୟ ଅଧାରରେ ଭାରତ ସେସବୁ ରାଷ୍ଟ୍ରଙ୍କ ଠାରୁ ସମାନ ବାଣିଜ୍ୟ ସୁବିଧା ଚାହୁଁଥିଲା। ଅଣଟାରିଫ ପ୍ରତିବନ୍ଧକ, ସବ୍ସିଡି ପ୍ରସଙ୍ଗ ଭଳି କେତେକ ବିଷୟରେ ଆରସିଇପି ମେଣ୍ଟଭୁକ୍ତ ଦେଶଗୁଡିକ ଠାରୁ ଭାରତ କେତେକ ସ୍ପଷ୍ଟୀକରଣ ଚାହିଁବା ସହ ବାଛବିଚାର ନୀତି ଅବସାନ ପାଇଁ ବାରମ୍ବାର ଦାବି ଉପସ୍ଥାପନ କରିଆସୁଥିଲା। ଏଥିରେ କିଛି ସୁଫଳ ନ ମିଳିବାରୁ ଏହି ସଂଗଠନରୁ ଓହରି ଆସିବାକୁ ଭାରତ ବିଜ୍ଞ ନିଷ୍ପତ୍ତି ନେଇଛି। ପୁରୁଣା ପ୍ରସଙ୍ଗଗୁଡିକର ସମାଧାନ ନ ହେବା ପର୍ଯ୍ୟନ୍ତ ଏବଂ ଆରସିଇପିର ନୀତିନିୟମରେ ପରିବର୍ତ୍ତନ ନ ହେବା ଯାଏଁ ଭାରତ ଏଥିରେ ପୁନଃ ଯୋଗଦାନ କରିବାର ପ୍ରଶ୍ନ ଉଠୁନାହିଁ।
୨୨- ପିପିଇ ଓ ମାସ୍କ ଉତ୍ପାଦନରେ ଭାରତ ଏବେ ବିଶ୍ୱରେ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉଭା ହୋଇଛି। ଔଷଧୀୟ ଉଦ୍ୟୋଗ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଭାବେ ଆତ୍ମପ୍ରକାଶ କରିଛି। ଏ କ୍ଷେତ୍ରରେ ଆମକୁ ଯେଉଁଲାଭ ଓ ସୁଯୋଗ ମିଳିଛି ତାହାକୁ ଆପଣ ଅଧିକ ମଜଭୁତ କରିବା ପାଇଁ କି ପରିଚିନ୍ତା କରୁଛନ୍ତି ।
ପ୍ରଧାନମନ୍ତ୍ରୀ : କରୋନା ମହାମାରୀ ଆରମ୍ଭରେ ଆମେ ଅନୁଭବ କଲୁ ଯେ ପିପିଇ ଆଦି ଆମଦାନୀ ଉପରେ ଆମକୁ ନିର୍ଭର କରିବାକୁ ପଡିବ। ବିଭିନ୍ନ ଦେଶ ଲକ୍ଡାଉନ୍ ଜାରିକରିବା ପରେ ସମସ୍ୟା ଗୁରୁତର ଆକାର ଧାରଣକଲା। ଏହାଦ୍ୱାରା ଉତ୍ପାଦନ ଓ ଯୋଗାଣ ପ୍ରଭାବିତ ହେଲା। ତେଣୁ ପିପିଇର ଆନ୍ତର୍ଜାତିକ ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବିଘ୍ନିତ ହୋଇଥିଲା। ସୁତରାଂ ଆମେ ତୁରନ୍ତ ଏହି ସମସ୍ୟାରୁ ମୁକୁଳିବା ପାଇଁ ପିପିଇ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ଚିନ୍ତାକରି ତତ୍କାଳ ପଦକ୍ଷେପ ଗ୍ରହଣକଲୁ। ଏ କ୍ଷେତ୍ରରେ ଆମେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ରଖି କାର୍ଯ୍ୟ ଆରମ୍ଭ କରିଥିଲୁ। ଏଥିପାଇଁ ଆବଶ୍ୟକ ପଡୁଥିବା କଞ୍ଚାମାଲର ଉତ୍ସ ଚିହ୍ନଟ ଏବଂ ଉତ୍ପାଦନ ବ୍ୟବସ୍ଥା ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା। ପିପିଇ କିଟ୍ସ, ଏନ୍ ୯୫ ମାସ୍କ, ଭେଣ୍ଟିଲେଟର, ଡାଇଗ୍ନୋଷ୍ଟିକ କିଟ୍ ଆଦି ଉତ୍ପାଦନ କରିବା ପାଇଁ ଆମେ ରାଜ୍ୟ ସରକାର ଓ ଉଦ୍ୟୋଗଗୁଡିକ ସହଯୋଗରେ ୨୪ ଘଣ୍ଟିଆ କାମ କରିଥିଲୁ। କ୍ରମଶଃ ଏହି ସମସ୍ୟା ସମାଧାନ ହୋଇଗଲା ଏବଂ ଦେଶରେ ଏସବୁ ସାମଗ୍ରୀ ଅଧିକରୁ ଅଧିକ ଉତ୍ପାଦିତ ହେଲା। ବରାଦ ଅନୁସାରେ ଭାରତରେ ଥିବା ବିଭିନ୍ନ କଂପାନୀ ଏବଂ ସଂସ୍ଥା ଏସବୁ ସାମଗ୍ରୀ ଉତ୍ପାଦନ କରି ଯୋଗାଇଲେ। ଆମର ଆବଶ୍ୟକତା ପୂରଣ ପରେ ବଳକା ସାମଗ୍ରୀକୁ ଆମେ ଅନ୍ୟାନ୍ୟ ଦେଶକୁ ସେମାନଙ୍କ ଚାହିଦା ଅନୁସାରେ ଯୋଗାଇବାରେ କ୍ରମଶଃ ସକ୍ଷମ ହେଲୁ।
ଆମର ନିରନ୍ତର ଉଦ୍ୟମ ଫଳରେ ଭାରତ ଅଳ୍ପ କେଇମାସ ମଧ୍ୟରେ ବିଶ୍ୱ ଔଷଧାଳୟର ମାନ୍ୟତା ଲାଭକଲା। ନିଜର ଆବଶ୍ୟକତା ପୂରଣ ସହିତ ଭାରତ ୧୫୦ଟି ଦେଶକୁ ଔଷଧପତ୍ର ଓ ଚିକିତ୍ସା ଉପକରଣ ପ୍ରେରଣ କରିବାରେ ସମର୍ଥ ହୋଇଛି। ଭାରତୀୟ ଔଷଧୀୟ ଉଦ୍ୟୋଗର ମୋଟ ଆକାର ୩୮ ବିଲିୟନ ଡଲାର। ଆମ ପାଖରେ ଯେଉଁ ସୁବିଧା ରହିଛି ତାହାର ସୁଯୋଗ ନେବା ପାଇଁ ଆମେ ଏହି ଉଦ୍ୟୋଗକୁ ବଳଶାଳୀ କରିବା ପାଇଁ ଉଦ୍ୟମ କରୁଛୁ। ଦେଶରେ ଚିକିତ୍ସା ଉପକରଣ ଏବଂ ସକ୍ରିୟ ଔଷଧୀୟ ଉପାଦାନ ଆଦିର ଉତ୍ପାଦାନ ପାଇଁ ସରକାର ୧୪ ହଜାର କୋଟି ଟଙ୍କାର ବ୍ୟୟବରାଦକୁ ଅନୁମୋଦନ କରିଛନ୍ତି। ବିପୁଳ ପରିମାଣର ଔଷଧ ଓ ଡାକ୍ତରୀ ଉପକରଣ ଉତ୍ପାଦନ ପାଇଁ ଡ୍ରଗ ଓ ମେଡିକାଲ ଡିଭାଇସ୍ ପାର୍କମାନ ପ୍ରସ୍ତୁତ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଲା ଭାରତକୁ ଏ କ୍ଷେତ୍ରରେ ଆନ୍ତର୍ଜାତିକ ସ୍ତରରେ ଅଗ୍ରଣୀ କରିବା।
୨୩- ଆସନ୍ତା ବର୍ଷ ସୁଦ୍ଧା ଟିକା ଆସିଯିବ ବୋଲି ଆଶା କରାଯାଉଛି। ଅଗ୍ରାଧିକାର ଭିତ୍ତିରେ କେଉଁମାନଙ୍କୁ ଟିକା ଦିଆଯିବ ଏବଂଏହାର ବଣ୍ଟନ କିପରି ହେବ ସେସଂପର୍କରେ କିଛି ବିଚାର ଅଛି କି ।
ପ୍ରଧାନମନ୍ତ୍ରୀ : ସର୍ବପ୍ରଥମେ ମୁଁରାଷ୍ଟ୍ରକୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଯେତେବେଳେ ଟିକା ଉପଲବ୍ଧ ହେବ ସେତେବେଳେ ସମସ୍ତଙ୍କୁ ଏହା ଦିଆଯିବ। ଏଥିରୁ କେହି ବାଦ ପଡିବେ ନାହିଁ। ଅବଶ୍ୟ ପ୍ରାରମ୍ଭିକ ଭାବେ ଆମେ ସବୁଠୁ ବିପଜ୍ଜନକ ଓ ଅସୁବିଧା ସ୍ଥିତିରେ ଥିବା ବର୍ଗ ଏବଂ କରୋନା ଲଢେଇ ସମ୍ମୁଖଭାଗରେ ଥିବା କର୍ମୀମାନଙ୍କୁ ସୁରକ୍ଷିତ କରିବାକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେବୁ। ଟିକା ପ୍ରଦାନ ସଂକ୍ରାନ୍ତ ଏକ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି। କରୋନା ଟିକା କିପରି ଦିଆଯିବ ଏବଂ ଏଥିରେ କେଉଁବର୍ଗ ଅଗ୍ରାଧିକାର ପାଇବେ ସେସବୁ କଥା ଏହି ଗୋଷ୍ଠୀ ଚୂଡାନ୍ତ କରିବ।
ଆମେ ବୁଝିବା ଦରକାର ଯେ ଟିକା ବିକାଶ କାର୍ଯ୍ୟ ଏବେ ମଧ୍ୟ ଚାଲିଛି। ଏହାର ପରୀକ୍ଷଣ ଆରମ୍ଭ ହୋଇଗଲାଣି। ଏହି ଟିକା କିପରି ହେବ, ପ୍ରତ୍ୟେକବ୍ୟକ୍ତିକୁକେତେମାତ୍ରାରେ ଦିଆଯିବ, ଏହାକିପରି ଓ କେତେ ସମୟ ବ୍ୟବଧାନରେ ପ୍ରଦାନ କରାଯିବ ସେ ସମ୍ପର୍କରେ ବିଶେଷଜ୍ଞମାନେ ଏବେ କହିବା ଅବସ୍ଥାରେ ନାହାନ୍ତି। ଏସବୁ ବିଶେଷଜ୍ଞଙ୍କ ଦ୍ୱାରା ଚୂଡାନ୍ତ ହୋଇସାରିଲା ପରେ ଏହାକୁ ଲୋକମାନଙ୍କୁ ପ୍ରଦାନ କରିବା ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିବୁ। ଏବେ ଟିକା ପରିଚାଳନା ଓ ଯୋଗାଣ ଆଉ ଏକ ପ୍ରସଙ୍ଗ। ଟିକାକୁ ସଂରକ୍ଷିତକରି ରଖିବା ପାଇଁ ଦେଶର ୨୮ ହଜାର କୋଲ୍ଡଚେନ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏହିସବୁ କେନ୍ଦ୍ରରୁ କରୋନା ଟିକା ବିଭିନ୍ନ ସ୍ଥାନକୁ ଯୋଗାଇ ଦିଆଯିବ। କୌଣସି ବ୍ୟକ୍ତି ଓ କୌଣସି ଅଞ୍ଚଳ ଯେପରି ଟିକାରୁ ବଞ୍ଚିତ ନ ହୁଅନ୍ତି ତାହା ନିଶ୍ଚିତ କରାଯାଉଛି। ରାଜ୍ୟ, ଜିଲା ଏବଂ ସ୍ଥାନୀୟ ସ୍ତରରେ ଉତ୍ସର୍ଗୀକୃତ ଦଳମାନ ଟିକା ବଣ୍ଟନ ଓ ପ୍ରଦାନ କାର୍ଯ୍ୟ ପରିଚାଳନା କରିବେ। ଏଥିପାଇଁ ବିଧିବଦ୍ଧ ଉତ୍ତରଦାୟୀ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ନାମ ପଞ୍ଜୀକରଣ, ଲୋକଙ୍କୁ ଚିହ୍ନଟ କରିବା ଏବଂ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ଆଦି ତଥ୍ୟ ରଖିବା ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଉଛି।
୨୪- କରୋନା ମହାମାରୀ ଜନିତ ବିପର୍ଯ୍ୟୟ ପରେ ୨୦୨୪ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ କରିବାର ଲକ୍ଷ୍ୟ ହାସଲରେ ଆମେ ଏବେ କେଉଁଠି ।
ପ୍ରଧାନମନ୍ତ୍ରୀ : ଅଧିକାଂଶ ଲୋକ ଯେଉଁମାନେ ନୈରାଶ୍ୟବାଦୀ ସେମାନେ ସର୍ବଦା ସନ୍ଦେହରେ ରହନ୍ତି। ଆପଣ ଯଦି ସେମାନଙ୍କ ଗହଣରେ ବସିବେ, ସେମାନଙ୍କ ଠାରୁ କେବଳ ହତାଶା ଓ ନୈରାଶ୍ୟର କଥା ଶୁଣିବେ।
ତେବେ ଆପଣ ଯଦି ଆଶାବାଦୀ ଲୋକଙ୍କ ସହ ଏ ବିଷୟରେ ଆଲୋଚନା କରିବେ ସେମାନଙ୍କଠାରୁ ଆପଣ ନୂଆ ବିଚାର, ପ୍ରସ୍ତାବ ଓ ଆଗକୁ ବଢିବାର ବାଟ କଥା ଶୁଣିବାକୁ ପାଇବେ। ଆଜି ଆମ ଦେଶ ଏହାର ଭବିଷ୍ୟତ ନେଇ ଦୃଢ ଆଶାବାଦୀ। ଭାରତ ୫ ଟ୍ରିଲିୟନ ଡଲାର ବିଶିଷ୍ଟ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ହାସଲ ପାଇଁ ଦୃଢ ଆଶାବାଦୀ। ଏହି ଦୃଢ ଆଶା ଆମକୁ ଆତ୍ମବିଶ୍ୱାସ ଦିଏ। ଆଜି ଯଦି କରୋନା ଯୋଦ୍ଧାମାନେ ରୋଗୀଙ୍କ ସେବା ପାଇଁ ୧୮ ରୁ ୨୦ ଘଣ୍ଟା କାର୍ଯ୍ୟ କରୁଛନ୍ତିଏହା ଆମକୁ ଅଧିକ କଠୋର ପରିଶ୍ରମ କରିବାକୁ ପ୍ରେରଣା ମଧ୍ୟ ଯୋଗାଉଛି।
ମହାମାରୀ ଯୋଗୁଁ ଆମେ ଯଦି ଚଳିତବର୍ଷ ଇପ୍ସିତ ଗତିରେ ଆଗେଇ ନ ପାରିଲୁ, ସେହିଠୁ କ’ଣ ହୋଇଗଲା । ଆସନ୍ତା ବର୍ଷ ଆମେ ଆହୁରି ଅଧିକ ଚେଷ୍ଟା କରିବୁଏବଂ ଦ୍ରୁତଗତିରେ ଧାଇଁବୁ। ଏ ବର୍ଷ ଯେଉଁ କ୍ଷତି ହୋଇଛି ତାହାକୁ ପୂରଣ କରିବାକୁ ଚେଷ୍ଟା କରିବୁ। ଆମ ରାସ୍ତାରେ ଥିବା ପ୍ରତିବନ୍ଧକ ଯଦି ଆମର ଗତିରୋଧ କରେ ତାହାହେଲେ କୌଣସି ମହାନ୍ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଆଶା ନ କରିବା ଅର୍ଥ ବିଫଳତାକୁ ନିଶ୍ଚିତ କରିବା। ତେଣୁ ଆଶା କରି ସେ ଦିଗରେ ଉଦ୍ୟମ କରିବାରେ କୌଣସି ଅସୁବିଧା ନାହିଁ। କ୍ରୟଶକ୍ତି ଅନୁପାତରେ ଭାରତ ବିଶ୍ୱର ତୃତୀୟବୃହତ୍ ଅର୍ଥବ୍ୟବସ୍ଥା। ଆମେ ଏହାକୁ ପ୍ରଚଳିତ ଆମେରିକୀୟ ଡଲାର ମୂଲ୍ୟ ଅନୁସାରେ ବିଶ୍ୱର ତୃତୀୟ ଅର୍ଥବ୍ୟବସ୍ଥାରେ ପରିଣତ କରିବାକୁ ଚାହୁଁଛୁ। ପାଞ୍ଚ ଟ୍ରିଲିୟନ ଡଲାର ଲକ୍ଷ୍ୟ ଆମକୁ ଏହା ହାସଲ କରିବାରେ ସହାୟକ ହେବ।
ଆହୁରି ମଧ୍ୟ ଆମ ସରକାରଙ୍କ ଲକ୍ଷ୍ୟ ହାସଲ ରେକର୍ଡ ଭଲ ରହିଛି। ଧାର୍ଯ୍ୟ ତାରିଖ ପୂର୍ବରୁ ଆମେ ଗ୍ରାମାଞ୍ଚଳ ପରିମଳ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଛୁ। ଗ୍ରାମ୍ୟ ବିଦ୍ୟୁତିକରଣ ମଧ୍ୟ ଧାର୍ଯ୍ୟ ସମୟସୀମା ପୂର୍ବରୁ ଶେଷ ହୋଇଛି। ସେହିଭଳି ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆମେ ୮ କୋଟି ଲୋକଙ୍କୁ ଉଜ୍ଜ୍ୱଳା ସଂଯୋଗ ଦେବାରେ ମଧ୍ୟ ସଫଳତା ପାଇଛୁ। ତେଣୁ ଆମର ଉପଲବ୍ଧିର ରେକର୍ଡ ଏବଂ ଚାଲୁ ରହିଥିବା ସଂସ୍କାର ତଥା ସର୍ବୋପରି ଆମ ଦକ୍ଷତା ଉପରେ ଲୋକଙ୍କ ବିଶ୍ୱାସ ଆମକୁ ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ।