Home Top News ଭଦ୍ରକ ବିଜେପିରେ ପରିବାରବାଦ୍: ଦଳକୁ ବଦନାମ୍ କରୁଛି ବାପ – ପୁଅ ପଲ୍ଟିକ୍ସ!

ଭଦ୍ରକ ବିଜେପିରେ ପରିବାରବାଦ୍: ଦଳକୁ ବଦନାମ୍ କରୁଛି ବାପ – ପୁଅ ପଲ୍ଟିକ୍ସ!

76

ଭୁବନେଶ୍ୱର: ବିଜେଡି, କଂଗ୍ରେସ ଆଦି ଅନ୍ୟ ଦଳରେ ପରିବାରବାଦ୍ ରାଜନୀତି ଚାଲିଛି କହି ସମାଲୋଚନା କରୁଥିବା ବିଜେପିରେ ମଧ୍ୟ ପରିବାରବାଦ୍ ରାଜନୀତି ଚାଲିଛି। ଭଦ୍ରକ ଜିଲ୍ଲା ବିଜେପିରେ ଏହି ପରିବାରବାଦ୍ ରାଜନୀତି ଏବେ ଚରମ ସୀମାରେ ପହଞ୍ଚିଛି। ଏମିତିରେ ଦେଖିବାକୁ ଗଲେ ହୁଏତ ଧାମନଗର କଥା ଭିନ୍ନ ଥାଇ ପାରେ। ଏଠାରେ ବାପ ପରେ ପୁଅ ଟିକେଟ୍ ପାଇବା ହୁଏତ ଭିନ୍ନ କଥା ହୋଇପାରେ। କାରଣ ଧାମନଗର ଆସନଟି ଏସି/ଏସଟି ପାଇଁ ସଂରକ୍ଷିତ ଆସନ ଥିଲା। ହୁଏତ ବିଜେପି ପାଇଁ ଏଠାରୁ ଏସି/ଏସଟି ପାର୍ଥି ମିଳିବା କଷ୍ଟ ହୋଇଥାଆନ୍ତା। କିନ୍ତୁ, ଦେଖିବାକୁ ଗଲେ ସଂପୂର୍ଣ୍ଣ ଜିଲ୍ଲାରେ ବିଜେପିକୁ ପରିବାରବାଦ୍ ଧୀରେଧୀରେ ଗ୍ରାସି ଚାଲିଛି। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ପାଢ଼ୀ ବିଜେପିରେ ଯୋଗଦେଇ ତୁରନ୍ତ ଜିଲ୍ଲା ସଭାପତି ହୋଇଗଲେ। ଏହାପରେ ଗତ ଜିଲ୍ଲା ପରିଷଦ, ପଞ୍ଚାୟତ ନିର୍ବାଚନରେ ହେମନ୍ତ ନିଜର ପରିବାରବାଦ୍ ରାଜନୀତି ଚଲାଇଲେ। ଦଳ ପାଇଁ କାମ କରି ଆସୁଥିବା ଏବଂ ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବା ମହିଳା ମୋର୍ଚ୍ଚାର ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ଦମନ୍ କରି ନିଜେ ଗୋଟିଏ ପଞ୍ଚାୟତରୁ ଏବଂ ଦଳୀୟ କାମରେ ଆଦୌ ଜଡ଼ିତ ନଥିବା ନିଜ ପତ୍ନୀଙ୍କୁ ଆଉ ଏକ ପଞ୍ଚାୟତରୁ ସମିତି ସଭ୍ୟ ପାର୍ଥି କରାଇଲେ। ଉଦ୍ଦେଶ୍ୟ ଥିଲା ପତି – ପତ୍ନୀ ଜିତି ସେମାନଙ୍କ ମଧ୍ୟରୁ କେହି ବ୍ଲକ୍ ଅଧ୍ୟକ୍ଷ ହେବେ। କିନ୍ତୁ ନିର୍ବାଚନରେ ପତି – ପତ୍ନୀ ଉଭୟ ଚିତପଟାଙ୍ଗ ମାରିଲେ। ଆଉ ଏବେ ଭଦ୍ରକ ଜିଲ୍ଲା ବିଜେପିରେ ଯଦି କେଉଁ ନିର୍ବାଚନ ମଣ୍ଡଳୀର ବିଜେପିରେ ପରିବାରବାଦ୍ ରାଜନୀତି ଚରମସୀମାରେ ପହଁଚିଛି, ତାହା ହେଲା ବାସୁଦେବପୁର ନିର୍ବାଚନ ମଣ୍ଡଳୀ। ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ଆସି ବିଜେପି ଟିକେଟ୍ ପାଇ ବାସୁଦେବପୁର ବିଧାନସଭା ଆସନରୁ ଲଢ଼ିଥିବା ମାଧବାନନ୍ଦ ମଲ୍ଲିକ ବାସୁଦେବପୁର ବିଜେପିକୁ ପୂରା କଂଗ୍ରେସୀକରଣ କରିଦେଇଛନ୍ତି।ମାଧବାନନ୍ଦ ମଲ୍ଲିକଙ୍କ ପୁଅ ଉଦୟନାଥ (ପାପୁନି) ମଲ୍ଲିକ ଏବେ ଜିଲ୍ଲା ଉପସଭାପତି। ବାପ ଏବେ ପୁଅକୁ ପ୍ରମୋଟ୍ କରୁଛନ୍ତି। ବୟସ ହୋଇଯିବାରୁ କଂଗ୍ରେସ ଷ୍ଟାଇଲରେ ବାପ ଏବେ ପୁଅ ପାଇଁ ଟିକେଟ୍ ଚାହୁଁଛନ୍ତି। ବାସୁଦେବପୁର ନିର୍ବାଚନ ମଣ୍ଡଳୀର ଦଳର କୌଣସି କାର୍ଯ୍ୟକ୍ରମ ହେଲେ ବ୍ୟାନର/ ପୋଷ୍ଟରରେ ବାପ – ପୁଅଙ୍କ ଫଟୋ ଦେଖିବାକୁ ମିଳୁଛି। ବାପ – ପୁଅ ମଞ୍ଚାସୀନ ହେଉଛନ୍ତି, ବାପ – ପୁଅ ଭାଷଣ ଦେଉଛନ୍ତି। ଉପରେ କହି ପାରୁନଥିଲେ ମଧ୍ୟ ଏହାକୁ ନେଇ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଘୋର୍ ଅସନ୍ତୋଷ ରହିଛି। ଏମିତିରେ ଦେଖିବାକୁ ଗଲେ ୨୦୨୪ ନିର୍ବାଚନରେ ଉଦୟନାଥ (ପାପୁନି) ମଲ୍ଲିକ ବିଜେପିରୁ ଟିକେଟ୍ ପାଇବାର ତିଳେ ମାତ୍ର ସମ୍ଭାବନା ଲାଗୁନି। ହୁଏତ ବାପ – ପୁଅ ପୁଣି କଂଗ୍ରେସକୁ ଫେରିଯାଇ କଂଗ୍ରେସରୁ ଟିକେଟ୍ ପାଇ ପାରନ୍ତି। କିନ୍ତୁ ତା’ ପୂର୍ବରୁ ବିଜେପିରେ ଏପରି ପରିବାରବାଦ୍ ରାଜନୀତି ଚଲାଇ ଦଳକୁ ଦୃବଳ କରିଦେଇ ବାପ – ପୁଅ ନ’ଯାଆନ୍ତୁ ବୋଲି ଦଳ ଭିତରେ ଭିତରେ ଆଲୋଚନା ଏବେ ଜୋର୍ ଧରିଛି।
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.