Home Top News ଭଦ୍ରକ ବିଜେପିକୁ ବୁଡ଼ାଇ ଦେଲା ବାପା – ପୁଅ ଏବଂ ପତି – ପତ୍ନୀ ପଲଟିକ୍ସ୍...

ଭଦ୍ରକ ବିଜେପିକୁ ବୁଡ଼ାଇ ଦେଲା ବାପା – ପୁଅ ଏବଂ ପତି – ପତ୍ନୀ ପଲଟିକ୍ସ୍ !

113

ଭୁବନେଶ୍ୱର/ଭଦ୍ରକ: ଚଳିତ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ଭଦ୍ରକରେ ବିଜେପି ଶୁନ୍ ହୋଇ ଯାଇଯାଇଛି। ସମସ୍ତ ୨୮ଟି ଜାକ ଜିଲ୍ଲା ପରିଷଦ ଜୋନ୍ ବିଜେଡି ପୋଛିନେଇଛି। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଧାମନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ଜୋନରୁ ୪ଟି ଯାକ ଜୋନ୍ ବିଜେପି ଜିତିଥିଲା। ଏହାପରେ ୨୦୧୯ ସାଧାରଣ ନିର୍ବାଚନରେରେ ଭଦ୍ରକ ଜିଲ୍ଲାରେ ବିଜେପିରୁ ଏକମାତ୍ର ବିଷ୍ଣୁ ଚରଣ ସେଠୀ ଧାମନଗରରୁ ବିଧାୟକ ହେଲେ। ପରେ ପରେ ସେ ବିରୋଧୀ ଦଳ ଉପନେତା ହେଲେ। ତେଣୁ ତାଙ୍କ ଠାରୁ ଆଶା ଅନେକ ଥିଲା। ଚଳିତ ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ସେ ଜିଲ୍ଲାର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର କଲେ। କିନ୍ତୁ, କିଛି ମୂଲ୍ୟ ରହିଲା ନାହିଁ। ଓଲଟି ନିଜ ନିର୍ବାଚନ ମଣ୍ଡଳୀରେ ୨୦୧୭ରେ ଜିତିଥିବା ୪ଟିରୁ ୪ଟି ଜାକ ଜିଲ୍ଲା ପରିଷଦ ଆସନ ବିଜେଡି ଛଡ଼ାଇ ନେଲା। ବିଷ୍ଣୁ ସେଠୀଙ୍କୁ ବଡ଼ ଧକ୍କା ଲାଗିଲା। ଅସୁସ୍ଥତା କାରଣରୁ ବିଷ୍ଣୁ ଠିକ୍ ରୂପେ ନିର୍ବାଚନ ପରିଚାଳନା କରି ପାରିଲେନି ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ନିଜ ପୁଅକୁ ପ୍ରମୋଟ୍ କରିବା ଚକ୍କରରେ ବିଷ୍ଣୁ ନିଜ ଗୁରୁତ୍ୱ ହରାଇ ବସିଲେଣି ବୋଲି ଆଲୋଚନା ହେଉଛି।ଜିଲ୍ଲାର ଆଉ ଏକ ନିର୍ବାଚନ ମଣ୍ଡଳୀ ବାସୁଦେବପୁରରେ ମଧ୍ୟ ସମାନ ସ୍ଥିତି। ଏଠାକାର ନେତା କଂଗ୍ରେସରୁ ଆସି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପାର୍ଥି ହୋଇଥିବା ମାଧବାନନ୍ଦ ମଲ୍ଲିକ ମଧ୍ୟ ନିଜ ପୁଅକୁ ପ୍ରମୋଟ୍ କରିବାରେ ଲାଗି ପଡ଼ିଛନ୍ତି। ବିଷ୍ଣୁ ସେଠୀଙ୍କ ପରି ମାଧବାନନ୍ଦ ମଲ୍ଲିକ ମଧ୍ୟ ବାପ – ପୁଅ ଗୋଟିଏ ମଞ୍ଚରେ ମଞ୍ଚାସିନ ହେଉଛନ୍ତି। ଏପରିକି ଏଠି ପୁଅ ଫଟୋ ଥିବା ବ୍ୟାନର୍ ତଳେ ବାପ ବସୁଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ଏଠି ବାପା ନୁହଁ ପୁଅ ଟିକେଟ୍ ବାଣ୍ଟିଛି ବୋଲି ସାଧାରଣରେ ଆଲୋଚନା ହେଉଛି।ଏ’ସବୁ ଭିତରେ ଜିଲ୍ଲା ସଭାପତି ବା ଛାଡ଼ନ୍ତେ କୁଆଡ଼ୁ? ଏକଦା ନିଜକୁ ଏକ କିରାଣୀ ସଦୃଶ୍ୟ ଅନୁଭବ କରୁଥିବା ଜିଲ୍ଲା ସଭାପତି ହେମନ୍ତ କୁମାର ପାଢ଼ୀ କିନ୍ତୁ, ପୁଅ ଜାଗାରେ ନିଜ ପତ୍ନୀଙ୍କୁ ଆଣିଛନ୍ତି। ପଞ୍ଚାୟତ ନିର୍ବାଚନ ଲଢ଼ିବା ପାଇଁ ଆଶାୟୀ ଥିବା ଜିଲ୍ଲାର କିଛି ନେତାନେତ୍ରୀଙ୍କୁ ଟିକେଟ୍ ନଦେଇ, ଏଣେ ନିଜେ ପତି – ପତ୍ନୀ ଭିନ୍ନ ଭିନ୍ନ ପଞ୍ଚାୟତରୁ ବିଜେପି ସମର୍ଥିତ ସମିତି ସଭ୍ୟ ପାର୍ଥି ହେଲେ। ଉଦ୍ଦେଶ୍ୟ ଥିଲା ବ୍ଲକ୍ ଅଧ୍ୟକ୍ଷ କବ୍ଜା। ତେବେ, ଦୁହିଁଙ୍କୁ ଦୁହେଁ ଚିତପଟାଙ୍ଗ୍ ମାରିଛନ୍ତି। ବିଜେଡିରୁ ଆସି ବିଜେପିରେ ଯୋଗଦେଇଥିବା ହେମନ୍ତ ପାଢ଼ୀ ଜିଲ୍ଲା ସଭାପତି ହୋଇଥିଲେ ମଧ୍ୟ ବିଜେଡି ନେତା ବୁଲୁ ପଟ୍ଟନାୟକଙ୍କ ସହିତ ତାଙ୍କର ଘନିଷ୍ଠତା ରହିଛି। ବିଜେପିରେ ଥାଇ ହେମନ୍ତ କୁଆଡ଼େ ତାଙ୍କ ଇଙ୍ଗିତରେ କାମ କରନ୍ତି ବୋଲି ସାଧାରଣରେ ଆଲୋଚନା ହୁଏ। ଏଣେ ଭଦ୍ରକରୁ ବିଧାୟକ ପାର୍ଥି ହୋଇ ଆସୁଥିବା ଡ. ପ୍ରଦୀପ କୁମାର ନାୟକଙ୍କ ସ୍ଥିତି ବୋଲି ଆଉ କିଛି ନାହିଁ। ସେହିପରି ଆଉ ଦୁଇଟି ନିର୍ବାଚନ ମଣ୍ଡଳୀ ଭିତରେ ଚାନ୍ଦବାଲିରେ ସଙ୍ଗଠନ ସଜାଡ଼ିବାରେ ମନମୋହନ ସାମଲ ସଂପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଭଣ୍ଡାରପୋଖରୀରେ ବଦ୍ରୀ ନାରାୟଣ ଧଳ ବିଜେପିକୁ କଂଗ୍ରେସିକରଣ କରି ଚାଲିଛନ୍ତି। ୨୦୨୪ରେ କେବଳ ନିଜ ଟିକେଟ୍ ବଞ୍ଚାଇ ରଖିବା ଲକ୍ଷ ରଖି ଦଳକୁ ବୁଡ଼ାଇ ଚାଲିଛନ୍ତି। ସଂପୂର୍ଣ୍ଣ ଭଦ୍ରକ ଜିଲ୍ଲାରେ କିନ୍ତୁ ତୃଣମୂଳ ସ୍ତରରେ କାର୍ଯ୍ୟକର୍ତ୍ତା ମାନେ ଦଳ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରି ଆସୁଛନ୍ତି। କିନ୍ତୁ, ନେପୋଟିଜିମ୍ (ପରିବାରବାଦ), ଆତ୍ମପ୍ରଚାର ଏବଂ ନିଜ ପ୍ରଭୁତ୍ୱ ବଜାୟ ରଖିବା ଲକ୍ଷରେ ନେତୃତ୍ୱ ମାନେ ଏଣେ ଦଳକୁ ବୁଡ଼ାଇ ଚାଲିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.