– ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍ରେ ପରିଣତ କରିବ
– ଜାତୀୟ ଶିକ୍ଷାନୀତି ୨୦୨୦ ଉପରେ ଅନୁଷ୍ଠିତ ରାଜ୍ୟପାଳମାନଙ୍କ ସମ୍ମିଳନୀ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ
ନୂଆ ଦିଲ୍ଲୀ ୭-୯ (ଓଡ଼ିଆ ପୁଅ) ନୂତନ ଶିକ୍ଷାନୀତି ୨୦୨୦ ଉପରେ ଆଜି (ସେପ୍ଟେମ୍ବର ୭) ସାରାଦିନ ଏକ ସମ୍ମିଳନୀ ଭର୍ଚୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଗଣ, ପ୍ରଶାସକ ଏବଂ କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ଶିକ୍ଷାମନ୍ତ୍ରୀ ଏହି ନୂଆ ନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଏକମତ ହୋଇଛନ୍ତି। ସେମାନେ କହିଛନ୍ତି ଯେ ଏହି ଶିକ୍ଷାନୀତି କେବଳ ଏକ ମାମୁଲି ନଥି ନୁହେଁ, ଏହା ଦେଶର ଆକାଂକ୍ଷା ପରିପୂରଣ ପାଇଁ ଏକ ଉଦ୍ୟମ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ନୂଆ ଶିକ୍ଷାନୀତିକୁ ସରକାରୀ ବ୍ୟବସ୍ଥା ମଧ୍ୟରେ ସୀମିତ କରିବା ଠିକ୍ହେବନାହିଁ। ସେ କହିଛନ୍ତି ‘ବୈଦେଶିକ ଅଥବା ପ୍ରତିରକ୍ଷା ନୀତି ଭଳି ଶିକ୍ଷାନୀତି ସରକାର ନିର୍ବିଶେଷରେ ସମଗ୍ର ଦେଶର ନଥି ଓ ନୀତି।’ ପ୍ରଧାନମନ୍ତ୍ରୀ ତାଙ୍କର ସ୍ୱାଗତ ଭାଷଣରେ ଏହା କହିବା ସହ ଆଲୋଚନାର ଶୁଭାରମ୍ଭ କରିଥିଲେ।
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀଙ୍କ ମତ ସହ ଏକମତ ହୋଇଥିଲେ। ସେ କହିଥିଲେ ଯେ ଯେଉଁ ଢଙ୍ଗରେ ନୂଆ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ତାହା ପ୍ରଶଂସାଯୋଗ୍ୟ। ସମାଜର ବିଭିନ୍ନ ବର୍ଗରୁ ଲକ୍ଷ ଲକ୍ଷ ମତାମତ ଓ ପ୍ରସ୍ତାବ ସଂଗ୍ରହ କରାଯାଇ ଏହାକୁ ଏକ ସୁସମନ୍ୱିତ ଓ ସଫଳ ନଥିରେ ପରିଣତ କରାଯାଇଛି। ଭାରତକୁ ଏକ ନଲେଜ ହବ୍ରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ନୀତି ନିର୍ଦ୍ଧାରଣର ନେତୃତ୍ୱ ନେଉଛନ୍ତି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳମାନଙ୍କ ସମ୍ମିଳନୀକୁ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ବିଶେଷ ଗୁରୁତ୍ୱ ବହନ କରେ। ନୂଆ ଶିକ୍ଷାନୀତିକୁ ସମସ୍ତେ ସ୍ୱାଗତ କରୁଛନ୍ତି। ଲୋକେ ଏହାକୁ ନିଜର ବୋଲି ଭାବୁଥିବାରୁ ଏଥିପ୍ରତି ସମର୍ଥନ ବୃଦ୍ଧି ପାଇଛି। ବିପୁଳ ଜନସମର୍ଥନ ଓ ଗ୍ରହଣୀୟତା ଉପରେ ହିଁ ଯେକୌଣସି ନୀତିର ସଫଳତା ନିର୍ଭର କରେ। ଏଥିରେ ବ୍ୟାପକଭାବେ ବିଭିନ୍ନ ପକ୍ଷ ସଂପୃକ୍ତ ହୋଇ ଅବଦାନ ରଖିଥିବାରୁ ଏହାର ମାଲିକାନା ବସ୍ତୁତଃ ସେହିମାନଙ୍କ ହାତରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏହି ନୀତି କେବଳ ଶିକ୍ଷା ସଂକ୍ରାନ୍ତ ନୁହେଁ, ଏହା ମଧ୍ୟ ଭାରତକୁ ଏକବିଂଶ ଶତାବ୍ଦୀର ନୂଆ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ କରିବ। ଏହା ଭାରତକୁ ଆତ୍ମନିର୍ଭର ଭାରତ ନୀତିରେ ଆତ୍ମନିର୍ଭରଶୀଳ କରିବ। ତେଣୁ ଏହାକୁ ସଫଳ କରିବା ପାଇଁ ପ୍ରଥମରୁ ଏହି ନୀତି ସଂକ୍ରାନ୍ତ ସମସ୍ତ ସନ୍ଦେହ ଓ ପ୍ରଶ୍ନବାଚୀ ସ୍ପଷ୍ଟ ହୋଇଯିବାର ଆବଶ୍ୟକତା ରହିଛି।
ନୂଆ ଶିକ୍ଷାନୀତିର ଲକ୍ଷ୍ୟ ଓ ଆଦର୍ଶ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ଗବେଷଣା ଉପରେ ଜୋର୍ଦେଇଛି। କେବଳ ପୋଥିବିଦ୍ୟାରେ ସୀମିତ ନରହି ଗବେଷଣା, ଧନ୍ଦାମୂଳକ ଓ ବାସ୍ତବ ଶିକ୍ଷାର ଯଥାର୍ଥତାକୁ ଏହି ନୀତିରେ ଗୁରୁତ୍ୱ ଦିଆଯାଇଛି। ଆଗରୁ ଯେଉଁ ଶିକ୍ଷାନୀତି ପ୍ରଚଳିତ ଥିଲା ତାହା ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର ଏବଂ ବାଧ୍ୟତାମୂଳକ ଥିଲା। ନୂଆ ଶିକ୍ଷାନୀତିରେ ସେହି ପାରମ୍ପରିକତାକୁ ପରିହାର କରାଯାଇଛି ଏବଂ ଏହା ଏକ ଅସାଧାରଣ ଉଦ୍ୟମ।
ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଛନ୍ତି ଯେ ଶିକ୍ଷା ସହିତ ସଂସ୍କୃତି, ଭାଷା ଓ ପରମ୍ପରାକୁ ସମନ୍ୱିତ କରିବା ନିତାନ୍ତ ଜରୁରୀ। ଏହାଦ୍ୱାରା ପିଲାମାନେ ଏହାକୁ ସମନ୍ୱିତଭାବେ ଗ୍ରହଣ କରିପାରିବେ। ଏହି ବିଷୟଟି ଶିକ୍ଷାନୀତିରେ ଗୁରୁତ୍ୱ ପାଇଛି। ଏବେ ଛାତଛାତ୍ରୀମାନେ ସାମାଜିକ ଚାପରୁ ବାଧ୍ୟହୋଇ ନିଜ ପସନ୍ଦର ବିଷୟ ପଢିପାରୁ ନ ଥିଲେ। ବାଧ୍ୟବଧକତାରେ ସେମାନେ ନିଜର ପସନ୍ଦ ନ ଥିବା ବିଷୟ ପଢୁଥିଲେ। ନୂଆ ଶିକ୍ଷାନୀତିରେ ସେ ବ୍ୟବସ୍ଥାର ଅବସାନ ଘଟିଛି। ଏଣିକି ଛାତ୍ରଛାତ୍ରୀ ନିଜ ମନପସନ୍ଦର ଯେକୌଣସି ବିଷୟ ପଢିବାର ସୁଯୋଗ ପାଇବେ। ଏହି ଲକ୍ଷ୍ୟରେ ଧନ୍ଦାମୂଳକ ଶିକ୍ଷା ସେମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଦ୍ୱାରା ଭବିଷ୍ୟତରେ ସେମାନେ ନିଯୁକ୍ତି ପାଇବାର ଯୋଗ୍ୟତା ଓ କୌଶଳ ଶିଖିପାରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଆନ୍ତର୍ଜାତିକ ସ୍ତରରେ ଜ୍ଞାନର କେନ୍ଦ୍ରବିନ୍ଦୁ କରିବା ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏଥିପାଇଁ ସର୍ବଶ୍ରେଷ୍ଠ ଆନ୍ତର୍ଜାତିକ ଅନୁଷ୍ଠାନ ଭାରତରେ ପ୍ରତିଷ୍ଠା କରାଯିବ। ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅସୁବିଧାରେ ଥିବା ଗୋଷ୍ଠୀଙ୍କ ପାଇଁ ଶିକ୍ଷାଲାଭର ସୁଯୋଗ ସୃଷ୍ଟି କରିବା ନିମନ୍ତେ ଟେକ୍ନୋଲଜି ଦ୍ୱାରା ସମାଧାନର ସୂତ୍ର ବାହାର କରିବାର ଆବଶ୍ୟକତା ରହିଛି। ସେହିଭଳି ସାଧାରଣ ଲୋକଙ୍କୁ ସୁଲଭ ଓ ସହଜ ଶୈକ୍ଷିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ନୂଆ ଶିକ୍ଷାନୀତିରେ ଅଗ୍ରାଧିକାର ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା କ୍ଷେତ୍ରରେ ଥିବା ନିୟନ୍ତ୍ରଣ ବ୍ୟବସ୍ଥାଗୁଡିକୁ ସରଳ ଏବଂ ସୁସଂହତ କରାଯାଇଛି। ବାସ୍ତବରେ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତାର ବାତାବରଣର ସୃଷ୍ଟି ପାଇଁ ପର୍ଯ୍ୟାୟକ୍ରମିକ ସ୍ୱୟଂଶାସନ ପ୍ରଦାନ ନୀତି ପ୍ରବର୍ତ୍ତନ କରିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଶିକ୍ଷାନୁଷ୍ଠାନଗୁଡିକ ଉତ୍ତମମାନର ଉଚ୍ଚଶିକ୍ଷା ପ୍ରଦାନ ପାଇଁ ଅନୁପ୍ରାଣିତ ହେବେ। ସେ ଆହୁରି କହିଛନ୍ତି ଯେ ସେପ୍ଟେମ୍ବର ୨୫ ପୂର୍ବରୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଯେତେ ସମ୍ଭବ ସେତେ ଅଧିକ ଏଭଳି ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରି ଏହି ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହେବା ଉଚିତ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ଆମ ପଟରୁ ଯେତେବେଳେ ସର୍ବାଧିକ ନମନୀୟତା ପ୍ରଦର୍ଶନ କରିବା ସେତେବେଳେ ଯାଇ ଏହି ନୂଆ ଶିକ୍ଷାନୀତି ବିଶେଷ ଫଳ ଦେଇପାରିବ। ଏହି ନୀତି ସମଗ୍ର ଦେଶର ଏବଂ କୌଣସି ନିର୍ଦ୍ଦିଷ୍ଟ ସରକାରର ନୁହେଁ ବୋଲି ସେ ଗୁରୁତ୍ୱର ସହ କହିଛନ୍ତି। ଏହି ନୀତି ଲୋକଙ୍କ ଆଶା ଆକାଂକ୍ଷାର ଫଳ ବୋଲି ସେ ଦୃଢତାର ସହ ମତ ଦେଇଛନ୍ତି। ତେଣୁ ନୂଆ ଶିକ୍ଷାନୀତିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।
ସମ୍ମିଳନୀରେ ଉଦବୋଧନ ଦେଇ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କହିଛନ୍ତି ଯେ ଜାତୀୟ ଶିକ୍ଷାନୀତି ଦେଶକୁ, ବିଶେଷକରି ଯୁବ ସମାଜକୁ ଏକବିଂଶ ଶତାବ୍ଦୀର ଆଶା ଆକାଙ୍କ୍ଷା ପୂରଣ ଦିଗରେ ଆଗେଇ ନେବ। ଏହି ଐତିହାସିକ ଦସ୍ତାବିଜ ପ୍ରସ୍ତୁତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପନ୍ନ ନେତୃତ୍ୱ ଓ ପ୍ରେରଣାଦାୟୀ ଭୂମିକାକୁ ସେ ଉଚ୍ଚ ପ୍ରଶଂସା କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଏହି ଶିକ୍ଷାନୀତି ପ୍ରସ୍ତୁତିରେ ଡ- କସ୍ତୁରୀରଙ୍ଗନ ଏବଂ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରଣାଳୟର ଅଧିକାରୀମାନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଏହିମାନଙ୍କ ଅବଦାନ ଫଳରେ ନୂଆ ଶିକ୍ଷାନୀତି ଆକାର ନେଇପାରିଛି ଏବଂ ବ୍ୟାପକ ବିଚାରବିମର୍ଶ ପରେ ବିଭିନ୍ନ କ୍ଷେତ୍ରରୁ ଆସିଥିବା ପ୍ରସ୍ତାବଗୁଡିକୁ ଗ୍ରହଣ କରାଯାଇ ଏହି ଦସ୍ତାବିଜ ପ୍ରସ୍ତୁତ ହୋଇଛି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ୨-୫ ଲକ୍ଷ ଗ୍ରାମପଞ୍ଚାୟତ, ୧୨, ୫୦୦ରୁ ଅଧିକ ପୌରସଂସ୍ଥା ଏବଂ ପ୍ରାୟ ୬୭୫ ଜିଲାରୁ ଯେଉଁସବୁ ପ୍ରସ୍ତାବମାନ ଆସିଥିଲା ତାହାକୁ ବିଚାରକୁ ନିଆଯାଇଛି। ସେ କହିଛନ୍ତି ଯେ ଯଦି ପରିବର୍ତ୍ତନଗୁଡିକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଏ, ତାହାହେଲେ ଭାରତ ଏକ ଶିକ୍ଷା ମହାଶକ୍ତିରେ ପରିଣତ ହେବ।
ନୂଆ ଶିକ୍ଷାନୀତି ବିଷୟରେ ବିସ୍ତାରିତଭାବେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳମାନେ ପ୍ରାଦେଶିକ ବିଶ୍ୱବିଦ୍ୟାଳୟର କୁଳାଧିପତି ହୋଇଥିବାରୁ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶରେ ଏବେ ପ୍ରାୟ ୪୦୦ ରାଜ୍ୟ ବିଶ୍ୱବିଦ୍ୟାଳୟ ରହିଛି ଏବଂ ଏସବୁ ସହ ପ୍ରାୟ ୪୦ ହଜାର କଲେଜ ସହବନ୍ଧିତ। ତେଣୁ ଏସବୁ ବିଶ୍ୱବିଦ୍ୟାଳୟ ସହ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଏବଂ ସମନ୍ୱୟ ରଖିବା ଏକାନ୍ତ ଅପରିହାର୍ଯ୍ୟ। ରାଜ୍ୟପାଳମାନେ କୁଳାଧିପତି ହୋଇଥିବାରୁ ଏ କ୍ଷେତ୍ରରେ ବିଶେଷ ଭୂମିକା ନିର୍ବାହ କରିପାରିବେ ବୋଲି ରାଷ୍ଟ୍ରପତି ମତ ଦେଇଛନ୍ତି।
ରାଷ୍ଟ୍ରପତି କହିଛନ୍ତି ଯେ ଶିକ୍ଷା ସାମାଜିକ ନ୍ୟାୟର ସବୁଠୁ ସଫଳ ମାର୍ଗ। ସେଥିପାଇଁ ଜାତୀୟ ଶିକ୍ଷାନୀତିରେ ଶିକ୍ଷା ବାବଦ ବ୍ୟୟକୁ ଜିଡିପିର ୬ ଶତାଂଶ କରିବା ପାଇଁ ଉଲ୍ଲେଖ କରାଯାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଅର୍ଥ ନିବେଶ କରିବାକୁ ପଡିବ। ନୂଆ ଶିକ୍ଷାନୀତି ଏକ ସମୃଦ୍ଧ ଗଣତାନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି ପାଇଁ ସରକାରୀ ଶିକ୍ଷା ପ୍ରତିଷ୍ଠାନଗୁଡିକୁ ଦୃଢୀଭୂତ କରିବା ନିମନ୍ତେ ଗୁରୁତ୍ୱ ଦେଇଛି। ଏହାଛଡା ଛାତ୍ରଛାତ୍ରୀଙ୍କ ମଧ୍ୟରେ ମୌଳିକ ଅଧିକାର, କର୍ତ୍ତବ୍ୟ, ସାମ୍ବିଧାନିକ ମୂଲ୍ୟବୋଧ ଓ ଦେଶାତ୍ମବୋଧ ସୃଷ୍ଟି ପାଇଁ ଏଥିରେ ବ୍ୟବସ୍ଥା ରହିଛି।
ନୂଆ ଶିକ୍ଷାନୀତି ସଂପର୍କରେ ରାଜ୍ୟପାଳମାନଙ୍କୁ ସୂଚନା ଦେଇ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଦସ୍ତାବିଜରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଗୋଷ୍ଠୀଙ୍କୁ ଅଗ୍ରାଧିକାର ଦିଆଯାଇ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରେ ୨୦୨୫ ସୁଦ୍ଧା ପ୍ରାଥମିକ ଶ୍ରେଣୀସ୍ତରରେ ସମସ୍ତଙ୍କୁ ମୌଳିକ ସାକ୍ଷରତା ଏବଂ ସର୍ବନିମ୍ନ ଗଣିତ ଦକ୍ଷତା ନିଶ୍ଚିତ କରିବାର ପ୍ରୟାସ କରାଯାଇଛି।
ନୂଆ ଶିକ୍ଷାନୀତିରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ ନୂତନ ବ୍ୟବସ୍ଥାରେ ସେମାନଙ୍କର ମୁଖ୍ୟ ଭୂମିକା ରହିବ। ସବୁଠୁ ଉଦୀୟମାନ ଓ ପ୍ରତିଭାବାନ ପ୍ରାର୍ଥୀମାନଙ୍କୁ ଶିକ୍ଷକ ବୃତ୍ତି ପାଇଁ ବଛାଯିବ। ଏହାକୁ ଦୃଷ୍ଟିରେ ରଖି ଏକ ନୂଆ ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ଆସନ୍ତାବର୍ଷ ଶେଷସୁଦ୍ଧା ପ୍ରସ୍ତୁତ କରାଯିବ।
ଧନ୍ଦାମୂଳକ ଶିକ୍ଷା ସଂପର୍କରେ ଉଲ୍ଲେଖକରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀୟ ଶ୍ରମଶକ୍ତିର ପାଞ୍ଚ ଭାଗରୁ କମ୍ଲୋକ ଆନୁଷ୍ଠାନିକ ଧନ୍ଦାମୂଳକ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାନ୍ତି। ପାଶ୍ଚାତ୍ୟ ଦେଶଗୁଡିକରେ ଦିଆଯାଉଥିବା ଧନ୍ଦାମୂଳକ ଶିକ୍ଷା ତୁଳନାରେ ଏହା ନଗଣ୍ୟ। ତେଣୁ ନୂଆ ଶିକ୍ଷାନୀତିର ଧନ୍ଦାମୂଳକ ଶିକ୍ଷା ଏବେ ପ୍ରମୁଖ ଧାରାର ଶିକ୍ଷାର ଏକ ଅଂଶଭାବେ ବିବେଚିତ ହେବ ଏବଂ ଏହାକୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯିବ। ଏହା ଫଳରେ ଛାତ୍ରଛାତ୍ରୀମାନେ ଅଧିକ କୁଶଳୀ ହେବାସହ ସେମାନଙ୍କ ମଧ୍ୟରେ ଶ୍ରମ ପ୍ରତି ମର୍ଯ୍ୟାଦା ଓ ସମ୍ମାନ ସୃଷ୍ଟି ହେବ।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ପ୍ରାଥମିକ ସ୍ତରରେ ମାତୃଭାଷା ଶିକ୍ଷାଦାନର ମାଧ୍ୟମ ହେବା ଉଚିତ ବୋଲି ଅଧିକାଂଶ ମହଲରୁ ମତପ୍ରକାଶ ପାଇଛି। ତେଣୁ ତାହାକୁ ବିଚାରକୁ ନେଇ ନୂଆ ଶିକ୍ଷାନୀତିରେ ତ୍ରିଭାଷୀ ସୂତ୍ରକୁ ଗ୍ରହଣ କରାଯାଇଛି। ଏହା ଫଳରେ ଭାରତୀୟ ଭାଷା, କଳା ଓ ସଂସ୍କୃତିକୁ ଲାଭ ମିଳିବ ଏବଂ ଏହା ଦେଶର ଏକତା ଓ ଅଖଣ୍ଡତା ସୁରକ୍ଷିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ଦେଶର ଭାଷାଗତ ବିବିଧତା ଦୃଷ୍ଟିରୁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ।
ରାଷ୍ଟ୍ରପତି କହିଛନ୍ତି ଯେ ଉନ୍ନତମାନର ଶିକ୍ଷା ଲକ୍ଷ୍ୟ ହାସଲ ପାଇଁ ବହୁବିଷୟକ ଶିକ୍ଷା ଏବେ ବିଶ୍ୱବ୍ୟାପୀ ଆଦୃତ ହେଉଛି। ସେଥିପାଇଁ ନୂଆ ଶିକ୍ଷାନୀତିରେ ବହୁବିଷୟକ ଗବେଷଣା ବିଶ୍ୱବିଦ୍ୟାଳୟ ସମୂହ ବା ମଲ୍ଟି ଡିସ୍ପ୍ଲିନାରୀ ରିସର୍ଚ୍ଚ ୟୁନିର୍ଭସିଟିଜ (ମେରୁ) ଗଠନ କରାଯିବ। ଏହା ଶିକ୍ଷିତ, ସୃଜନାତ୍ମକ ଓ ପାରଙ୍ଗମ ଯୁବ ଶକ୍ତି ସୃଷ୍ଟି କରିବାରେ ସହାୟକ ହୋଇପାରିବ। ସେ କହିଛନ୍ତି ଯେ ଗୋଟିଏ ବୃହତ୍ମଲ୍ଟି ଡିସିପ୍ଲିନାରୀ ଉଚ୍ଚ ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ଜିଲା କିମ୍ବା ତାହାର ଆଖପାଖରେ ୨୦୩୦ ସୁଦ୍ଧା ପ୍ରତିଷ୍ଠା କରାଯିବାର ଲକ୍ଷ୍ୟ ରଖାଯାଇଛି। ଏ ସବୁ ଶିକ୍ଷାନୁଷ୍ଠାନ ଶିକ୍ଷା ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ପ୍ରତିଷ୍ଠା କରାଯିବ। ନୂଆ ଶିକ୍ଷାନୀତିରେ ଏହି ବ୍ୟବସ୍ଥା ରହିଛି। ଏହା ଫଳରେ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଗୋଷ୍ଠୀ ଉତ୍ତମମାନର ଉଚ୍ଚଶିକ୍ଷା ପାଇବାର ସୁଯୋଗ ଲାଭ କରିବେ। ଏହାଛଡା ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନରେ ପରିଣତ କରିବା ପାଇଁ ଉଦ୍ୟମ କରାଯାଉଛି। ସେଥିପାଇଁ ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟ ସମୂହକୁ ଭାରତରେ ଶିକ୍ଷାଦାନ କରିବା ପାଇଁ ଅନୁମତି ଦିଆଯିବ।
ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ଯେ ଏହି ଶିକ୍ଷାନୀତିର ସଫଳତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯଥାର୍ଥ ଅବଦାନ ଉପରେ ନିର୍ଭର କରେ। ଶିକ୍ଷା ସମ୍ବିଧାନର ଯୁଗ୍ମ ତାଲିକାର ବିଷୟବସ୍ତୁ ହୋଇଥିବାରୁ ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ଦାୟିତ୍ୱ ରହିଛି। ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ଆବଶ୍ୟକ। ରାଜ୍ୟପାଳମାନଙ୍କର ଆଗ୍ରହକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେତେକ ଇତିମଧ୍ୟରେ ନୂଆ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ସେମାନେ ନିଜ ନିଜର ଶିକ୍ଷାମନ୍ତ୍ରୀ ଓ କୁଳପତିମାନଙ୍କ ସହ କଥାବାର୍ତ୍ତା କଲେଣି। ଏହାକୁ ସେ ସ୍ୱାଗତ କରିବା ସହ ନୂଆ ଶିକ୍ଷାନୀତିର କାର୍ଯ୍ୟକାରିତା ପାଇଁ ଏକ ବିଷୟଭିତ୍ତିକ ଭର୍ଚୁଆଲ ସମ୍ମିଳନୀ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏ ସଂପର୍କରେ ମଧ୍ୟ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ପ୍ରସ୍ତାବ ଲୋଡିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ରାଜ୍ୟପାଳବୃନ୍ଦ ଓ ଶିକ୍ଷାମନ୍ତ୍ରୀଗଣଙ୍କ ଅବଦାନ ଫଳରେ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ ହୋଇପାରିବ ଏବଂ ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍ରେ ପରିଣତ କରିପାରିବା ଘେନି ସେ ଆଶାବାଦୀ।