Home Coronavirus Outbreak ଓଡିଶାରେ ଦୁଇଟି କୋଭିଡ-୧୯ ହସପିଟାଲ ପାଇଁ ପାଣ୍ଠି ଯୋଗାଇବେ ନାଲକୋ ଓ ଏମସିଏଲ

ଓଡିଶାରେ ଦୁଇଟି କୋଭିଡ-୧୯ ହସପିଟାଲ ପାଇଁ ପାଣ୍ଠି ଯୋଗାଇବେ ନାଲକୋ ଓ ଏମସିଏଲ

829

ନୂଆଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ) ଓ କୋଲ ଇଣ୍ଡିଆର ମହାନଦୀ କୋଲ ଫିଲଡ ଲିମିଟେଡ ଦ୍ଵାରା ଓଡିଶାରେ ନିର୍ମିତ ଦୁଇଟି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-୧୯ ହସପିଟାଲ ପାଇଁ ସମସ୍ତ ଅର୍ଥ ଯୋଗାଇବେ। ଏହି ଦୁଇଟି ସମର୍ପିତ କରୋନା ହସପିଟାଲ ସୋମବାର ଭିଡିଓ କନଫରେସିଂ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହଲାଦ ଯୋଶୀଙ୍କ ଦ୍ୱାରା ମିଳିତ ଭାବେ ଉଦଘାଟିତ ହୋଇଛି। ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ଦୁଇ ହସପିଟାଲକୁ ରାଜ୍ୟର ବିଭିନ୍ନ ମେଡିକାଲ ହସପିଟାଲ ଚଳାଇବେ।

ଏହି ଅବସରରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଯେ, କରୋନା ମୁକାବିଲା କରୁଥିବା ରାଜ୍ୟ ସରକାରଙ୍କ ପାଇଁ ତାଙ୍କ ମନ୍ତ୍ରଣାଳୟର ରାଷ୍ଟ୍ରୟତ୍ତ ଉଦ୍ୟୋଗ ସମୂହ ଯଥା ସମ୍ଭବ ସାହାଯ୍ୟ ସହଯୋଗ କରିବା ଗର୍ବ ଓ ଗୌରବର ବିଷୟ। ଏହି ସବୁ ହସପିଟାଲ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଓଡିଶାବାସୀଙ୍କ କାମରେ ବିଶେଷ ଲାଗି ପାରିବ। ନବରଙ୍ଗପୁର ଜିଲ୍ଲାରେ ହୋଇଥିବା ଏଭଳି ଏକ ୨୦୦ ଶଯ୍ୟା ବିଶିଷ୍ଟ ହସପିଟାଲ ପାଇଁ ନାଲକୋ ସବୁ ଅର୍ଥ ଯୋଗାଇଦେବ। ସେହିଭଳି ଅନୁଗୋଳ ଜିଲ୍ଲାର ତାଳଚେରରେ ଖୋଲିଥିବା ୧୫୦ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ ହସପିଟାଲ ପାଇଁ ଏମସିଏଲ ଆବଶ୍ୟକ ସମସ୍ତ ପାଣ୍ଠି ଯୋଗାଇବ। ଏମସିଏଲ ମଧ୍ୟ ତାହାର ମେଡିକାଲ କଲେଜ ଭିତ୍ତିମୂମି ଏହି ହସପିଟାଲ ନିର୍ମାଣ ପାଇଁ ଯୋଗାଇ ଦେଇଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, କରୋନା ମୁକାବିଲା ପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ) ର ବଳକା ୩୦ ଭାଗ ଅର୍ଥ ରାଜ୍ୟ ସରକାର ବିନିଯୋଗ କରିପାରିବେ ବୋଲି ଇତି ମଧ୍ୟରେ କେନ୍ଦ୍ର ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହା ଫଳରେ ଓଡିଶା ଭଳି ଖଣିଜ ସମୃଦ୍ଧ ରାଜ୍ୟମାନେ ଏଭଳି ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ଅଧିକ ଅର୍ଥ ପାଇ ପାରିବେ ବୋଲି ଶ୍ରୀ ଯୋଶୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନାଲକୋର କର୍ମଚାରୀମାନେ ସୋମବାର ଗୋଟିଏ ଦିନର ବେତନ ବାବଦକୁ ୨.୫ କୋଟି ଟଙ୍କା ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ଏହାଛଡା ଭୁବନେଶ୍ୱରରେ ଓଡିଶା ସରକାର ୫୦୦ ଶଯ୍ୟା ବିଶିଷ୍ଟ ଯେଉଁ କୋଭିଡ ହସପିଟାଲ ତିଆର କରୁଛନ୍ତି ସେଥିପାଇଁ ଏମସିଏଲ ଅର୍ଥ ଯୋଗାଇ ଦେଉଛି। ସେହିଭଳି ଝାରସୁଗୁଡା ଜିଲ୍ଲାରେ ଏକ ୫୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ସେଂଟର ଏମସିଏଲ ଦ୍ୱାରା ପ୍ରତିଷ୍ଠା କରାଯାଇଛି। ମାସ୍କ ଓ ଆଲକୋହଲ ଭିତ୍ତିକ ସାନିଟାଇଜର କୋଇଲା ଖଣି ଶ୍ରମିକଙ୍କୁ ବାଂଟିବା ସହ ଏହି ସଂସ୍ଥା ଅତ୍ୟାଧୁନିକ ‘ଫଗ କାନନ’ ମେସିନ ଯୋଗାଇ ଦେଇଛି। ଏହି ମେସିନ ଦ୍ୱାରା ଖଣି ଓ ଏହାର ଆଖପାଖ ଅଂଚଳରେ ବିଶୋଧନ ଓ ସାନିଟାଇଜର କାମ ଚାଲିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.