ଭୁବନେଶ୍ୱର: ଗୋଟିଏ ସାଧାରଣ ନିମ୍ନ ମଧ୍ୟବିତ ପରିବାରରୁ ଆସି ଉଚ୍ଚ ଶିକ୍ଷା ପ୍ରାପ୍ତ କରି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲର ଅଧ୍ୟକ୍ଷା ହୋଇଥିବା ୨୪ ବର୍ଷୀୟା ମମିତା ମେହେରଙ୍କୁ ଷଡ଼ଯନ୍ତ୍ର କରି ଅତ୍ୟନ୍ତ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ଏହା ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାଜନକ ଘଟଣା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ ସମସ୍ତଙ୍କୁ ଜଣା ଅଛି। ନିଖୋଜ ପ୍ରସଙ୍ଗରେ ମମିତାଙ୍କ ପରିବାରବର୍ଗଙ୍କ ଏତଲାକୁ ଥାନାରେ ଗ୍ରହଣ ନକରିବା, ପରବର୍ତ୍ତୀ ସମୟରେ ଗୋବିନ୍ଦ ସାହୁଙ୍କ ପ୍ରରୋଚନାରେ ଏତଲା ରଖିବା, ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇ ପୋଲିସ ବ୍ୟାରେକରେ ରଖିବା, ପୋଲିସ ବ୍ୟାରେକରୁ ଅତି ଉଚ୍ଚ ପାଚେରୀ ଡେଇଁ ଅଭିଯୁକ୍ତ ଚମ୍ପଟ ମାରିବା, ଚମ୍ପଟ ମାରିବା ସମୟରେ ବିଜୁଳି କାଟ୍ ହେବା, ଫୋରେନସିକ୍ ରିପୋର୍ଟ ଆସିନଥିବାବେଳେ ଉଦ୍ଧାର ହୋଇଥିବା ମମିତାଙ୍କ ମୃତ ଶରୀରର ଅଂଶ ବିଶେଷକୁ ପରିବାରକୁ ହସ୍ତାନ୍ତର କରିବା ଆଦି ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କର ସଂପୃକ୍ତି ପ୍ରମାଣିତ ହେଉଛି। ସେହିପରି ମନ୍ତ୍ରୀ ଦିବ୍ୟଶଂକର ମିଶ୍ର ବରାବର ସେହି ସ୍କୁଲକୁ ଯିବା ସହ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଯୋଗାଇ ଦେଉଥିଲେ। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମନ୍ତ୍ରୀ ଦିବ୍ୟଶଂକରଙ୍କ ସହିତ ବରାବର ଲୋକସେବା ଭବନକୁ ଯାଉଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ତାଙ୍କର ଗୁମର ଖୋଲିଦେବାର ମମିତା ବାରମ୍ବାର ଧମକ ଦେଉଥିଲେ ବୋଲି ଗୃହମନ୍ତ୍ରୀଙ୍କ ଅତ୍ୟନ୍ତ ଖାସ୍ ବୋଲାଉଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସ୍ୱୀକାର ମଧ୍ୟ କରିଛି। ଏହି ବର୍ବରୋଚିତ ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ହେଉଛି। ଦିବ୍ୟଶଂକର ମିଶ୍ର ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦରେ ରହିଲେ ମମିତା ହତ୍ୟାକାଣ୍ଡର ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ ଅସମ୍ଭବ। ମା’ ମାଣିକେଶ୍ୱରୀ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁ ନେଇ ନୈତିକତା ଦୃଷ୍ଟିରୁ ଦିବ୍ୟଶଂକର ନିଜ ମନ୍ତ୍ରୀ ପଦ ତ୍ୟାଗ କରି ତଦନ୍ତକୁ ସାମ୍ନା କରିବା ଉଚିତ୍। ନଚେତ୍ ଏଭଳି ଜଘନ୍ୟ ଅପରାଧର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରିବାକୁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ବନଥୀ ଶ୍ରୀନିବାସନ ଦାବି କରିଛନ୍ତି। ମୃତ ଶିକ୍ଷୟିତ୍ରୀ ମମିତାଙ୍କ ପରିବାରବର୍ଗ ବର୍ତମାନ ଦୁଃଖରେ ଭାଙ୍ଗି ପଡ଼ିବା ସହିତ ଭୟରେ ଦିନ ଅତିବାହିତ ଅଛନ୍ତି। ଏପରିକି ଗଣମାଧ୍ୟମ ଓ ସାଧାରଣ ଲୋକଙ୍କୁ ଭେଟିବାକୁ ଭୟ କରୁଛନ୍ତି। ନ୍ୟାୟ ଆଶାରେ ଥିବା ମୃତ ମମିତାଙ୍କ ପରିବାରକୁ ବର୍ତ୍ତମାନ ସୁଦ୍ଧା ସରକାରୀ ସ୍ତରରେ କୈାଣସି ଆର୍ଥିକ ସହାୟତା ମିଳି ନାହିଁ। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମୃତ ମମିତାଙ୍କ ପରିବାରକୁ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟଭିତିକ ସୁବିଧା ସୁଯୋଗ, ଆର୍ଥିକ ସହାୟତା ସମେତ ସୁରକ୍ଷା ଯୋଗାଇ ଦେବା ନିହାତି ଆବଶ୍ୟକ। ଓଡ଼ିଶା ସମେତ ଦେଶର ୨୪ ଟି ରାଜ୍ୟରେ ଏଭଳି ଘଟଣାରେ Victim Compensation Fund ରୁ ଅନୁକମ୍ପା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ମମିତାଙ୍କ ପରିବାରକୁ ଏହି ଅର୍ଥ ପ୍ରଦାନ କରାଯାଇନାହିଁ। ସେହିପରି Witness Protection Scheme ଆଧାରରେ ଏହି ଘଟଣାର ସମସ୍ତ ସାକ୍ଷୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବାକୁ ପ୍ରତିନିଧି ଦଳର ସଦସ୍ୟା ବିଧାୟିକା ଶ୍ରୀରୁପା ମିତ୍ର ଚୈାଧୁରୀ ଦାବି କରିଛନ୍ତି।ଓଡ଼ିଶାରେ ମହିଳା ହିଂସା ଓ ନିର୍ଯ୍ୟାତନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ।
ଓଡ଼ିଶାରେ ମହିଳା ହିଂସା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଏନସିଆରବି- ୨୦୨୦ ରିପୋର୍ଟ ଅନୁସାରେ ମହିଳା ହିଂସାରେ ଓଡ଼ିଶାର ସ୍ଥାନ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନ ଅଧିକାର କରିଥିବାବେଳେ ଦଣ୍ଡବିଧାନ ହାର ମାତ୍ର ୯.୨୦ ପ୍ରତିଶତ, ଯାହାକି ଅତ୍ୟନ୍ତ ନଗଣ୍ୟ ଏବଂ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଛି। ଏହି କାରଣରୁ ଅପରାଧୀମାନେ ନିର୍ଭୟରେ ଅପରାଧ ଭିଆଇ ଚାଲୁଛନ୍ତି। ବିଶେଷ ଭାବେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ଏଭଳି ଘଟଣାକୁ ଅଧିକ ପ୍ରୋତ୍ସାହିତ କରୁଛି। ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଏହାର ଜ୍ୱଳନ୍ତ ଉଦାହରଣ ବୋଲି ପ୍ରତିନିଧି ଦଳର ଅନ୍ୟତମ ସଦସ୍ୟା ଶ୍ରୀମତୀ ସୁନୀତା ଦୁଗଲ କହିଛନ୍ତି। ଏଭଳି ନାରକୀୟ ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ସହ ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଇବାକୁ ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଦାବି କରିଛନ୍ତି। ଗତ କାଲି ମମିତାଙ୍କ ପରିବାରକୁ ସାକ୍ଷାତ କରି ଏବଂ ଘଟଣାସ୍ଥଳକୁ ଯାଇ ବିସ୍ତୃତ ଭାବେ ଅନୁଧ୍ୟାନ କରିଥିଲେ ପ୍ରତିନିଧି ଦଳ। ଏଥି ସହ ଏହି ଘଟଣାକୁ ନେଇ ବଲାଙ୍ଗୀର, କଳାହାଣ୍ଡି ତଥା ଓଡ଼ିଶାବାସୀଙ୍କ ଭାବାବେଗ ସଂପର୍କରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡାଙ୍କୁ ଅବଗତ କରାଯାଇ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ ବୋଲି ପ୍ରତିନିଧି ଦଳର ସଦସ୍ୟାମାନେ କହିଛନ୍ତି।ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ମହିଳା ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଆରତୀ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
-@Dr
Home Top News ନୈତିକତା ଦୃଷ୍ଟିରୁ ମନ୍ତ୍ରୀପଦ ତ୍ୟାଗ କରି ତଦନ୍ତକୁ ସାମ୍ନା କରନ୍ତୁ ଦିବ୍ୟଶଙ୍କର: ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ...