Home Top News ଗୁଜବ ପ୍ରସାର କରୁଥିବା ୮ଟି ୟୁଟ୍ୟୁବ୍ ଚାନେଲ୍ ବନ୍ଦ୍ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଗୁଜବ ପ୍ରସାର କରୁଥିବା ୮ଟି ୟୁଟ୍ୟୁବ୍ ଚାନେଲ୍ ବନ୍ଦ୍ କଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

57

ନୂଆଦିଲ୍ଲୀ: ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୮ଟି ୟୁଟ୍ୟୁବ ନ୍ୟୁଜ୍‌ ଚାନେଲ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଦୁଇଟି ଫେସବୁକ ପୋଷ୍ଟକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଇଟି ନିୟମ ୨୦୨୧ ଅଧୀନରେ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ମନ୍ତ୍ରଣାଳୟ ପକ୍ଷରୁ ୧୬ ଅଗଷ୍ଟ ୨୦୨୨ରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକ୍‌ ହୋଇଥିବା ୟୁଟ୍ୟୁବ ଚାନେଲକୁ ୧୧୪ କୋଟି ଥର ଦେଖାଯାଇଥିବା ବେଳେ ଏହାର ୮୫ ଲକ୍ଷରୁ ଅଧିକ ଉପଭୋକ୍ତା ରହିଥିଲେ। ଏସବୁ ୟୁଟ୍ୟୁବ ଚାନେଲ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ଏବଂ ବିଦ୍ବେଷ ସୃଷ୍ଟି କରିବା ଭଳି ବିଷୟବସ୍ତୁ ପ୍ରସାରଣ କରୁଥିଲେ। ବ୍ଲକ୍‌ ହୋଇଥିବା କେତେକ ୟୁଟ୍ୟୁବ ଚାନେଲରେ ମିଥ୍ୟା ଦାବିମାନ କରାଯାଇଥିଲା। ଏଥିରେ ପ୍ରସାରିତ ହୋଇଥିବା କେତେକ ମିଛ ଖବର ମଧ୍ୟରେ ରହିଛି ଯେପରିକି, ଧାର୍ମିକ ଢାଞ୍ଚା ଭାଙ୍ଗିବା ଲାଗି ଭାରତ ସରକାରଙ୍କ ନିର୍ଦ୍ଦେଶ, ଧାର୍ମିକ ସମାରୋହକୁ ନିଷେଧ କରିବା ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶ, ଭାରତରେ ଧର୍ମ ଯୁଦ୍ଧର ଘୋଷଣା ଆଦି। ଏଭଳି ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ସାର୍ବଜନୀନ ବ୍ୟବସ୍ଥା ଏବଂ ଆଇନଶୃଙ୍ଖଳା ବିଗାଡ଼ିବାର ଆଶଙ୍କା ରହିଥିଲା। ଭାରତୀୟ ସେନାବାହିନୀ, ଜମ୍ମୁ ଓ କଶ୍ମୀର ଆଦି ବିଷୟ ଉପରେ ଏସବୁ ୟୁଟ୍ୟୁବ ଚାନେଲରେ ମିଛ ଖବର ପ୍ରସାରଣ କରାଯାଉଥିଲା। ଏସବୁ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ଜାତୀୟ ସୁରକ୍ଷା ଏବଂ ଅନ୍ୟ ରାଷ୍ଟ୍ର ସହ ଭାରତର ସମ୍ପର୍କ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଥିଲା। ମନ୍ତ୍ରଣାଳୟ ଦ୍ବାରା ବ୍ଲକ ହୋଇଥିବା ସମସ୍ତ ଚାନେଲରେ ଏପରି ବିଷୟବସ୍ତୁ ମାନ ପ୍ରସାରିତ ହେଉଥିଲା ଯାହା ଭାରତର ସାର୍ବଭୌମତ୍ବ ଏବଂ ଅଖଣ୍ଡତା, ଦେଶର ସୁରକ୍ଷା, ଅନ୍ୟ ରାଷ୍ଟ୍ର ସହ ଭାରତର ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ଏବଂ ଦେଶର ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାର ଆଶଙ୍କା ରହିଥିଲା। ଏହି ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୯ ଏ ଅଧୀନରେ ଆସୁଥିଲା।

ବ୍ଲକ୍ ହୋଇଥିବା ୟୁଟ୍ୟୁବ୍ ଚାନେଲ୍ ଗୁଡ଼ିକ ମିଛ ଏବଂ ସମ୍ବେଦନଶୀଳ ଥମ୍ବନେଲ, ସମ୍ବାଦ ପାଠକମାନଙ୍କ ଫଟୋ ଏବଂ କେତେକ ଲୋକପ୍ରିୟ ନ୍ୟୁଜ ଚାନେଲଙ୍କ ଲୋଗୋ ବ୍ୟବହାର କରି ଦର୍ଶକ ମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଥିଲେ ଯାହାଫଳରେ ସେମାନେ ଏହି ମିଛ ଖବରକୁ ସତ ବୋଲି ଭାବିବେ। ବନ୍ଦ ହୋଇଥିବା ଏସବୁ ୟୁଟ୍ୟୁବ ଚାନେଲରେ ପ୍ରସାରିତ ଭିଡିଓ ମଝିରେ କେତେ ବିଜ୍ଞାପନ ପ୍ରସାରିତ ମଧ୍ୟ ହେଉଥିଲା। ଏସବୁ ବିଜ୍ଞାପନରେ ପ୍ରସାରିତ ବିଷୟବସ୍ତୁ ଭାରତରେ ସାମ୍ପ୍ରଦାୟିକ ସଦ୍ଭାବ, ସାର୍ବଜନୀନ ବ୍ୟବସ୍ଥା ଏବଂ ଭାରତର ବୈଦେଶିକ ସମ୍ପର୍କକୁ କ୍ଷତିଗ୍ରସ୍ତ କରିବାର ଆଶଙ୍କା ରହିଥିଲା। ଏହି କାର୍ଯ୍ୟାନୁଷ୍ଠାନ ସହିତ ଡିସେମ୍ବର ୨୦୨୧ ଠାରୁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ୧୦୨ଟି ୟୁଟ୍ୟୁବ ସମାଚାର ଚାନେଲ ଏବଂ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ବନ୍ଦ କରି ଦିଆଯାଇଛି। ବିଶ୍ବସନୀୟ, ଭରସାଯୋଗ୍ୟ ଏବଂ ନିରାପଦକ ଅନଲାଇନ ସମାଚାର ଗଣମାଧ୍ୟମ ପରିବେଶ ସୁନିଶ୍ଚିତ କରିବା ଦିଗରେ ଭାରତ ସରକାର ସଂକଳ୍ପବଦ୍ଧ। ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା, ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀନ ବ୍ୟବସ୍ଥାକୁ ବିଗାଡ଼ିବାକୁ ହେଉଥିବା ସବୁ ପ୍ରଚେଷ୍ଟାକୁ ପଣ୍ଡ କରିବା ଲାଗି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.