Home Coronavirus Outbreak କୋଭିଡ-୧୯ର ମୁକାବିଲା ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମୀକ୍ଷା

କୋଭିଡ-୧୯ର ମୁକାବିଲା ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମୀକ୍ଷା

314

– ରେଳବାଇର ଇତିହାସରେ ଗତ ବର୍ଷକ ମଧ୍ୟରେ ଜଣେ ହେଲେ ଯାତ୍ରୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇନାହାନ୍ତି

– କୋଭିଡ-୧୯ର ପ୍ରଭାବ ଯେପରି ଦେଶରେ ସର୍ବନିମ୍ନ ହେବ, ସେ ଦିଗରେ ଆମର ପ୍ରୟାସ ଜାରୀ – ରେଳ ମନ୍ତ୍ରୀ

– ନିହାତି ଆବଶ୍ୟକ କରୁଥିବା ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇବାକୁ ବିଭାଗୀୟ ଅଧିକାରୀଙ୍କୁ ଶ୍ରୀ ଗୋଏଲଙ୍କ ନିର୍ଦ୍ଦେଶ

ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପାଇଁ ଅପେକ୍ଷାରେ ଥିବା ଲୋକମାନଙ୍କୁ ସହାୟତାର ହାତ ବଢ଼ାଇବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଳମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ। ରେଳବାଇର ସଂଗଠନ ଆଇଆରସିଟିସି ଏବଂ ରେଳ ସୁରକ୍ଷା ବଳର କର୍ମଚାରୀମାନେ ବର୍ତମାନ ଆବଶ୍ୟକ କରୁଥିବା ଲୋକଙ୍କୁ ମାଗଣା ଖାଦ୍ୟ ବଂଟନ କରୁଛନ୍ତି। କେବଳ ରେଳ ଷ୍ଟେସନ ଆଖପାଖକୁ ଛାଡି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନର ସହାୟତାରେ ଦୂରଦୂରାନ୍ତରେ ଏହି ସେବା ବ୍ୟାପକ କରିବା ଲାଗି ଶ୍ରୀ ଗୋଏଲ ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ରେଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସୁରେଶ ଅଙ୍ଗାଡି, ରେଳବାଇ ବୋର୍ଡର ସଦସ୍ୟ, ସାଧାରଣ ପ୍ରବନ୍ଧକ ଏବଂ ରେଳ ରାଷ୍ଟ୍ରାୟତ ଉଦ୍ୟୋଗର ମୁଖ୍ୟମାନେ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ।

କରୋନା ସଂକ୍ରମଣର ମୁକାବିଲା ତଥା ଏହାର ସମ୍ଭାବ୍ୟ ବ୍ୟାପକତାକୁ ଦୃଷ୍ଟିରେ ରଖି ରେଳ କୋଚଗୁଡିକୁ ଏକାନ୍ତ ବାସ ଡବାରେ ପରିଣତ କରିବା ନେଇ ରେଳବାଇର ଭୂମିକାକୁ ଶ୍ରୀ ଗୋଏଲ ପ୍ରଶଂସା କରିଥିଲେ। ରାଜ୍ୟର ବିଭିନ୍ନ ଜୋନଗୁଡିକ ଏ ଦିଗରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ କୋଚଗୁଡିକୁ ପ୍ରସ୍ତୁତ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ଏପରି ୫ ହଜାର କୋଚ ଓ ଏକାନ୍ତ ବାସ ପାଇଁ ପ୍ରସ୍ତୁତ କରାଯାଉଛି।

କୋଭିଡ-୧୯ର ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କେଆର୍ସ ପାଣ୍ଠିକୁ ୧୫୧ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ରେଳବାଇ ବୋର୍ଡର ଅଧିକାରୀମାନେ ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରେଳବାଇ ଏବଂ ରେଳ ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନେ ଦିନକର ଦରମା ପ୍ରଦାନ କରିବାକୁ ନିଷ୍ପତି ନେଇଥିବା ରେଳବାଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ବିନୋଦ କୁମାର ଯାଦବ ସୂଚନା ଦେଇଥିଲେ।

ମାଲଗାଡି ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଜିନିଷପତ୍ର ପାଇଁ ଅଧିକ ଗାଡି ଚଲାଇବା ଲାଗି ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାଦ୍ୱାରା ଖାଦ୍ୟ ଦ୍ରବ୍ୟ, ଔଷଧ ଓ ଅନ୍ୟାନ୍ୟ ଆନୁସାଙ୍ଗିକ ଯନ୍ତ୍ରପାତି ଦେଶର ବିଭିନ୍ନ ସ୍ଥାନରେ ଶୀଘ୍ର ପହଂଚିପାରିବ। ପାର୍ସଲ ଟ୍ରେନ ଦ୍ୱାରା ପଠାଯାଇଥିବା ଜିନିଷପତ୍ର ଯୋଗୁଁ ଇ-କମର୍ସ କମ୍ପାନୀଗୁଡିକ ମଧ୍ୟ ଲାଭାନ୍ୱିତ ହେବେ। ରାଜ୍ୟର ବିଭିନ୍ନ ରେଳବାଇ ଜୋନରେ ସ୍ୱତନ୍ତ୍ର ପାର୍ସଲ ଟ୍ରେନ ୮ଟି ରୁଟରେ ଚଳାଚଳ କରୁଥିବା ବେଳେ ଏହାକୁ ଆଉ ୨୦ଟି ରୁଟକୁ ସମ୍ପ୍ରସାରିତ କରିବା ଲାଗି ଯୋଜନା ରହିଛି। ଆଗାମୀ କେତେକ ସପ୍ତାହ କରୋନା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସମସ୍ତେ ଏ ଦିଗରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ଅନୁରୋଧ କରିଥିଲେ।

ରେଳବାଇ ଇତିହାସରେ ପ୍ରଥମ ଥର ଲାଗି ଗତ ବର୍ଷକ ମଧ୍ୟରେ ଜଣେ ହେଲେ ରେଳଯାତ୍ରୀ ରେଳ ଦୁର୍ଘଟଣାରେ ପ୍ରାଣ ହରାଇ ନାହାନ୍ତି। କରୋନା ସଂକ୍ରମଣର ପ୍ରଭାବ ଯେପରି ଆମ ଦେଶରେ ସର୍ବନିମ୍ନ ରହେ ସେ ଦିଗରେ ସମସ୍ତେ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.