Home ଓଡ଼ିଶା ଓଡ଼ିଶା ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ସହ ଅମ୍ଳଜାନ ଉପଲବ୍ଧତା ଏବଂ ଏହାର...

ଓଡ଼ିଶା ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ସହ ଅମ୍ଳଜାନ ଉପଲବ୍ଧତା ଏବଂ ଏହାର ଉପଯୋଗ ସଂପର୍କରେ ସମୀକ୍ଷା କଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

253

ନୂଆ ଦିଲ୍ଲୀ ୨୦-୯ (ଓଡ଼ିଆ ପୁଅ) କୋଭିଡ଼-୧୯ ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଶନିବାରଦିନ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ), କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ, ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ସଚିବ, ତଥା ସ୍ୱାସ୍ଥ୍ୟ, ସ୍ୱରାଷ୍ଟ୍ର ବ୍ୟାପାର ବିଭାଗର ସଚିବ ଏବଂ ଓଡ଼ିଶା ସମେତ ୧୨ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବଗଣ ସାମିଲ ହୋଇଥିଲେ। ଓଡ଼ିଶା ବ୍ୟତୀତ ଅନ୍ୟ ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ମୁଖ୍ୟ ଶାସନ ସଚିବଗଣ ଏହି ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ ସେହିସବୁ ରାଜ୍ୟମାନେ ହେଲେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ଉତ୍ତର ପ୍ରଦେଶ, ତାମିଲନାଡ଼ୁ, ଚଣ୍ଡୀଗଡ଼, ତେଲଙ୍ଗାନା, କେରଳ, ଦିଲ୍ଲୀ, ପଞ୍ଜାବ ଏବଂ ପଶ୍ଚିମ ବଙ୍ଗ। ଦେଶର ମୋଟ କୋଭିଡ଼-୧୯ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତରୁ ଅଧିକ ପଜିଟିଭ୍ କେଶ୍ ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କରେ ଏବେ ରହିଥିବା ଜଣାପଡ଼ିଛି।

ଏହିସବୁ ରାଜ୍ୟର କରୋନା ସ୍ଥିତି ଏବଂ ଅମ୍ଳଜାନ ଉପଲବ୍ଧତା ସଂପର୍କରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ସମୀକ୍ଷା କରିଥିଲେ। ମନ୍ତ୍ରୀ ଶ୍ରୀ ଗୋୟଲ ନିର୍ଦ୍ଦିଷ୍ଟ ଭାବେ ସେହିସବୁ ରାଜ୍ୟମାନଙ୍କୁ ଅନୁରୋଧ କରି କହିଲେ ଯେ ସେମାନେ ଜିଲ୍ଲାସ୍ତରୀୟ କରୋନା ସ୍ଥିତି ସମୀକ୍ଷା କରିବା ସହ ସେଠାରେ ଉପଲବ୍ଧ ସ୍ୱାସ୍ଥ୍ୟ ସୁବିଧା ସ୍ଥିତି ସଂପର୍କରେ ମଧ୍ୟ ସବିଶେଷ ବିବରଣୀ ସଂଗ୍ରହ କରନ୍ତୁ। ସେହିଭଳି କରୋନା ନିୟନ୍ତ୍ରଣ ଜନିତ କାର୍ଯ୍ୟଯୋଜନା ପ୍ରବର୍ତ୍ତନ ତଥା ଲଜିଷ୍ଟିକାଲ ପ୍ରସଙ୍ଗ ଓ ଅମ୍ଳଜାନ ଉପଲବ୍ଧତା ସଂପର୍କରେ ମଧ୍ୟ ସମୀକ୍ଷା କରିବା ଆବଶ୍ୟକ। ଏଥିସହ ପ୍ରତ୍ୟେକ ରାଜ୍ୟ ନିଜ ନିଜର କରୋନା ନିୟନ୍ତ୍ରଣ ଓ ପରିଚାଳନା ସଂପର୍କୀତ ଶ୍ରେଷ୍ଠ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଅନୁଭୂତିକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟିବା ଦରକାର ଯଦ୍ୱାରା ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ମଧ୍ୟ ତାହାକୁ ସଫଳତାର ସହ ପ୍ରବର୍ତ୍ତନ କରାଯାଇପାରିବ।

କ୍ୟାବିନେଟ ସଚିବ ଏହି ସମୀକ୍ଷା ବୈଠକରେ ନିଜର ମତ ରଖି କହିଲେ ଯେ ରାଜ୍ୟମାନେ ସେମାନଙ୍କର କରୋନା ନମୁନା ପରୀକ୍ଷାକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବା ଉଚିତ। ଏବେସୁଦ୍ଧା ଅନେକ ରାଜ୍ୟରେ କରୋନା ଜନିତ ମୃତ୍ୟୁହାର ଜାତୀୟ ହାର ଠାରୁ ଉପରେ ରହିଥିବାରୁ ସେ ଉଦବେଗ ପ୍ରକଟ କରିଥିଲେ। ରାଜ୍ୟମାନଙ୍କୁ ନିବେଦନ କରି ସେ କହିଥିଲେ ଯେ ପ୍ରତିଜିଲ୍ଲା ତଥା ହସପିଟାଲୱାରି ମୃତ୍ୟୁହାରକୁ ସେମାନେ ବିଶ୍ଳେଷଣ କରିବା ଉଚିତ। ସେହିଭଳି ରାଜ୍ୟମାନଙ୍କୁ ଆହ୍ୱାନ ଜଣାଇ କ୍ୟାନିନେଟ ସଚିବ କହିଲେ ଯେ ଆରଟି- ପିସିଆର କ୍ଷମତାକୁ ମଧ୍ୟ ସେମାନେ ସର୍ବାଧିକ ଉପଯୋଗ କରିବା ଆବଶ୍ୟକ। ଏକଥା ମଧ୍ୟ ସେମାନେ ସୁନିଶ୍ଚିତ କରିବା ଆବଶ୍ୟକ ଯେ କୌଣସି ଗୋଟିଏ ହେଲେ ଲକ୍ଷଣ ନଥିବା ନେଗେଟିଭ କେସ (ରାପିଡ଼ ଆଣ୍ଟିଜେନ ଦ୍ୱାରା କରାଯାଇଥିବା ପରୀକ୍ଷା)ରେ ଯେଭଳି ଗୋଟିଏ ହେଲେ ବ୍ୟତିକ୍ରମ ନହୁଏ ଏବଂ ସେଭଳି ସମସ୍ତ କେସକୁ ଆରଟି- ପିସିଆର ଟେଷ୍ଟ ଦ୍ୱାରା ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବା ଉଚିତ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହିସବୁ ରାଜ୍ୟମାନଙ୍କ କୋଭିଡ଼-୧୯ ସ୍ଥିତି ସଂପର୍କରେ ସଦ୍ୟତମ ତଥା ବିସ୍ତୃତ ସ୍ଥିତି ଉପସ୍ଥାପନ କରି କହିଲେ ଯେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଭାବେ ପ୍ରତି ଦିନ କେତେ ଲେଖାଏଁ କୋଭିଡ଼-୧୯ ନମୁନା ପରୀକ୍ଷା କରାଯାଉଛି ତାହା ଉପରେ ଗୁରୁତ୍ୱ ଆରୋପ କରାଯିବା ଉଚିତ। ଏଥି ସହିତ ପ୍ରତ୍ୟେକ ରାଜ୍ୟର ପଜିଟିଭ ହାର ଏବଂ ସେମାନଙ୍କର ଦୈନିକ ହାରାହାରି ସିଏଫଆର, ଉପଲବ୍ଧ ସ୍ୱାସ୍ଥ୍ୟ ସଂସାଧନ ଏବଂ ଜିଲ୍ଲାୱାରୀ ଅମ୍ଳଜାନ ଉପଲବ୍ଧତା ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.