Home Top News ବିଶ୍ୱ ମହିଳା ଦିବସ ଅବସରରେ ମାହାଙ୍ଗାରେ ବିଶାଳ ମହିଳା ସମାବେଶ; ବିଜେଡି ମହିଳାଙ୍କୁ କେବଳ ଭୋଟ...

ବିଶ୍ୱ ମହିଳା ଦିବସ ଅବସରରେ ମାହାଙ୍ଗାରେ ବିଶାଳ ମହିଳା ସମାବେଶ; ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବେ: ପୁରନ୍ଦେଶ୍ୱରୀ

70

ଭୁବନେଶ୍ୱର/କଟକ: ସଶକ୍ତ ହେଲେ ମହିଳା, ସଶକ୍ତ ହେବ ଦେଶ। ଯେଉଁଠି ମହିଳାଙ୍କ ସମ୍ମାନ ହୁଏ ସେଠି ଉନ୍ନତି ହୁଏ। ଦେଶର ଅନେକ ଜାଗାରେ ଝିଅ ଜନ୍ମ ହେବା ବୋଝ ବୋଲି ଚିନ୍ତା କରାଯାଏ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଝିଅଙ୍କୁ ଲକ୍ଷ୍ମୀ ବୋଲି ବିବେଚନା କରନ୍ତି। ଶାସନ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମସିହା ପରଠାରୁ ମହିଳା ସଶକ୍ତୀକରଣ ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି। ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୂରଦୃଷ୍ଟି କାରଣରୁ ଭାରତବର୍ଷର ମା’ ଓ ଭଉଣୀମାନେ ସଶକ୍ତ ହେବାରେ ଲାଗିଛନ୍ତି ବୋଲି ଆଜି ବିଶ୍ୱ ମହିଳା ଦିବସ ଅବସରରେ କଟକ ଜିଲ୍ଲା ମାହାଙ୍ଗାଠାରେ ଅନୁଷ୍ଠିତ ମହିଳା ସମାବେଶରେ ଯୋଗ ଦେଇ କହିଛନ୍ତି ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ମୋଦିଜୀଙ୍କ ନେତୃତ୍ୱରେ ଓଡ଼ିଶାର ମହିଳାଙ୍କ ବିକାଶ ପାଇଁ ପ୍ରଚୁର ମାତ୍ରାରେ ଅର୍ଥ ଆସିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୭୪ ଲକ୍ଷ ଶୌଚାଳୟ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ୨୦ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରୋଷେଇ ଗ୍ୟାସ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଘର ପାଇଁ କେନ୍ଦ୍ର ସହାୟତା ଦେଇ ରାଜ୍ୟର ମା’ ଓ ଭଉଣୀଙ୍କୁ ସମ୍ମାନ ପ୍ରଦାନ କରିଛନ୍ତି। ସୁକନ୍ୟା ସମୃଦ୍ଧି ଯୋଜନାରେ ଓଡ଼ିଶାରେ ୯.୫୦ ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଜନଧନ ଯୋଜନା କାରଣରୁ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଖାତାକୁ ୩୫ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ତାଙ୍କ ଆକାଉଣ୍ଟରେ ସିଧାସଳଖ ହଜାରେ ଲେଖାଏଁ ଟଙ୍କା ସହାୟତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଦେଶର ମହିଳାଙ୍କ ଭାଇର ଜାଗା ନେଇ ଟ୍ରିପଲ ତଲାକ ବିଲ ଆଣିଲେ। କିନ୍ତୁ ରାଜ୍ୟ ସରକାର କେବଳ ପୋଷ୍ଟର ମାରି ନିଜ ଆତ୍ମପ୍ରଚାର କରୁଛନ୍ତି। ବିଜେଡି ମହିଳାଙ୍କୁ କେବଳ ଭୋଟ ବ୍ୟାଙ୍କ ବୋଲି ଭାବେ। କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମ ପ୍ରଧାନମନ୍ତ୍ରୀ ଆବସ ଯୋଜନାକୁ ହଡପ୍ କରିବାର ଚକ୍ରାନ୍ତରେ ବିଫଳ ହେବା ପରେ ରାଜ୍ୟ ସରକାର ପୋଷ୍ଟରରେ ଛୋଟିଆ ଭାବେ ପ୍ରଧାନମନ୍ତ୍ରୀ ଆବସ ଯୋଜନା ଲେଖିଛନ୍ତି। ଏହା ସଂପୂର୍ଣ୍ଣ ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି।

ସେହିପରି ଭ୍ରଷ୍ଟାଚାର କଥା ଉଠାଇବାରୁ ମାହାଙ୍ଗାର ୪ ଜଣ ବିଜେପି କର୍ମୀଙ୍କୁ ହତ୍ୟା କଲେ। ଯଦି ମହିଳାଙ୍କ ପାଇଁ ଏତେ ଦରଦ ତାହେଲେ କାହିଁକି ସେମାନଙ୍କ ପତ୍ନୀଙ୍କୁ ବିଧବା କଲେ ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି। ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟ ବୋଲି କହୁଥିବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବିକାଶ ଜେନା, କୁଳମଣି ବରାଳ, ଦିବ୍ୟସିଂହ ବରାଳ, ପ୍ରଫୁଲ୍ଲ ବିଶ୍ୱାଳଙ୍କ ପରିବାର କ’ଣ ତାଙ୍କ ପରିବାର ସଦସ୍ୟ ନୁହନ୍ତି କି ବୋଲି ପୁରନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି। ବିଜେପି ଏକମାତ୍ର ଦଳ ଯିଏ ସେବାକାର୍ଯ୍ୟ ଉପରେ ବିଶ୍ୱାସ କରେ। ଅନ୍ୟ ସବୁ ରାଜନୈତିକ ଦଳ ଅଧିକାର ଜାହିର କରିବା ପାଇଁ ନିର୍ବାଚନ ଲଢ଼ନ୍ତି, କ୍ଷମତାକୁ ଆସିବାକୁ ଚାହାଁନ୍ତି । କିନ୍ତୁ, ବିଜେପି ସେବା କରିବାକୁ କ୍ଷମତା ଚାହୁଁଛି। ଆଗାମୀ ଦିନରେ ମାହାଙ୍ଗାବାସୀ ଓ ସମଗ୍ର ଓଡ଼ିଶାବାସୀ ବିଜେପି ପ୍ରତି ଆସ୍ଥା ପ୍ରକଟ କରିବା ସହ ଆଶୀର୍ବାଦ ପ୍ରଦାନ କରିବେ ବୋଲି ପୁରନ୍ଦେଶ୍ୱରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି। ହଜାର ହଜାର ସଂଖ୍ୟା ମହିଳାଙ୍କ ଉପସ୍ଥିତିରେ ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ପ୍ରସାଦ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, କଟକ ସଦର ସଭାପତି ପ୍ରକାଶ ବେହେରା, କଟକ ସଦର ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା ଏବଂ ପ୍ରତିଭା ଶତପଥୀଙ୍କ ସମେତ ବହୁ ନେତୃବୃନ୍ଦ ଯୋଗ ଦେଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.