Home ଓଡ଼ିଶା ମଳିମୁଣ୍ଡିଆ: ହଳଧରଙ୍କର ନୁହେଁ, ପଦ୍ମଶ୍ରୀର ଅପମାନ; ଧର୍ମେନ୍ଦ୍ର ବୁଝିଲେ, ବୁଝୁନାହାଁନ୍ତି ଏମାନେ ..

ମଳିମୁଣ୍ଡିଆ: ହଳଧରଙ୍କର ନୁହେଁ, ପଦ୍ମଶ୍ରୀର ଅପମାନ; ଧର୍ମେନ୍ଦ୍ର ବୁଝିଲେ, ବୁଝୁନାହାଁନ୍ତି ଏମାନେ ..

1255

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ଯେଉଁଥିରେ ସାମାଜିକ ଦୂରତା ରକ୍ଷା କରି ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଛନ୍ତି। ତଦ୍ ଅନୁଯାୟୀ ଗତ ୮ ତାରିଖ, ସୋମବାର ଦିନ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯାହାର ନାମ ଥିଲା “ଓଡ଼ିଶା ଜନ ସମ୍ବାଦ ରାଲି”। ଅମିତ ଶାହା ତାଙ୍କ ସମ୍ବୋଧନରେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ଉପରେ କହିବା ସହ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ରହିଥିବା ଅବଦାନ ଗୁଡ଼ିକୁ ବଖାଣି ଥିଲେ। ଶାହାଙ୍କ ସହିତ ଉପସ୍ଥିତ ଥିଲେ ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ। ପ୍ରତାପ ଷଡ଼ଙ୍ଗୀଙ୍କୁ ତ’ କହିବାର ସୁଯୋଗ ମିଳିନଥିଲା। ତେବେ, ଶାହାଙ୍କ ବକ୍ତବ୍ୟ ପୂର୍ବରୁ ବକ୍ତବ୍ୟ ରଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ତାଙ୍କ ବକ୍ତବ୍ୟରେ ଅନ୍ୟ ସରକାର ତୁଳନାରେ ମୋଦୀ ସରକାରଙ୍କର ଓଡ଼ିଶା ପ୍ରତି ରହିଥିବା ଅବଦାନ ଗୁଡ଼ିକୁ ବଖାଣି ଥିଲେ। ତେବେ ଏହା ଭିତରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ହଳଧର ନାଗଙ୍କ କଥା କହିବାକୁ ଯାଇ ଧର୍ମେନ୍ଦ୍ର କହିଥିଲେ, ଯେ କୋଉ ସରକାର ଥିଲା ଯିଏ, ହଳଧର ନାଗ୍ ଭଳି ଜଣେ ମଳିମୁଣ୍ଡିଆ ଲୋକକୁ ପଦ୍ମ ପୁରସ୍କାର ଦେଇଥିଲା, ଓଡ଼ିଆ ଜାତିକୁ ସମ୍ମାନ କରିଥିଲା, ଗୌରବ ଆଣିଥିଲା। ଏପରି କହି ବାସ୍ତବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦି ଏବଂ ବିଜେପି ସରକାରର ପ୍ରଶଂସା କରିଛନ୍ତି, ନାଁ ପଦ୍ମଶ୍ରୀ ଉପାଧି, ହଳଧର ନାଗ୍ ଏବଂ ଜଣେ ମଳିମୁଣ୍ଡିଆର ଅପମାନ କରିଛନ୍ତି, ତାହା ବିଚାର୍ଯ୍ୟ।

ପରୋକ୍ଷରେ ନାପସନ୍ଦ କରିଛନ୍ତି ହଳଧର –
ଏଠାରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ମର୍ମରେ ‘ମଳିମୁଣ୍ଡିଆ’ ଶବ୍ଦ ବ୍ୟବହାର କଲେ, ତାହା ତ’ ଜଣାପଡ଼ୁନି। କିନ୍ତୁ, ଏଥିନେଇ ଅନେକ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅହଂକାରୀ କହିବା ସହ ଏହା ତାଙ୍କର ଅଭଦ୍ରାମୀ ବୋଲି କହିଲେ।ଏହାକୁ ନେଇ ବିବାଦ ଆରମ୍ଭ ହେବା ପରେ ଏ’ ନେଇ ପ୍ରତିକ୍ରିୟା ରଖିଛନ୍ତି ହଳଧର ନାଗ୍। ହଳଧର କହିଛନ୍ତି ତାଙ୍କ ପାଇଁ ଧର୍ମେନ୍ଦ୍ର ପ୍ରଧାନ ବ୍ୟବହାର କରିଥିବା ‘ମଳିମୁଣ୍ଡିଆ’ ଶବ୍ଦ ତାଙ୍କୁ ଅସମ୍ମାନ କଲା ଭଳି ଲାଗୁନାହିଁ। ନିଜକୁ ମଳିମୁଣ୍ଡିଆ ବୋଲି କହିବା ସହିତ ‘ମଳିମୁଣ୍ଡିଆ’ ଶବ୍ଦର ଅର୍ଥ ବୁଝାଇବାକୁ ଯାଇ ହଳଧର କହିଛନ୍ତି, ଖଟିଖିଆ ଲୋକଙ୍କୁ ମଳିମୁଣ୍ଡିଆ କୁହାଯାଏ। ମୁଣ୍ଡରେ ଯାହାର ସବୁବେଳେ ଧୂଳି, ମଳି ଲାଗିଥାଏ ତାକୁ ମଳିମୁଣ୍ଡିଆ ବୋଲି କୁହାଯାଏ। ତେବେ, ଏହା ସହ ହଳଧର ଗୋଟେ କଥା କହିଛନ୍ତି, ଯେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନ କରନ୍ତି, କିନ୍ତୁ ତାଙ୍କ ପାଟିରୁ କେମିତି ମଳିମୁଣ୍ଡିଆ ବାହାରି ପଡ଼ିଲା, ଏହା ତାଙ୍କୁ ଅସମ୍ମାନ କଲା ପରି ଲାଗୁନି। ଏଠାରେ ଉଲ୍ଲେଖଯୋଗ୍ୟ ଯେ “ଧର୍ମେନ୍ଦ୍ର ପ୍ରଧାନଙ୍କ ପାଟିରୁ କିପରି ମଳିମୁଣ୍ଡିଆ ଶବ୍ଦ ବାହାରି ପଡ଼ିଲା” ବୋଲି କହିଛନ୍ତି ହଳଧର। ଅର୍ଥାତ୍ ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଟିରୁ ଦୈବାତ୍ ବାହାରି ପଡ଼ିଲା, ଯାହା ଉଚିତ୍ ନଥିଲା ବୋଲି ପରୋକ୍ଷରେ କହିଛନ୍ତି ହଳଧର।

ହଳଧରଙ୍କର ନୁହେଁ, ପଦ୍ମଶ୍ରୀର ଅପମାନ –
ହଳଧର ନାଗ ଜଣେ କୋଶଳି ଭାଷାର ଲେଖକ ବା କବି। କୋଶଳି ଭାଷାରେ ରଚନା ପାଇଁ ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଛି। ‘ମଳିମୁଣ୍ଡିଆ’ ଓଡ଼ିଆ ଭାଷାରେ ଲୋକ କଥାରେ, ଗାଉଁଲି ଭାଷାରେ ବ୍ୟବହାର କରାଯାଇ ଥାଏ। ଯେଉଁ ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନ ଏହା ବ୍ୟବହାର କଲେ ତାହା କେତେ ଦୂର ଠିକ୍ ଥିଲା ବୋଲି ବିତର୍କ ଚାଲିଛି। କଥା ଏଠି ଧର୍ମେନ୍ଦ୍ର ପ୍ରଧାନ ହଳଧର ନାଗଙ୍କୁ ଅପମାନିତ କରି ନାହାଁନ୍ତି, କଥା ହେଲା ଧର୍ମେନ୍ଦ୍ର ‘ପଦ୍ମଶ୍ରୀ’ ଉପାଧିର ଅପମାନ କରିଛନ୍ତି। କାରଣ ଏଠାରେ ଧର୍ମେନ୍ଦ୍ର ପ୍ରଧାନ ହଳଧର ନାଗଙ୍କ ପାଇଁ କେଉଁ ମର୍ମରେ ‘ମଳିମୁଣ୍ଡିଆ’ ଶବ୍ଦ ବ୍ୟବହାର କଲେ, ତାହା ତ’ ଜଣାପଡ଼ୁନି। କିନ୍ତୁ, ହଳଧର ନାଗ୍ ଯେ, ମଳିମୁଣ୍ଡିଆ କି ସଫା ସୂତୁରା କିମ୍ୱା କଳା, ଗୋରା ଆଧାରରେ ପଦ୍ମଶ୍ରୀ ପାଇ ନାହାଁନ୍ତି। ହଳଧର ଜଣେ କବି ଏବଂ ଲେଖକ ଆଧାରରେ ପଦ୍ମଶ୍ରୀ ପାଇଛନ୍ତି। ଏଠାରେ ପଦ୍ମଶ୍ରୀ ଉପାଧି ପାଇଁ କଳା- ଗୋରା, ଧନୀ- ଗରୀବ, ଖିଟିଖିଆ- ମଳିମୁଣ୍ଡିଆ କି ସଫା ସୂତରାର କୌଣସି ମାନେ ନାହିଁ। ହୁଏତ ହଳଧର ନାଗ କୌଣସି କାରଣରୁ ଏହାକୁ ନିଜ ପ୍ରତି ଅସମ୍ମାନ ଭାବି ନପାରନ୍ତି। ହୁଏତ ହଳଧର ନାଗଙ୍କ ପ୍ରତିକ୍ରିୟା ପରେ କେହି ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ସମାଲୋଚକ ମାନଙ୍କୁ ଶକ୍ତ ଚାପୁଡ଼ା ବୋଲି କହିପାରନ୍ତି। କିନ୍ତୁ, କେହି ନବୁଝିଲେ ମଧ୍ୟ ମଳିମୁଣ୍ଡିଆ କହି ଧର୍ମେନ୍ଦ୍ର ପ୍ରଧାନ ଯେ ଭୂଲ କରିଛନ୍ତି, ଏହା ନିଜେ ଧର୍ମେନ୍ଦ୍ର ପ୍ରଧାନ ବୋଧେ, ବୁଝି ପାରିଛନ୍ତି।

ଧର୍ମେନ୍ଦ୍ର ବୁଝିଲେ, ବୁଝୁନାହାଁନ୍ତି ଏମାନେ –
ସେଦିନର ଭର୍ଚୁଆଲ୍ ରାଲିରେ ଦେଇଥିବା ନିଜ ଭାଷଣର ବର୍ଣ୍ଣନା ଲେଖି ସେହିଦିନ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟ ଫେସବୁକ୍ ପେଜରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର। ଯେଉଁଥିରେ ‘ମଳିମୁଣ୍ଡିଆ’ ଶବ୍ଦଟି ନାହିଁ। ଧର୍ମେନ୍ଦ୍ର ଲେଖିଛନ୍ତି, “ଲେଖକ ହଳଦର ନାଗଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପଦ୍ମଶ୍ରୀ ପୁରସ୍କାର ଦେଇ ଦେଶରେ ଓଡିଆ ଜାତିର ସମ୍ମାନ ବଢାଇଛନ୍ତି ମୋଦି।” ହୁଏତ ନିଜ ପାଟିରୁ ଭୁଲରେ ବାହାରି ପଡ଼ିଥିବା ଶବ୍ଦ “ମଳିମୁଣ୍ଡିଆ” କଥା ଧର୍ମେନ୍ଦ୍ର ବୁଝି ପାରିଛନ୍ତି। ଯାହାକୁ ଇଂରାଜୀରେ ସ୍ଲିପ୍ ଅଫ୍ ଟଙ୍ଗ୍ (ପାଟିରୁ ବାହାରି ପଡ଼ିଲା/ପାଟିରୁ ଖସିଗଲା) ବୋଲି କୁହାଯାଏ। ସେଦିନ ଧର୍ମେନ୍ଦ୍ରଙ୍କ ପାଟିରୁ ବାହାରିଥିବା ମଳିମୁଣ୍ଡିଆ ଶବ୍ଦକୁ ନେଇ କିଛି ବିଜେପି ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ନାପସନ୍ଦ ମଧ୍ୟ କରିଛନ୍ତି। କିନ୍ତୁ ଏହା ସାର୍ବଜନୀନ ଭାବରେ କହିବା ପାଇଁ ସେମାନେ ଅକ୍ଷମ। ଏଣେ ଧର୍ମେନ୍ଦ୍ର ପ୍ରଧାନଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ “ମଳିମୁଣ୍ଡିଆ” ଶବ୍ଦଟି ନଥିବାରୁ ସେ ହୁଏତ ତାଙ୍କ ଭୁଲ୍ ବୁଝିଥାଇ ପାରନ୍ତି ବୋଲି ଅନୁମାନ କରାଯାଇ ପାରେ। କିନ୍ତୁ, ବିଜେପି ଭିତରେ ଥିବା କିଛି ଚାଟୁକାର କେବଳ ଚାପୁଳୁସି କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା “ମଳିମୁଣ୍ଡିଆ” ଶବ୍ଦ ବ୍ୟବହାରକୁ ଠିକ୍ ବୋଲି ଦର୍ଶାଇ ଯୁକ୍ତି ଉପସ୍ଥାପନ କରିବା ସହ ହଳଧରଙ୍କ ପ୍ରତିକ୍ରିୟା ପରେ “ମଳିମୁଣ୍ଡିଆ” ଶବ୍ଦ ବ୍ୟବହାର କରିବା ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଏହା ଶକ୍ତ ଚାପୁଡ଼ା ବୋଲି କହୁଛନ୍ତି। ଚାଟୁକାରୀ କରିବା ପାଇଁ ଏପରି କରି ହୁଏତ ସେମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷତି କରାଉଛନ୍ତି। ଯେତେ କହିଲେ କ’ଣ ହେବ, ବୁଝିନି ଏ’ ଓଡ଼ିଶା ବିଜେପି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.