Home ଅପରାଧ ମହିଳା ମୋର୍ଚ୍ଚାର “ଧଳା ଜହର ମୁକ୍ତ” ଅଭିଯାନ: ବିଭିନ୍ନ ମହଲରୁ ପ୍ରଶଂସା ..

ମହିଳା ମୋର୍ଚ୍ଚାର “ଧଳା ଜହର ମୁକ୍ତ” ଅଭିଯାନ: ବିଭିନ୍ନ ମହଲରୁ ପ୍ରଶଂସା ..

45

ଭଦ୍ରକ: ଭଦ୍ରକ ଜିଲ୍ଲା ନିଶା କାରବାରର ପେଣ୍ଠସ୍ଥଳ ପାଲଟିଛି। ଏଠି କୋଟି କୋଟି ଟଙ୍କାର ବ୍ରାଉନସୁଗାର ଜବତ ହେଉଛି। ଭଦ୍ରକ ଯୁବପିଢ଼ି ନିଶାସକ୍ତ ହୋଇ ବିପଥଗାମୀ ହେଉଛନ୍ତି। ଏପରି ସ୍ଥିତିରେ ଭଦ୍ରକକୁ ‘ଧଳା ଜହର ମୁକ୍ତ’ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜେପି ମହିଳା ମୋର୍ଚ୍ଚା। ଭଦ୍ରକ ଜିଲ୍ଲାରେ ଅହେତୁକ ଭାବରେ ବୃଦ୍ଧି ପାଉଥିବା ଡ୍ରଗ୍ସ କାରବାର ବିରୋଧରେ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ “ଧଳା ଜହର ମୁକ୍ତ ଅଭିଯାନ” ସ୍ୱରୂପ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଧଳା ଜହର ଯେ କେତେ ମାରତ୍ମକ ତାହା ଆମେମାନେ ଜାଣିଛନ୍ତି। ଏହି ନିଶା ପାଇଁ କେତେ ଯେ ପରିବାର ବର୍ବାଦ୍ ହୋଇ ସାରିଲାଣି। ଯୁବପିଢ଼ି ଏହି ନିଶା କବଳରେ ରହି ଏତେ ପାଗଳ ହୋଇଗଲେଣି ଯେ ଏହି ନିଶା ସେବନ ହେତୁ ଚୋରି କରିବାକୁ ମଧ୍ୟ ପଛାଉ ନାହାଁନ୍ତି। ଧଳା ଜହର ପାଇଁ ନିଶାସକ୍ତ ବ୍ୟକ୍ତି କିଛି ଟଙ୍କା ପାଇଁ ହତ୍ୟା ଭଳି ଜଘନ୍ୟ ଅପରାଧ କରିବାର ମଧ୍ୟ ନଜିର ରହିଛି। ଯୁବଗୋଷ୍ଠୀ ନିଶା ଫାଶରେ ପଡ଼ୁଥିବା ବେଳେ ଉଜୁଡ଼ି ଯାଉଛି ଅନେକ ପରିବାର। ରୋଗ, ଅଭାବନୀୟ କାଣ୍ଡ ପାଇଁ ଅକାଳେ ଝଡ଼ି ପଡୁଛି ଅନେକ ଜୀବନ। ନିଶା ସେବନ କରି ଗାଡ଼ିମଟର ଚଳାଉଥିବା ବେଳେ ଦୁର୍ଘଟଣାରେ ମଧ୍ୟ ଅନେକ ପ୍ରାଣ ହରାଉଛନ୍ତି। ମହିଳା ମାନଙ୍କ ପ୍ରତି ହେଉଥିବା ହିଂସା ପଛରେ ଡ୍ରଗ୍ସ ସେବନର ଏକ ପ୍ରମୂଖ ଭୂମିକା ରହିଛି। ଆଜି ଆମ ଭଦ୍ରକ ମଧ୍ୟ ଆଜି ଏହି ଧଳା ଜହର ଜାଲରେ ଫସି ଯାଇଛି ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇ ଭଦ୍ରକକୁ ଧଳା ଜହର ମୁକ୍ତ ଅଭିଯାନ ସ୍ୱରୂପ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ଡ୍ରଗ୍ସ ବିରୋଧରେ ଜିଲ୍ଲା ପୋଲିସ/ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। କାରଣ ଏହାର ଚେର ଭାୟା ବାଲେଶ୍ଵର, ଜଳେଶ୍ବର, ପଶ୍ଚିମବଙ୍ଗ ହୋଇ ବାଂଲାଦେଶ ଯାଏଁ ଲମ୍ବିଛି। ତେଣୁ ଜିଲ୍ଲା ସୀମା ତଥା ରାଜ୍ୟ ସୀମା ଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ ଅଧିକ ବଢ଼ାଇବାର ଆବଶ୍ୟକତା ରହିଛି। ତେଣୁ ଏ’ ଦିଗରେ ଧ୍ୟାନ ଦେଇ ଆବଶ୍ୟକୀୟ ତଥା ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଗୃହରାଜ୍ୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଆମେ ଦାବୀ କରୁଛୁ ବୋଲି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ପ୍ରଥମ ଦିନରେ ବନ୍ତ ଛକ ନିକଟରେ ଆରମ୍ଭ ହୋଇ ସୋମବାର ଦିନ ବାଇପାସ୍ ରୋଡ଼ ନିକଟରେ “ଧଳା ଜହର ମୁକ୍ତ ଅଭିଯାନ” ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ ଆୟୋଜିତ ହୋଇଛି। ପର୍ଯ୍ୟାୟ କ୍ରମେ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ମଣ୍ଡଳୀରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଦସ୍ତଖତ ସଂଗ୍ରହ କରାଯାଇ ଗୃହ ରାଜ୍ୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସାଧାରଣ ସମ୍ପାଦିକା ଲିପିକା ବାରିକ, ସମ୍ପାଦିକା ବିଷ୍ଣୁପ୍ରିୟା ଲେଙ୍କା, ଚୈତାଳି ଖିଲାର, କାର୍ଯ୍ୟାଳୟ ସମ୍ପାଦିକା ସ୍ମୃତିରେଖା ରାଉତ, କୋଷାଧ୍ୟକ୍ଷ ବିଷ୍ଣୁପ୍ରିୟା ଜେନା, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ଏବଂ ମଣ୍ଡଳ ସଭାନେତ୍ରୀ ପଦ୍ମିନୀ ଦ୍ବିବେଦୀ ପ୍ରମୂଖ ସାମିଲ୍ ହୋଇଛନ୍ତି। ପ୍ରଥମ ଦିନରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରି ନାରାୟଣ ଧଳ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା ଏହି ଅଭିଯାନରେ ଯୋଗଦେଇଥିବା ବେଳେ ସୋମବାର ଦିନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ଦାସ ଏଥିରେ ଯୋଗଦେଇ ଅଭିଯାନକୁ ସମର୍ଥନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ୧୨ଟି ଚିଠା ପ୍ରସ୍ତାବ ମଧ୍ୟରୁ ଡ୍ରଗ୍ସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟତମ ଦାବୀ ଥିଲା। ଦାବିରେ କୁହାଯାଇଥିଲା, “ମହିଳାଙ୍କୁ ଅସୁରକ୍ଷିତ କରୁଛି ମାଦକ ଦ୍ରବ୍ୟ ସେବନ ଓ ନିଶାକାରବାର। ରାଜ୍ୟ ସରକାରଙ୍କର ମଦନୀତିକୁ ମହିଳା ମୋର୍ଚ୍ଚା ନିନ୍ଦା କରିବା ସହିତ ବଜାରରେ ଖୋଲା ବୁଲୁଥିବା ଧଳା ଜହରକୁ ରୋକା ଯିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମହିଳା ମୋର୍ଚ୍ଚା ଦାବୀ କରୁଛି”।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.