Home ଓଡ଼ିଶା ଲେଖା କରୁଛନ୍ତି କଳି; ସମୀର କରୁଛନ୍ତି ଅଳି: ଦ୍ଵନ୍ଦରେ କର୍ମୀ ..

ଲେଖା କରୁଛନ୍ତି କଳି; ସମୀର କରୁଛନ୍ତି ଅଳି: ଦ୍ଵନ୍ଦରେ କର୍ମୀ ..

281

ଭୁବନେଶ୍ୱର: ଓଡ଼ିଶା ବିଜେପିରେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା ଏବଂ ଗାଳି କରିବାରେ ଯେଉଁ ପ୍ରମୁଖ ନେତାନେତ୍ରୀ ଗଣ ଅଛନ୍ତି ସେମାନଙ୍କ ମଧ୍ୟରେ ଲେଖାଶ୍ରୀ ଅନ୍ୟତମ। ୨୦୧୯ ନିର୍ବାଚନ ପରଠାରୁ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରେ ଓଡ଼ିଶା ବିଜେପିର ବାକି ସବୁ ନେତାନେତ୍ରୀଙ୍କ ପାଟି ଖନି ମାରି ଯାଇଥିବା ବେଳେ ଲେଖାଙ୍କ ପାଟି କିନ୍ତୁ ବନ୍ଦ ହୋଇନି। ବିଶେଷ କରି ଏବେ କରୋନା ସଂକ୍ରମଣ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ମୁହଁରେ ମାସ୍କ୍ ପିନ୍ଧିବା ସହ ନବୀନଙ୍କ ବିରୋଧରେ କହିବାରେ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ଓଡ଼ିଶା ବିଜେପିର ନେତାନେତ୍ରୀ। ନବୀନଙ୍କ ବିରୋଧରେ ଏମାନେ ନିଜ ପାଟିକୁ ଲକ୍ ଡାଉନ୍ କରିଦେଇଛନ୍ତି। ଆଗ ଭବିଷ୍ୟତକୁ ଦେଖିନପାରି ବିଜେପିର କେତେକ ତଳତଳିଆ ନେତାନେତ୍ରୀ ବା କର୍ମୀ ଅଯଥାଟାରେ ନବୀନଙ୍କୁ ଗାଳି କରୁଥିବା ବେଳେ କଥା କଥାକେ ନବୀନଙ୍କୁ ଗାଳି କରୁଥିବା ଧର୍ମେନ୍ଦ୍ର ପ୍ରଧାନ ଏବେ ନବୀନ ପଟ୍ଟନାୟକଙ୍କ ବିରୋଧରେ କହିବାରେ ନିଜ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି। ମୋଦୀ – ନବୀନଙ୍କ ସମୀକରଣ ତଥା ଓଡ଼ିଶା ରାଜନୀତିର ଆଗାମୀ ଭବିଷ୍ୟତକୁ ଦେଖି ବୋଧେ ନିଜ ଭବିଷ୍ୟତ ଯୋଜନା କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏବେ ଓଲଟି ନବୀନଙ୍କୁ ପ୍ରଶଂସା କରିବା ପାଇଁ ଓର ଉଣ୍ଡୁଛନ୍ତି ଧର୍ମେନ୍ଦ୍ର। ତେଣୁ ଓଡ଼ିଶା ବିଜେପିରେ ପତିଆରା ଜାହିର କରି ବସିଥିବା ତାଙ୍କ ଚେଲା ଚାମୁଣ୍ଡା ମାନେ ମଧ୍ୟ ତାଙ୍କ ବାଟ ଅନୁସରଣ କରୁଛନ୍ତି।

ଓଡ଼ିଶା ବିଜେପିର ରବର ଷ୍ଟାମ୍ପ ସଭାପତି କୁହାଯାଉଥିବା ସମୀର ମହାନ୍ତି ମଧ୍ୟ କରୋନା ପାଇଁ ମୁହଁରେ ମାସ୍କ୍ ବାନ୍ଧିବା ସହିତ ନବୀନଙ୍କ ପାଇଁ ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି। ସମୀର ମହାନ୍ତିଙ୍କୁ କରୋନା ମୁକାବିଲା ଦିଗରେ ନିଜକୁ ପ୍ରତ୍ୟେକ୍ଷ ଭାବରେ ସେପରି କୌଣସି ସେବା କିମ୍ୱା ସାହାଯ୍ୟ କାର୍ଯ୍ୟରେ ନିୟୋଜିତ ଥିବାର ଦେଖିବାକୁ ମିଳୁନି। କେବଳ ମୋଦୀ ସରକାରଙ୍କ ଯୋଜନାକୁ ଦୋହରାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ନହଲେ ନବୀନ ସରକାରଙ୍କୁ ନେହୁରା ହୋଇ ଚିଠି ଲେଖିବାର ଦେଖିବାକୁ ମିଳୁଛି। “ଭାରତୀୟ ଜନତା ପାର୍ଟିର ଜିଲ୍ଲା, ବ୍ଲକ ଓ ପଞ୍ଚାୟତରୁ ଗାଁ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକର୍ତ୍ତା ସ୍ଵେଚ୍ଛାକୃତ ଭାବରେ ପ୍ରଶାସନକୁ ସାହାଯ୍ୟ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଘଡିସନ୍ଧି ମୂହୁର୍ତ୍ତରେ ଭାରତୀୟ ଜନତା ପାର୍ଟିର ପ୍ରସ୍ତୁତ ଥିବା ସମସ୍ତ ସ୍ବେଛାସେବୀ ମାନଙ୍କୁ ଯେକୌଣସି କରୋନା ମୁକାବିଲା କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ମୋର ଅନୁରୋଧ।” ସେହିପରି ଆଉ ଏକ ଚିଠିରେ “ଅମ୍ଫନ ବାତ୍ୟା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାରର ପୁର୍ବ ପ୍ରସ୍ତୁତି ଜାରୀ ରଖିଛନ୍ତି। ରାଜ୍ୟ ପ୍ରଶାସନକୁ ସହଯୋଗର ହାତ ବଢାଇବା ପାଇଁ ରାଜ୍ୟ ବିଜେପି ନିଜର କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରସ୍ତୁତ କରିଛି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସାହାଯ୍ୟ ପ୍ରସ୍ତାବ ଗ୍ରହଣ କରିବାକୁ କହି ଚିଠି ଲେଖିଛନ୍ତି ସମୀର ମହାନ୍ତି। ଯାହାର ଉତ୍ତର ଦେଉନାହାଁନ୍ତି କି ଗୁରୁତ୍ୱ ଦେଉ ନାହାଁନ୍ତି ନବୀନ।

ଯେଉଁ ଓଡ଼ିଶା ବିଜେପି ଏଇ କିଛି ଦିନ ତଳେ ନବୀନ ସରକାରଙ୍କୁ କଥା କଥାକେ ଗାଳି କରୁଥିଲା, ଏବେ ପ୍ରଶଂସା କରିବାକୁ ଅନେଇ ବସିଛି।କିନ୍ତୁ, ବିଜେପି ଓଡ଼ିଶାର କୁହାଳିଆ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ନବୀନଙ୍କ ବିରୋଧରେ କହିବା ବନ୍ଦ କରି ନାହାଁନ୍ତି। ଆଗରୁ ଯେମିତି କହୁଥିଲେ ଏବେ ବି ସେମିତି କହୁଛନ୍ତି। କରୋନା ମୁକାବିଲା, ରାଜ୍ୟରେ ପେଟ୍ରୋଲ ଡିଜେଲ ଉପରେ ଭାଟ୍ ବୃଦ୍ଧି ସମେତ ନବୀନ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନେଇ ସର୍ଭେ ରିପୋର୍ଟକୁ କଟାକ୍ଷ କରି ନବୀନ ସରକାରଙ୍କୁ ବିଭିନ୍ନ କଥାରେ ତୀବ୍ର ସମାଲୋଚନା କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି ଲେଖାଶ୍ରୀ। ଏଇ ନିକଟରେ ଲେଖାଶ୍ରୀ ସୋସିଆଲ୍ ମିଡିଆରେ କ୍ରମାଗତ ଭାବରେ ପୋଷ୍ଟ କରି ନବୀନ ସରକାରଙ୍କୁ ଆକ୍ଷେପ କରି ଲେଖିଛନ୍ତି, “ଅମାନୁଷିକ ନବୀନ ସରକାର। କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଲୋକଙ୍କୁ ସାହାଯ୍ୟ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବା ବେଳେ ଓ ସାଧାରଣ ଜନତାଙ୍କ ବୋଝକୁ କମ କରିବା ପାଇଁ ରାଜକୋଷକୁ ଆକୁଣ୍ଠ ଚିତ୍ତରେ ଖୋଲି ଦେଇଥିବା ବେଳେ ଓଡିଶାର ବିଜୁ ଜନତା ଦଳ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଭାଟ୍ ବଢ଼େଇ ଲୋକଙ୍କ ମେରୁଦଣ୍ଡକୁ କୁଠାରାଘାତ କରିଛନ୍ତି। ଲୋକେ ଯେତେବେଳେ ମହାମାରୀ ବୋଝରେ ନଇଁ ପଡ଼ିଛନ୍ତି ଏ’ ସମ୍ବେଦନହୀନ ସରକାର ତାଙ୍କୁ ବିଧାଟିଏ ମାରିବାକୁ ପଛେଇ ନାହାନ୍ତି। ଇଏ ଜନ ମଙ୍ଗଳକାରୀ ବୋଲାଉଥିବା ସରକାରର ଅସଲ ଚେହେରା”। “କରୋନା ଲଢ଼େଇ ଲାଗି କେନ୍ଦ୍ରରୁ ମୋଦି ଦେଉଥିବା ପଇସାକୁ ଆତ୍ମସାତ କରିବାପାଇଁ ରାଜ୍ୟ ସରକାର ରଚିଛନ୍ତି ଷଡ଼ଯନ୍ତ୍ର। ସୁସ୍ଥ ଲୋକଙ୍କୁ ପଜେଟିଭ୍ ଦେଖେଇ ଭଲ କରେଇବା, ୧୨୦୦ରୁ ଉର୍ଦ୍ଧ ସୁସ୍ଥ ହେଲେ କହିବା, ୨.୬ ଲକ୍ଷ ଲୋକ କ୍ୱାରେଣ୍ଟାଇନରେ ଅଛନ୍ତି କହିବା। ହେଲେ ଲୋକଙ୍କ ଅନୁଭୂତି ରାଜ୍ୟରେ ଅବ୍ୟବସ୍ଥାର ମୁଖା ଖୋଲି ଦେଇଛି। ମିଥ୍ୟା ତଥ୍ୟର ସୌଦାଗର କାମରେ ଲାଗିଗଲେଣି”। “କରୋନା ସମୟରେ ସମସ୍ତେ ମିଳିମିଶି ଏହି ମହାମାରୀକୁ ଲଢ଼ୁଥିବା ବେଳେ ଏଥିରୁ ପ୍ରଶାସନିକ ଦୁର୍ନୀତିର ଗନ୍ଧ ବାହାରିବା ଦୁଃଖର ବିଷୟ। ବିରୋଧୀ ଦଳ ସମସ୍ତ ସହଯୋଗ କରିବା ସତ୍ୱେ ଓ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ଅର୍ଥ ଦେବା ସତ୍ୱେ ଏହାକୁ ବାଟମାରଣା କରିବାର ଅର୍ଥ କରୋନା ଲଢ଼େଇକୁ ଦୁର୍ବଳ କରିବା। ବିଧିବଦ୍ଧ ତଦନ୍ତ ଆବଶ୍ୟକ”। “ମାସ୍କ୍ ଏବଂ ପିପିଇ ଘୋଟାଲାର ମୁଖ୍ୟଙ୍କୁ ବିଦା କରାଗଲା। ବିପତ୍ତି ସମୟରେ ଲୋକଙ୍କୁ ରକ୍ଷା କରିବାକୁ ସଂକଳ୍ପ ନେଇଥିବା ସରକାର ସେଇ ବିପତ୍ତିରୁ ଅନୈତିକ ଲାଭ ଉଠାଇବା ଘୋର ଅଧର୍ମ। ଧରାପଡ଼ିଲେ ମୁଖା ସାଜିଥିବା ଲୋକଙ୍କୁ ବଳି ପକେଇବା ରାଜ୍ୟ ସରକାରଙ୍କ ଚରିତ୍ର। ହେଲେ ଯେତେପର୍ଯନ୍ତ ମୂଳୋତ୍ପାଟନ ନହେଇଛି ଏଇ ରକ୍ତବୀର୍ଯ୍ୟ ପୁଣି ନୂଆ ଡାଳ ମେଲେଇ ଚାଲିବ”। “ରାଜ୍ୟ ସରକାରଙ୍କ ବାହାବା ନେବା ଗୁଣ ଓଡ଼ିଶାରେ କୋଭିଡ ନିୟନ୍ତ୍ରଣକୁ ଦୁର୍ବଳ କରୁଛି। ତଥ୍ୟ ଆଧାରରେ ନୁହେଁ ଲୋକପ୍ରିୟ ହେବା ପାଇଁ ଲଢ଼େଇ ଚାଲିଛି”। “କି ଗରଜ ପଡ଼ିଲା ଯେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଆଜି ଗଣମାଧ୍ୟମ ଆଗରେ ଡାହାମିଛ କହିଗଲେ, ଯେ ଓଡ଼ିଶାରେ କରୋନା ମୃତ୍ୟୁହାର ପୁରା ବିଶ୍ୱରେ ସବୁଠାରୁ କମ। ତଥ୍ୟ କହୁଛି ଭାରତରେ ହିଁ ଓଡ଼ିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି, ଆଉ ସମଗ୍ର ବିଶ୍ୱ କଥା କ’ଣ କହିବା”। “୨୦ ବର୍ଷର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୃହ ଜିଲ୍ଳା ଗଞ୍ଜାମ ଦାଦନ କେନ୍ଦ୍ରବିନ୍ଦୁ ହେଲା କେମିତି, ଏହି ୧୪ ଜଣ ମୃତକ ରାଜ୍ୟ ସରକାରଙ୍କ ହିସାବ ଅନୁଯାୟୀ ୦୭ ଜଣ ଭିତରେ ଅଛନ୍ତି ନାଁ ନାହିଁ”। “ଯିଏ ଯୋଉଠି କରୋନାରେ ମରୁଛନ୍ତି ମରନ୍ତୁ ହେଲେ ଆମ ଛାମୁ ନବୀନ ବାବୁଙ୍କ ହିସାବ ୦୭ ମୃତରୁ ବଢ଼ିବନି। ନ’ହେଲେ ବିଶ୍ୱରେ ସର୍ବଶ୍ରେଷ୍ଠ ୦୧ ନମ୍ବର ମାନ୍ୟତାଟା ଅନ୍ୟମାନେ ନେଇଯିବେ ଯେ”। “୧ ନମ୍ବର ମୁଖ୍ୟମନ୍ତ୍ରୀ ହେଇଥିବାରୁ ନବୀନ ବାବୁଙ୍କୁ ଶୁଭେଚ୍ଛା। ଆଜ୍ଞା ଓଡ଼ିଶାକୁ କେବେ ୧ ନମ୍ବର କରିବେ”। ଏହିପରି ଅନେକ ପୋଷ୍ଟ କରି ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରୁଛନ୍ତି ଡଃ ଲେଖାଶ୍ରୀ ସାମନ୍ତସିଂହାର। ଏଣେ କିନ୍ତୁ, ଓଡ଼ିଶା ବିଜେପିର ମଙ୍ଗୁଆଳ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ତୁଣ୍ଡରେ ତାଲା। ଏହାକୁ ନେଇ ଓଡ଼ିଶା ବିଜେପିର କର୍ମୀ ଏବେ ଦ୍ଵନ୍ଦରେ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.