Home Top News ସସ୍ମିତ ପାତ୍ରଙ୍କ ଆକ୍ଷେପ ପରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା: ବିଜେଡି ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛି

ସସ୍ମିତ ପାତ୍ରଙ୍କ ଆକ୍ଷେପ ପରେ ଲେଖାଶ୍ରୀଙ୍କ ପ୍ରତିକ୍ରିୟା: ବିଜେଡି ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛି

43

ଭୁବନେଶ୍ୱର: ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ବିଧାନସଭା ଉତ୍ତର ଆଧାରରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହା ପରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ତାଙ୍କୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଶାସକ ବିଜେଡିର ବିଭିନ୍ନ ବିଭାଗୀୟ ମନ୍ତ୍ରୀମାନେ ବିଧାନସଭାରେ ମିଥ୍ୟା ତଥ୍ୟ ରଖୁଛନ୍ତି। ତେବେ ଶାସକ ବିଜେଡିର ନେତାମାନେ ହେଉଛନ୍ତି ଅଭ୍ୟାସଗତ ମିଛୁଆ। ସେମାନେ ଗଣମାଧ୍ୟମ ସାମ୍ନାରେ ହେଉ ଅବା ବିଧାନସଭାରେ ସବୁଠି ମିଛ ତଥ୍ୟ ରଖି ରାଜ୍ୟବାସୀଙ୍କୁ ଭ୍ରମିତ କରି ଆସୁଛନ୍ତି। ବିଜେଡି ପ୍ରବକ୍ତା ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ନରଖି ବ୍ୟକ୍ତିଗତ ଭାବେ ମହିଳାଙ୍କ ଉପରେ ଅପଶଦ୍ଦ ପ୍ରୟୋଗ କରି ତାଙ୍କୁ ମିଛୁଆ ଆକ୍ଷେପ କରିବା ରାଜନୈତିକ ସୌଜନ୍ୟତା ଦୃଷ୍ଟିରୁ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ବିଜେଡି ସରକାର ଆଜି ପର୍ଯ୍ୟନ୍ତ ଜନତାଙ୍କୁ ଦେଇଥିବା ଗୋଟିଏ ବି ପ୍ରତିଶୃତି ପାଳନ କରିନାହିଁ। ୨୦୧୪ରେ ବିଜେଡି ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ନେଇ ପ୍ରତିଶୃତି ଦେଇଥିଲା। ପୁଣିଥରେ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି କଚ୍ଚା ଘରକୁ ପକ୍କା କରିବା ନେଇ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ଭୋଟ ହାତେଇଥିଲା। ଏହା ସତ୍ତ୍ୱେ ଆଜି ବି ଗରିବ ଲୋକଟିଏ ପକ୍କା ଘର ପାଇବାରୁ ବଞ୍ଚିତ ରହିଛି। ଫନି ବାତ୍ୟାରେ ହଜାର ହଜାର ଲୋକଙ୍କ ଘର ନଷ୍ଟ ହୋଇଥିଲେ ବି କେନ୍ଦ୍ର ସରକାରଙ୍କ ସହାୟତା ଦେବା ପରେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ପକ୍କା ଘର ଖଣ୍ଡେ ମିଳିଲା ନାହିଁ। ଗ୍ରାମାଞ୍ଚଳରେ ଏବେ ବି ୨ ଲକ୍ଷ ଘର ନିର୍ମାଣ ହେବା ପାଇଁ ବାକି ରହିଛି। ଏହା ଏହା କଣ ମିଛ କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି।

ଗରିବ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିଛନ୍ତି। ୫ ଲକ୍ଷ ପର୍ଯ୍ୟନ୍ତ ମେଡିକାଲ ସୁବିଧା ଗରିବ ଲୋକଙ୍କୁ ମିଳିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି। କିନ୍ତୁ ମୋଦି ନାଁ ନେଇଯିବା ଭୟରେ ରାଜ୍ୟ ସରକାର ଓଡିଶାରେ ଏହାକୁ ଲାଗୁ କରୁନାହାଁନ୍ତି। ରାଜ୍ୟ ସରକାର ଓଏସଟିଏଫକୁ ବନ୍ଦ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଥିଲେ ସୁଦ୍ଧା ଏଥିରେ କମ୍ ଟଙ୍କାର ବ୍ୟବସ୍ଥା ଥିବାରୁ ଗରିବ ଲୋକମାନେ ଏହାର ସୁବିଧା ଉଠାଇ ପାରୁନାହାଁନ୍ତି। ଓଡ଼ିଶାର ଏବେ ୧୨୪୨ ଗାଁକୁ ରାସ୍ତା ନାହିଁ। ଓଡ଼ିଶାର ପାଖାପାଖି ୯୦ ପ୍ରତିଶତ ଘରକୁ ପିଇବା ପାଣି ପହଞ୍ଚିନାହିଁ। ରାଜ୍ୟବାସୀଙ୍କୁ ପାଇପ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ୧୨୫୦ ପଞ୍ଚାୟତରେ ପିଇବା ପାଇଁ ଉପଯୁକ୍ତ ପାନୀୟ ଜଳ ମିଳୁନାହିଁ ଏବଂ ୧୫୦୦ ପଞ୍ଚାୟତରେ ପାଇପ ଲାଇନ ପହଞ୍ଚି ନାହିଁ। ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାଳିଆ ସହାୟତା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏବେ କୁଆଡ଼େ ଗଲା ସେ ପ୍ରତିଶୃତି। ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ କୃଷକ ମାନଙ୍କୁ ୬ ହଜାର ଟଙ୍କା ସହାୟତା ଦେଉଥିବା ବେଳେ କାଳିଆ ଯୋଜନାରେ ରାଜ୍ୟ ସରକାର ଚାଷୀଙ୍କୁ ୪ ହଜାର ଟଙ୍କା ସହାୟତା ନଦେଇ ପ୍ରତାରଣା କରୁଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ ୩୬ ଲକ୍ଷ ଚାଷୀଙ୍କୁ ପ୍ରଥମ କିସ୍ତିରେ ସହାୟତା ମିଳିଥିବା ବେଳେ ଏବେ ଏହା କମି ୨୦ ଲକ୍ଷରେ ପହଞ୍ଚିଛି। ବିଗତ ବର୍ଷରେ ରାଜ୍ୟରେ ଦୂର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଇବାରେ ଲାଗିଛି। କୋଇଲା, ଜଙ୍ଗଲ, ଚିଟଫଣ୍ଡ, ଜମି ଭଳି ଅନେକ ଦୂର୍ନୀତିରେ ବିଜେଡି ନେତା ମାନଙ୍କର ସଂପୃକ୍ତି ରହିଛି। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ମହିଳା ଓ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ବିଗତ ୨ ବର୍ଷ ମଧ୍ୟରେ ୫୩୦୩ ଜଣ ଶିଶୁ ନିଖୋଜ ହେଲେଣି। ପୋଲିସ ପ୍ରଶାସନର ଅବହେଳା ଏବଂ ତଦନ୍ତର ଶିଥିଳତା ପାଇଁ ପ୍ରତ୍ୟେକ ଦିନ ଶିଶୁମାନଙ୍କ ସହ ଅପରାଧିକ ଘଟଣା ବଢ଼ିବାରେ ଲାଗିଛି। ନୟାଗଡ଼ ନାବାଳିକା ପରୀ ହତ୍ୟାକାଣ୍ଡରେ ଖୋଦ୍ ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତ ବାବୁଲି ସାହୁଙ୍କୁ ସୁରକ୍ଷା ଦେଉଛନ୍ତି। ଏହା ସବୁ କ’ଣ ମିଛ କି ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି। ଶାସକ ବିଜେଡି ଓଡ଼ିଶା ଲୋକଙ୍କୁ ଆଉ ମିଛ କହି ଭ୍ରମିତ ନକରି ବିକାଶ ମୂଳକ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆରମ୍ଭ କରିବା ଦରକାର। ବିରୋଧୀ ମାନଙ୍କ ସମାଲୋଚନାକୁ ଗ୍ରହଣ କରି ଲୋକଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବା ସରକାରଙ୍କ ଦାୟୀତ୍ୱ। କିନ୍ତୁ ଏଠି ସରକାରୀ ତଥ୍ୟ ଅନୁଯାୟୀ ବିରୋଧୀ ଅଭିଯୋଗ କଲେ ବିଜେଡି ମୁଖପାତ୍ର ମାନେ ବ୍ୟକ୍ତିଗତ ସ୍ତରକୁ ଆସି ନିଜ ଦୁର୍ବଳତାକୁ ଲୁଚାଇ ବିରୋଧୀଙ୍କୁ ମିଛୁଆ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.