ବାଲେଶ୍ୱର, ୧୮-୬ (ଓଡ଼ିଆ ପୁଅ/ଅଭୟ ଦାସ) ଏକ ଶୋକାକୂଳ ପରିବେଶ ମଧ୍ୟରେ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତ ତଥା ସମସ୍ତଙ୍କର ପ୍ରିୟ ମଙ୍ଗୁଭାଇଙ୍କର ବାଲିଘାଟ ଶ୍ମଶାନରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗତକାଲି ଭୁବନେଶ୍ୱରର ଘରୋଇ ହସପିଟାଲରୁ ତାଙ୍କର ପାର୍ଥିବ ଶରୀର ଶେଷ ସମ୍ମାନ ପାଇଁ ପ୍ରଥମେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଅଯିବା ପରେ ସଂଧ୍ୟାରେ ବାଲେଶ୍ୱର ପହଞ୍ଚିଥିଲା। ବାଲେଶ୍ୱରରେ ପ୍ରଥମେ ପିଜେପି କାର୍ଯ୍ୟାଳୟ ଓ ପରେ ତାଙ୍କ ପୈତୃକ ବାସଭବନକୁ ନିଆଯାଇଥିଲା। ଦଳୀୟ କର୍ମକର୍ତ୍ତା, ସହଯୋଗୀ ଓ ସମର୍ଥକଙ୍କ ସମେତ ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜ ଜିଲ୍ଲାର ବହୁ ଲୋକ ପ୍ରତିନିଧି, ରାଜନେତା ତଥା ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ। ଆଜି ସକାଳେ ବିଶାଳ ଶୋଭାଯାତ୍ରା ମଧ୍ୟରେ ସହର ପରିକ୍ରମା ପୂର୍ବକ ତାଙ୍କ ମରଶରୀରକୁ ସାଧାରଣ ଲୋକଙ୍କ ଶେଷଦର୍ଶନ ନିମନ୍ତେ ଜିଲ୍ଲାସ୍କୁଲ ପଡ଼ିଆରେ ରଖାଯାଇଥିଲା। ସହଯୋଗୀ, ଦଳୀୟ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ସାଧାରଣ ଲୋକଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶେଷ ଦର୍ଶନ ସହ ଅମର ଆତ୍ମାପତ୍ର ଗଭୀର ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ। ମଦନ ମୋହନ ଦତ୍ତ ଜଣେ ଦକ୍ଷ ସଂଗଠକ ଓ ଲୋକପ୍ରିୟ ନେତା ହୋଇଥିଲେ ବି ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ଦଳର ସମସ୍ତଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିପାରିଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ। ତାଙ୍କର ଦେହାନ୍ତ ବାଲେଶ୍ୱର ରାଜନୈତିକ କ୍ଷେତ୍ର ତଥା ଦଳୀୟ ସଂଗଠନ ପାଇଁ ଅପୂରଣୀୟ କ୍ଷତି ବୋଲି ସେ ମତ ପ୍ରକାଶ କରିଥିଲେ। ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଜିଲ୍ଲାସ୍କୁଲ ପଡ଼ିଆରେ ପହଞ୍ଚି ମଦନ ମୋହନ ଦତ୍ତଙ୍କ ମର ଶରୀରରେ ପୁଷ୍ପଗୁଚ୍ଛ ଦେଇ ଶେଷ ଦର୍ଶନ କରିବା ସହ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେଠାରେ ଉପସ୍ଥିତ ତାଙ୍କର ସହଯୋଗୀ, ସମର୍ଥକ ତଥା ବିଜେପି କର୍ମୀଙ୍କ କ୍ରନ୍ଦନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ଏକ ସୁସଜ୍ଜିତ ଖୋଲା ଗାଡ଼ିରେ ତାଙ୍କର ମରଶରୀରକୁ ବିରାଟ ପଟୁଆରରେ ବାଲିଘାଟ ଶ୍ମଶାନକୁ ନିଆଯାଇଥିଲା। ସହଯୋଗୀ, ସମର୍ଥକ ଓ ବିଜେପି କର୍ମୀଙ୍କ ସମେତ ହଜାର ହଜାର ସଂଖ୍ୟାର ସାଧାରଣ ଜନତା ଏହି ଶେଷଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଜନଗହଳି ନିୟନ୍ତ୍ରଣ ପାଇଁ ସିଟି ଡିଏସପି ମନୋଜ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ କର୍ମଚାରୀମାନେ ନିଯୁକ୍ତ ହୋଇଥିଲେ। ବାଲିଘାଟ ଶ୍ମଶାନରେ ପରିବାର, ଜ୍ଞାତି କୁଟୁମ୍ବ ଓ ସମ୍ପର୍କୀୟଙ୍କ ସମେତ ସମର୍ଥକଙ୍କ ଉପସ୍ଥିତିରେ ତଥା ଅତ୍ୟନ୍ତ ଶୋକାକୂଳ ପରିବେଶ ମଧ୍ୟାରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ଏକମାତ୍ର ପୁତ୍ର ମାନସ ଦତ୍ତ ମୁଖାଗ୍ନି ଦେଇଥିଲେ। ଶେଷରେ ପଞ୍ଚଭୂତରେ ଲୀନ ହୋଇ ଯାଇଥିଲେ ବାଲେଶ୍ୱରର ଜଣେ ଦକ୍ଷ ସଂଗଠକ, ଲଢ଼ୁଆ ନେତା ମଦନ ମୋହନ ଦତ୍ତ। ମାତ୍ର ୬୩ ବର୍ଷ ବୟସ ମଧ୍ୟରେ ଏକ ସାଧାରଣ ପରିବାରରୁ ଆସି ତୃଣମୂଳସ୍ତରୀୟ ରାଜନୀତିରୁ ପାହୁଚ ପରେ ପାହୁଚ ଚଢ଼ି ଶେଷରେ ବାଲେଶ୍ୱର ସଦର ଆସନରୁ ସେ ବିଧାୟକ ହୋଇ ପାରିଥିଲେ। କୋଇଲା ବ୍ୟବସାୟ କରିବା ସାଙ୍ଗକୁ ବଜରଙ୍ଗଦଳରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଶେଷରେ ବିଜେପିକୁ ବାଲେଶ୍ୱରରେ ଷ୍ଟାଣ୍ଡ କରାଇବାରେ ତାଙ୍କର ଅବଦାନକୁ କେହି ଅସ୍ୱିକାର କରିପାରିବେ ନାହିଁ। ରାଜନୀତିରେ ପାଦ ଥୋଇ ପ୍ରଥମେ ବାଲେଶ୍ୱର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ରେମୁଣା ବ୍ଲକ ଅଧ୍ୟକ୍ଷ ଓ ଗତ ସାଧାରଣ ନିର୍ବାଚନରେ ସଦର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ। ପଞ୍ଚାୟତ ସ୍ତରରେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସାଙ୍ଗକୁ ସଂଗଠନକୁ ଆଗକୁ ନେବା ଦିଗରେ ସେ ଥିଲେ ଅଧିକ ଯତ୍ନବାନ। ସେ ନିଜର ବ୍ୟକ୍ତିଗତ ଭାବମୂର୍ତ୍ତି ପ୍ରତିଷ୍ଟା ପରିବର୍ତ୍ତେ ଦଳର ନୀତି ଆଦର୍ଶକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସର୍ବଦା ଗୁରୁତ୍ୱ ଦେଉଥିଲେ। ନିଜକୁ ସାଧାରଣ ନେତା ଭାବେ ନ ଭାବି ଜଣେ ଅସାଧାରଣ କର୍ମୀଭାବେ ନିଜର ବ୍ୟବହାର ଓ କାର୍ଯ୍ୟଧାରା ପାଇଁ ସେ ସବୁ ବର୍ଗର ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନକୁ ଅଗ୍ରାଧିକାର ଦେବା ସହିତ ନିଜର ସହଯୋଗୀ ଓ ଦଳୀୟ କର୍ମୀଙ୍କୁ ବି ଏହି ଧାରା ଆପଣେଇବାକୁ କହୁଥିଲେ। ବାଲେଶ୍ୱର ବିକାଶକୁ ନେଇ ଦେଖିଥିବା ଅସୁମାରୀ ସ୍ୱପ୍ନକୁ ଅଧୂରା ରଖି ଆଜି ପଞ୍ଚଭୂତରେ ଲୀନ ହୋଇଛନ୍ତି ସଦର ବିଧାୟକ ମଦନ ମୋହନ ଦତ୍ତ। ଜଣେ ଦକ୍ଷ ସଂଗଠକ, ମେଳାପୀ, ମିଷ୍ଟଭାଷୀ, ପରୋପକାରୀ ତଥା ଧର୍ମପରାୟଣ ବ୍ୟକ୍ତିତ୍ୱ ଭାବେ ତାଙ୍କର ଦେହାନ୍ତ ବାଲେଶ୍ୱର ରାଜନୀତିରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।