– ଶ୍ରୀ ଅଖଣ୍ଡ
ପୁରୀ ଗଜପତିଙ୍କ କାଂଚି ଅଭିଯାନ ସମୟରେ ପ୍ରଭୁଙ୍କ ଲୀଳା ବେଶ୍ ବିଖ୍ୟାତ। ପ୍ରଭୁ ନିଜେ ସୈନିକ ହୋଇ ଯୁଦ୍ଧ କରିବାକୁ ଯାଇଥିଲେ। ଏବଂ ବାରମ୍ବାର ପରାଜୟ ସ୍ୱିକାର କରିଥିବା ଗଜପତି ରାଜା ପ୍ରଭୁଙ୍କ କୃପାରୁ ଶେଷ ଥର ଯୁଦ୍ଧରେ ଜିତିଥିଲେ। ସେହି ଯୁଦ୍ଧ କରିବାକୁ ରାଜା ଯାଉଥିବା ସମୟରେ ତାଙ୍କ ଆଗକୁ ମାଣିକ ନାମକ ଗଉଡୁଣି ଧାଇଁ ଆସି ଗୁହାରି କଲା। ମହାରାଜ ! ଆପଣଙ୍କର ଦୁଇ ଜଣ ସୈନିକ ମୋ ଠାରୁ ଦହି ପିଇଛନ୍ତି। ଅର୍ଥ ବଦଳରେ ସେମାନେ ଏହି ମୁ୍ଦ୍ରିକାଟି ଦେଇ ଯାଇଛନ୍ତି। ଏହି ମୁଦ୍ରିକାଟି ନିଅନ୍ତୁ। ଏହାକୁ ଦେଖି ଗଜପତି ହତବାକ୍ ହୋଇଗଲେ। ସେନାପତିଙ୍କ ସୂଚନା ଅନୁଯାୟୀ କୌଣସି ସୈନିକ ଆଗରେ ଯାଇନାହାନ୍ତି। ପୁଣି ଏହି ମୁଦ୍ରିକାଟି ତ ପ୍ରଭୁ ଜଗନ୍ନାଥ ପିନ୍ଧୁଥିବା ସ୍ୱର୍ଣ୍ଣ ମୁଦ୍ରିକା। ସେହି ଦୁଇ ଆଶ୍ୱାରୋହୀ ଆଉ କେହି ନୁହେଁ, ସାକ୍ଷାତ୍ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କର ଅଗ୍ରଜ ପ୍ରଭୁ ବଳଭଦ୍ର ! ଧନ୍ୟ ହୋଇଗଲ ତମେ ମାଣିକ। ପ୍ରଭୁଙ୍କ ପ୍ରତ୍ୟେକ୍ଷ ଦର୍ଶନ କେତେ ଜଣଙ୍କ ଭାଗ୍ୟରେ ଥାଏ ? ଯାହାଙ୍କ ରୂପ ଦର୍ଶନ ଲାଗି କେତେ ସାଧୁ, ସନ୍ଥ, ମୁନୀ ଜନ୍ମ ଜନ୍ମାନ୍ତର ତପସ୍ୟା କରିଚାଲିଛନ୍ତି। କେତେ ଶାସ୍ତ୍ର, ପୁରାଣ ଅଧ୍ୟୟନ କରି ମଧ୍ୟ ଯାହାର ରୂପକୁ କଳନା କରିହୁଏନା। ତାଙ୍କ ସହ କଥା ହେଲ। ପୁଣି ସେ ତୁମକୁ ମୁଦ୍ରିକା ବଢାଇଦେଲେ। ଶ୍ରୀଅଙ୍ଗ ପରଶ ତ କୋଟି ଜନ୍ମର ଫଳ ସଦୃଶ। ହେ ମାଣିକ! ତୁମେ ହିଁ ପ୍ରକୃତରେ ମହାନ୍ ଭକ୍ତ। ରାଜାଙ୍କ କଥା ଶୁଣି ମାଣିକ ଆଖିରୁ ଧାର ଧାର ଅଶ୍ରୁ ବୋହିଗଲା। ସେ ବିକଳ ହୋଇ ବୋବାଳି ପକାଇଲା। ମୁଁ ହତଭାଗିନୀ କଣ କଲି ? ସାରା ଜଗତ ଯାହା ପାଖକୁ ସବୁ କିଛି ମାଗିବାକୁ ଯାଏ, ସେହି ମହାପ୍ରଭୁ ମୋ ପାଖକୁ ଆସିଥିଲେ। ତାଙ୍କୁ ଶୋାଷ ଲାଗୁଥିଲା, ମୁଁ ଚଣ୍ଡାଳୁଣୀ ତାଙ୍କୁ ଅଚିହ୍ନା ବାରିଲି। ଦହି ଦେଲି, ଅର୍ଥ ମାଗିବାରୁ ସେମାନେ ହସ୍ତ ମୁଦ୍ରିକା ଦେଲେ। ମୁଁ କେତେ ଲୋଭୀ। ତାଙ୍କ ଚରଣଟିକେ ଛୁଇଁ ପାରିଲିନି। ରାଜା କିନ୍ତୁ ଭାବ ବିହ୍ୱଳ। ଯୁଦ୍ଧ କଥା ମନରୁ ପାଶୋରିଗଲେଣି। ଯେଉଁଠି ପ୍ରଭୁ ଯାଉଛନ୍ତି, ଆମର ବା କି ଆବଶ୍ୟକତା ? ମାଣିକଙ୍କୁ କହୁଛନ୍ତି – ତମେ କାନ୍ଦିବା ଛାଡି ମୋତେ କହିଲ ମୋ ପ୍ରଭୁଙ୍କ ରୂପ କେମିତି ଥିଲା ? ରଙ୍ଗ ଅଧର କେମିତି ଥିଲା ? ମହାପ୍ରଭୁଙ୍କ ସୁନ୍ଦର ମଧୁର ମୁଖ ଦେଖିବାକୁ କେମିତି ? ରାଜାଙ୍କ ଆଖିରୁ ଲୁହ ଆସିଗଲା। ପୁଣି ପଚାରୁଛନ୍ତି – କେମିତି ତମେ ମହାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲ ? କେମିତି ଭାବରେ ତୁମେ ପ୍ରଭୁଙ୍କୁ ଡାକୁଥିଲେ ଯେ ସେ ଆସି ସ୍ୱୟଂ ତୁମ ଆଗରେ ଆର୍ବିଭାବ ହେଲେ, କଥା ହେଲେ, ଶ୍ରୀଅଙ୍ଗ ସ୍ପର୍ଶ କରାଇ ହସ୍ତ ମୁଦ୍ରିକା ଦେଲେ ? ଆମକୁ ସେହି ବାଟ ବତାଅ। ଏସବୁ ପ୍ରଶ୍ନର ଉତର ଶୁଣି ମାଣିକ କେବଳ କାନ୍ଦୁଥିଲେ। ହେ ପ୍ରଭୁ ! ତୁମେ ଆଉ ଥରେ ଆସ। ମୋର କିଛି ଦରକାର ନାହିଁ। ମୁଁ ତୁମକୁ ମନଭରି ଦହି ଖୁଆଇବି। ମାଣିକଙ୍କ ପ୍ରେମ ଭକ୍ତି ଭାବ ଅମର ହୋଇ ରହିଯାଇଛି। ଏପରି ପୁଣ୍ୟବନ୍ତ ଭକ୍ତ ପାଖକୁ ହିଁ ମହାପ୍ରଭୁଙ୍କ ଡୋରି ଲାଗେ। ଅଚିହ୍ନା ହୋଇ ଭକ୍ତ ପାଖକୁ ଯାନ୍ତି ମହାପ୍ରଭୁ। ତାଙ୍କରି କୃପାରୁ ହିଁ ସବୁ କିଛି ହୁଏ। ଆମେ ତାହା ଅନୁଭବ କରିବା ଦରକାର। ମହାପ୍ରଭୁ ନିଜେ ପିଲାଟିଏ ପରି ସତେ ମାଆ ଠାରୁ ଦହି ମାଗି ଖାଇଲେ ! ଭକ୍ତିର ଏପରି ନିଦର୍ଶନ ଭକ୍ତି ଜଗତରେ ବିରଳ।
ଦୀକ୍ଷା ମିଶନ, ପିପିଲି, ପୁରୀ,