Home Top News ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ତୃତୀୟ ଦିନ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଏବଂ ଭ୍ରଷ୍ଟ ନେତାଙ୍କୁ...

ଜଷ୍ଟିସ୍ ଫର୍ ପରୀ: ପଦଯାତ୍ରାର ତୃତୀୟ ଦିନ; ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ ଏବଂ ଭ୍ରଷ୍ଟ ନେତାଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଲଟିଛି: ବିଜେପି

33

ଭୁବନେଶ୍ୱର: ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ଲାଗି ଆରମ୍ଭ ହୋଇଥିବା “ପରୀକୁ ନ୍ୟାୟ ପାଇଁ ପଦଯାତ୍ରା” ତୃତୀୟ ଦିନରେ ପହଞ୍ଚିଛି। ରବିବାର ଦିନ ପ୍ରଭୃ ଲିଙ୍ଗରାଜଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଆଜି ସାରୁଅରୁ ବାହାରି ବୋଲଗଡ଼ (ପିଚୁକୁଳି) ପର୍ଯ୍ୟନ୍ତ ଯାଇଛି। ଆସନ୍ତା କାଲି ୨୩ ତାରିଖରେ ବୋଲଗଡ଼ (ପିଚୁକୁଳି)ରୁ ଇଟାମାଟି ଏବଂ ୨୪ ତାରିଖରେ ଇଟାମାଟିରୁ ନୟାଗଡ଼ ହୋଇ ଯଦୁପୁରଠାରେ ଏହି ପଦଯାତ୍ରା ସମାପ୍ତ ହେବ। ରାଜ୍ୟରେ କେବଳ ଜଣେ ପରୀ ନୁହେଁ ଏହି ପଦଯାତ୍ରା ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ବାହାରିଛି। ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ସହ ମନ୍ତ୍ରୀ ଅରୁଣ ସାହୁଙ୍କୁ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ। ପରୀ ସମେତ ରାଜ୍ୟର ସମସ୍ତ ନିଖୋଜ ଶିଶୁମାନଙ୍କୁ ନ୍ୟାୟ ନମିଳିବା ଯାଏଁ ଏହି ଲଢେଇ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ସରକାରଙ୍କ ଉପରକୁ ଆଙ୍ଗୁଳି ଉଠିଲେ ସେ ସଙ୍ଗେ ସଙ୍ଗେ ଘଟଣାକୁ ଭିନ୍ନ ରଙ୍ଗ ଦେଇଥାଆନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କର ଏହି ଅଭ୍ୟାସ ରହିଆସିଛି। ବାଲି, ମୋରମ, ପଥର ଚୋରି ହେବା ସମୟରେ ରାଜ୍ୟ ସରକାର ଏସଆଇଟି ଗଠନ କରି ଜଣେ ସରକାରୀ ଅଫିସରଙ୍କୁ ବହିଷ୍କାର କଲେ। କିନ୍ତୁ ମୁଖ୍ୟ ଅଭିଯୁକ୍ତ ଏବଂ ଏହି ଦୁର୍ନୀତିରେ ସାମିଲ ଥିବା ବିଜେଡି ନେତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା। ରାଜ୍ୟରେ ବ୍ୟାପକ ଭାବେ ବାଲି ଦୁର୍ନୀତି ଚାଲିଥିବା ବେଳେ ପ୍ରଶାସନିକ ଅଧିକାରୀ ଭିନିଲ କିଷ୍ଣାଙ୍କୁ ଅପହରଣ କରାଯିବାର ନାଟକ ରଚା ଯାଇଥିଲା। ଆଉ ଏବେ ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହତ୍ୟାକାରୀ ବାବୁଲି ନାଏକ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ସୁରକ୍ଷା ଦେବାକୁ ଯାଇ ଜଣଙ୍କୁ ଗିରଫ କରି ହତ୍ୟାକାରୀ ସଜାଯାଉଛି। ଦୁର୍ନୀତି ଗ୍ରସ୍ତ ସରକାରୀ ଅଧିକାରୀ ଏବଂ ଭ୍ରଷ୍ଟ ନେତାଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାରଙ୍କ ପ୍ରାଥମିକତା ପାଲଟିଛି। ଶାସକ ଦଳ ମନ୍ତ୍ରୀ ଅରୁଣ ସାହୁଙ୍କ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ସରକାର ଏସଆଇଟି ଗଠନ କରିଛନ୍ତି ଏବଂ ଏସଆଇଟି ତଦନ୍ତ ନକରି ସରକାରଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି। ପରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଯାଇ ଏସଆଇଟି ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପରୀ ହତ୍ୟାକାରୀ ସଜାଇଛି ବୋଲି ବିଜେପି ସାଂସଦ ବିଶେଶ୍ୱର ଟୁଡୁ ଅଭିଯୋଗ କରିଛନ୍ତି।


ରାଜ୍ୟ ସରକାରଙ୍କ ଏସଆଇଟି ଉପରେ ଆମର ବିଶ୍ୱାସ ନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏସଆଇଟି ବୟାନ ରଖୁଛି। ପରୀ ପ୍ରସଙ୍ଗରେ ଆଲୋଚନା ହେଲେ କାଳେ ଲୋକେ ସତ ଜାଣିଯିବେ ସେଥିପାଇଁ ରାଜ୍ୟ ସରକାର ବିଧାନସଭା ଗୃହକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦେଲେ। ଗିରଫ ହୋଇଥିବା ଯୁବକଙ୍କୁ ଫସାଇବା ପାଇଁ ଏସଆଇଟି ଷଡ଼ଯନ୍ତ୍ର କରିଥିବା କଥା ଗଣମାଧ୍ୟମରେ ଖୋଦ୍ ସଂପୃକ୍ତ ଯୁବକ ଜଣଙ୍କ ବୟାନ ଦେଇଛନ୍ତି। ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ସରକାର ଚାହୁଁ ନାହାଁନ୍ତି। ପରୀକୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦାବି କରିଛନ୍ତି। ବାବୁଲି ନାଏକ ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ଖସାଇବା ପାଇଁ ରାଜ୍ୟସରକାର ବିରାଟ ଷଡ଼ଯନ୍ତ୍ର ରଚିଛନ୍ତି ଏବଂ ଏହାର ମଙ୍ଗ ଧରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଏବଂ ଏସାଇଟି ମୁଖ୍ୟ। ସାମ୍ବିଧାନିକ ବିଧି ବ୍ୟବସ୍ଥାର ପ୍ରମୁଖ ସ୍ଥାନରେ ରହି ଶାସକ ଦଳର ମୁଖପାତ୍ର ଭଳି ସେମାନେ ଆଚରଣ କରୁଛନ୍ତି। ବିଜେଡି ସରକାର ଅପରାଧକୁ ପୋତ୍ସାହନ ଦେଉଛି ଏବଂ ନିରୀହ ପିଲାଙ୍କୁ ଅପରାଧୀ ସଜାଉଛି। ଶିଶୁ ଅପହରଣ, ହତ୍ୟା ଓ ଅଙ୍ଗତସ୍କରୀ ଗ୍ୟାଙ୍ଗ ପଛରେ ବିଜେଡିର ହାତ ରହିଛି। ଏନସିପିସିଆର କହିବା ସତ୍ତ୍ୱେ ଏସଆଇଟି ଜବରଦସ୍ତି ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି।

ତୃତୀୟ ଦିନର ପଦଯାତ୍ରାରେ ସାଂସଦ ବିଶେଶ୍ୱର ଟୁଡୁ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ, ବ୍ରହ୍ମଗିରୀ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ବିରଞ୍ଚି ନାରାୟଣ ତ୍ରିପାଠୀ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ଶତପଥୀ, ଅଜୟ ମିଶ୍ର, ରିଷଭ ନନ୍ଦ, କୃଷ୍ଣଚନ୍ଦ୍ର ପାତ୍ର, ଅଶୋକ ମିଶ୍ର, ସମ୍ପଦ ସ୍ୱାଇଁଙ୍କ ସମେତ ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ପଦଯାତ୍ରା ଅବସରରେ ପଦଯାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକର୍ତାଙ୍କ ସମେତ ସଚେତନ ନାଗରିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଛାତ୍ରନେତା ତଥା ସମାଜର ବିଭିନ୍ନ କ୍ଷେତ୍ରର ନେତୃତ୍ୱ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ।
[email protected]

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.