Home Top News ଜଷ୍ଟିସ୍ ଫର୍ ପରୀ: ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଓ କଲା ବିଜେପି ମହିଳା ମୋର୍ଚ୍ଚା

ଜଷ୍ଟିସ୍ ଫର୍ ପରୀ: ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଓ କଲା ବିଜେପି ମହିଳା ମୋର୍ଚ୍ଚା

87

ଭୁବନେଶ୍ୱର: ଶୁକ୍ରବାର ସକାଳୁ ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ପାଖରେ। ବାସଭବନକୁ ଚତୁଃପାଶ୍ୱର୍ରୁ ଘେରି ରହିଥିଲେ ପ୍ଲାଟୁନ ପ୍ଲାଟୁନ ପୋଲିସ ଓ ସୁରକ୍ଷାକର୍ମୀ। ପରୀକୁ ନ୍ୟାୟ ଦାବୀରେ ବିଜେପି ମହିଳା ମୋର୍ଚ୍ଚା ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲା। ତେବେ ପୂର୍ବରୁ ସଜାଗ ଥିବା ପୋଲିସ ମହିଳା ମୋର୍ଚ୍ଚାର ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରି ନେଇଥିଲା। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ବଡ଼ ବିଡ଼ମ୍ବନାର ବିଷୟ ଯେ ଏହି ସୁରକ୍ଷା ବଳୟ ସୃଷ୍ଟି ହୋଇଥିଲା ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ଏବଂ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉ ଥିବା ରାଜ୍ୟର ପ୍ରଭାବଶାଳୀ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ। ସମଗ୍ର ଅଞ୍ଚଳକୁ ବ୍ୟାରିକେଡ୍ ଦ୍ୱାରା ଆବଦ୍ଧ କରାଯାଇ ସାଧାରଣ ଜନତାଙ୍କ ଯାତାୟତ ନିଷେଧ କରାଯାଇଥିଲା। ରାଜ୍ୟରେ ମା’ ଭଉଣୀ ଓ କୋମଳମତୀ ଶିଶୁଙ୍କୁ ସୁରକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ଏତିକି ତତ୍ପରତା ଓ ଚିନ୍ତିତ ଥିଲେ, ପରୀ ହତ୍ୟାକାଣ୍ଡ ଭଳି ଘଟଣାମାନ ରାଜ୍ୟରେ ହୁଅନ୍ତା ନାହିଁ। ଅଭିଯୁକ୍ତ ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଅରୁଣ ସାହୁଙ୍କ ବାସଭବନକୁ ଘେରାଓ ଉଦ୍ୟମ କରିଥିଲେ। ମାତ୍ର ରାଜ୍ୟ ସରକାର ପୋଲିସ ଓ ପ୍ରଶାସନ କଳକୁ ଅପବ୍ୟବହାର କରି ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଯେଉଁ ଭଳି ଭାବେ ଅଗଣତାନ୍ତ୍ରିକ ଭାବେ ଜୋର ଜବରଦସ୍ତି ଗିରଫ କଲେ, ଏହା ଦ୍ୱାରା ସତ୍ୟକୁ କେବେହେଲେ ରୋକାଯାଇ ପାରିବ ନାହିଁ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। ପରୀ ଗୋଟେ ଗରିବ ଅଟୋ ଡ୍ରାଇଭରର ଝିଅ। ପରୀର ଅପହରଣ ଓ ହତ୍ୟା କ’ଣ ଏକ ଛୋଟ ଘଟଣା, ଦୀର୍ଘ ୪ ମାସ ଧରି ପୋଲିସ କ’ଣ ତଦନ୍ତ କରୁଥିଲା, ପରୀର ବାପା, ମା ବାବୁଲି ନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁ ବାରମ୍ବାର କହିବା ସତ୍ତ୍ୱେ ସେମାନଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ, କାହାର ପ୍ରରୋଚନାରେ ପୋଲିସ ପ୍ରଶାସନ ପରୀର ବାପା, ମା’ଙ୍କୁ ୫ ଲକ୍ଷ ଟଙ୍କା ଯାଚିବା ସହ ବିଭିନ୍ନ ପ୍ରଲୋଭନ ଦେଇ ମାମଲାକୁ ଚାପି ଦେବାର ପ୍ରୟାସ କରାଯାଉଛି ଆଦି ନେଇ ସ୍ମୃତି ପଟ୍ଟନାୟକ ପ୍ରଶ୍ନ ବାଣ କରିଛନ୍ତି।

 

ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭- ୧୮ ଏବଂ ୨୦୧୮- ୧୯ରେ ରାଜ୍ୟରେ ୫୩୨୩ ଶିଶୁ ନିଖୋଜ ଅଛନ୍ତି। ପରୀର ବାପା, ମା’ ବାବୁଲି ନାୟକ ଦ୍ୱାରା ଅଙ୍ଗ ତସ୍କରୀ ଓ ଏଥିରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହାୟତା ପ୍ରସଙ୍ଗ ଉଠାଇଛନ୍ତି। ଏ’ ସମସ୍ତ ଘଟଣାର ସତ୍ୟାସତ୍ୟ ପର୍ଦ୍ଦାଫାଶ ହେବା ନିହାତି ଜରୁରୀ ବୋଲି ସ୍ମୃତି ପଟ୍ଟନାୟକ ଦାବୀ କରିଛନ୍ତି। ନିଜ ଭାବମୁର୍ତି ଭଙ୍ଗ ହେଲେ, ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାରର ଯଥା ସମ୍ଭବ ରଣକୈାଶଳ ଆପଣାଇ ଏଭଳି ସ୍ପର୍ଶକାତର ଘଟଣା ମାନକୁ ଚାପି ଦେବାର ହୀନ କଳା କୈାଶଳ ପନ୍ଥା ଆପଣାଇ ଥାଆନ୍ତି। ପରୀ ପ୍ରସଙ୍ଗରେ ମଧ୍ୟ ଶାସକ ବିଜେଡି ସେହି ସମାନ ରଣକୈାଶଳ ଆପଣାଇଛି। ମାତ୍ର ପରୀକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଏ’ ଲଢ଼େଇ ଜାରି ରହିବ ବୋଲି ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି। ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇ ନିଜ ପୋଲିସ ବିଭାଗ ବିଫଳ ବୋଲି ପରୋକ୍ଷରେ ସ୍ୱୀକାର କରିଛନ୍ତି। ଅନ୍ୟ ପଟେ, ମନ୍ତ୍ରୀ ପଦରେ ରହି ସମଗ୍ର ତଦନ୍ତ ପ୍ରକ୍ରିୟାକୁ ମନ୍ତ୍ରୀ ଅରୁଣ ସାହୁ ପ୍ରଭାବିତ କରିବେ ବୋଲି ଆଜିର ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ତେଣୁ ରାଜ୍ୟ ସରକାର ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରନ୍ତୁ ଓ ନିରପେକ୍ଷ, ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ଏବଂ ସର୍ବୋପରୀ ପରୀକୁ ନ୍ୟାୟ ପାଇଁ ସିବିଆଇ ଦ୍ୱାରା ତଦନ୍ତ ଦାବୀ କରୁଛୁ, ନଚେତ୍ ରାଜ୍ୟ ସରକାରଙ୍କ ସ୍ୱଚ୍ଛଚାରିତା ମନୋଭାବ ଓ ଆଚରଣ ବିରୁଦ୍ଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇ କହିଛନ୍ତି। ସେହିପରି ମହିଳା ମୋର୍ଚ୍ଚାର ରାଲି ପୂର୍ବରୁ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯିବାକୁ ନିନ୍ଦା କରିବା ସହିତ ଗଣତନ୍ତ୍ରରେ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧକୁ ସହିବାକୁ ଏ’ ସରକାର ରାଜି ନାହିଁ। ଏ’ ଲଢ଼େଇ ଆହୁରି ତୀବ୍ରତର ହେବ, ଏ’ ଅତ୍ୟାଚାରୀ ସରକାର ବିରୋଧରେ ଏହି ଆନ୍ଦୋଳନ ଗାଁ’ ଗହଳିକୁ ଯିବ ବୋଲି ଚେତାବନୀ ଦେଇଛନ୍ତି ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା। ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସମେତ ଏହି ବିକ୍ଷୋଭ ଏବଂ ଘେରାଓ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାର, ବିଧାୟିକା କୁସୁମ ଟେଟେ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ, ଇରାନୀ ରାୟ, ରଶ୍ମୀରେଖା ଦାଶ ଏବଂ କସ୍ତୁରୀ ମିଶ୍ରଙ୍କ ସମେତ ଯାଜ୍ଞସେନୀ ଜେନା, ରଶ୍ମୀମୟୀ ପଟ୍ଟନାୟକ, ରାଜ୍ୟ ପ୍ରବକ୍ତା ସୋନାଲୀ ସାହୁ, ମନ୍ଦାକିନୀ ପାତ୍ର, ହରପ୍ରିୟା ସାହୁ, ତୃପ୍ତି ମକଦ୍ଦମ, ପ୍ରବୀଣା ମହାପାତ୍ର, ପ୍ରିୟଦର୍ଶିନୀ ନନ୍ଦ, ପ୍ରବୀଣା ଭଞ୍ଜଦେଓ, ମିନାଲତା ମହାନ୍ତି, ସୁବାଷିନୀ ପୃଷ୍ଟି, ନିରୋଜ ନଳିନୀ ମହାଲିକ ଓ ଶତାଧିକ ମହିଳା କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.