Home ଓଡ଼ିଶା 26 ଜୁଲାଇ, 2020ରେ ଅନୁଷ୍ଠିତ ହେବ ନିଟ – 18, 20, 21, 22, 23...

26 ଜୁଲାଇ, 2020ରେ ଅନୁଷ୍ଠିତ ହେବ ନିଟ – 18, 20, 21, 22, 23 ଜୁଲାଇରେ ଆୟୋଜିତ ହେବ ଜେଇଇ ମେନ – ୟୁଜିସି ନେଟ 2020 ଓ ଜେଇଇ (ଆଡଭାନ୍ସ) ତାରିଖ ଘୋଷଣା ଖୁବଶୀଘ୍ର – ଦୁଇ ଦିନ ମଧ୍ୟରେ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଘୋଷଣା : ମାନବ ସମ୍ବଳ ବିକାଶ ମନ୍ତ୍ରୀ

100

ୱେବିନାର ଜରିଆରେ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

– 2020-21 ଶିକ୍ଷାବର୍ଷ ଲାଗି ଆଇଆଇଟି, ଟ୍ରିପଲଆଇଟି ଓ ଏନଆଇଟି ଶୁଳ୍କ ବୃଦ୍ଧି ହେବ ନାହିଁ

ନୂଆ ଦିଲ୍ଲୀ ୫-୫ (ଓଡ଼ିଆ ପୁଅ) କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ଏକ ୱେବିନାର ଜରିଆରେ ସାରା ଦେଶରୁ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ଏକ ଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ସ୍କୁଲ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଶିକ୍ଷା ବର୍ଷ, ଅନଲାଇନ ଶିକ୍ଷା, ଶୁଳ୍କ, ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ଅନ୍ତର୍ଜାତୀୟ ଛାତ୍ରଛାତ୍ରୀ, ବୃତ୍ତି ଆଦି ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଓ ଶଙ୍କାର ସମାଧାନ କରିଥିଲେ କେନ୍ଦ୍ରମନ୍ତ୍ରୀ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଦେଶର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାଦାନ କାର୍ଯ୍ୟକଳାପକୁ ନେଇ ପ୍ରଧାନମନ୍ତ୍ରୀ ବିଶେଷ ଚିନ୍ତିତ। ଏହାକୁ ଦେଖି ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଆଲୋଚନା ସମୟରେ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେଙ୍କ ପ୍ରଶଂସନୀୟ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ଏହି ଆଲୋଚନା ସମୟରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କରିଥିଲେ। ସେ କହିଥିଲେ ଯେ ନିଟ ପରୀକ୍ଷା 26 ଜୁଲାଇ 2020ରେ ଅନୁଷ୍ଠିତ ହେବ। ସେହିପରି ଜେଇଇ ମେନ ପରୀକ୍ଷା 18, 20, 21, 22, 23 ଜୁଲାଇ, 2020ରେ ଅନୁଷ୍ଠିତ ହେବ। ଜେଇଇ (ଆଡଭାନ୍ସ) ପରୀକ୍ଷା ଅଗଷ୍ଟରେ ଅନୁଷ୍ଠିତ ହୋଇପାରେ। ସେ କହିଥିଲେ ଯେ ୟୁଜିସି ନେଟ 2020 ଏବଂ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।

ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଶ୍ରୀ ପେଖରିୟାଲ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ ପଢ଼ାକୁ ନେଇ ଶାନ୍ତ ଓ ଏକାଗ୍ର ରହିବା ଆବଶ୍ୟକ। ପାଠପଢ଼ା ସମୟରେ ମଝିରେ ମଝିରେ ବିରତି ନେବା ଉଚିତ। ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ୱେବସାଇଟର https://nta.ac.in/LecturesContent ଲିଙ୍କରେ ଯାଇ ଛାତ୍ରଛାତ୍ରୀମାନେ ଫିଜିକ୍ସ, କେମେଷ୍ଟ୍ରି, ମ୍ୟାଥମେଟିକ୍ସ ଓ ବାୟୋଲୋଜି ଅଧ୍ୟୟନ କରିପାରିବେ। ସେ ଆହୁରି କହିଥିଲେ ଯେ ପ୍ରବେଶିକା ପରୀକ୍ଷା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସ୍ୱୟଂପ୍ରଭା ଡିଟିଏଚ ଚାନେଲ ସମେତ, ସ୍ୱୟଂପ୍ରଭାର ଆଇଆଇଟି ପାଲ, ଦୀକ୍ଷା, ଇପାଠଶାଳା, ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ, ସ୍ୱୟଂ, ଇ-ପିଜି ପାଠଶାଳା, ଶୋଧଗଙ୍ଗା, ଇ-ଶୋଧସିନ୍ଧୁ, ଇ-ଯନ୍ତ୍ର, ସ୍ପୋକନ ଟ୍ୟୁଟୋରିଆଲ ଓ ଭର୍ଚ୍ଚୁଆଲ ଲାବ ଭଳି ପ୍ଲାଟଫର୍ମର ସୁବିଧା ପ୍ରଦାନ କରାଯାଉଛି।

ଗ୍ରାମାଞ୍ଚଳରେ ନେଟୱର୍କ ନଥିବା ସ୍ଥାନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସଂକ୍ରାନ୍ତରେ ମନ୍ତ୍ରୀ କହିଥିଲେ ଯେ ଟାଟା ସ୍କାଏ, ଏୟାରଟେଲ, ଡିଡି ଡିଟିଏଚ, ଡିଶ ଟିଭି ଓ ଜିଓ ଟିଭି ଆପରେ ସ୍ୱୟଂପ୍ରଭା ଚାନଲ ପ୍ରସାରଣ କରିବା ଲାଗି ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହିତ ସହଭାଗିତା କରାଯାଇଛି। ସେ କହିଥିଲେ ଯେ ସ୍ୱୟଂପ୍ରଭା ଗ୍ରୁପ ଜରିଆରେ 32ଟି ଡିଟିଏଚ ଚାନେଲ ମାଧ୍ୟମରେ ବିଭିନ୍ନ ବିଷୟରେ ଉନ୍ନତ ମାନର ଶିକ୍ଷାଦାନ ବିଷୟବସ୍ତୁ ପ୍ରସାରଣ କରାଯାଉଛି।

ଶୁଳ୍କ ବୃଦ୍ଧି ସଂକ୍ରାନ୍ତରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏନଆଇଟି, ଆଇଆଇଟି ଓ ଟ୍ରିପଲଆଇଟିରେ 2020-21 ଶିକ୍ଷାବର୍ଷ ଲାଗି କୌଣସି ଶୁଳ୍କ ବୃଦ୍ଧି କରାଯିବ ନାହିଁ।

ସେହିପରି ନବୋଦୟ ବିଦ୍ୟାଳୟଗୁଡ଼ିକର ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ନିଜ ରାଜ୍ୟ ଏବଂ ଘରକୁ ପଠାଇବାର କାର୍ଯ୍ୟ ଆରମ୍ଭ ହୋଇସାରିଛି। 173ଟି ବିଦ୍ୟାଳୟ ମଧ୍ୟରୁ 62ଟି ବିଦ୍ୟାଳୟ ଏହି ପ୍ରକ୍ରିୟା ଆରମ୍ଭ କରିସାରିଲେଣି।

କୋଭିଡ-19 ମହାମାରୀ କାରଣରୁ ପାଠପଢ଼ା ବାଧାପ୍ରାପ୍ତ ହେବା ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ ଇ-ଲର୍ଣ୍ଣିଂ ସମ୍ବଳ ଏବଂ ଉଭୟ ସ୍କୁଲ ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମକୁ ପ୍ରୋତ୍ସାହିତ କରିବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି।

ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ସିବିଏସଇ ପକ୍ଷରୁ କେବଳ ଶ୍ରେଣୀ ଉତ୍ତୀର୍ଣ୍ଣ ଏବଂ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ନାମ ଲେଖା ନିମନ୍ତେ ମୁଖ୍ୟ ବିଷୟଗୁଡ଼ିକରେ ବୋର୍ଡ ପରୀକ୍ଷା ଆୟୋଜନ କରାଯିବ। ସେ ସୂଚନା ଦେଇଥିଲେ ଯେ ଏ ସଂକ୍ରାନ୍ତରେ 01.4.2020 ତାରିଖରେ ସିବିଏସଇ ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ 29ଟି ବିଷୟର ବିବରଣୀ ଦିଆଯାଇଛି। ଏ ସଂକ୍ରାନ୍ତରେ ବାକି ସୂଚନା ବୋର୍ଡର ୱେବସାଇଟ୍ http://cbse.nic.in/ରେ ଉପଲବ୍ଧ ରହିଛି।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ନିର୍ବାଚନ ଲାଗି ମନ୍ତ୍ରଣାଳୟ ସହିତ ପରାମର୍ଶ କରି ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି, ଯାହାକି ୟୁଜିସିର ୱେବସାଇଟରେ ଉପଲବ୍ଧ ରହିଛି।

ବିଭିନ୍ନ ରାଜ୍ୟ/କ୍ଷେତ୍ରରେ କୋଭିଡ-19 ମହାମାରୀ ସଂକ୍ରମଣ ସ୍ଥିତି, ଛାତ୍ରଛାତ୍ରୀଙ୍କ ବାସସ୍ଥାନ ତଥା ପ୍ରସ୍ତୁତିର ସ୍ତରକୁ ବିସ୍ତୃତ ଭାବେ ଆକଳନ କରିବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ମଧ୍ୟାବଧ ସେମିଷ୍ଟର ଓ ବାର୍ଷିକ ସେମିଷ୍ଟର ଆୟୋଜନ କରିପାରିବେ। ଏହା ସମ୍ଭବ ନହେଲେ ଅନ୍ତରୀଣ ମୂଲ୍ୟାୟନ ଆଧାରରେ 50% ଏବଂ ପୂର୍ବ ସେମିଷ୍ଟର (ଅନୁଷ୍ଠିତ ହୋଇଥିଲେ) ଆଧାରରେ 50% ଆଧାରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇପାରିବ। କୌଣସି ବିଷୟରେ ଅଧିକ ନମ୍ବର ରଖିବାକୁ ଚାହୁଁଥିଲେ ଛାତ୍ରଛାତ୍ରୀ ପରବର୍ତ୍ତୀ ସେମିଷ୍ଟରରେ ସେହି ବିଷୟରେ ପରୀକ୍ଷା ଦେଇପାରିବେ।

ଟର୍ମିନାଲ ସେମିଷ୍ଟର/ବାର୍ଷିକ ପରୀକ୍ଷା ଜୁଲାଇ 1ରୁ 15 ତାରିଖ ମଧ୍ୟରେ ଏବଂ ମଧ୍ୟାବଧି ସେମିଷ୍ଟର ଜୁଲାଇ 16ରୁ 31 ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ 2020-21 ଶିକ୍ଷାବର୍ଷ ଲାଗି ସ୍ନାତକ ଓ ସ୍ନାତୋକୋତ୍ତର ପାଠ୍ୟକ୍ରମର ନାମଲେଖା 31.08.2020 ମଧ୍ୟରେ ଶେଷ ହେବ। ଦରକାର ହେଲେ ସେପ୍ଟେମ୍ବର 30, 2020 ପର୍ଯ୍ୟନ୍ତ ନାମଲେଖା ଯାଇପାରିବ। 2020-21 ଶିକ୍ଷାବର୍ଷର ପାଠପଢ଼ା ପୁରୁଣା ଛାତ୍ରଛାତ୍ରୀଙ୍କ ପାଇଁ 01.8.2020 ଠାରୁ ଏବଂ ନୂଆ ଛାତ୍ରଛାତ୍ରୀଙ୍କ ପାଇଁ 01.09.2020ଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ଅଧିକ ସୂଚନା ୟୁଜିସି ୱେବସାଇଟରେ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନାର ସୁଯୋଗ ପାଇଥିବାରୁ ମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.