Home Top News ବ୍ୟକ୍ତି ବଡ଼ ନାଁ ସଙ୍ଗଠନ; ଉତ୍ତର ରଖିଲେ ନଡ୍ଡା: ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା ..

ବ୍ୟକ୍ତି ବଡ଼ ନାଁ ସଙ୍ଗଠନ; ଉତ୍ତର ରଖିଲେ ନଡ୍ଡା: ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା ..

88

ଭୁବନେଶ୍ୱର: ଓଡ଼ିଶା ବିଜେପି ଏବେ ଚରମ ବିଶୃଙ୍ଖଳା ଦେଇ ଗତି କରୁଛି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ କାଳରେ ମଧ୍ୟ ଏପରି ବିଶୃଙ୍ଖଳା ଦେଖାଦେଇଥିଲା। ରାଜ୍ୟ ପ୍ରବକ୍ତା ଠାକୂର ରଞ୍ଜିତ ଦାସ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଧକ୍କା ମାରିବାର ଭିଡିଓ ଭାଇରାଲ୍ ହେଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ କିମ୍ବା ଧର୍ମେନ୍ଦ୍ରଙ୍କୁ ଖୁସି କରାଇବା ପାଇଁ ଠାକୂର ରଞ୍ଜିତ ଏପରି କଲେ ବୋଲି କୁହାଗଲା। କଥା ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲା। ଠାକୂର ରଞ୍ଜିତ ମନ୍ତ୍ରୀଙ୍କ ଖାସ୍ ଅନୁଗତ ହୋଇଥିବାରୁ ସାଧାରଣରେ ଏହା ଧର୍ମେନ୍ଦ୍ରଙ୍କ ପ୍ରତି ଏକ ଖରାପ ଧାରଣା ସୃଷ୍ଟି କରାଇଲା। ଫେରିଲା ବେଳେ ରାଜ୍ୟ ମୁଣ୍ଡିଆଳ ତଥା ରାଜ୍ୟ ନେତୃତ୍ୱଙ୍କ ଉପରେ ପ୍ରବଳ ଅସନ୍ତୋଷ ତଥା ଭର୍ତ୍ସନା କରି ଫେରିଥିଲେ ଶାହା। ସେହିପରି ରାଷ୍ଟ୍ରପତି ପାର୍ଥିନୀ ଭାବରେ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରିବା ସମୟରେ ବିଜେପିର ଏକମାତ୍ର ମହିଳା ବିଧାୟିକା କୁଶୁମ ଟେଟେଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଠେଲି ଦେବାର ଦେଖିବାକୁ ମିଳିଥିଲା। ଆଉ ସବୁଠାରୁ ବଡ଼ କଥା ହେଲା ରାଜ୍ୟ ବିଜେପିରେ ଚାଲିଥିବା ଏପରି ଗୋଷ୍ଠୀ ବିବାଦ ବାବଦରେ ସଂପୂର୍ଣ୍ଣ ଅବଗତ ଥିବା ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ବି. ଏଲ୍ ସନ୍ତୋଷ ପୁରୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଏମାନଙ୍କୁ ଖୁବ୍ ଭର୍ତ୍ସନା କରିବା ସହିତ ସୁଧୁରିଯିବା ପାଇଁ କଡ଼ା ତାଗିଦ୍ କରିଦେଇ ଯାଇଥିଲେ। ଏବେ ପୁଣି ୨୯ ଏବଂ ୩୦ ତାରିଖ ଦୁଇ ଦିନ ଧରି ଓଡ଼ିଶା ଗସ୍ତରେ ଆସିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା। ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଏକ ବୈଠକରେ ରାଜ୍ୟ ପ୍ରବକ୍ତା ଯତୀନ ମହାନ୍ତି ଏକ ପ୍ରଶ୍ନ କରିଥିଲେ। ପ୍ରଶ୍ନଟି ଥିଲା, ବ୍ୟକ୍ତି ବଡ଼ ନାଁ, ସଙ୍ଗଠନ ବଡ଼? ତେବେ, ଏହାର ଉତ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଲେ ଯେ, ଆରବୀ ଘୋଡ଼ା ତ’ ଦୌଡ଼ିବ। ସଇସ (ଘୋଡ଼ା ଚାଳକର) କାମ ସେ କିପରି ଘୋଡ଼ାକୁ ନିୟନ୍ତ୍ରଣ କରିବ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ଏପରି ଶାଣିତ ଉତ୍ତର ଶୁଣି ଯତୀନ ମହାନ୍ତି ଅପ୍ରସ୍ତୁତ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା (ଆପେକ୍ଷିତ) ପଦାଧିକାରୀ ମାନେ ମଧ୍ୟ ଆବାକାବା ହୋଇଯାଇଥିଲେ। ଆଉ, ନଡ୍ଡାଙ୍କ ଏପରି ଉତ୍ତର ଶୁଣି ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁ ପୂରା ମଳିନ ପଡ଼ିଯାଇ ଥିଲା। କାରଣ, କୁହାଯାଉଛି ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ଯତୀନ ମହାନ୍ତିଙ୍କ ଏହି ପ୍ରଶ୍ନ ଅପରାଜିତା ଷଡ଼ଙ୍ଗୀଙ୍କ ଉଦ୍ଦେଶ୍ୟରେ ହିଁ ଆକ୍ଷେପ ଥିଲା।ଘଟଣା ଭିତରକୁ ଗଲେ ଜଣାପଡ଼େ, ମଝିରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଯତୀନ ମହାନ୍ତିଙ୍କୁ ଜିଲ୍ଲା ସଭାପତି ଘୋଷଣା କରାଯାଇଥିଲା। ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଜେପି ସଙ୍ଗଠନ ଉପରେ ବଡ଼ ପ୍ରଭାବ ରଖୁଥିବା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ, ଅଳ୍ପ ଦିନ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କେନ୍ଦ୍ରୀୟ ସ୍ତରରୁ ପ୍ରଭାବ ପକାଇ ଏହି ବିଜ୍ଞପ୍ତିକୁ ରଦ୍ଦ କରାଇ ଦେଇଥିଲେ। ଯତୀନଙ୍କୁ ହଟାଯାଇ ଜିଲ୍ଲା ସଭାପତି ଭାବରେ ରଶ୍ମି ମହାପାତ୍ରଙ୍କୁ ପୁନଃ ଅବସ୍ଥାପତ କରାଗଲା। ଅପରାଜିତାଙ୍କ କଥା ରହିଲା ଏବଂ ସମୀର ମହାନ୍ତି, ଗୋଲକ ମହାପାତ୍ରଙ୍କ ସମେତ ଏହି ନିଷ୍ପତ୍ତି ପଛରେ ଥିବା ସଭିଏଁ ଅପଦସ୍ତ ହେଲେ। ଏବେ ନିକଟରେ ଯତୀନ ମହାନ୍ତି “ଇଣ୍ଡିଆ ପୋଷ୍ଟ୍ ପେମେଣ୍ଟସ୍ ବ୍ୟାଙ୍କ” ବୋର୍ଡ଼ର ସ୍ୱାଧୀନ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ପାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁଗ୍ରହରେ ଯତୀନ ଏହି ନିଯୁକ୍ତି ପାଇଛନ୍ତି। ଏମିତିରେ ଯତୀନ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଟିକେଟ୍ ପାଇଁ ଆଶାୟୀ ଅଛନ୍ତି। ଆଉ, ଏବେ ବେଗୁନିଆ ନିର୍ବାଚନ ମଣ୍ଡଳୀର କିଛି ଅସନ୍ତୁଷ୍ଟ କର୍ମୀ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। କେନ୍ଦ୍ର ପାଖରେ ଫେରାଦ୍ ହେବାର ଧମକ ଦେଉଛନ୍ତି। ଏହା ପଛରେ ଯତୀନ ମହାନ୍ତିଙ୍କ ହାତ ଥିବା ଏବଂ ଯତୀନ ଧର୍ମେନ୍ଦ୍ର ପ୍ରଧାନଙ୍କ ଇଙ୍ଗିତରେ ଏପରି କରୁଥିବା କୁହାଯାଉଛି। ତେଣୁ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମ୍ମୁଖରେ ଯତୀନ ମହାନ୍ତିଙ୍କ ପ୍ରଶ୍ନ ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ଅପରାଜିତାଙ୍କ ଉଦ୍ଦେଶ୍ୟରେ ଆକ୍ଷେପ ଥିଲା ବୋଲି କୁହାଯାଉଛି। ସେହିପରି ନଡ୍ଡାଙ୍କ ଉତ୍ତର ମଧ୍ୟ “ଆରବୀ ଘୋଡ଼ା ତ’ ଦୌଡ଼ିବ” ଅପରାଜିତାଙ୍କ ପାଇଁ ଉଦିଷ୍ଟ ଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଦୁନିଆରେ ଶ୍ରେଷ୍ଠ ପ୍ରଜାତିର ଘୋଡ଼ା ମଧ୍ୟରେ ଆରବୀ ଘୋଡ଼ା ଅନ୍ୟତମ। ଆରବୀ ଘୋଡ଼ା ଏକ ପ୍ରାଚୀନ ପ୍ରଜାତିର ଘୋଡ଼ା। ଶାରୀରିକ ଗଠନ ସମେତ ଶକ୍ତି ଏବଂ ତେଜ୍ ଗତି ପାଇଁ ଦୁନିଆଁ ସାରା ଆରବୀ ଘୋଡ଼ାର ଏକ ସ୍ୱତନ୍ତ୍ର ପରିଚୟ ଏବଂ ଚାହିଦା ରହିଛି।
-/DevDrath

ଓଡ଼ିଶା ବିଜେପିରେ ଆରବୀ ଘୋଡ଼ା: ଅପରାଜିତା ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.