Home ଓଡ଼ିଶା ଚାଷୀଙ୍କୁ ବିପୁଳ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଜ୍ଞାପିତ ଫଳ ଓ ପନିପରିବାର ରେଳ ପରିବହନ ଭଡ଼ାରେ...

ଚାଷୀଙ୍କୁ ବିପୁଳ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବିଜ୍ଞାପିତ ଫଳ ଓ ପନିପରିବାର ରେଳ ପରିବହନ ଭଡ଼ାରେ ୫୦ ପ୍ରତିଶତ ସବ୍‌ସିଡି ବ୍ୟବସ୍ଥା

296

– ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍‌ପାତି ଆଦି ଫଳ ତଥା ବିନ୍ସ, କଲରା, ବାଇଗଣ, ସିମଳା ଲଙ୍କା, ଗାଜର, ଫୁଲକୋବି, କଞ୍ଚାଲଙ୍କା, ଭେଣ୍ଡି, କାକୁଡି, ମଟର ଛୁଇଁ, ରସୁଣ, ପିଆଜ, ଆଳୁ ଓ ଟମାଟୋ ଆଦି ପରିବା ଉପରେ ତୁରନ୍ତ ରିଆତି ଭଡ଼ା ଲାଗୁ

– ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଅପରେସନ ଗ୍ରୀନ୍ସ-ଟପ୍‌ ଟୁ ଟୋଟାଲ ଯୋଜନାରେ ରେଳ ମନ୍ତ୍ରଣାଳୟ ସାମିଲ ହୋଇ ଏହି ବିଜ୍ଞାପିତ ଫଳ ଓ ପନିପରିବା ପରିବହନ ଉପରେ ସବ୍‌ସିଡି ଦେବା ପାଇଁ ନିଷ୍ପତ୍ତି

– ଚଳିତବର୍ଷ ଅକ୍ଟୋବର ୧୪ରୁ ରିଆତି ବ୍ୟବସ୍ଥା କାର୍ଯ୍ୟକାରୀ

କିଷାନ ରେଳ ବ୍ୟବହାର କରୁଥିବା ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ରେଳ ମନ୍ତ୍ରଣାଳୟ ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ନିର୍ଦ୍ଦିଷ୍ଟ ବିଜ୍ଞାପିତ ଫଳ ଓ ପନିପରିବା ଉପରେ ୫୦ ଶତାଂଶ ରିଆତି ଦେବାକୁ ନିଷ୍ପତ୍ତି ନେଇ ତାହାକୁ ତତ୍କାଳ କାର୍ଯ୍ୟକାରୀ କରିଛି। ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟର ଅପରେସନ ଗ୍ରୀନ୍ସ-ଟପ୍‌ ଟୁ ଟୋଟାଲ ଯୋଜନାରେ ଚାଷୀଙ୍କୁ କିଷାନ ରେଳରେ ଏହି ରିଆତି ସିଧାସଳଖ ଯୋଗାଇ ଦିଆଯିବ। ଏ ବାବଦରେ ରେଳବାଇର ଯେଉଁ ଅର୍ଥ ଖର୍ଚ୍ଚ ହେବ ତାହାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଭରଣା କରିବ। ଦେଶରେ ଚଳାଚଳ କରୁଥିବା କିଷାନ ଟ୍ରେନଗୁଡିକରେ ଏହି ପରିବହନ ରିଆତି ସୁବିଧା ଚଳିତବର୍ଷ ଅକ୍ଟୋବର ୧୪ ତାରିଖରୁ ଲାଗୁ କରାଯାଇଛି।

ଯେଉଁସବୁ ବିଜ୍ଞାପିତ ଖାଦ୍ୟ ଓ ପନିପରିବା ଏହି ରିଆତି ତାଲିକାରେ ରହିଛି ସେଗୁଡିକ ହେଲା-

ଫଳ- ଆମ୍ବ, ପାଚିଲା କଦଳୀ, ପିଜୁଳି, ଲିଚୁ, ଅମୃତଭଣ୍ଡା, ମୌସମ୍ବୀ, କମଳା, କିନୁ, କିୱି, କାଗାଜି ଏବଂ ବିଭିନ୍ନ ପ୍ରକାର ଖଟା ଲେମ୍ବୁ, ସପୁରୀ, ଡାଳିମ୍ବ, ପଣସ, ସେଓ, ପେସ୍ତାବାଦାମ, ଅଁଳା, ନାସ୍‌ପାତି।

ପନିପରିବା- ବିନ୍ସ, କଲରା, ବାଇଗଣ, ସିମଳା ଲଙ୍କା, ଗାଜର, ଫୁଲକୋବି, କଞ୍ଚାଲଙ୍କା, ଭେଣ୍ଡି, କାକୁଡି, ମଟର ଛୁଇଁ, ରସୁଣ, ପିଆଜ, ଆଳୁ ଓ ଟମାଟୋ।

ଭବିଷ୍ୟତରେ ଆବଶ୍ୟକ ପଡିଲେ କୃଷି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ସୁପାରିସ ଆଧାରରେ ଅନ୍ୟାନ୍ୟ ଫଳ ଓ ପନିପରିବା ପରିବହନ ଉପରେ କିଷାନ ଟ୍ରେନରେ ପରିବହନ ରିଆତି ଯୋଗାଇ ଦିଆଯିବ। ଦେଶର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କୃଷିଜାତ ସାମଗ୍ରୀ ବିଶେଷକରି ଫଳ ଓ ପନିପରିବା ସହଜରେ ପଠାଇବା ପାଇଁ ସରକାର କିଷାନ ରେଳ ଚଳାଚଳର ବ୍ୟବସ୍ଥା କରିଛନ୍ତି। ଏହା ଫଳରେ ଉଭୟ ଚାଷୀ ଓ ଖାଉଟି ଉପକୃତ ହେଉଛନ୍ତି। ସୁବିଧାରେ ଏବଂ ଶୀଘ୍ର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଫଳ ଓ ପନିପରିବା ପହଞ୍ଚିପାରୁଛି। ଏହି ବ୍ୟବସ୍ଥା ଦ୍ୱାରା ଛୋଟ ଚାଷୀ ଓ କ୍ଷୁଦ୍ର କ୍ଷୁଦ୍ର ବ୍ୟବସାୟୀ ବିଶେଷ ଉପକୃତ ହେଉଛନ୍ତି। ସର୍ବୋପରି ଏହାଦ୍ୱାରା ଚାଷୀଙ୍କ ଆୟ ବଢୁଛି। ସେମାନେ ଉପଯୁକ୍ତ ମୂଲ୍ୟରେ ସେମାନଙ୍କ ସାମଗ୍ରୀ ବିକିବାର ସୁଯୋଗ ପାଉଛନ୍ତି।

କିଷାନ ରେଳର ଆଉ ଏକ ବିଶେଷତ୍ୱ ହେଲା ଏହା ଫଳ ଓ ପନିପରିବା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ଶୀଘ୍ର ପହଞ୍ଚାଇପାରୁଛି। ଏହାଦ୍ୱାରା ଯୋଗାଣ ପ୍ରକ୍ରିୟା ନିର୍ଭରଯୋଗ୍ୟ ଏବଂ ତ୍ୱରିତ ହୋଇଛି। ଆହୁରି ମଧ୍ୟ ଉତ୍ପାଦନ କ୍ଷେତ୍ରଠାରୁ ଖାଉଟିଙ୍କ ବ୍ୟବହାର ପର୍ଯ୍ୟନ୍ତ ସିଧାସଳଖ ସୁରକ୍ଷା ପ୍ରକ୍ରିୟା ରହିଥିବାରୁ ଏସବୁ ସାମଗ୍ରୀ ପଚିଶଢି ନଷ୍ଟ ହେବାର ସମ୍ଭାବନା ନାହିଁ। ଫଳରେ ଚାଷୀ ଓ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡୁନାହିଁ।

ଦେଶରେ କିଷାନ ରେଳର ସ୍ଥିତି

– ପ୍ରଥମ କିଷାନ ରେଳ ମହାରାଷ୍ଟ୍ରର ନାସିକରୁ ଦେବଲାଲି ଦେଇ ବିହାରର ପାଟନା ନିକଟବର୍ତ୍ତୀ ଦାନାପୁରକୁ ଚଳିତବର୍ଷ ଅଗଷ୍ଟ ୭ ତାରିଖରେ ସାପ୍ତାହିକ ଟ୍ରେନଭାବେ ଚଳାଚଳ ଆରମ୍ଭ କରିଥିଲା। ପରେ ଲୋକଙ୍କ ଦାବିକୁ ବିଚାରକୁ ନେଇ ଏହାର ଗତିପଥକୁ ବିହାରର ମୁଜାଫରପୁର ଯାଏଁ ବଢାଇ ଦିଆଯାଇଥିଲା। ଏବେ ଏହା ସପ୍ତାହକୁ ଦୁଇଥର ଚଳାଚଳ କରୁଛି। ଏହାଛଡା ମହରାଷ୍ଟ୍ରର ସଙ୍ଗଲା ଓ ପୁଣେରୁ ଦୁଇଟି କୋଚ ଆସି ମନ୍‌ମାଡ ଷ୍ଟେସନରେ ଏହି ଟ୍ରେନ ସହିତ ସଂଯୋଗ ହେଉଛି।

– ଦ୍ୱିତୀୟ କିଷାନ ରେଳ ଆନ୍ଧ୍ରପ୍ରଦେଶର ଅନନ୍ତପୁରଠାରୁ ନୂଆଦିଲ୍ଲୀର ଆଦର୍ଶନଗର ମଧ୍ୟରେ ପ୍ରତି ସପ୍ତାହରେ ଥରେ ଗତ ସେପ୍‌ଟେମ୍ବର ୯ ତାରିଖରୁ ଚଳାଚଳ ଆରମ୍ଭ କରିଛି।

– ତୃତୀୟ କିଷାନ ରେଳ କର୍ଣ୍ଣାଟକର ବେଙ୍ଗାଲୁରୁଠାରୁ ନୂଆଦିଲ୍ଲୀର ହଜରତ୍‌ ନିଜାମୁଦ୍ଦିନ ଷ୍ଟେସନ ମଧ୍ୟରେ ଚଳାଚଳ କରୁଛି। ଚଳିତବର୍ଷ ସେପ୍‌ଟେମ୍ବର ୯ ତାରିଖରେ ଏହି ସପ୍ତାହିକ କିଷାନ ରେଳର ଚଳାଚଳ ଆରମ୍ଭ ହୋଇଥିଲା।

– ଚତୁର୍ଥ କିଷାନ ରେଳ ଚଳାଚଳ ଚଳିତ ମାସ ୧୪ ତାରିଖରୁ ନାଗପୁରରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ ଆରମ୍ଭ କରିଛି। ଏହି ଟ୍ରେନ ନାଗପୁର ଓ ୱରୁଡ କମଳାନଗରୀ ସହ ରାଜଧାନୀ ଦିଲ୍ଲୀକୁ ଯୋଡିଛି।

ଏଠାରେ ସୂଚନାଯୋଗ୍ୟ ଯେ ଭାରତୀୟ ରେଳବାଇ ଏହାର ମାଲବାହୀ ଟ୍ରେନଗୁଡିକ ସାହାଯ୍ୟରେ କୃଷିଜାତ ସାମଗ୍ରୀର ପରିବହନ ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛି। ଲକ୍‌ଡାଉନ କାଳରେ ମଧ୍ୟ ମାଲବାହୀ ଟ୍ରେନଗୁଡିକ ନିୟମିତ ଚଳାଚଳ କରି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବ୍ୟବସ୍ଥାକୁ ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଫଳରେ ଦେଶରେ କୌଣସି ଭାଗରେ ଜିନିଷପତ୍ରର ଅଭାବ ପରିଲକ୍ଷିତ ହୋଇନଥିଲା। ଗହମ, ଡାଲି, ଫଳ ଓ ପନିପରିବା ପରିବହନ ପାଇଁ ରେଳବାଇ ପକ୍ଷରୁ ମାଲବାହୀ ଟ୍ରେନରେ ଅଧିକ ରେକର ବ୍ୟବସ୍ଥା କରାଯାଇଛି ଏବଂ ଏସବୁ ସାମଗ୍ରୀର ସୁଗମ ହୋଇଛି।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.