Home ଅପରାଧ ହୋମ୍ ଡେଲିଭରି: ଘରେ ଘରେ ଚାଇନିଜ୍ ଆପ୍ ପହଞ୍ଚାଉଛି ବିଜେପି ..

ହୋମ୍ ଡେଲିଭରି: ଘରେ ଘରେ ଚାଇନିଜ୍ ଆପ୍ ପହଞ୍ଚାଉଛି ବିଜେପି ..

335

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ “ଜନ ସମ୍ବାଦ ରାଲି”ର ଆୟୋଜନ କରାଯାଉଛି। ମୋଦୀ ସରକାର ୨.୧ର ରିପୋର୍ଟ କାର୍ଡ ଜନତାଙ୍କ ନିକଟରେ ରଖୁଛି ବିଜେପି। ଯେଉଁଥିରେ ସାମାଜିକ ଦୂରତା ରକ୍ଷା କରି ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ପଦାଧିକାରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ମାଧ୍ୟମରେ ସମ୍ବୋଧିତ କରି ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ବର୍ଣ୍ଣନା କରୁଛନ୍ତି।

ତଦ୍ ଅନୁଯାୟୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରି ସାରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯାହାର ନାମ ଥିଲା “ଓଡ଼ିଶା ଜନ ସମ୍ବାଦ ରାଲି”। ଅମିତ ଶାହା ତାଙ୍କ ସମ୍ବୋଧନରେ ମୋଦୀ ସରକାରଙ୍କ ବିଭିନ୍ନ ଉପଲବ୍ଧି ଗୁଡ଼ିକ ଉପରେ କହିବା ସହ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ରହିଥିବା ଅବଦାନ ଗୁଡ଼ିକ ବଖାଣିଥିଲେ। ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବୋଧିତ କରିବା ସହ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ। ଏଣେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଥାଇ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ଅନ୍ୟ ନେତୃବୃନ୍ଦ ମଧ୍ୟ ଉଦ୍ବୋଧନ ଦେଇଥିଲେ। ତେବେ, ଏତିକିରେ ମନ ପୁରିଲା ନାହିଁ। ଏହାପରେ ଓଡ଼ିଶା ମହିଳା ଜନ ସମ୍ବାଦ ରାଲି, ଓଡ଼ିଶା କୃଷକ ଜନ ସମ୍ବାଦ ରାଲି, ଓଡ଼ିଶା ଯୁବା ସମ୍ବାଦ ରାଲି ଆଦି କରାଯାଇଥିବା ବେଳେ ଅନ୍ୟାନ୍ୟ ମୋର୍ଚ୍ଚା ଗୁଡ଼ିକର ଏବଂ ବିଧାନସଭା କ୍ଷେତ୍ର ଅନୁଯାୟୀ ଜନ ସମ୍ବାଦ ରାଲି, ଜିଲ୍ଲା ଅନୁଯାୟୀ ବିଭିନ୍ନ ମୋର୍ଚ୍ଚା ଜନ ସମ୍ବାଦ ରାଲି ଆଦି କରାଯାଉଛି ଅବା ପ୍ରସ୍ତୁତି ଚାଲିଛି। ଦୂତିୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ମୋଦୀ ସରକାରଙ୍କ ଉପଲବ୍ଧି ଗୁଡ଼ିକ (ରିପୋର୍ଟ କାର୍ଡ) ବାରମ୍ବାର ଦୋହରା ଯାଉଛି। ଅମିତ ଶାହା ଯୋଗ ଦେଇଥିବା ଓଡ଼ିଶା ଜନ ସମ୍ବାଦ ରାଲି ଫେସବୁକ୍, ଟ୍ୱିଟର୍, ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରଣ ହେବା ସହିତ ୱେବ୍- ଏକ୍ସ୍ ଡିଜିଟାଲ୍ ପ୍ଲାଟଫର୍ମ୍ ମାଧ୍ୟମରେ ଏହି ଭର୍ଚୁଆଲ୍ ରାଲିରେ ସିଧାସଳଖ ଯୋଡ଼ି ହୋଇଥିଲେ ବିଜେପି କାର୍ଯ୍ୟକର୍ତ୍ତା। ତେବେ, ଏହା ପରଠାରୁ ହେଉଥିବା ଜନ ସମ୍ବାଦ ଭର୍ଚୁଆଲ୍ ରାଲି ପାଇଁ ପ୍ରାୟତଃ ବ୍ୟବହାର କରାଯାଉଛି ଚାଇନିଜ୍ ଜୁମ୍ ଆପ୍।

ଏଣେ, ଦେଶ କରୋନା ମହାମାରୀ ସଙ୍କଟ ଦେଇ ଗତି କରୁଥିବା ବେଳେ ତେଣେ ଭାରତ – ଚାଇନା ସୀମାରେ ଲାଗି ରହିଛି ଉତ୍ତେଜନା। LACରେ ଯୁଦ୍ଧ ପ୍ରାୟ ପରିସ୍ଥିତି। ଉଭୟ ଚୀନ ଏବଂ ଭାରତ ନିଜନିଜ ସ୍ଥିତିରେ ଅଟଳ ଅଛନ୍ତି। କେହି କାହା ପୋଜିସନରୁ ହଟୁ ନାହାଁନ୍ତି। ମିଲିଟାରି ଏବଂ କୂଟନୈତିକ ସ୍ତରରେ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନର କୌଣସି ସୂତ୍ର ବାହାରି ପାରୁନାହିଁ। ପୂର୍ବ ସ୍ଥିତି ବଜାୟ ରଖାଯାଉ ବୋଲି ଭାରତ ଚୀନ ନିକଟରେ ଦାବି କରିଛି। ଚୀନ ସେନା ନିଜ ପୂର୍ବ ଅବସ୍ଥିତିକୁ ଫେରିଯାଉ ବୋଲି ଭାରତ ଚାହୁଁଛି। କିନ୍ତୁ ଚୀନ ହଟୁ ନାହିଁ। ତେଣୁ ମୁହାଁମୁହିଁ ପରିସ୍ଥିତି ଲାଗି ରହିଛି। ଉତ୍ତେଜନା ଲାଗି ରହିଥିବାରୁ ଉଭୟ ପକ୍ଷ ସୀମାରେ ସେନା ଠୁଳ ହେଉଥିବାର ଖବର ଆସୁଛି। ଏପରି ସ୍ଥିତିରେ ବିଶେଷ କରି ୨୦ ଜଣ ଭାରତୀୟ ଯବାନଙ୍କ ବଳିଦାନ ପରେ ଦେଶ ଭିତରେ ଚାଇନା ପ୍ରତି ବିରୋଧାଭାଷ ବୃଦ୍ଧି ପାଇଛି। ବୟକଟ୍ ଚାଇନା ପ୍ରଡକ୍ଟ୍ (ଚାଇନା ସାମଗ୍ରୀ ବର୍ଜନ) ନେଇ ଭାରତରେ ଉଠୁଥିବା ସ୍ୱର ଏହି ଘଟଣା ପରେ ଆହୁରି ତୀବ୍ର ହୋଇଛି। ଦେଶର ଜନତା ଦେଶଭକ୍ତିରେ ଡୁବି ଯାଇଛନ୍ତି। ଚାଇନା ବିରୋଧରେ ଅକ୍ରୋଶ ବୃଦ୍ଧି ପାଇଛି। ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ ଏବଂ ଚାଇନା ସାମଗ୍ରୀ ବର୍ଜନ ନେଇ ଚାରିଆଡ଼ୁ ସ୍ୱର ଶୁଭୁଛି।

କିନ୍ତୁ, ଏଥିରୁ ବ୍ୟତିକ୍ରମ ରହିଛି ଓଡ଼ିଶା ବିଜେପି। ଦେଶ ଏଣେ ରାଷ୍ଟ୍ରଭକ୍ତି ନିଶାରେ ଡୁବି ଯାଇଥିବା ବେଳେ ଚାଇନିଜ୍ ସାମଗ୍ରୀ ଏବଂ ଚାଇନିଜ୍ ଆପ୍ ବର୍ଜନ ପାଇଁ ଆହ୍ୱାନ ଦେଉଥିବା ବେଳେ ଓଡ଼ିଶାରେ ବିଜେପି କିନ୍ତୁ ସେମାନଙ୍କ ଭିଡିଓ କନ୍ଫରେନ୍ସିଂ ଭର୍ଚୁଆଲ୍ ରାଲି ପାଇଁ ଚାଇନିଜ୍ ଜୁମ୍ ଆପ୍ ନିଶାରେ ଚୁର୍ ଅଛନ୍ତି। ଅନ୍ୟକୁ ରାଷ୍ଟ୍ର ଭକ୍ତିର ପାଠ ପଢ଼ାଉଥିବା ବିଜେପି ଏଠି ନିଜର ଆତ୍ମପ୍ରଚାର ପାଇଁ ରାଷ୍ଟ୍ରଭକ୍ତି ଭୁଲି ଯାଇଛି। ଖବର ଅନୁଯାୟୀ, ତୃଣମୂଳ ସ୍ତରର ଅନେକ ବିଜେପି କାର୍ଯ୍ୟକର୍ତ୍ତା ଅନ୍ୟ କିଛି ଚାଇନିଜ୍ ଆପ୍ ସହ ଜୁମ୍ ଆପ୍ ନିଜ ମୋବାଇଲରୁ ଡିଲିଟ୍ କରିଦେଇ ଥିଲେ। କିନ୍ତୁ, ଭର୍ଚୁଆଲ୍ ରାଲି ପାଇଁ ରାଜ୍ୟ ବିଜେପି ପକ୍ଷରୁ ଏମାନଙ୍କ ପାଖକୁ ଜୁମ୍ ଆପ୍ ଲିଙ୍କ୍ ପଠାଯାଇ ଏଥିରେ ଯୋଡ଼ି ହେବାକୁ କୁହାଯାଉଛି। ଅନିଚ୍ଛା ସତ୍ତ୍ୱେ ଏହି କାର୍ଯ୍ୟକର୍ତ୍ତାମାନେ ବାଧ୍ୟ ହୋଇ ପୁଣି ଜୁମ୍ ଆପ୍ ଇଂଷ୍ଟାଲ୍ କରୁଛନ୍ତି। ଯିଏ କେବେ ଜୁମ୍ ଆପ୍ ବ୍ୟବହାର କରୁନଥିଲା ସେ ମଧ୍ୟ ବିଜେପି ନେତୃତ୍ୱଙ୍କ କଥାରେ ପଡ଼ି ଜୁମ୍ ଆପ୍ ଇଂଷ୍ଟାଲ୍ କରୁଛନ୍ତି। ସତେ ଯେପରି ବିଜେପି ଚାଇନିଜ୍ ଜୁମ୍ ଆପ୍ ଘରେ ଘରେ ପହଞ୍ଚାଉଛି, ହୋମ୍ ଡେଲିଭରି ଦେଉଛି।

ଚାଇନିଜ୍ ସାମଗ୍ରୀ ବ୍ୟବହାର ଦ୍ୱାରା ଆମେ ଚାଇନାକୁ ଆର୍ଥିକ ଲାଭ ଦେଇଥାଏ। କିନ୍ତୁ, ଚାଇନିଜ୍ ଆପ୍ ବ୍ୟବହାର ଦ୍ୱାରା ଆମେ ଚାଇନାକୁ ଆର୍ଥିକ ଲାଭ ଦେବା ସହିତ ଦେଶର ଗୁପ୍ତତଥ୍ୟ ପ୍ରଦାନ କରି ଦେଇଥାଏ। କାରଣ ଚାଇନା ଏପରି ସବୁ ଆପ୍ ମାଧ୍ୟମରେ ଅନ୍ୟ ଦେଶର ଗୁପ୍ତ ତଥ୍ୟ ସବୁ ସଂଗ୍ରହ କରିଥାଏ। ତେଣୁ ଚାଇନା ସାମଗ୍ରୀ ବ୍ୟବହାର ଅପେକ୍ଷା ଚାଇନିଜ୍ ଆପ୍ ବ୍ୟବହାର ଅଧିକ ମାରାତ୍ମକ ହୋଇଥାଏ। ନିକଟରେ ଭାରତୀୟ ସୁରକ୍ଷା ଏଜେନ୍ସି ଗୁଡ଼ିକ ଚାଇନା ସହିତ ସଂଯୁକ୍ତ ୫୨ଟି ମୋବାଇଲ୍ ଆପ୍ଲିକେସନକୁ ଅବରୋଧ କରିବାକୁ କିମ୍ବା ବ୍ୟବହାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେବାକୁ ସରକାରଙ୍କୁ କହିଛନ୍ତି। ଏହି ଆପ୍ ଗୁଡ଼ିକ ବ୍ୟବହାର କରିବା ସୁରକ୍ଷିତ ନୁହେଁ, କାରଣ ଏହି ଆପଗୁଡ଼ିକ ଭାରତରୁ ବହୁ ପରିମାଣରେ ତଥ୍ୟ ଲିକ୍ କରୁଛନ୍ତି ବୋଲି କହିଛନ୍ତି ସୁରକ୍ଷା ଏଜେନ୍ସି। ସୁରକ୍ଷା ଏଜେନ୍ସି ସରକାରଙ୍କୁ ପଠାଇଥିବା ତାଲିକାରେ ଭିଡିଓ କନ୍ଫରେନ୍ସିଂ ଆପ୍ ଜୁମ୍, ଟିକଟକ୍, ୟୁସି ବ୍ରାଉଜର, ଏକ୍ସଣ୍ଡର୍, ସେୟାର୍ ଇଟ୍ ଏବଂ କ୍ଲିନ୍ ମାଷ୍ଟର ଭଳି ପ୍ରାୟ ୫୨ଟି ଆପ୍ ଅନ୍ତର୍ଭୁକ୍ତ। ଗୁପ୍ତଚର ଏଜେନ୍ସି ଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ମଧ୍ୟ ସମର୍ଥନ କରିଛନ୍ତି। ସୁରକ୍ଷା ପରିଷଦ ମଧ୍ୟ ବିଶ୍ୱାସ କରେ ଯେ ଏହି ଆପ ଗୁଡ଼ିକ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ସୂଚନା ମୁତାବକ, ଏହି ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି। ସମସ୍ତ ମୋବାଇଲ୍ ଆପ୍ ଗୁଡ଼ିକର ଏବଂ ଏଥିରେ ଥିବା ବିପଦର ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି।

ତେବେ, ସବୁଠାରୁ ଅଧିକ ଭୟଙ୍କର କୁହାଯାଇ ପାରେ ଜୁମ୍ ଆପ୍। କାରଣ ଚଳିତ ବର୍ଷ ଏପ୍ରିଲରେ ଗୃହ ମନ୍ତ୍ରଣାଳୟ ଭିଡିଓ କନ୍ଫରେନ୍ସିଂ ଆପ୍ ଜୁମ୍ ବ୍ୟବହାର ଉପରେ ଏକ ଆଡଭାଇଜର୍ ଜାରି କରିଥିଲା। ନ୍ୟାସନାଲ ସାଇବର ସିକ୍ୟୁରିଟି ଏଜେନ୍ସି କମ୍ପ୍ୟୁଟର ଜରୁରୀକାଳୀନ ରେସପନ୍ସ ଟିମ୍ ଇଣ୍ଡିଆ (CERT-in) ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପରାମର୍ଶ ଦିଆଯାଇଥିଲା। ଜୁମ୍ ଆପ୍ ବ୍ୟବହାର କରିବା ନେଇ ବାରଣ କରାଯିବାରେ ଭାରତ ପ୍ରଥମ ଦେଶ ନୁହେଁ। ଏହା ପୂର୍ବରୁ ତାଇୱାନ ମଧ୍ୟ ସରକାରୀ ଏଜେନ୍ସି ଗୁଡ଼ିକୁ ଜୁମ୍ ଆପ୍ ବ୍ୟବହାର କରିବାକୁ ବାରଣ କରିଥିଲା। ଜର୍ମାନୀ ଏବଂ ଆମେରିକା ମଧ୍ୟ ସମାନ କାର୍ଯ୍ୟ କରିଛନ୍ତି। ସୁରକ୍ଷା ଏଜେନ୍ସି କହିବା ଅନୁଯାୟୀ, ଚାଇନିଜ୍ ଡେଭଲପର୍ସଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା କିମ୍ବା ଚାଇନିଜ୍ ଲିଙ୍କ୍ ଆପ୍ ଗୁଡ଼ିକ ଆଣ୍ଡ୍ରଏଡ୍ ପାଇଁ ହେଉ କିମ୍ବା ଆଇଓଏସ୍ ପାଇଁ ହେଉ, ଗୁପ୍ତଚର ବୃତ୍ତି କିମ୍ବା ଅନ୍ୟାନ୍ୟ କ୍ଷତିକାରକ ଭାବରେ ବ୍ୟବହାର କରାଯାଇ ପାରେ। ସୂଚନା ମୁତାବକ ସୁରକ୍ଷା ଏଜେନ୍ସିମାନେ ସୁରକ୍ଷା କର୍ମଚାରୀଙ୍କୁ ଏହି ଚାଇନିଜ୍ ଆପ୍ ଗୁଡ଼ିକ ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଏହା ସେମାନଙ୍କର ତଥ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ପାଶ୍ଚାତ୍ୟ ଦେଶ ଗୁଡ଼ିକର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଚୀନ୍ ସହିତ ଜଡ଼ିତ ହାର୍ଡୱେର୍ ଏବଂ ସଫ୍ଟୱେର୍ ବିଷୟରେ ସମାନ ଚିନ୍ତା ପ୍ରକଟ କରିଛନ୍ତି। ଏକ ଯୁକ୍ତି ମଧ୍ୟ କରାଯାଏ ଯେ ଯୁଦ୍ଧ ହେଲେ ଯୋଗାଯୋଗ ସେବା ସେମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହୋଇପାରେ। କିନ୍ତୁ, ଏହାକୁ ଗ୍ରହଣ କରୁନି ଓଡ଼ିଶା ବିଜେପି। ଅନ୍ୟକୁ ରାଷ୍ଟ୍ରଭକ୍ତିର ପାଠ ପଢ଼ାଉଥିବା ବିଜେପି ଆତ୍ମପ୍ରଚାର ପାଇଁ ଏଠି ରାଷ୍ଟ୍ରଭକ୍ତି ଭୁଲି ଯାଇଛି ଏବଂ ଆଶ୍ଚର୍ଯ୍ୟର କଥା ବିଜେପିକୁ ରାଷ୍ଟ୍ରଭକ୍ତିର ପାଠ ପଢ଼ାଇଥିବା ଏହାର ମାତୃ ସଙ୍ଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ସମେତ ବିଶ୍ଵ ହିନ୍ଦୁ ପରିଷଦ (ଭିଏଚପି), ବଜରଙ୍ଗ ଦଳ, ସ୍ବଦେଶୀ ଜାଗରଣ ମଞ୍ଚ, ହିନ୍ଦୁ ଜାଗରଣ ସାମ୍ମୁଖ୍ୟ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଆଦି ଆନୁସଙ୍ଗିକ ବିବିଧ କ୍ଷେତ୍ର ସଙ୍ଗଠନ ଗୁଡ଼ିକ ବିଜେପିର ଏତାଦୃଶ ଆଚରଣକୁ ବିରୋଧ ନକରି ମୌନ ବସିଛନ୍ତି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.