Home ଓଡ଼ିଶା କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପାଇବା ପାଇଁ ସର୍ବନିମ୍ନ କାର୍ଯ୍ୟକାଳ ଯୋଗ୍ୟତା ସର୍ତ୍ତ କୋହଳ କରିବାକୁ ବିଚାର କରୁଛନ୍ତି...

କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପାଇବା ପାଇଁ ସର୍ବନିମ୍ନ କାର୍ଯ୍ୟକାଳ ଯୋଗ୍ୟତା ସର୍ତ୍ତ କୋହଳ କରିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର

171

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ଦେୟ ପାଇଁ ସର୍ବନିମ୍ନ ଯୋଗ୍ୟତା ସର୍ତ୍ତକୁ କୋହଳ କରିବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି।

ଗ୍ରାଚ୍ୟୁଇଟି ଯୋଗ୍ୟତା ମାନଦଣ୍ଡକୁ ଛୋଟ କରିବାକୁ ଚାହିଦା ବଢ଼ୁଥିବା ବେଳେ କେନ୍ଦ୍ରସରକାର ପାଞ୍ଚ ବର୍ଷର କ୍ରମାଗତ ନିଯୁକ୍ତି ସର୍ତ୍ତକୁ ପରିବ୍ରତ୍ତନ କରି ଏକରୁ ତିନି ବର୍ଷ ମଧ୍ୟରେ ସୀମାକୁ ହ୍ରାସ କରିବାକୁ ଯୋଜନା କରୁଛନ୍ତି।

ଏକ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶ୍ରମ ସମ୍ବନ୍ଧୀୟ ସଂସଦୀୟ ଷ୍ଟାଣ୍ଡିଂ କମିଟି, ସୁପାରିଶ କରିଛି ଯେ, କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ପେମେଣ୍ଟ ପାଇଁ ପାଞ୍ଚ ବର୍ଷର ନିରନ୍ତର ସେବା ସର୍ତ୍ତ ସମୟକୁ କୋହଳ କରାଯାଇ ଏକ ବର୍ଷକୁ ହ୍ରାସ କରାଯାଉ।

ସୂଚନାଯୋଗ୍ୟଯେ, କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ଦେୟ ହେଉଛି, ପ୍ରତ୍ୟେକ ବର୍ଷ ଜଣେ କର୍ମଚାରୀ ଏକ ଅନୁଷ୍ଠାନରେ କାର୍ଯ୍ୟ କରିଥିବା ୧୫ ଦିନର ଦରମା ସହିତ ସମାନ।

ଗ୍ରାଚ୍ୟୁଇଟି ପ୍ରାପ୍ୟ ପାଇଁ କର୍ମଚାରୀଙ୍କର ନ୍ୟୁନତମ କାର୍ଯ୍ୟକାଳ ସମୟକୁ ୫ ବର୍ଷରୁ କମ କରିବା ପାଇଁ ବିଭିନ୍ନ ମହଲରୁ ଦାବି କରାଯାଉଥିଲା।

ପାଞ୍ଚ ବର୍ଷର ସୀମାକୁ କିପରି ହ୍ରାସ କରାଯିବ ସେନେଇ ଆଲୋଚନା କରାଯାଉଛି ଏବଂ ଏହା ହ୍ରାସ ହେବାର ସମ୍ଭାବନା ରହିଛି ବୋଲି ଜଣେ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି ଜାତୀୟ ଗଣମାଧ୍ୟମକୁ କହିଥିବାର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଶ୍ରମ ସମ୍ବନ୍ଧୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାଞ୍ଚ ବର୍ଷର ସର୍ତ୍ତ ବହୁ ପୁରୁଣା। ଦୀର୍ଘ ଦିନର କାର୍ଯ୍ୟ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପାଞ୍ଚ ବର୍ଷର ସୀମା ନିର୍ଦ୍ଧାରିତ ହୋଇଥିଲା। ବାସ୍ତବତା ବର୍ତ୍ତମାନ ଭିନ୍ନ ଅଟେ। ଗୋଟିଏ ବର୍ଷର ଗ୍ରାଚ୍ୟୁଇଟି ସୀମା ଯଦିଓ ସମ୍ଭବ ନୁହେଁ, ୨ ରୁ ୩ ବର୍ଷ ଏକ ଉତ୍ତମ ବିକଳ୍ପ ବୋଲି ଜଣେ ବିଶଷଜ୍ଞ କହିଛନ୍ତି। ବର୍ତ୍ତମାନର ଚାକିରିର ପରିବର୍ତ୍ତିତ ପ୍ରକୃତି ସମୟରେ ଏହାର ଆବଶ୍ୟକତା ରହିଛି ବୋଲି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ସରକାରଙ୍କର ଦୁଇଟି ବିକଳ୍ପ ଅଛି – ପ୍ରୋରାଟା ଅନୁପାତରେ ସୀମା ହ୍ରାସ କରାଯାଉ କିମ୍ବା କିଛି କ୍ଷେତ୍ର ପାଇଁ ଆନୁପାତିକ ପରିବର୍ତ୍ତନ ହେଉ କିମ୍ବା ସମସ୍ତ କ୍ଷେତ୍ର ପାଇଁ ପାଞ୍ଚ ବର୍ଷର ସୀମା ହ୍ରାସ ହେଉ।

ଶ୍ରମ ସମ୍ବନ୍ଧୀୟ ସଂସଦର ଷ୍ଟାଣ୍ଡିଂ କମିଟି ଏହାର ରିପୋର୍ଟରେ ଦର୍ଶାଇଛି ଯେ, ଏହି ନିଯୁକ୍ତି ଅବଧି ବ୍ୟବସ୍ଥା ମଧ୍ୟ ନିଯୁକ୍ତିଦାତାଙ୍କୁ ପାଞ୍ଚ ବର୍ଷ ପୂରଣ ପୂର୍ବରୁ କର୍ମଚାରୀଙ୍କୁ ଛଟେଇ କିମ୍ବା ବାହାରର ରାସ୍ତା ଦେଖାଇବାକୁ ଉତ୍ସାହିତ କରିଥାଏ।

କମିଟି ଦ୍ୱାରା କରାଯାଇଥିବା ଅନ୍ୟ ଏକ ସୁପାରିଶ ହେଉଛି ସମସ୍ତ କର୍ମଚାରୀ – ଚୁକ୍ତିଭିତ୍ତିକ ଶ୍ରମିକ, ଋତୁକାଳୀନ ଶ୍ରମିକ, ଅନ୍ୟାନ୍ୟ ଅସ୍ଥାୟୀ ଶ୍ରମିକ, ଦୈନିକ ତଥା ମାସିକ ବେତନ ଶ୍ରମିକଙ୍କୁ ଗ୍ରାଚ୍ୟୁଇଟି ଦିଆଯିବା ଉଚିତ୍।

ଚୁକ୍ତିଭିତ୍ତିକ ପରିବର୍ତ୍ତନକୁ ଖାତିର ନକରି ଯଦି ସେମାନେ ଚୁକ୍ତିନାମାର ସମ୍ପୂର୍ଣ୍ଣ ଅବଧି ପାଇଁ ସେବା କରନ୍ତି ତେବେ ପ୍ରୋରାଟା ଗ୍ରାଚ୍ୟୁଟିର ଲାଭ ଚୁକ୍ତିନାମା ଶ୍ରମିକମାନଙ୍କ କ୍ଷେତ୍ରରେ ପ୍ରୟୋଗ କରାଯିବା ଉଚିତ। ମୁଖ୍ୟ ନିଯୁକ୍ତିଦାତା କାର୍ଯ୍ୟକାଳ ପାଇଁ ପ୍ରୋରାଟା ଗ୍ରାଚ୍ୟୁଇଟି ଦେବାକୁ ପଡିବ। ଚୁକ୍ତିନାମା ଏବଂ ଏହା ଶେଷ ମଜୁରୀ ସହିତ ପ୍ରଦାନ କରାଯାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଏହି ସୁପାରିଶଗୁଡିକ ସାମାଜିକ ସୁରକ୍ଷା କୋଡ୍, ୨୦୧୯ ର ରିପୋର୍ଟର ଏକ ଅଂଶ ଥିଲା। ଏହା ଜୁଲାଇ ୩୧, ୨୦୨୦ ରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଦାଖଲ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.