Home Coronavirus Outbreak କୋଭିଡ-୧୯ ମୁକାବିଲା ଲାଗି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ ବୃହତ ଆର୍ଥିକ ପ୍ୟାକେଜ – ଏମଏସଏମଇ...

କୋଭିଡ-୧୯ ମୁକାବିଲା ଲାଗି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ ବୃହତ ଆର୍ଥିକ ପ୍ୟାକେଜ – ଏମଏସଏମଇ ସମେତ ବିଭିନ୍ନ ବ୍ୟବସାୟ ପାଇଁ ରିହାତି ଓ ଋଣ ସହାୟତା ପଦକ୍ଷେପ ଘୋଷଣା କଲେ ଅର୍ଥମନ୍ତ୍ରୀ

174

ଏମଏସଏମଇ ସମେତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ଜରୁରିକାଳୀନ ଚଳନ୍ତି ପୁଞ୍ଜି ସୁବିଧା
ଚାପଗ୍ରସ୍ତ ଏମଏସଏମଇଗୁଡ଼ିକ ପାଇଁ ୨୦ ହଜାର କୋଟି ଟଙ୍କାର ଋଣ ସହାୟତା
ଏମଏସଏମଇ ପାଣ୍ଠି ଜରିଆରେ ୫୦ହଜାର କୋଟି ଟଙ୍କାର ଇକ୍ୟୁଟି ନିବେଶ ସହାୟତା
ଏମଏସଏମଇର ନୂତନ ସଂଜ୍ଞା ଏବଂ ଅନ୍ୟାନ୍ୟ ସହାୟତା ପଦକ୍ଷେପ
୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ଟେଣ୍ଡର ପାଇଁ କୌଣସି ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରାଯିବ ନାହିଁ
ଆହୁରି ୩ ମାସ ଜୁନ, ଜୁଲାଇ ଓ ଅଗଷ୍ଟ ୨୦୨୦ ପାଇଁ ବ୍ୟବସାୟ ଓ ସଂଗଠିତ କର୍ମଚାରୀଙ୍କ ଦରମା ଉପରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସହାୟତାର ସମ୍ପ୍ରସାରଣ
ଆସନ୍ତା ତିନି ମାସ ପାଇଁ ଇପିଏଫଓ ଅଧୀନସ୍ଥ ସମସ୍ତ ସଂସ୍ଥାର ନିଯୁକ୍ତିଦାତା ଓ କର୍ମଚାରୀଙ୍କ ପାଇଁ ଇପିଏଫ ଯୋଗଦାନ ପରିମାଣ ୧୨%ରୁ ୧୦%କୁ ହ୍ରାସ
ଏନବିଏଫସି/ଏଚଏଫସି/ଏମଏଫଆଇଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ସହାୟତା ଯୋଜନା
ଏନବିଏଫସି/ଏମଏଫଆଇଗୁଡ଼ିକର ଋଣ ପାଇଁ ୪୫ ହଜାର କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା୦
ଡିସକମଗୁଡ଼ିକ ପାଇଁ ୯୦ ହଜାର କୋଟି ଟଙ୍କାର ନଗଦ ସହାୟତା
ଇପିସି ଓ କନସେସନ ଚୁକ୍ତି ସମେତ ଠିକା କାମ ସମ୍ପୂର୍ଣ୍ଣ କରିବା ପାଇଁ ଠିକାଦାରମାନଙ୍କୁ ୬ ମାସ ପର୍ଯ୍ୟନ୍ତ ସମ୍ପ୍ରସାରଣ ଅବଧି ପ୍ରଦାନ
ରିଅଲ ଇଷ୍ଟେଟ ପ୍ରକଳ୍ପ ପାଇଁ ରିହାତି, ସମସ୍ତ ପଞ୍ଜିକୃତ ପ୍ରକଳ୍ପ ପାଇଁ ପଞ୍ଜୀକରଣ ଏବଂ ସମ୍ପୂର୍ଣ୍ଣ କରିବାର ତାରିଖ ଅତିରିକ୍ତ ୬ ମାସ ପର୍ଯ୍ୟନ୍ତ ସମ୍ପ୍ରସାରିତ
ବ୍ୟବସାୟଗୁଡ଼ିକୁ ଟିକସ ରିହାତି, ଦାତବ୍ୟ ଟ୍ରଷ୍ଟ ଏବଂ ଅଣ-କର୍ପୋରେଟ ବ୍ୟବସାୟ ଓ ପେସାଦାରଙ୍କ ବକେୟା ଆୟକର ରିଫଣ୍ଡ ତୁରନ୍ତ ଜାରି କରାଯିବ
‘ଉତ୍ସରୁ ଟିକସ କାଟ’ ଦର ହ୍ରାସ ଏବଂ ୨୦-୨୧ ଆର୍ଥିକ ବର୍ଷର ପରବର୍ତ୍ତୀ ଅବଧି ଲାଗି ୨୫% ହାରରେ ‘ଉତ୍ସରୁ ଟିକସ ସଂଗ୍ରହ’ କରାଯିବ।
ବିଭିନ୍ନ ଟିକସ ଅନୁପାଳନର ଶେଷ ତାରିଖ ଘୁଞ୍ଚିଲା

ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଗତକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୧୦ ପ୍ରତିଶତ ସହିତ ସମାନ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ତଥା ବୃହତ ପ୍ୟାକେଜ ଘୋଷଣା କରିଥିଲେ। ସେ ‘ଆତ୍ମନିର୍ଭରଶୀଳ ଭାରତ’ ପାଇଁ ଆହ୍ବାନ କରିଥିଲେ। ସେ ମଧ୍ୟ ଆତ୍ମନିର୍ଭରଶୀଳ ଭାରତର ୫ଟି ସ୍ତମ୍ଭ- ଅର୍ଥବ୍ୟବସ୍ଥା, ଭିତ୍ତିଭୂମି, ବ୍ୟବସ୍ଥା, ଉତ୍ସାହୀ ଜନସଂଖ୍ୟା ଏବଂ ଚାହିଦା ବିଷୟରେ ଉଲ୍ଲେଖ କରିଥିଲେ।

ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହି ବିସ୍ତୃତ ଏବଂ ବୃହତ ଆର୍ଥିକ ପ୍ୟାକେଜର ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି। ପ୍ରାରମ୍ଭରେ ଅର୍ଥମନ୍ତ୍ରୀ କହିଥିଲେ ଯେ ଗତକାଲି ରାଷ୍ଟ୍ରକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ଏକ ବିସ୍ତୃତ ସଂକଳ୍ପ ଉପସ୍ଥାପନ କରିଥିଲେ। ଶ୍ରୀମତୀ ସୀତାରମଣ ପୁଣି କହିଥିଲେ ଯେ କୋଭିଡ-୧୯ ମୁକାବିଲା ଲାଗି ବିଭିନ୍ନ ବର୍ଗଙ୍କ ସହିତ ବ୍ୟାପକ ପରାମର୍ଶ କରାଯିବା ପରେ ଏହି ଆର୍ଥିକ ପ୍ୟାକେଜ ପ୍ରସ୍ତୁତ କରାଯାଇଛି ଏବଂ ଏ ବିଷୟରେ ପ୍ରଧାନମନ୍ତ୍ରୀ ମଧ୍ୟ ଗତକାଲି ସୂଚନା ଦେଇଥିଲେ।

ଶ୍ରୀମତୀ ସୀତାରମଣ କହିଥିଲେ ଯେ ଜମି, ଶ୍ରମିକ, ନଗଦ ଓ ଆଇନ ଉପରେ ଆମେ ଗୁରୁତ୍ବ ଦେଇଛୁ। ଏକ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣ ଜରୁରି, ସେଥିପାଇଁ ଏହି ଆର୍ଥିକ ପ୍ୟାକେଜର ନାଁ ‘ଆତ୍ମନିର୍ଭର ଭାରତ ଅଭିଯାନ’ ରଖାଯାଇଛି।

ଅର୍ଥମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ସବୁବେଳେ ଲୋକମାନଙ୍କ କଥା ଶୁଣି ଆସିଛନ୍ତି ଏବଂ ତଦନୁଯାୟୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତେଣୁ ୨୦୧୪ ପରଠାରୁ ଅତି ଆବଶ୍ୟକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଆସୁଛି।

ଶ୍ରୀମତୀ ସୀତାରମଣ କହିଥିଲେ ଯେ ୨୦୨୦ ବଜେଟ ପରେ କୋଭିଡ-୧୯ ମହାମାରୀ ଆସିଥିଲା ଏବଂ ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବାର କିଛି ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେଓ୍ବାଇ) ପ୍ୟାକେଜ ଘୋଷଣା କରାଯାଇଥିଲା। ଆମେ ସେହି ପ୍ୟାକେଜକୁ ଆହୁରି ଆଗକୁ ଆଗେଇ ନେବାକୁ ଚାହୁଁଛୁ ବୋଲି ସେ କହିଥିଲେ।

ଗତକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ଲାଗି ଅର୍ଥ ମନ୍ତ୍ରଣାଳୟର ସମ୍ପୂର୍ଣ୍ଣ ଟିମ ସହିତ ମୁଁ ଆସନ୍ତା କିଛିଦିନ ପାଇଁ ଏଠାକୁ ଆସିବି, ଯାହା ଆଜିଠାରୁ ଆରମ୍ଭ ହୋଇସାରିଛି ବୋଲି ଅର୍ଥମନ୍ତ୍ରୀ କହିଥିଲେ।

ପୁଣିଥରେ କାମକୁ ଫେରିବା ଉପରେ ଗୁରୁତ୍ବାରୋପ କରି ଶ୍ରୀମତୀ ସୀତାରମଣ କେତେକ ପଦକ୍ଷେପ ଘୋଷଣା କରିଥିଲେ। ଏହା କର୍ମଚାରୀ ଓ ନିଯୁକ୍ତିଦାତା, ବ୍ୟବସାୟ, ବିଶେଷ କରି ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)ଗୁଡ଼ିକୁ ପୁଣିଥରେ ଉତ୍ପାଦନକୁ ଫେରିବା ଏବଂ ଶ୍ରମଜୀବୀଙ୍କୁ ପୁଣିଥରେ ଆୟଭିତ୍ତିକ ନିୟୋଜନ ପ୍ରଦାନ କରିବାରେ ସହାୟକ ହେବ। ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାନ (ଏନବିଏଫସି), ଆବାସିକ ଆର୍ଥିକ କମ୍ପାନୀ (ଏଚଏଫସି), ମାଇକ୍ରୋ ଫାଇନାନ୍ସ କ୍ଷେତ୍ର ଏବଂ ଶକ୍ତି କ୍ଷେତ୍ରକୁ ସହାୟତା ପ୍ରଦାନ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଏହି ଅବସରରେ ଘୋଷଣା କରିଥିଲେ। ଏହାଛଡ଼ା ବ୍ୟବସାୟ ପାଇଁ ଟିକସ ରିହାତି, ସାର୍ବଜନୀନ କ୍ରୟରେ ଠିକାଦାରମାନଙ୍କୁ ପ୍ରଦାନ କରାଯାଇଥିବା ଠିକାଜନିତ ପ୍ରତିବଦ୍ଧତାରୁ ଆଶ୍ବସ୍ତି ସହିତ ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଅନୁପାଳନ ରିହାତି ମଧ୍ୟ ଘୋଷଣା କରାଯାଇଥିଲା।

ଅର୍ଥମନ୍ତ୍ରୀ କହିଥିଲେ ଯେ ଗତ ୫ ବର୍ଷ ଧରି ଶିଳ୍ପ ଏବଂ ଏମଏସଏମଇ କ୍ଷେତ୍ର ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ରିଅଲ ଇଷ୍ଟେଟ କ୍ଷେତ୍ରରେ ଅଧିକ ପାରଦର୍ଶିତା ଆଣିବା ଲାଗି ୨୦୧୬ରେ ରିଅଲ ଇଷ୍ଟେଟ (ନିୟାମକ ଓ ବିକାଶ) ଆଇନ (ରେରା) ପ୍ରଚଳନ କରାଯାଇଥିଲା। ମାନ୍ଦାବସ୍ଥା ଦେଇ ଗତି କରୁଥିବା ଆବାସିକ ପ୍ରକଳ୍ପଗୁଡ଼ିକ ପାଇଁ ଗତବର୍ଷ ଏକ ସ୍ବତନ୍ତ୍ର ପାଣ୍ଠି ଘୋଷଣା କରାଯାଇଥିଲା ଯାହାଦ୍ବାରା ସୁଲଭ ଏବଂ ମଧ୍ୟମ ଆୟ ବର୍ଗର ଆବାସିକ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରାଯାଇପାରିବ। କୌଣସି ସରକାରୀ ବିଭାଗ କିମ୍ବା ପିଏସୟୁଗୁଡ଼ିକୁ ଅର୍ଥ ପଇଠରେ ବିଳମ୍ବ ପ୍ରସଙ୍ଗରେ ଏମଏସଏମଇଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ୨୦୧୭ରେ ସମାଧାନ ପୋର୍ଟାଲର ଶୁଭାରମ୍ଭ କରାଯାଇଥିଲା। ଦେଶରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଲାଗି ଏସଆଇଡିବିଆଇ ଦ୍ବାରା ଷ୍ଟାର୍ଟଅପଗୁଡ଼ିକ ପାଇଁ ଏକ ପାଣ୍ଠିର ପାଣ୍ଠି (ଫଣ୍ଡ ଅଫ ଫଣ୍ଡସ) ପ୍ରତିଷ୍ଠା କରାଯାଇଥିଲା। ଏହାଛଡ଼ା ଏମଏସଏମଇଗୁଡ଼ିକ ପାଇଁ ସହଜ ଋଣ ଉପଲବ୍ଧ କରାଇବା ଲାଗି ଅନ୍ୟ କେତେକ ଋଣ ଗ୍ୟାରେଣ୍ଟି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା।

ଆଜି ନିମ୍ନୋକ୍ତ ସହାୟତା ଘୋଷଣା କରାଯାଇଛି

ଏମଏସଏମଇ ସମେତ ବ୍ୟବସାୟଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ଜରୁରିକାଳୀନ ଚଳନ୍ତି ପୁଞ୍ଜି ସୁବିଧା

ବ୍ୟବସାୟଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ୨୯ ଫେବୃଆରୀ ୨୦୨୦ ସୁଦ୍ଧା ବକେୟା ଋଣର ୨୦ ପ୍ରତିଶତ ଅତିରିକ୍ତ ଚଳନ୍ତି ପୁଞ୍ଜି ଆର୍ଥିକ ସହାୟତା ଯୋଗାଇ ଦିଆଯିବ, ଏହାକୁ ରିହାତି ସୁଧ ଦରରେ ଅବଧି ଋଣ ଆକାରରେ ଯୋଗାଇ ଦିଆଯିବ। ୨୫ କୋଟି ଟଙ୍କା ପର୍ଯ୍ୟନ୍ତ ୠଣ ବକେୟା ଥିବା ଏବଂ ୧୦୦ କୋଟି ଟଙ୍କାର କାରବାର କରୁଥିବା ୟୁନିଟଗୁଡ଼ିକ ପାଇଁ ଏହି ସୁବିଧା ଉପଲବ୍ଧ ହେବ, ଯେଉଁମାନଙ୍କର ସାଧାରଣ ଆକାଉଣ୍ଟ ଥିବ। ଏହି ୟୁନିଟଗୁଡ଼ିକୁ ଋଣ ସୁବିଧା ପାଇବା ଲାଗି କୌଣସି ପ୍ରକାରର ନିଜସ୍ବ ଗ୍ୟାରେଣ୍ଟି କିମ୍ବା ବନ୍ଧକ ଦେବାକୁ ପଡ଼ିବ ନାହିଁ। ୪୫ ଲକ୍ଷରୁ ଅଧିକ ଏମଏସଏମଇଗୁଡ଼ିକ ପାଇଁ ଭାରତ ସରକାରଙ୍କୁ ମୋଟ ୩.୦ ଲକ୍ଷ କୋଟି ଟଙ୍କାର ମୋଟ ନଗଦ ସହାୟତା ଯୋଗାଇ ଦେବେ।

ଚାପଗ୍ରସ୍ତ ଏମଏସଏମଇଗୁଡ଼ିକ ପାଇଁ ୨୦ହଜାର କୋଟି ଟଙ୍କାର ସହାୟକ ଋଣ

ଏନପିଏ ଘୋଷିତ କିମ୍ବା ମାନ୍ଦାବସ୍ଥା ଦେଇ ଗତି କରୁଥିବା ୨ ଲକ୍ଷ ଏମଏସଏମଇଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ସହାୟକ ଋଣ ସୁବିଧା ପ୍ରଦାନ କରାଯିବ। ଏମଏସଏମଇ ପାଇଁ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟକୁ ୪ ହଜାର କୋଟି ଟଙ୍କାର ସହାୟତା ଦେଇ ସରକାର ସେମାନଙ୍କୁ ସମର୍ଥନ କରିବେ। ବ୍ୟାଙ୍କଗୁଡ଼ିକ ଏପରି ଏମଏସଏମଇଗୁଡ଼ିକର ପ୍ରମୋଟରମାନଙ୍କୁ ସର୍ବାଧିକ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟକ ଋଣ ଯୋଗାଇ ଦେବେ ଯାହାକି ଏହି ୟୁନିଟଗୁଡ଼ିକର ବର୍ତ୍ତମାନର ଅଂଶଧନର ୧୫% ସହ ସମାନ ହୋଇଥିବ।

ଏମଏସଏମଇ ଫଣ୍ଡ ଅଫ ଫଣ୍ଡ ଜରିଆରେ ୫୦ ହଜାର କୋଟି ଟଙ୍କାର ଇକ୍ୟୁଟି ପାଣ୍ଠି ଯୋଗାଣ

୧୦ ହଜାର କୋଟି ଟଙ୍କାର କର୍ପସ ପାଣ୍ଠି ସହିତ ସରକାର ଏକ ଫଣ୍ଡ ଅଫ ଫଣ୍ଡ ପ୍ରତିଷ୍ଠା କରିବେ ଏହା ଜରିଆରେ ଏମଏସଏମଇଗୁଡ଼ିକୁ ଇକ୍ୟୁଟି ପାଣ୍ଠିଯୋଗାଣ ସୁବିଧା ପ୍ରଦାନ କରାଯିବ। ଏକ ମୂଳ ଏବଂ ଆଉ କେତେକ ସହାୟକ ପାଣ୍ଠି ଜରିଆରେ ଏହି ଫଣ୍ଡ ଅଫ ଫଣ୍ଡକୁ ପରିଚାଳନା କରାଯିବ। ସହାୟକ ପାଣ୍ଠି ସ୍ତର ପର୍ଯ୍ୟନ୍ତ ଏହା ୧:୪କୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି, ଫଳରେ ଏହି ଫଣ୍ଡ ଅଫ ଫଣ୍ଡ ପାଖାପାଖି ୫୦ ହଜାର କୋଟି ଟଙ୍କାର ଇକ୍ୟୁଟି ସୃଷ୍ଟି କରିବାକୁ ସକ୍ଷମ ହେବ।

ଏମଏସଏମଇର ନୂଆ ସଂଜ୍ଞା

ନିବେଶ ସୀମାକୁ ବୃଦ୍ଧି କରାଯାଇ ଏମଏସଏମଇର ସଂଜ୍ଞା ସଂଶୋଧନ କରାଯିବ। କାରବାରର ଏକ ଅତିରିକ୍ତ ବର୍ଗ ଆରମ୍ଭ କରାଯିବ। ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ରହିଥିବା ପାର୍ଥକ୍ୟ ଦୂର କରାଯିବ।

ଏମଏସଏମଇଗୁଡ଼ିକ ପାଇଁ ଅନ୍ୟାନ୍ୟ ପଦକ୍ଷେପ

ବାଣିଜ୍ୟିକ ମେଳା ଓ ପ୍ରଦର୍ଶନୀର ବିକଳ୍ପ ଭାବେ ଏମଏସଏମଇଗୁଡ଼ିକ ପାଇଁ ଇ-ମାର୍କେଟ ସଂଯୋଗକୁ ପ୍ରୋତ୍ସାହିତ କରାଯିବ। ଏମଏସଏମଇଗୁଡ଼ିକୁ ସରକାର ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ ଉପକ୍ରମଗୁଡ଼ିକ ଠାରୁ ମିଳିବାକୁ ଥିବା ଦେୟ ୪୫ ଦିନ ମଧ୍ୟରେ ଜାରି କରାଯିବ।

୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ ଟେଣ୍ଡର ପାଇଁ କୌଣସି ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନ କରାଯିବ ନାହିଁ

୨୦୦ କୋଟି ଟଙ୍କାରୁ କମ ମୂଲ୍ୟର ବସ୍ତୁ ଓ ସେବା କ୍ରୟ ନିମନ୍ତେ ବିଶ୍ବସ୍ତରୀୟ ଟେଣ୍ଡର ଆହ୍ବାନକୁ ନିଷିଦ୍ଧ କରିବା ଲାଗି ସରକାରଙ୍କ ସାଧାରଣ ଆର୍ଥିକ ନିୟମ (ଜିଏଫଆର)ରେ ସଂଶୋଧନ ଅଣାଯିବ।

ବ୍ୟବସାୟ ଓ ସଂଗଠିତ ଶ୍ରମିକଙ୍କ ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସହାୟତା

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜରେ ତିନି ମାସ ପାଇଁ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଇପିଏଫ ଅଂଶଧନ ବାବଦ ୧୨% ଲେଖାଏଁ ଅର୍ଥ ଭାରତ ସରକାର ବହନ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ସହାୟତାକୁ ଆହୁରି ତିନି ମାସ ଜୁନ, ଜୁଲାଇ ଓ ଅଗଷ୍ଟ, ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସରକାର ଏଥିପାଇଁ ୨୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ଯଦ୍ଦ୍ବାରା ୭୨.୨୨ ଲକ୍ଷ କର୍ମଚାରୀ ଲାଭବାନ ହେବେ।

ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ଇପିଏଫ ଯୋଗଦାନ ତିନି ମାସ ଲାଗି ହ୍ରାସ କରାଯିବ

ପରବର୍ତ୍ତୀ ତିନି ମାସ ପାଇଁ ଇପିଏଫଓ ଅଧୀନରେ ପଞ୍ଜିକୃତ ସଂସ୍ଥା ଲାଗି ଉଭୟ ନିଯୁକ୍ତିଦାତା ଓ କର୍ମଚାରୀଙ୍କର ବାଧ୍ୟତାମୂଳକ ପିଏଫ ଯୋଗଦାନକୁ ୧୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ମାସିକ ପ୍ରାୟ ୨୨୫୦ କୋଟି ଲେଖାଏଁ ନଗଦ ସୁବିଧା ପ୍ରଦାନ କରିବ।

ଏନବିଏଫସି/ଏଚଏଫସି/ଏମଏଫଆଇଗୁଡ଼ିକ ପାଇଁ ୩୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ସହାୟତା ଯୋଜନା

ଆରବିଆଇ ପକ୍ଷରୁ ଯୋଗାଇ ଦିଆଯାଉଥିବା ପୁଞ୍ଜି ଜରିଆରେ ସରକାର ୩୦ ହଜାର କୋଟି ଟଙ୍କାର ସ୍ବତନ୍ତ୍ର ନଗଦ ପୁଞ୍ଜି ଯୋଜନା ଆରମ୍ଭ କରିବେ। ଏନବିଏଫସି, ଏଚଏଫସି ଏବଂ ଏମଏଫଆଇଗୁଡ଼ିକର ନିବେଶ ଗ୍ରେଡ ଋଣ ଦସ୍ତାବିଜର ପ୍ରାଥମିକ ଓ ଦ୍ବିତୀୟକ ବଜାର କାରବାରରେ ନିବେଶ କରାଯିବ। ଭାରତ ସରକାର ଏଥିପାଇଁ ୧୦୦ ପ୍ରତିଶତ ଗ୍ୟାରେଣ୍ଟି ଯୋଗାଇ ଦେବେ।

ଏନବିଏଫସି/ଏମଏଫଆଇଗୁଡ଼ିକର ଋଣଦେୟତା ଉପରେ ୪୫ ହଜାର କୋଟି ଟଙ୍କାର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନା

ବର୍ତ୍ତମାନର ଆଂଶିକ ଋଣ ଗ୍ୟାରେଣ୍ଟି ଯୋଜନାରେ ସୁଧାର ଅଣାଯିବ ଏବଂ ଏହାକୁ ନିମ୍ନଶ୍ରେଣୀର ଏନବିଏଫସି, ଏଚଏଫସି ଓ ଅନ୍ୟ ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମଏଫଆଇ)ଗୁଡ଼ିକୁ ଏଥିରେ ସାମିଲ କରିବାକୁ ଏହାର ସମ୍ପ୍ରସାରଣ କରାଯିବ। ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଭାରତ ସରକାର ୨୦ ପ୍ରତିଶତ ପ୍ରଥମ କ୍ଷତି ସୋଭରେନ ଗ୍ୟାରେଣ୍ଟି ଯୋଗାଇ ଦେବେ।

ଡିସକମଗୁଡ଼ିକ ପାଇଁ ୯୦ ହଜାର କୋଟି ଟଙ୍କାର ନଗଦ ପୁଞ୍ଜି ନିବେଶ

ଶକ୍ତି ଅର୍ଥ ନିଗମ ଏବଂ ଗ୍ରାମୀଣ ବିଦ୍ୟୁତିକରଣ ନିଗମ ଦୁଇଟି ସମାନ କିସ୍ତିରେ ଡିସକମଗୁଡ଼ିକରେ ୯୦ ହଜାର କୋଟି ଟଙ୍କା ମୂଲ୍ୟର ନଗଦ ପୁଞ୍ଜି ଲଗାଣ କରିବେ। ବିଦ୍ୟୁତ ଉତ୍ପାଦନ ଏବଂ ବିତରଣ କମ୍ପାନୀଗୁଡ଼ିକର ବକେୟା ଦେୟ ପଇଠ କରିବାରେ ଡିସକମଗୁଡ଼ିକ ଏହି ଅର୍ଥ ବିନିଯୋଗ କରିବେ। ଆହୁରି, ସିପିଏସଇ ଜେନକୋଗୁଡ଼ିକ ଡିସକମଗୁଡ଼ିକୁ ରିବେଟ ପ୍ରଦାନ କରିବେ। ତେବେ ଏହି ଅର୍ଥକୁ ସେମାନେ ଗ୍ରାହକମାନଙ୍କୁ ଧାର୍ଯ୍ୟ ଶୁଳ୍କରେ ରିହାତି ଦେବା ପାଇଁ ହସ୍ତାନ୍ତରିତ କରିବାର ସର୍ତ୍ତ ରହିବ।

ଠିକାଦାରମାନଙ୍କୁ ରିହାତି

ଇପିସି ଏବଂ କନସେସନ ଚୁକ୍ତି ସମେତ ସମସ୍ତ ଠିକା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ରେଳବାଇ, ସଡ଼କ ପରିବହନ ଓ ରାଜପଥ ଏବଂ ସିପିଡବ୍ଲୁଡି ଭଳି ସମସ୍ତ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ୬ ମାସର ସମ୍ପ୍ରସାରିତ ଅବଧି ଠିକାଦାରମାନଙ୍କୁ ପ୍ରଦାନ କରିବେ।

ରିଅଲ ଇଷ୍ଟେଟ ପ୍ରକଳ୍ପଗୁଡ଼ିକୁ ଆଶ୍ବସ୍ତି

ରେରା ଅଧୀନରେ ପ୍ରମୁଖ ନିୟମଗୁଡ଼ିକୁ ଲାଗୁ କରିବା ନିମନ୍ତେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯିବ। ସମସ୍ତ ପଞ୍ଜିକୃତ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ଏବଂ ସମ୍ପୂର୍ଣ୍ଣ କରାଯିବାର ଅବଧିକୁ ଅତିରିକ୍ତ ୬ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ ଏବଂ ରାଜ୍ୟଗୁଡ଼ିକର ପରିସ୍ଥିତିକୁ ଦେଖି ଏହାକୁ ଆହୁରି ୩ ମାସ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ସୁବିଧା ପ୍ରଦାନ କରାଯିବ। ଏହାଛଡ଼ା ପର୍ଯ୍ୟାୟକ୍ରମେ ରେରା ଅଧୀନରେ ବିଭିନ୍ନ ବୈଧାନିକ ଅନୁପାଳନକୁ ସମ୍ପ୍ରସାରିତ କରାଯିବ।

ବ୍ୟବସାୟଗୁଡ଼ିକ ପାଇଁ ଟିକସ ରିହାତି

ପୃଷ୍ଠପୋଷକତା, ଭାଗିଦାରୀ, ଏଲଏଲପି ଏବଂ ସମବାୟ ସଂସ୍ଥାଗୁଡ଼ିକ ସମେତ ସମସ୍ତ ଦାତବ୍ୟ ଟ୍ରଷ୍ଟ ଏବଂ ଅଣକର୍ପୋରେଟ ବ୍ୟବସାୟ ଓ ପେସାଗୁଡ଼ିକର ବକେୟା ଆୟକର ରିଫଣ୍ଡ ତୁରନ୍ତ ଜାରି କରି ଦିଆଯିବ।

ଟିକସ ସଂକ୍ରାନ୍ତ ପଦକ୍ଷେପ

‘ଉତ୍ସରୁ ଟିକସ କାଟ’ ଏବଂ ‘ଉତ୍ସରୁ ଟିକସ ସଂଗ୍ରହ’ ଦର ହ୍ରାସ – ବାସିନ୍ଦାମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ଅଣ-ଦରମା ଅର୍ଥ ପଇଠ ଏବଂ ଉତ୍ସରୁ କଟାଯାଉଥିବା ଟିକସ ଦରରେ ୨୫ ପ୍ରତିଶତ ହ୍ରାସ କରାଯିବ। ୨୦୨୦-୨୧ ଆର୍ଥିକ ବର୍ଷର ଅବଶିଷ୍ଟ ଅବଧି ପାଇଁ ଧାର୍ଯ୍ୟ ଟିଡିଏସ ଦର ଉପରେ ଏହି ରିହାତି ପ୍ରଦାନ କରାଯିବ। ଏହା ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଲିକ୍ୟୁଡିଟି ପ୍ରଦାନ କରିବ।

୨୦୨୦-୨୧ ଆକଳନ ବର୍ଷ ପାଇଁ ସମସ୍ତ ଆୟକର ରିଟର୍ଣ୍ଣ ଦାଖଲ କରିବାର ଧାର୍ଯ୍ୟ ତାରିଖକୁ ୩୦ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ସେହିପରି ଟିକସ ଅଡିଟ ପାଇଁ ଧାର୍ଯ୍ୟ ତାରିଖକୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବ।

“ବିବାଦ ସେ ବିଶ୍ବାସ” ଯୋଜନା ଅଧୀନରେ କୌଣସି ଅତିରିକ୍ତ ଶୁଳ୍କ ବିନା ଅର୍ଥ ପଇଠ କରିବାର ତାରିଖକୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.