Home Top News ଡରିଗଲେ ମୁଖ୍ୟମନ୍ତ୍ରୀ! ଏହି ଡର ପରିବର୍ତ୍ତନର ସଙ୍କେତ ..

ଡରିଗଲେ ମୁଖ୍ୟମନ୍ତ୍ରୀ! ଏହି ଡର ପରିବର୍ତ୍ତନର ସଙ୍କେତ ..

104

ଭୁବନେଶ୍ୱର: ଆଜି ବାଲେଶ୍ୱରରେ ଗସ୍ତରେ ଯାଇ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ୫ ଲକ୍ଷ ୧୩ ହଜାର ୩୫୨ ପରିବାର ଉପକୃତ ହେବେ। ଜିଲ୍ଲା ପାଇଁ ବିଏସକେୱାଇ ସ୍ମାର୍ଟ କାର୍ଡ ଶୁଭାରମ୍ଭ କରିବା ସହ ୧ ହଜାର ୪୭୬ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପ ଭେଟି ଦେବେ ମୁଖ୍ୟମନ୍ତ୍ରୀ। ୩୭୬ କୋଟି ଟଙ୍କାର ୭୭ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ୧୧୦୦ କୋଟି ଟଙ୍କାର ୧୦୯ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବେ ବୋଲି ଜଣାପଡ଼ିଛି। ତେବେ, ମୁଖ୍ୟମନ୍ତ୍ରୀ ଭଦ୍ରକ ଗସ୍ତରେ ମଧ୍ୟ ଯିବାର ଥିଲା ବୋଲି କୁହାଯାଉଥିଲା। ମାତ୍ର ତାହା ବାତିଲ୍ ହୋଇଯାଇଛି। ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଭଦ୍ରକ ଗସ୍ତରେ ଯାଇ ବିଏସକେୱାଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଏଥିରେ ଯୋଗଦେବେ ବୋଲି ଜଣାପଡ଼ିଛି। ଏହାକୁ ନେଇ ଭଦ୍ରକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, ଦୁଇ ଦିନ ତଳେ କହିଥିଲି, ଭୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଦ୍ରକ ଆସିବେନି। ଭର୍ଚୁଆଲରେ ବାଣ୍ଟିବେ ସ୍ୱାସ୍ଥ୍ୟ କାର୍ଡ। ଆକଳନ ସତ ହେଲା। ଭଦ୍ରକ ବିଜେପିକୁ ଡରିଗଲେ ମୁଖ୍ୟମନ୍ତ୍ରୀ! ଏହି ଡର ଆମକୁ ପସନ୍ଦ ଆସିଲା। ଆଉ ଏହି ଡର ହିଁ ପରିବର୍ତ୍ତନର ସଙ୍କେତ ..। ହରପ୍ରିୟା ସାହୁଙ୍କ ସ୍ୱରରେ ସ୍ୱର ମିଶାଇ ମହିଳା ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦିକା ଲିପିକା ବାରିକ କହିଛନ୍ତି, ସତକଥା ଡରି ଗଲେ ନବୀନ! ଏହି ଡର ଆମକୁ ପସନ୍ଦ ଆସିଲା। ଏହି ଡର ହିଁ ପରିବର୍ତ୍ତନର ସଙ୍କେତ। ଆଉ ଏହି ପରିବର୍ତ୍ତନ ଆମ ଭଦ୍ରକ ମାଟିରୁ ହିଁ ଆରମ୍ଭ ହେବ। ମହିଳା ମୋର୍ଚ୍ଚା ଜିଲ୍ଲା ଉପାଧ୍ୟକ୍ଷା ଉଷା ପାଢ଼ୀ, ସମ୍ପାଦିକା ଚୈତାଳ ଖିଲାର, ବିଷ୍ଣୁପ୍ରିୟା ଜେନା, ଆଇଟି ସେଲ୍ ସଂଯୋଜିକା ସ୍ୱର୍ଣ୍ଣଲତା ମିଶ୍ର ପ୍ରମୂଖ ଏହାକୁ ସମର୍ଥନ ଜଣାଇଥିବା ବେଳେ ଏହାକୁ ନେଇ ଭଦ୍ରକ ବିଜେପି ସୋସିଆଲ୍ ମିଡିଆରେ ଏକ ଟ୍ରେଣ୍ଡ ଚାଲିଛି “ଡରିଗଲେ ମୁଖ୍ୟମନ୍ତ୍ରୀ”।
ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ଭଦ୍ରକ ଜିଲ୍ଲାର ଦୁଇତିନି ଜଣ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତକୁ ବିରୋଧ କରି ସେଠାରେ ଯାଇ କଳା ପତାକା ପ୍ରଦର୍ଶନ ଉଦ୍ୟମ କରିଥିଲେ। ଏହାପରେ ପୋଲିସ୍ ଉପସ୍ଥିତିରେ ଏମାନେ ବିଜୁ ଯୁବ ଜନତା କର୍ମୀ ମାନଙ୍କ ଠାରୁ ନିସ୍ତୁକ ମାଡ଼ ଖାଇଥିଲେ। ସେହିପରି ଏହି ଭଦ୍ରକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବାକୁ ବାରିପଦାରେ ଯାଇ ପହଞ୍ଚି ଯାଇଥିଲେ। ସେଠାରେ ହରପ୍ରିୟାଙ୍କୁ ପୋଲିସ୍ ଅଟକାଇବା ସହ ତାଙ୍କୁ ଚଲାଇ ଚଲାଇ ଥାନାକୁ ନେଇଥିଲା। ତେବେ, ଏହି ସମୟରେ ଲାଇଭ୍ ଭିଡିଓ ସେୟାର୍ କରି ହରପ୍ରିୟା ଚର୍ଚ୍ଚାକୁ ଆସିଥିଲେ। ଏ’ ସବୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଭଦ୍ରକ ଗସ୍ତ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ଅନ୍ୟାନ୍ୟ ନେତୃତ୍ୱଙ୍କ ଭଦ୍ରକ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ୍ ଏମାନଙ୍କ ଗତିବିଧି ଉପରେ ତୀକ୍ଷ୍ମ ନଜର ରଖିଥିବା ଜଣାପଡ଼ିଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.