Home ଅପରାଧ ତଥ୍ୟ ଅନୁସନ୍ଧାନ ପାଇଁ ନାଁ ପିକନିକ୍ ଯାଉଛି ଟିମ୍: ମହିଳା ସୁରକ୍ଷା ନେଇ କେତେ ଚିନ୍ତା,...

ତଥ୍ୟ ଅନୁସନ୍ଧାନ ପାଇଁ ନାଁ ପିକନିକ୍ ଯାଉଛି ଟିମ୍: ମହିଳା ସୁରକ୍ଷା ନେଇ କେତେ ଚିନ୍ତା, କେତେ ବ୍ୟଥା ..

239

ଭୁବନେଶ୍ୱର: ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ଘଟଣାକୁ ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କିଛି ଦାବୀ ଉପସ୍ଥାପନା କରିବା ପରେ ତଥ୍ୟ ଅନୁସନ୍ଧାନ ପାଇଁ ବିଜେପିର ଏକ ପ୍ରତିନିଧି ଦଳ ଉଭୟ ସ୍ଥାନକୁ ଯିବା ନେଇ ଦଳ ଘୋଷଣା କଲା। ମାଲକାନଗିରିକୁ ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା ଏବଂ ବୀରମିତ୍ରପୁରକୁ ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଯିବା ନେଇ ଦଳ ପକ୍ଷରୁ କୁହାଯିବା ପରେ ବୀରମିତ୍ରପୁର ଅଭିମୁଖେ ତୁରନ୍ତ ବାହାରି ପଡ଼ିଥିଲେ ଲେଖାଶ୍ରୀ। ସାଙ୍ଗରେ ଥିଲେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ। ତେବେ ଅଧାବାଟ ନହେଉଣୁ ଗାଡ଼ି ଅଟକାଇ ସେଲ୍ଫି ଉଠାଇ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଲେଖାଶ୍ରୀ। ପୋଷ୍ଟରେ ଲେଖାଶ୍ରୀ ଲେଖିଛନ୍ତି, “ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ଓ ମୋ ସହିତ ଆମ ପ୍ରତିନିଧି ଦଳ ପୋଲିସ ଥାନାରେ ଅଧିକାରୀଙ୍କ ଦ୍ୱାରା ଆଦିବାସୀ ନାବାଳିକା ଝିଅ ଗଣଦୁଷ୍କର୍ମ ଘଟଣାର ଫ୍ୟାକ୍ଟ ଫାଇଣ୍ଡିଂ ପାଇଁ ଏବେ ବିରମିତ୍ରପୁର/ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କଲୁ”। ଫଟୋରେ ଭାରି ଖୁସି ଖୁସି ଜଣା ପଡ଼ୁଛନ୍ତି ଲେଖାଶ୍ରୀ। ସତେ ଯେପରି ପିକନିକ୍ କରିବାକୁ ଯାଉଛନ୍ତି।

ଏହି କାରଣରୁ ହିଁ ଓଡ଼ିଶାରେ ବିଜେପି ସମାଲୋଚିତ ହେଉଛି। ନାରୀ ସୁରକ୍ଷା, ନାରୀ ନିର୍ଯ୍ୟାତନା ଭଳି ସମ୍ବେଦନଶୀଳ ଘଟଣାରେ ବିଜେପି କେବଳ ଅଯଥା ରାଜନୀତି କରୁଛି ବୋଲି ବିଜେଡି ଏବଂ କଂଗ୍ରେସ ସବୁବେଳେ ଅଭିଯୋଗ କରି ଆସୁଛନ୍ତି। ଆଉ ବିଜେପିର ଏତାଦୃଶ ଆଚରଣ ବିଜେଡିର ଅଭିଯୋଗକୁ ଏକ ପ୍ରକାର ପ୍ରମାଣ କରୁଛି। ଏହିସବୁ ଘଟଣାକୁ ନେଇ ନିକଟରେ ରାଜ୍ୟ ମାନବାଧିକାର କମିଶନ ପୁଣି ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଥିଲା ବିଜେପି। ଏହାସବୁ ଗଣମାଧ୍ୟମରେ ପ୍ରକାଶିତ ହେବା ସହ ଏମାନେ ସୋସିଆଲ୍ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ। ବିରମିତ୍ରପୁର ଗଲେ ସେଠାରେ ପୁଣି ଫଟୋ ଉଠିବ, ଗଣମାଧ୍ୟମରେ ପ୍ରକାଶିତ ହେବ, ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ ହେବ। ତେବେ, ପୁଣି ବାଟରେ ଏ’ ଯାତ୍ରା କାହିଁକି। ଗତ ୨/୩ ବର୍ଷ ହେଲା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବୀନ ସରକାରଙ୍କ ଅମଳରେ ନାରୀ ସୁରକ୍ଷା ବିପର୍ଯ୍ୟସ୍ତ ନେଇ ଅନେକ ଆନ୍ଦୋଳନ, ନାରୀ ସୁରକ୍ଷା ଯାତ୍ରା, କୋକେଇ ଯାତ୍ରା, କ୍ୟାଣ୍ଡେଲ୍ ଯାତ୍ରା କରଯାଇଥିଲା। କିନ୍ତୁ, ପିଡ଼ି଼ତା ମହିଳାଙ୍କ ପ୍ରତି ମନରେ ଚିନ୍ତା ଏବଂ ବ୍ୟଥା ନୁହେଁ, ଆତ୍ମପ୍ରଚାର ନିଶାରେ କେତେକ ନେତ୍ରୀ ମାତିଥିଲେ ବୋଲି ଅଭିଯୋଗ ହେଉଥିଲା। ଏବଂ ଲେଖାଶ୍ରୀ ବୋଧହୁଏ ଏଥିରେ ଆଗରେ ଥିଲେ ବୋଲି କୁହାଯାଏ।

କିଛି ଘଟଣାକୁ ଦେଖିଲେ ଏପରି କିଛି ନେତ୍ରୀ ମାନଙ୍କର ଯେ ପିଡ଼ୀତାଙ୍କ ପାଇଁ ମନରେ ବ୍ୟଥା ନୁହଁ ଏ’ସବୁ ନିଜ ପ୍ରଚାର ପାଇଁ କରୁଥିବା ପରି ଅନୁଭବ ହୁଏ। ବିଜେପି ପକ୍ଷରୁ ନାରୀ ସୁରକ୍ଷା ଯାତ୍ରା ଚାଲିଥିବା ସମୟରେ ଭଦ୍ରକରେ ଜଣେ ପିଡ଼ୀତା ଲେଖାଶ୍ରୀଙ୍କୁ ଭେଟି ଅଭିଯୋଗ କରିଥିବା ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପିଡ଼ୀତାଙ୍କୁ ପୋଲିସ ଟଙ୍କା ଯାଚିବା, ଗାଡ଼ି ଚଢ଼େଇ ମାରିଦେବା ପରି ଧମକ ଦେବା ପରି ସଙ୍ଗୀନ ଅଭିଯୋଗ ଆଣି ଲେଖାଶ୍ରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ବାସ୍ ସୋସିଆଲ ମିଡିଆରେ ପୋଷ୍ଟ କରି ରହିଗଲେ। ପିଡ଼ୀତାଙ୍କ ପାଇଁ କିପରି କଣ ସହାୟତା କରାଯାଇ ପାରିବ କି କ’ଣ ସେ ନେଇ ଆଉ ତାଙ୍କର ଚିନ୍ତା ରହିଲା ନାହିଁ। ଏହାପରେ ସତେ ଯେପରି ବାହାରି ପଡିଲେ ଆଉ ଜଣେ ଦୁଷ୍କର୍ମ ପିଡ଼ୀତା ସନ୍ଧାନରେ, ନିଜ ପ୍ରଚାର ଯୋଜନାରେ ବାଲେଶ୍ୱର ଅଭିମୁଖେ। ବାଲେଶ୍ୱର ଜିଲ୍ଲାରେ ଜୁଆ ଖେଳରେ ନିଜ ସ୍ତ୍ରୀଙ୍କୁ ବାଜି ଲଗାଇବା ଭଳି ଏକ ଘଟଣା ଘଟିଥିଲା। ଜୁଆ ଖେଳରେ ହାରି ସମ୍ପୃକ୍ତ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ରାତି ଅଧରେ ଘରୁ ଡାକିନେଇ ବିଲ ମଝିରେ ଜୁଆ ଜିତିଥିବା ବ୍ୟକ୍ତିଙ୍କ ପାଖରେ ଛାଡ଼ି ଦେବାରୁ ସେଠାରେ ତାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ ଘଟିଥିବା ଏହି ଘଟଣା ସେତେବେଳେ ସେଠାରେ ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଲେଖାଶ୍ରୀ ସାମନ୍ତସିଂହାର ଏବଂ କିଛି ନାରୀନେତ୍ରୀ ଯାଇ ସଂପୃକ୍ତ ପିଡ଼ୀତାଙ୍କୁ ଭେଟିଥିଲେ ଏବଂ ପିଡ଼ୀତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ। ତେବେ ଲେଖାଶ୍ରୀ ଏପରି ଦାବି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ବେଳେ ନିଜ ସହ ପିଡ଼ୀତାଙ୍କ ଫଟୋ ପୋଷ୍ଟ କରିଥିଲେ। ଆଇନ ଅନୁଯାୟୀ ପିଡ଼ୀତାଙ୍କ ପରିଚୟ ସାଧାରଣରେ ପ୍ରକାଶ କରିବା ଅନୁଚିତ। ଭାରତୀୟ ଦଣ୍ଡବିଧି ଆଇନର ଧାରା ୨୨୮(ଏ) ଅନୁଯାୟୀ ପିଡ଼ୀତାଙ୍କ ନାମ/ପରିଚୟ ପ୍ରକାଶ କରିବା ଏକ ଦଣ୍ଡନୀୟ ଅପରାଧ। କିନ୍ତୁ, ପିଡ଼ୀତା ପାଇଁ ମନରେ ବ୍ୟଥା ନୁହଁ ବୋଧେ ନିଜ ପ୍ରଚାରରେ ମଗ୍ନ ରହି ଲେଖାଶ୍ରୀ ଏପରି କରିଥିଲେ। ଏବେ ମଧ୍ୟ ସେହି ଧାରା ଲାଗି ରହିଛି। ଯେତେ ବୁଝାଇଲେ ବୁଝୁନି ଓଡ଼ିଶା ବିଜେପି।

ମହିଳା ସୁରକ୍ଷା ନେଇ ଏମାନଙ୍କ ମନରେ କେତେ ଚିନ୍ତା, କେତେ ବ୍ୟଥା ରହିଛି ତାହା ଜଣାପଡ଼ି ଯାଉଛି। ନାରୀ ନିର୍ଯ୍ୟାତନା ବିରୋଧରେ ତଥା ମହିଳା ସୁରକ୍ଷା ନେଇ କେତେ ଆନ୍ଦୋଳନ, କେତେ ପ୍ରତିବାଦ ହେଉଛି। କିନ୍ତୁ, ନାରୀ ନିର୍ଯ୍ୟାତନା ହ୍ରାସ ପାଇବା ପରିବର୍ତ୍ତେ ବଢ଼ି ଚାଲିଛି। ନୂଆନୂଆ ପାଶବିକ କାଣ୍ଡ, ଜଘନ୍ୟ ଘଟଣାମାନ ଘଟି ଚାଲିଛି। ଯେଉଁ ସ୍ଥାନରେ ଯାହାର ଶାସନ ନାହିଁ, ସେଠାକାର ବିରୋଧି ଦଳ କେବଳ ରାଜନୀତି କରିବା ପାଇଁ ସେହି ପ୍ରସଙ୍ଗ ଉଠାଉଥିବାର ଦେଖାଯାଉଛି। କଦବା କୋଚିତ୍ ଘଟଣାକୁ ଛାଡ଼ିଦେଲେ ଅଧିକାଂଶ ଘଟଣା ଗୁଡ଼ିକରେ ପିଡ଼ି଼ତା ନ୍ୟାୟ ପାଇପାରୁନି କି ଦୋଷୀ ଦଣ୍ଡ ପାଉନି। କେବଳ ପିଡ଼ି଼ତାର ନାମକୁ ନେଇ ରାଜନୀତି ହେଉଛି, ଚର୍ଚ୍ଚା ଆଲୋଚନା ହେଉଛି, ଯାତ୍ରା ହେଉଛି ବା ଚଳଚିତ୍ର ନିର୍ମାଣ ହେଉଛି। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.