Home Top News “ଦିବ୍ୟ କାଶୀ – ଭବ୍ୟ କାଶୀ” ପାଇଁ ଆୟୋଜିତ ହେବ ବ୍ୟାପକ ଏବଂ ଭବ୍ୟ କାର୍ଯ୍ୟକ୍ରମ

“ଦିବ୍ୟ କାଶୀ – ଭବ୍ୟ କାଶୀ” ପାଇଁ ଆୟୋଜିତ ହେବ ବ୍ୟାପକ ଏବଂ ଭବ୍ୟ କାର୍ଯ୍ୟକ୍ରମ

39

ଭୁବନେଶ୍ୱର: ଭଗବାନ ଶିବଙ୍କ ଜଟାରୁ ଉତ୍ପନ ହୋଇଥିବା ପରମ ପାବନୀ ମା’ ଗଙ୍ଗାଙ୍କ କୂଳରେ ଅବସ୍ଥିତ ପୌରାଣିକ ସହର କାଶୀ ଏକ ପ୍ରାଚୀନ ସହର। ପବିତ୍ର ସପ୍ତପୁରୀ ମଧ୍ୟରୁ ଏହା ଅନ୍ୟତମ। ଏହି ମହାନ ନଗରୀର ଉଲ୍ଲେଖ ଋକ୍‌ବେଦ, ସ୍କନ୍ଦ ପୁରାଣ, ରାମାୟଣ, ମହାଭାରତ ଏବଂ ମତ୍ସପୁରାଣ ସମେତ ଅନେକ ଗ୍ରନ୍ଥରେ ମିଳିଥାଏ। ଏହି ମହାନ୍ କାଶୀ ପାଇଁ ବିଶ୍ୱର ସବୁଠାରୁ ଲୋକପ୍ରିୟ ଜନନେତା, ସମଗ୍ର ବିଶ୍ୱରେ ଭାରତର ମହାନ୍ ପ୍ରାଚୀନ ସଂସ୍କୃତିକୁ ପୁନଃ ପ୍ରତିଷ୍ଠା କରିଥିବା ତଥା ଦେଶର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ଦିବ୍ୟ କାଶୀ- ଭବ୍ୟ କାଶୀ” ର ସ୍ୱପ୍ନକୁ ସାକାର କରୁଛନ୍ତି। ଭଗବାନ୍ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଏକ ପ୍ରାଚୀନ ଧାର୍ମିକ ସହର କାଶୀ ବିଶ୍ୱନାଥ ଧାମର ସୌନ୍ଦର୍ଯ୍ୟକରଣ ଏବଂ ସାମଗ୍ରିକ ବିକାଶର ଅଦ୍ଭୁତ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ୧୩ ଡିସେମ୍ବର ୨୦୨୧ରେ ଲୋକାର୍ପଣ ହେବ। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ପ୍ରସନ୍ନତା ଏବଂ ଗୌରବର ବିଷୟ ବୋଲି “ଦିବ୍ୟ କାଶୀ- ଭବ୍ୟ କାଶୀ” ସହ ସଂଯୋଜକ ନୟନ କିଶୋର ମହାନ୍ତି କହିଛନ୍ତି। ସାରା ଦେଶରୁ ଧର୍ମାଚାର୍ଯ୍ୟ, ସାଧୁସନ୍ଥ, ଜ୍ଞାନୀଗୁଣି, ପ୍ରବୁଦ୍ଧଜନ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ତଥା ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀଙ୍କ ସମେତ ବହୁ ସଂଖ୍ୟାରେ ଭକ୍ତମାନେ ବା ଶ୍ରଦ୍ଧାଳୁ ମାନେ ଏହି ମହାନ୍ କାର୍ଯ୍ୟରେ ସିଧାସଳଖ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଭାରତୀୟ ସଂସ୍କୃତିର ଅନନ୍ୟ ପରିଚୟ, ସାମାଜିକ ସମରସତା, ଅଖଣ୍ଡତା ଏବଂ ଏକତାର ପ୍ରତୀକ ହେବ। ଭଗବାନ୍ ଶିବଙ୍କ ତ୍ରିଶୁଳ ଉପରେ ଅବସ୍ଥିତ କାଶୀ ନଗରୀର ପୁନରୁଥାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ସଂକଳ୍ପ ନେଇଥିଲେ। ଏହା କାଶୀ ବିଶ୍ୱନାଥ ଧାମ୍ ରୂପରେ ୧୩ ଡିସେମ୍ବର ୨୦୨୧ରେ ସାକାର ହେବାକୁ ଯାଉଛି। ଏହି କାଳଜୟୀ କାର୍ଯ୍ୟକ୍ରମକୁ ଐତିହାସିକ ଏବଂ ଅଭୂତପୂର୍ବ କରିବା ପାଇଁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପାର୍ଟି ସ୍ତରରେ ଅନେକ କାର୍ଯ୍ୟକ୍ରମ ରଚନା କରିଛନ୍ତି। ଏହି କାର୍ଯ୍ୟକ୍ରମ ଗୁଡ଼ିକ ଏକ ମାସ ପାଇଁ ସାରା ଦେଶରେ ଆୟୋଜିତ ହେବ। ଯାହା ୧୩ ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ବା ୧୪ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ। ଦଳର ସମସ୍ତ ଜନ- ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ଏପରି ଅନେକ କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି ବୋଲି ନୟନ ମହାନ୍ତି ସୂଚନା ଦେଇ କହିଛନ୍ତି। ୧୩ ଡିସେମ୍ବର ୨୦୨୧ରେ ଦେଶର ସମସ୍ତ ଜ୍ୟୋର୍ତିଲିଙ୍ଗଙ୍କ ନିକଟରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହେବ। ଦେଶର ପ୍ରାୟ ୫୧, ୦୦୦ ସ୍ଥାନରେ ବଡ଼ ପରଦା ଲଗାଯିବ। ଯେଉଁଥିରେ “ଦିବ୍ୟ କାଶୀ- ଭବ୍ୟ କାଶୀ” କାର୍ଯ୍ୟକ୍ରମ ସିଧା ପ୍ରସାରଣ ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରମୁଖ ମଠ – ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ମାନଙ୍କରେ ବଡ଼ ପରଦା ଲଗାଯିବ।ଜ୍ୟୋତିର୍ଲିଙ୍ଗଙ୍କ ସମେତ ଏହି ସବୁ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବଡ଼ ବଡ଼ ଧର୍ମାଚାର୍ଯ୍ୟ, ସାଧୁସନ୍ଥ ଏବଂ ପ୍ରବୁଦ୍ଧଜନ ସହିତ ପାର୍ଟିର ଜନପ୍ରତିନିଧି ମାନେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବା ପାଇଁ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଯୁଦ୍ଧକାଳୀନ ସ୍ତରରେ କାର୍ଯ୍ୟ କରୁଛନ୍ତି। ଦେଶର ସମସ୍ତ ମଣ୍ଡଳରେ ଶିବାଳୟ ତଥା ପ୍ରମୁଖ ମଠ ମନ୍ଦିର ମାନଙ୍କରେ ବ୍ୟବସ୍ଥିତ ରୂପରେ ପରଦା ଲଗାଇ ୧୩ ଡିସେମ୍ବରର ଅଦ୍ଭୁତପର୍ବ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ, ଯେଉଁଥିରେ ପାର୍ଟି କାର୍ଯ୍ୟକର୍ତ୍ତା, ଶ୍ରଦ୍ଧାଳୁ, ପ୍ରବୁଦ୍ଧଜନ, ଭକ୍ତ, ଜ୍ଞାନୀ ବ୍ୟକ୍ତି, ପୁରୋହିତ, ମହନ୍ତ ଏବଂ ସାଧୁସନ୍ଥମାନେ ଅଂଶଗ୍ରହଣ କରିବେ। ଉତ୍ତରପ୍ରଦେଶର ସମସ୍ତ ଗ୍ରାମରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣର ମଧ୍ୟ ବ୍ୟବସ୍ଥା କରାଯିବ। ଯେଉଁଥିରେ ପାର୍ଟି କାର୍ଯ୍ୟକର୍ତ୍ତା ମାନେ ଗାଁ’ର ଲୋକଙ୍କ ସହ ଅଂଶଗ୍ରହଣ କରିବେ। ପାର୍ଟି ସ୍ତରରେ ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଦଳର ରାଷ୍ଟ୍ରୀୟ ମହାମନ୍ତ୍ରୀ ତରୁଣ ଜୀ’ଙ୍କ ନେତୃତ୍ୱରେ କେନ୍ଦ୍ରୀୟ ସମନ୍ୱୟ ସମିତି ଦ୍ୱାରା ଏକ ପ୍ରଭାବୀ ଯୋଜନା କରାଯାଇଛି। ସମସ୍ତ ଜିଲ୍ଲା କେନ୍ଦ୍ରରେ ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ୱାରା ମଠ ମନ୍ଦିର ଆଶ୍ରମ ତଥା ଧାର୍ମିକ ସ୍ଥଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ସାଧୁସନ୍ଥ ଧର୍ମାଚାର୍ଯ୍ୟ, ପାର୍ଟିର ସମସ୍ତ ଜନପ୍ରତିନିଧିମାନେ ମଧ୍ୟ ଭାଗନେବେ। କାଶୀ ସମ୍ବଦ୍ଧରେ ସାହିତ୍ୟ ମଧ୍ୟ ବିତରଣ କରାଯିବ। ୯ ଡିସେମ୍ବରରେ ପ୍ରଭାତ ପରିକ୍ରମା ୧୦, ୧୧ ଓ ୧୨ ଡିସେମ୍ବରରେ ସ୍ୱଚ୍ଛତା ଅଭିଯାନ ମଠ, ମନ୍ଦିର, ଆଶ୍ରମ, ଧାର୍ମିକ ସ୍ଥଳରେ କରାଯିବ। କାଶୀରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ୫ ଡିସେମ୍ବରରୁ ଆରମ୍ଭ ହୋଇ ୧୨ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। କାଶୀ ବିଶ୍ୱନାଥ ଧାମର ଲୋକାର୍ପଣ ଅବସରରେ ପ୍ରଦେଶର ସମସ୍ତ ନାଗରିକ ନିଜ ନିଜ ଘରେ ଦୀପ ଜାଳି ଭଗବାନ ଶିବଙ୍କୁ ଆରାଧନା କରିବେ। କାଶୀରେ ଏହାକୁ ଭବ୍ୟ ରୂପେ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୧୪ ଡିସେମ୍ବର ୨୦୨୧ରେ ଭାରତୀୟ ଜନତା ପାର୍ଟି ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କର ସମ୍ମିଳନୀ ଆୟୋଜନ କରାଯିବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ମାନନୀୟ ଜଗତ୍ ପ୍ରସାଦ ନଡ୍ଡା, ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ ପ୍ରମୂଖ ଉପସ୍ଥିତ ରହିବେ। ସମସ୍ତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ମାନଙ୍କର ୩ ଦିନ ଧରି ଧାର୍ମିକ, ସାଂସ୍କୃତିକ ପ୍ରବାସ ହେବ। ୧୭ ଡିସେମ୍ବର ୨୦୨୧ କେନ୍ଦ୍ରୀୟ ସହରୀ ବିକାଶ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରକାରର ସହରୀ ବିକାଶ ମନ୍ତ୍ରଣାଳୟ ଦ୍ୱାରା ସମସ୍ତ ପୌରପାଳିକା ମାନଙ୍କର ସମ୍ମିଳନୀ କାଶୀରେ କରାଯିବ। ୨୩ ଡିସେମ୍ବର ୨୦୨୧ରେ କାଶୀରେ ଜୈବିକ କୃଷିର ପ୍ରଚାର ପ୍ରସାର ପାଇଁ ଏକ ସମ୍ମିଳନୀ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଦେଶର କୃଷି ବୈଜ୍ଞାନିକ, ଉନ୍ନତ କୃଷକ ମାନଙ୍କ ସହିତ କୃଷି ବିଶେଷଜ୍ଞମାନେ ଭାଗନେବେ। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ। “ଦିବ୍ୟ କାଶୀ-ଭବ୍ୟ କାଶୀ” ସମ୍ବଦ୍ଧରେ ସରକାରୀ ପୁସ୍ତିକା ମଧ୍ୟ ବିତରଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ମଧ୍ୟ ସମସ୍ତ ମଣ୍ଡଳରେ ଶିବାଳୟ ମାନଙ୍କରେ ୧୩ ଡିସେମ୍ବରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚାଲିଛି। ସମସ୍ତ ଜିଲ୍ଲା କେନ୍ଦ୍ରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି “ ଦିବ୍ୟ କାଶୀ-ଭବ୍ୟ କାଶୀ” ସହ ସଂଯୋଜକ ନୟନ କିଶୋର ମହାନ୍ତି କହିଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମ, ଦୂରଦର୍ଶନ ଦ୍ୱାରା ଏକ କୋଟିରୁ ଉର୍ଦ୍ଧ୍ୱ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଭାଗନେଇ ଦର୍ଶନର ସୁଯୋଗ ପାଇବେ ବୋଲି ନୟନ ମହାନ୍ତି ସୂଚନା ଦେଇ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ “ଦିବ୍ୟ କାଶୀ- ଭବ୍ୟ କାଶୀ” ସଂଯୋଜକ ଶାରଦା ପ୍ରସାଦ ଶତପଥୀ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଦିଲୀପ୍ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.